ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଜଣେ ଆଦିବାସୀ (ଅନୁସୂଚିତ ଜନଜାତି) ମହିଳାଙ୍କ ଅନୁସୂଚିତ ଜାତିର ଜଣେ ପୁରୁଷଙ୍କ ସହ ବିବାହ ପରେ ତାଙ୍କ ପରିବାରକୁ ଗ୍ରାମବାସୀମାନେ ସାମାଜିକ ବର୍ଜନ କରିଥିବା ଘଟଣାକୁ ଜାତୀୟ ମାନବାଧିକାର ଆୟୋଗ (NHRC) ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଗତ ଜୁନ୍ ୨୧ ତାରିଖରେ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ରାମବାସୀମାନେ ମହିଳାଙ୍କ ପରିବାରକୁ ସମାଜରେ ପୁନଃଗ୍ରହଣ କରିବା ପାଇଁ ଏକ ଶୁଦ୍ଧିକରଣ ରୀତି ପାଳନ କରିବାକୁ ଦାବି କରିଥିଲେ। ଏହି ରୀତି ପାଳନ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବର୍ଜନ ଜାରି ରହିବ ବୋଲି ଧମକ ଦେଇଥିଲେ।
NHRC ଏହି ରିପୋର୍ଟକୁ ସ୍ୱତଃପ୍ରବୃତ୍ତ ଭାବେ ଗ୍ରହଣ କରି କହିଛି ଯେ, ଯଦି ଏହି ଖବର ସତ ହୋଇଥାଏ ତେବେ ଏହା ପୀଡ଼ିତଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ। ଆୟୋଗ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ରାମବାସୀଙ୍କ ଚାପରେ ମହିଳାଙ୍କ ପରିବାର ଶୁଦ୍ଧିକରଣ ରୀତି ପାଳନ କରିଥିଲେ। ଏହି ରୀତିରେ ପରିବାରର ୪୦ ଜଣ ସଦସ୍ୟଙ୍କ ମୁଣ୍ଡ ମୁଣ୍ଡନ କରାଯାଇଥିଲା।
NHRC ଏହି ଘଟଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଓଡ଼ିଶା ସରକାରଙ୍କ ନିକଟରୁ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ମଗାଇଛି।