ଭୁବନେଶ୍ୱର,୧୭/୦୬: ଜୁନ୍ରେ ଭଲ ବର୍ଷା ଆକଳନ କରିଥିଲା ପାଣିପାଗ ବିଭାଗ । ମାତ୍ର ଏଯାଏଁ ସେମିତି ବର୍ଷା ହେଲାନି । ମୌସୁମୀ ଆଗୁଆ ଆସି ଏମିତି ହଜିଗଲା ଯେ ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜୁନ୍ରେ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିଛି । ସେଥିରୁ ୫ ଜିଲ୍ଲା ପୂରା ଶୁଖିଲା ପଡ଼ିଛି । ପାଣିପାଗର ତାଜା ପୂର୍ବାନୁମାନ ଅନୁସାରେ ଏବେ ବିଶେଷ ବର୍ଷା ନାହିଁ ରାଜ୍ୟରେ ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ମଙ୍ଗଳବାର କିଛି ଜାଗାରେ ବର୍ଷା ହୋଇପାରେ । ତା’ପରେ ବିଶେଷ ବର୍ଷା ନାହିଁ । ଆର୍ଦ୍ରତା ଅଧିକ ଥିବାରୁ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର ବିସ୍ତୃତ ଅଞ୍ଚଳ ଶୁଖିଲା ରହିବ । ଆଗକୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୨୩/୨୪ ତାରିଖବେଳକୁ ବର୍ଷା ବଢ଼ିପାରେ । ତା’ପରେ ପୁଣି ବର୍ଷା କମିଯିବ । ଜୁନ୍ ମାସଟା ନିଅଣ୍ଟିଆ ବର୍ଷାରେ ସରିଯାଇପାରେ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨ ଦିନ ଭିତରେ ରାଜ୍ୟର ବାକି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ୱର, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି । ୧୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୧୯ରୁ ବର୍ଷା ପରିମାଣ କମିପାରେ ।
ଦକ୍ଷିଣ ଓଡ଼ିଶାରୁ ମୌସୁମୀ ରାଜ୍ୟକୁ ପ୍ରବେଶ କରିଥିବାବେଳେ ମାଲକାନଗିରିରେ ଏବେ ସୁଦ୍ଧା ସବୁଠାରୁ କମ୍ ବର୍ଷା ହୋଇଛି । ଜୁନ୍ ପହିଲାରୁ ଏବେ ସୁଦ୍ଧା ମାଲକାନଗିରିରେ ୯୭% ବର୍ଷା କମ୍ ରହିଛି । ୫ଟି ଜିଲ୍ଲାରେ ୬୦% ରୁ ୯୭% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଥିବାବେଳେ ୧୪ଟି ଜିଲ୍ଲାରେ ୨୦%ରୁ ୫୭% ପର୍ଯ୍ୟନ୍ତ କମ୍ ରହିଛି । ଝାରସୁଗୁଡ଼ାରୁ ୮୭%, ମୟୂରଭଞ୍ଜରେ ୭୦%, ବରଗଡ଼ରେ ୬୨%, ନୂଆପଡ଼ାରେ ୬୦% ବର୍ଷା ନିଅଣ୍ଟିଆ ଅଛି । ନବରଙ୍ଗପୁରରେ ସ୍ୱାଭାବିକଠାରୁ ୫୭% ବର୍ଷା କମ୍ ଥିବାବେଳେ ବଲାଙ୍ଗିରରେ ୫୫%, ସମ୍ବଲପୁରରେ ୪୯%, କେନ୍ଦୁଝରରେ ୪୬%, ପୁରୀରେ ୪୧%, ବାଲେଶ୍ୱରରେ ୪୧%, ଅନୁଗୁଳରେ ୪୧%, କୋରାପୁଟରେ ୩୬%, ଭଦ୍ରକରେ ୩୫%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୪%, ଯାଜପୁରରେ ୩୨%, ସୁନ୍ଦରଗଡ଼ରେ ୨୭%, ରାୟଗଡ଼ାରେ ୨୫% ନିଅଣ୍ଟିଆ ବର୍ଷା ହୋଇଛି । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ସୋନପୁର, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତିରେ ବର୍ଷା ପରିମାଣ ସ୍ୱାଭାବିକ ଅଛି ।
ରାଜ୍ୟରେ ଏହି ୧୬ ଦିନରେ ହାରାହାରି ୫୭ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ତୁଳନାରେ ୩୧% ନିଅଣ୍ଟିଆ । ସବୁଠାରୁ କମ୍ ମାଲକାନଗିରିରେ ୨.୮ ମିମି, ଝାରସୁଗୁଡ଼ାରେ ୮ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା କମିଥିଲେ ମଧ୍ୟ ଉପକୂଳରେ ଏବେ ଗୁଳୁଗୁଳି ଭୀଷଣ ରହିଛି । ଆଜି ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ ଚାନ୍ଦବାଲିରେ ୪୭.୪ ମିମି, ଝାରସୁଗୁଡ଼ାରେ ୨୮.୬, କେନ୍ଦୁଝରରେ ୧୫.୬, ଭଦ୍ରକରେ ୧୯, ବରଗଡ଼ରେ ୧୩.୭, ରାଉରକେଲାରେ ୩୫.୮ ମିମି ବର୍ଷା ହୋଇଛି । ବାଲେଶ୍ୱର, ଯାଜପୁରରେ ହାଲୁକା ବର୍ଷା ହୋଇଛି ।