ପ୍ରମୂଖ ଖବର
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

କୃଷି ଆତଙ୍କବାଦ...

Published By : Prameya | June 15, 2025 3:03 PM

ପୃଥିବୀ ରାଇଜ ରାଜା ହେବାକୁ ଚୀନର ମନ ଉଚ୍ଛନ୍ନ । କରୋନା  ଭୂତାଣୁ ଛାଡ଼ି ସାରା ବିଶ୍ୱରେ ତାଣ୍ଡବ ଲୀଳା ରଚିଥିବା ବେଜିଂ ଏବେ ଆତଙ୍କବାଦର ନୂଆ କୌଶଳ ଆପଣାଇଛି । କୃଷି ଆତଙ୍କବାଦକୁ ଅସ୍ତ୍ର କରି  ବିଶ୍ୱ ଖାଦ୍ୟ ଶୃଙ୍ଖଳକୁ ଧ୍ୱଂସ କରିବାର ଷଡ଼ଯନ୍ତ୍ର ପଦାକୁ ଆସିଛି।

ଶସ୍ୟ ଶ୍ୟାମଳା କ୍ଷେତ ପାଲଟିଯିବ କି ଯୁଦ୍ଧକ୍ଷେତ୍ର? ଯେଉଁଠି  ଏବେ ସୁନା ଫଳୁଛି, ସେଇଠି ବିଷ ଉତ୍ପାଦନ ହେବ? ସାରା  ବିଶ୍ୱକୁ ଏବେ ଘାରିଛି ଏ ଚିନ୍ତା । କରୋନା ପରି ଭୂତାଣୁକୁ ଛାଡ଼ି  ସାରା ପୃଥିବୀରେ ତାଣ୍ଡବ ରଚିଥିବା ଡ୍ରାଗନ୍‌ ଚୀନ୍‌ ଏବେ ‘ସୁପର  ପାୱାର’ ପାଲଟିବାକୁ ନୂଆ ଯୁଦ୍ଧର ପରିକଳ୍ପନା କରିଛି । ହାତରେ  ନ ମାରି ଭାତରେ ମାରିବାକୁ ଆରମ୍ଭ କରିଛି ବଡ଼ ଷଡ଼ଯନ୍ତ୍ର । ଯୁଦ୍ଧ  ଜିତିବାକୁ ଖାଦ୍ୟକୁ କରିଛି ମାଧ୍ୟମ । ବିଶ୍ୱ ସମ୍ରାଟ ହେବାକୁ ଚାଇନା  ରଚିଛି ଚକ୍ରବ୍ୟୂହ । ଫସଲ ଉତ୍ପାଦନ କରୁଥିବା କ୍ଷେତରେ ଜୈବିକ  ଅସ୍ତ୍ର ଫଙ୍ଗସ୍‌ ପ୍ରୟୋଗ କରି ଫସଲକୁ ସଂପୂର୍ଣ୍ଣ ନଷ୍ଟ କରିଦେବ ।  କରୋନା ପରି ଏ ଚକ୍ରବ୍ୟୂହରେ ଗୋଟିଏ ପରେ ଗୋଟିଏ  ଦେଶ ଫସିବେ । ଖାଦ୍ୟ ସଂକଟ ଉପୁଜି ସାରା ବିଶ୍ୱରେ ଆସିବ  ହାହାକାର । ଡ୍ରାଗନର ଏ ଦୀର୍ଘମିଆଦି ଯୋଜନା କିନ୍ତୁ ପ୍ରଥମରୁ  ଝୁଣ୍ଟିଛି । ଚାଇନାର ଏ ‘କୃଷି ଆତଙ୍କବାଦ’କୁ ସମାଧି ଦେବାକୁ  ଆମେରିକା ପଣ କରିଛି । ଶତ୍ରୁଠୁ ଅଧିକ କପଟତା କରୁଥିବା  ଚୀନ୍‌ର ଏ ‘କୃଷି ଆତଙ୍କବାଦ’ ଦ୍ୱାରା ଆଗକୁ ଭାରତ ଯେ ବହୁଳ  କ୍ଷତିଗ୍ରସ୍ତ ନହେବ କିଏ କହିବ? 

‘ବିଶ୍ୱ ସମ୍ରାଟ’ ପାଇଁ ନୂଆ ଅସ୍ତ୍ର 

ମାଟିରେ ଦାୟ ନା ମଣିଷରେ । ମାଟି ମଣିଷର ନୁହେଁ, ମଣିଷ  ମାଟିର । ବଳ ବୟସ ଗଡ଼ି ନିଃଶ୍ୱାସ ଟିକକ ଚାଲିଯିବା ପରେ  ମାଟି ହିଁ ମଣିଷକୁ କୋଳେଇ ନିଏ । ମାଆ ଗର୍ଭ ପରି ।  ଏବେ ଏ ମାଟି ମାଆକୁ ଦଖଲ କରିବାକୁ ବେଜିଂର ଦୁର୍ବାର  ଇଚ୍ଛା । ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ୁଥିଲା  ବେଳେ ନୂଆ ପ୍ରକାରର ଆତଙ୍କବାଦକୁ ଜନ୍ମ ଦେଇଛି ଚୀନ୍‌ ।  ଅଶାନ୍ତି, ରକ୍ତପାତ ଓ ଜବରଦଖଲ ପାଇଁ ସମୟ ଅନୁସାରେ  ନିଜ ରଣକୌଶଳ ବଦଳାନ୍ତି ଆତଙ୍କବାଦୀ ସଂଗଠନ ।  ପୃଥିବୀର ମୁକୁଟବିହୀନ ରାଜା ହେବାକୁ ‘କୃଷି ଆତଙ୍କବାଦ’  ଭଳି ଜୈବିକ ଅସ୍ତ୍ର ପ୍ରସ୍ତୁତ କରିଛି ଚୀନ୍‌ । ଏ ଆତଙ୍କବାଦ  ଜରିଆରେ ଅଚିରେ ବିଶ୍ୱକୁ ନିଜ ମୁଠାକୁ ଆଣିପାରିବ ବୋଲି  ବେଜିଂର ପ୍ରଚଣ୍ଡ ବିଶ୍ୱାସ ।

ଜୟ ଯବାନ, ଜୟ କିଷାନ । ଦେଶର ସାମାଜିକ  ତଥା ଅର୍ଥନୈତିକ ବିକାଶର ଚାବିକାଠି ହେଉଛି କୃଷି ।  ଜୀବନଧାରଣର ମୁଖ୍ୟ ଆବଶ୍ୟକତା ପୂରଣ କରନ୍ତି ଆମ  ଅନ୍ନଦାତା । ଚାଷ ଆଉ ଚାଷୀଙ୍କ ବିନା ଦୁନିଆର ପରିକଳ୍ପନା  ବି କରି ହେବନି । ନିଜ ଶକ୍ତିର ଅହଂକାରରେ ଅନ୍ୟକୁ ନୀଚା  ଦେଖାଇବାକୁ ଡ୍ରାଗନ୍‌ କିଛି ବି କରିବାକୁ ପ୍ରସ୍ତୁତ । କୋଭିଡ୍‌  ଭୂତାଣୁରେ ଲକ୍ଷ ଲକ୍ଷ ଲୋକଙ୍କୁ ମାରିଥିବା ଚୀନ୍‌ ଏବେ  ଲୋକଙ୍କୁ ଭୋକରେ ମାରିବାକୁ ଗୋଟି ଚଳାଇଛି । ହେଲେ  ଆମେରିକା ହାତରେ ଧରାପଡ଼ିଛି ଏ ଚାଲ୍‌ । 

କୃଷି ଆତଙ୍କବାଦର ଷଡ଼ଯନ୍ତ୍ର  ଅଭିଯୋଗରେ ଦୁଇ ଜଣ ଚୀନ୍‌  ନାଗରିକଙ୍କୁ ଗିରଫ କରିଛି  ଆମେରିକୀୟ ତଦନ୍ତକାରୀ ସଂସ୍ଥା  (ଏଫ୍‌ବିଆଇ)। ଉଭୟ ଅଭିଯୁକ୍ତ  ଚୀନ୍‌ରୁ ଆମେରିକାକୁ ବିପଦଜନକ  ଫଙ୍ଗସ୍‌ ଚୋରା ଚାଲାଣ କରୁଥିଲେ । ଏହା ପଛରେ ବଡ଼  ଷଡ଼ଯନ୍ତ୍ରର ପ୍ରମାଣ ପାଇଛି ଏଫ୍‌ବିଆଇ । ଏହି ପ୍ରକାରର  ଫଙ୍ଗସ୍‌ ଜମିର ଫସଲରେ ରୋଗ ସୃଷ୍ଟି କରିବେ । ଚାଷଜମିକୁ  ମରୁଭୂମିରେ ପରିଣତ କରିଦେବେ । ଯେ କୌଣସି ଦେଶର  ଆର୍ଥିକ ସ୍ଥିତିକୁ ମାଟିରେ ମିଶାଇବାକୁ ଏହି ବିପଦପୂର୍ଣ୍ଣ  ଫଙ୍ଗସ୍‌କୁ ଜୈବିକ ଅସ୍ତ୍ର ଭାବରେ ବ୍ୟବହାର କରିହେବ । ମିଶିଗାନ୍‌ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ଦୁଇ ଚାଇନା  ନାଗରିକ ଏଠାର ପରୀକ୍ଷାଗାରରେ ବ୍ୟବହାର କରିବାକୁ ଏହି  ଫଙ୍ଗସ୍‌ ଆଣିଥିବା ମାନିଛନ୍ତି । ପଚରା ଉଚରା ବେଳେ ଦୁହେଁ  କହିଛନ୍ତି ଷଡ଼ଯନ୍ତ୍ରର କାହାଣୀ । ଏ ଫଙ୍ଗସ୍‌ ଆମେରିକାରେ  ଖାଦ୍ୟ ସଂକଟର ବୀଜ ବୁଣିଥାନ୍ତା ।  

