ରାୟଗଡ଼ା,୫।୭ (ଆପ୍ର)- ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ କନେଷ୍ଟବଳ। ସେ ହେଲେ ତାରିଣୀ ଚରଣ ଗମାଙ୍ଗ(୫୦)। ତହସିଲ ଛକ ସ୍ଥିତ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଏଭଳି ଘଟଣା ଘଟିଛି।
ତହସିଲ ଛକ ଜାତୀୟ ରାଜପଥ କଡ଼ରେ ଡ୍ୟୁଟିରେ ତାରିଣୀ ନିୟୋଜିତ ଥିଲେ । ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମରେ । ୧୯୯୭ ମସିହାରେ ପୁଲିସ କନେଷ୍ଟବଳ ଚାକିରୀ ପାଇ ବର୍ତ୍ତମାନ ଦୋରାଗୁଡ଼ା ଥାନାରେ କାର୍ଯ୍ୟରତ ଥିଲେ । ବାହୁଡା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସିଥିଲେ। ରାୟଗଡ଼ା ମେଡ଼ିକାଲରେ ଏସଡିପିଓ ଗୌରହରି ସାହୁ, ପୁଲିସ ଆରଆଇ କବିବର ଦେହୁରୀ, ରାୟଗଡ଼ା ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ।