ଜମନକିରା, ୨୭ା୩(ଆପ୍ର):ସମ୍ୱଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ବୁଧବାର ବିଳମ୍ୱିତ ରାତିରେ ବଡ଼ଧରଣର ଡକାୟତି ହୋଇଛି । ବନ୍ଧୁକଧାରୀ ଦୁର୍ବୃତ୍ତ ଘରେ ପଶି ପ୍ରାଣାନ୍ତକ ଆକ୍ରମଣ କରି ନଗଦ ୮ ଲକ୍ଷ ସହ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏଭଳି ସଶସ୍ତ୍ର ଡକାୟତି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
ବାମରା ଗୁଣ୍ଡିଚା ମନ୍ଦିର ନିକଟରେ ରୁହନ୍ତି ଦୀନେଶ ଖଣ୍ଡେଲୱାଲଙ୍କ ପରିବାର । ଦୀନେଶ, ପତ୍ନୀ ମୀନା ଓ ବଡ଼ପୁଅ ଗୌରବ, ବୋହୂ ସିମ୍ରନ, ସାନପୁଅ ରାହୁଲ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୨ଟାରେ ୫ଜଣ ମୁଖାଧାରୀ ଦୁର୍ବୃତ୍ତ ଝରକା ଗ୍ରୀଲ୍ ଭାଙ୍ଗି ଘରେ ପଶିଥିଲେ । ଉପର ମହଲାର ଗୋଟିଏ କୋଠରିରେ ଗୌରବ ଓ ସିମ୍ରନ ଏବଂ ଅନ୍ୟ କୋଠରିରେ ରାହୁଲ ଶୋଇଥିଲେ । ଦୁର୍ବୃତ୍ତମାନେ ସମ୍ପୃକ୍ତ ତିନିଜଣଙ୍କୁ କାବୁ କରି ନେଇଥିଲେ । ଭୁଜାଲିରେ ଆକ୍ରମଣ କରିବା ସହ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରାଇଥିଲେ । ତଳ ମହଲରେ ଶୋଇଥିବା ଦୀନେଶ ଏବଂ ସ୍ତ୍ରୀ ମୀନାଙ୍କୁ ମୁହଁରେ କପଡ଼ା ବାନ୍ଧି ଗୋଟିଏ ଘରେ ବନ୍ଦ କରି ଦେଇଥିଲେ । ଦୀର୍ଘ ଘଣ୍ଟାଏ ଧରି ଉପର ମହଲାରେ ଅଭିଯୁକ୍ତ ଦଳ ରଚିଥିଲେ ଆତଙ୍କ ।
ଆଲମିରା ଚାବି ଦେବାରେ ବିଳମ୍ୱ କରୁଥିବାରୁ ଗର୍ଭବତୀ ସିମ୍ରନଙ୍କୁ ନିର୍ଯାତନା ଦେଇଥିଲେ । ଘରର ସମସ୍ତ ଆଲମିରା ଭାଙ୍ଗି ବ୍ୟବସାୟ ପାଇଁ ଥିବା ନଗଦ ୮ ଲକ୍ଷ ଟଙ୍କା ଓ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ସବୁ ଲୁଟି ଫେରାର ମାରିଥିଲେ । ଡକାୟତଙ୍କ ଭୁଜାଲି ଆକ୍ରମଣରେ ଦୁଇଭାଇ ଲହୁଲୁହାଣ ହୋଇଛନ୍ତି । ଗୌରବଙ୍କ ହାତ ପାପୁଲିରେ, ରାହୁଲଙ୍କ ଗୋଡ଼ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଡକାୟତି ଦଳରେ ୫ଜଣ ମୁଖା ପିନ୍ଧିଥିଲେ । ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ । ପୁଲିସ୍ର ଆଶ୍ରୟ ନେଲେ କିମ୍ୱା ବେଶୀ ତନାଘନା କଲେ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିବା ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ୍ ତନାଘନା କରିଛି । ରାସ୍ତା ସିଲ୍ କରି ତଦନ୍ତ ଜୋରଦାର କରିଛି । ହେଲେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କା ଥିବାରୁ ପୁଲିସ୍ ପ୍ରତିକ୍ରିୟା ଦେବାକୁ ମନା କରିଛି