ଭୁବନେଶ୍ୱର,୦୩/୦୮: ଆସନ୍ତା ୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି ।
ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି, ଏବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ଯାଏ ବର୍ଷା ଲାଗି ରହିବ । ସୁନ୍ଦରଗଡ଼ରୁ ସମ୍ବଲପୁର ଯାଏ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ଭାରୀ ବର୍ଷା ହେବ । ଆସନ୍ତା ୬ ତାରିଖରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ବର୍ଷା ଆହୁରି ବଢ଼ିବ । ୬ ତାରିଖ ସନ୍ଧ୍ୟାରୁ ବର୍ଷା ବଢ଼ିବ । ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୮ ତାରିଖ ଯାଏ ବର୍ଷା ହେବ ।
ତେବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବଙ୍ଗୋପସାଗର ପରିଲକ୍ଷିତ ହୋଇନି ବୋଲି ସେ କହିଛନ୍ତି । ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ୨୦ରୁ ୩୦ ଦିନ ଭିତରେ ସଅଳ ରୁଆ ଧାନରେ ପିଲ ସାର ପ୍ରୟୋଗ କରନ୍ତୁ । ରୁଆ ହେବାକୁ ଥିବା ଧାନରେ ଫସଫରସ୍ ଓ ପଟାସ ସାର ପକାନ୍ତୁ । ମକା ଆଣ୍ଠୁଏ ଉଚ୍ଚା ହେଲେ ଘାସ ବାଛନ୍ତୁ ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ଏହି ଲଘୁଚାପ କ୍ଷେତ୍ର ରାଜ୍ୟ ଠାରୁ ଦୂରରେ ଥିବାରୁ ଏହାର ବିଶେଷ ପ୍ରଭାବ ରହିବନି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର ଲହୁଣୀପଡ଼ାରେ ୯୦ମିମି ବର୍ଷା ହୋଇଛି । ଟେନ୍ସାରେ ୮୩.୪ମିମି, କଟକ ମାହାଙ୍ଗାରେ ୭୮ ଓ ସୁନ୍ଦରଗଡ଼ର ବଣାଇରେ ୬୨ମିମି ବର୍ଷା ହୋଇଛି।