ଭାତରେ ମାରିବାକୁ ଷଡ଼ଯନ୍ତ୍ର 

ଆମେରିକୀୟ କୃଷି ବିଜ୍ଞାନୀଙ୍କ ଯୁକ୍ତି, ଏହି ଫଙ୍ଗସ୍‌ ହେଡ୍‌ ବ୍ଲାଇଟ୍‌  କିମ୍ବା ସ୍କାବ ନାମକ ରୋଗ ସୃଷ୍ଟି କରେ । ଏହା ଶସ୍ୟର ଗୁଣବତ୍ତା  ନଷ୍ଟ କରିଦେବ । ଫସଲର ଉତ୍ପାଦନ କ୍ଷମତା ହ୍ରାସ ମଧ୍ୟ କରିବ ।  ଏହା ଗହମ ଓ ଧାନ ଫସଲକୁ ବହୁଳ ଭାବେ କ୍ଷତି ପହଞ୍ଚାଇଥାଏ ।  ଅମଳ କମିବା ସହ ସଂକ୍ରମିତ ଶସ୍ୟ ହାଲୁକା ଏବଂ ଭଙ୍ଗୁର  ହୋଇଥାଏ । ବିଚରା ଚାଷୀ ଏହାଦ୍ୱାରା କ୍ଷତି ସହିବା ସହ ଖାଦ୍ୟ  ସଂକଟର ଧାରା ଆରମ୍ଭ ହୁଏ । ବିଗ୍‌ ବ୍ରଦର୍‌ ଆମେରିକାକୁ ତଳକୁ  ଠେଲି ଶୀର୍ଷସ୍ଥାନ ଦଖଲ କରିବାକୁ ଭାତରେ ମାରିବାକୁ ଚୀନର  ଗୋଳିଆ ଗୋପନ ଇଚ୍ଛା ଧରାପଡ଼ିଛି । ବିଶ୍ୱ ସମୁଦାୟ ଆଗରେ  ଚୀନ୍‌ ଏବେ ଖଳନାୟକ । 

