ବୌଦ୍ଧ,୧୭/୬ : ଖାକିରେ କଳଙ୍କ। ପୁଲିସକୁ ଠକି ପୟଲିସ ଗିରଫ। ହୋମଗାର୍ଡଙ୍କୁ ଠକିଲେ କନେଷ୍ଟବଳ। ବୌଦ୍ଧ ଥାନାରେ କାର୍ଯ୍ୟରତ କନେଷ୍ଟବଳ ହୃଦାନନ୍ଦ ବେହେରାଙ୍କୁ ଠକେଇ ଅଭିଯୋଗରେ ବୌଦ୍ଧ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାହୁଲ ଗୋୟଲ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବୌଦ୍ଧ ଥାନା ଗମ୍ଭାରୀ ପଦର ଗ୍ରାମର ପ୍ରଦୀପ କୁମାର ତ୍ରିପାଠି ବୌଦ୍ଧ ଜିଲ୍ଳାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ବୌଦ୍ଧ ଜିଲ୍ଳା ପୁଲିସରେ କାର୍ଯ୍ୟରତ କନେଷ୍ଟବଳ ହୃଦାନନ୍ଦ ବେହେରା ତାଙ୍କୁ ଋଣ କରାଇ ଦେବା ବାହାନରେ ପ୍ରତ୍ୟକ ମାସରେ ୧୦ ହଜାର ଟଙ୍କା ନେଉଥିଲେ। ଏହା ସହ ହୋମାଗାର୍ଡଙ୍କ ଏଟିମଏ, ପାସବୁକ୍ ଓ ଚେକ୍ ମଧ୍ୟ ରଖିଥିଲେ। ଏଟିମଏ ମାଗିଲେ ଧମକ ଚମକ ଦେଉଥିଲେ। ଭୁବନେଶ୍ୱରରୁ ଲୋନ କରିଦେବି କହି ଟଙ୍କା ନେଇଥିବା ବେଳେ ଲୋନ ହେବା ପରେ ମଧ୍ୟ କିଛି ଟଙ୍କା ଦେଇନଥିଲେ। ଏହିପରି ଭାବେ
ହୋମଗାର୍ଡ ପ୍ରଦୀପଙ୍କ ଠାରୁ କନେଷ୍ଟବଳ ହୃଦାନନ୍ଦ ୧୦ ଲକ୍ଷ ଟଙ୍କା ନେଇଥିଲେ । ଏହା ସହ ଜିଲ୍ଳାର ଅନେକ ପୁଲିସମାନଙ୍କ ପାଖରୁ ଏଟିଏମ, ପାସବୁକ୍ ନେଇ ରଖିଥିଲେ। ଏନେଇ ହୋମଗାର୍ଡ ପ୍ରଦୀପ ତ୍ରିପାଠୀ ଅଭିଯୋଗ କରିବା ପରେ ବୌଦ୍ଧ ପୁଲିସର ଏକ ଟିମ୍ ଗତ ରବିବାର ସନ୍ଧ୍ୟାରେ ହୃଦାନନ୍ଦଙ୍କ ଘରେ ଚଢ଼ାଉ କରିଥିଲା। ୬୦ଟି ପାସବୁକ୍,୪୩ ଏଟିଏମ୍, ୨୯ଟି ଚେକବୁକ୍,୨୦୯ ଟି ଖାଲି ହସ୍ତାକ୍ଷର ଥିବା ଚେକ୍, ୫୦୨୪୯୦ ଟଙ୍କା,୧୪୫ ଗ୍ରାମ ସୁନା ଓ ରୁପା ଜବତ କରିଥିଲା । ଠକେଇ ଅଭିଯୋଗରେ ପୁଲିସ କନେଷ୍ଟବଳ ହୃଦାନନ୍ଦ ବେହେରାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସପି ରାହୁଲ ଗୋୟଲ କହିଛନ୍ତି।