ଏକ ସାଇନ୍ସ ଜର୍ଣ୍ଣାଲ ଅନୁଯାୟୀ ୧୯୮୦ ଦଶକରେ ଆମେରିକାରେ  ‘ଫ୍ୟୁଜେରିୟମ ହେଡ ବ୍ଲାଷ୍ଟ’ ଶସ୍ୟ ସଂକ୍ରମଣ ମହାମାରୀ ସ୍ତର  ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ବିହନ ଅମଳ, ମୂଲ୍ୟ ଓ ଗୁଣବତ୍ତା  ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ରୋଗକୁ ସେ  ସମୟରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା । ଏହି ଫଙ୍ଗସ୍‌  ଦ୍ୱାରା ଯେ କେବଳ ଫସଲ ନଷ୍ଟ  ହୁଏନି । ପଶୁପକ୍ଷୀ ଓ ସାଧାରଣ  ଲୋକ ମଧ୍ୟ ଏଥିରେ ବହୁଳ ପ୍ରଭାବିତ  ହୁଅନ୍ତି । ଫସଲକୁ ଏ ରୋଗପୋକ  ସଂକ୍ରମଣ ପରେ ବିଷାକ୍ତ ପଦାର୍ଥ  ଉତ୍ପନ୍ନ ହୁଏ । ଏହି ସଂକ୍ରମିତ ଶସ୍ୟ  ଖାଉଥିବା ଲୋକ ଓ ପଶୁପକ୍ଷୀ ରୋଗାକ୍ରାନ୍ତ ହୁଅନ୍ତି । ଯକୃତକୁ କ୍ଷତି  ପହଞ୍ଚେ । ପ୍ରଜନନ ସମସ୍ୟା ସୃଷ୍ଟି ହୁଏ । ପ୍ରାଣୀ ସମ୍ପଦକୁ ମାଡ଼ି  ଆସେ ଅକାଳ ମଡ଼କ । କୃଷି ପ୍ରଣାଳୀକୁ ରୋଗାକ୍ରାନ୍ତ କରିବା ସହ  ଅନ୍ୟ ଜୈବିକ ଉପାଦାନକୁ କ୍ଷତି ପହଞ୍ଚାଇବା କୃଷି ଆତଙ୍କବାଦର  ମୂଳ ଉଦ୍ଦେଶ୍ୟ । ଏହାଦ୍ୱାରା ଖାଦ୍ୟ ପ୍ରକିୟାକରଣ ଖର୍ଚ୍ଚର ଗ୍ରାଫ୍‌  ଉପରମୁହାଁ ହେବ । ବାଣିଜ୍ୟିକ ସଂପର୍କରେ ମଧ୍ୟ ଲାଗିବ  ତାଲା । ଚାଷଜମିରୁ ଅସ୍ଥିରତା ଓ ଭୟର ବାତାବରଣ ଦେଶର  ଖାଦ୍ୟ ଶୃଙ୍ଖଳରେ ବିଭ୍ରାଟ ଆଣିବ । ଦେଶର ଅର୍ଥନୀତିକୁ ଧ୍ୱସ୍ତ  କରିବା ସହ ସାମାଜିକ ଅଶାନ୍ତି ଛିଡ଼ା କରାଇବ । ବଡ଼ କଥା ଏପରି  ଅପରାଧ କରିଥିବା ବ୍ୟକ୍ତି ଧରାପଡ଼ିବାର ସମ୍ଭାବନା ଖୁବ୍‌ କମ୍‌ ।  ଅଳ୍ପ ଖର୍ଚ୍ଚରେ ଏକ ବଡ଼ ଉଦ୍ଦେଶ୍ୟ ସାଧନ ଅଚିରେ ହୋଇଯାଏ ।  ତେଣୁ ବେଜିଂ କୃଷି ଆତଙ୍କବାଦରେ ଫଙ୍ଗସ୍‌କୁ  ଏକ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରିବାର  ଗୁପ୍ତ ଯୋଜନା ପ୍ରସ୍ତୁତ କରିଛି ।  

ବିଶ୍ୱଯୁଦ୍ଧରେ ବ୍ୟବହାର  କରିଥିଲା ଜର୍ମାନୀ 

କୃଷି ଆତଙ୍କବାଦର ଇତିହାସ କେତେ ପୁରୁଣା?  ହଁ...ବିଶ୍ୱ ପାଇଁ ଏହା ଆଦୌ ନୂଆ ନୁହେଁ ।  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଏ ଅସ୍ତ୍ରକୁ ଶତ୍ରୁପକ୍ଷ ବିରୋଧରେ ବ୍ୟବହାର କରିଥିଲା ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନର ଆଳୁ  ଫସଲକୁ ଟାର୍ଗେଟ କରିଥିଲା । ଆଳୁ ଫସଲକୁ ନଷ୍ଟ କରିବାକୁ ସ୍ୱତନ୍ତ୍ର ପୋକ ବିମାନ ଜରିଆରେ  ଛାଡ଼ିଥିଲା । କ୍ଷେତରେ ତାଣ୍ଡବ ରଚିଥିଲା  ଜର୍ମାନୀର ଏ କୌଶଳ । ଜାପାନ ମଧ୍ୟ ଆମେରିକା ଓ ସୋଭିଏତ୍‌ ଋଷର ଗହମ କ୍ଷେତରେ ଧ୍ୱଂସଲୀଳା  ରଚିବାକୁ ଯୋଜନା କରିଥିଲା । ଆମେରିକା ମୁହଁତୋଡ଼ ଜବାବ  ଦେବାକୁ ଯାଇ ଜାପାନରେ ଫସଲହାନୀର ବିଧ୍ୱସ୍ତ ଆଣିବାକୁ  ଚେତାବନୀ ଦେଇଥିଲା । 

୨୦୧୬ରେ ବାଲାଂଦେଶରୁ ବିଷାକ୍ତ ପଙ୍ଗପାଳ ଭାରତମୁହାଁ  ହୋଇଥିଲେ । ସମ୍ଭାବ୍ୟ ବିପଦକୁ ଆଖିରେ ରଖି ପଶ୍ଚିମବଙ୍ଗର ୩ଟି  ଜିଲ୍ଲାରେ ୩ ବର୍ଷ ପାଇଁ ଗହମ ଚାଷକୁ ନିଷେଧ କରାଯାଇଥିଲା ।  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାକୁ ଅତି ସତର୍କତାର  ସହ ନିୟନ୍ତ୍ରଣ କରିଥିଲେ । 

ଭାରତ ପ୍ରତି ବିପଦ 

ଭାରତ ଭୂ-ଖଣ୍ଡ ଉପରେ ଚୀନ୍‌ର ସବୁବେଳେ ଆଖି । ବିନା  ଲଢ଼େଇରେ ଯୁଦ୍ଧ ଜୟ, ଏହା ଚାଇନାର ଅତି ପ୍ରିୟ ଫର୍ମୁଲା ।  ଭାରତକୁ ବୁଢ଼ିଆଣୀ ଜାଲରେ ପକାଇବାକୁ ଚାଇନାର ଉଦ୍ୟମରେ  ପୂର୍ଣ୍ଣଚ୍ଛେଦ ନାହିଁ । ଅପରେସନ ସିନ୍ଦୂର ପରେ ପାକିସ୍ତାନ ରକ୍ତ  ଚାଉଳ ଚୋବାଉଛି । ଚୀନ୍‌ ମଧ୍ୟ ଇତସ୍ତତଃ । ସୀମାନ୍ତରେ  ଥିବା ଏ ଦୁଇ ଦେଶ ପଟୁ ଭାରତ ପ୍ରତି ବିପଦ ଥିଲା ବେଳେ  ଆଗକୁ ଯେ ଭାରତ କୃଷି ଆତଙ୍କବାଦର ଶିକାର ନ ହେବ କିଏ  କହିବ? ଭାରତର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ । ଆମ  ଦେଶର ମୋଟ ଘରୋଇ ଉତ୍ପାଦରେ କୃଷିକ୍ଷେତ୍ରର ଅବଦାନ ୧୭  ପ୍ରତିଶତ । ଦେଶ ଜନସଂଖ୍ୟାର ପ୍ରାୟ ୫୫% କୃଷି ଓ ଆନୁଷଙ୍ଗିକ  କାର୍ଯ୍ୟକଳାପରେ ନିୟୋଜିତ । ପଞ୍ଜାବ, ରାଜସ୍ଥାନ, ହିମାଚଳ  ପ୍ରଦେଶ ଭଳି ପ୍ରମୁଖ କୃଷିପ୍ରଧାନ ରାଜ୍ୟର ସୀମାରେ ଶତ୍ରୁଦେଶ  ପାକିସ୍ତାନ ଏବଂ ଚୀନ୍‌ । ତେଣୁ ଆଜି ନ ହେଲେ କାଲି କୃଷି- ଆତଙ୍କବାଦର ବିପଦ ରହିଛି ବୋଲି କୃଷିବିଜ୍ଞାନୀଙ୍କ ଅନୁମାନ ।  ଶତ୍ରୁଙ୍କ ଏ ଉଦ୍ୟମ ପଣ୍ଡ କରିବାକୁ ଭାରତକୁ ଏବେଠାରୁ ସତର୍କ  ରହିବାର ଆବଶ୍ୟକତା ଅଛି । 

ଆତଙ୍କ, ଅଶାନ୍ତି, ଈର୍ଷା ଆଉ ହିଂସାର ବିଷ ପାଇଁ ଡ୍ରାଗନ୍‌ କାହିଁକି  ଏତେ ବ୍ୟଗ୍ର? ବିଶ୍ୱ ବିନାଶର ମଞ୍ଜି କାହିଁକି? କରୋନା ଅନେକ  କିଛି ଶିଖାଇଲା । ଅନୁତାପ କରୁନି ବେଜିଂ । ରାଇଜ ରଜା ହେବା,  ମିଛ ହଟଚମଟ ଓ ଦପଦପ ଦେଖାଇବାକୁ ସାମ, ଦାମ, ଦଣ୍ଡ,  ଭେଦର ଷଡ଼ଯନ୍ତ୍ର ଆଉ କେତେଦିନ? ପୃଥିବୀର ଭବିଷ୍ୟତ  ଶାନ୍ତିରେ ନା ହାହାକାରରେ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.