ନୂଆଦିଲ୍ଲୀ,୧୬/୦୬: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ଗୋଲ୍ଡି ବ୍ରାର ସମ୍ପର୍କ ମଧ୍ୟରେ ଏକ ବଡ଼ ଫାଟ ଦେଖାଦେଇଛି। ଯାହାକି ଦେଶର ଗୁଇନ୍ଦା ସଂସ୍ଥା ଏବଂ ପୋଲିସ ଅଧିକାରୀଙ୍କ ପାଇଁ ସେମାନଙ୍କର ଅପରାଧିକ ସିଣ୍ଡିକେଟ୍ ଉପରେ ନଜର ରଖିବାରେ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉଭୟଙ୍କ ମଧ୍ୟରେ ଏହି ଫାଟ ସୁରକ୍ଷା ସଂସ୍ଥାଗୁଡ଼ିକୁ ଚିନ୍ତାରେ ପକାଇଛି। ଏମାନେ ଭୟ କରୁଛନ୍ତି ଯେ ସେମାନଙ୍କ ନେଟୱାର୍କରେ ଏକ ଗ୍ୟାଙ୍ଗଓ୍ବାର ହୋଇପାରେ କିମ୍ବା ଏହା ବିଶ୍ୱସ୍ତତାରେ ପରିବର୍ତ୍ତନ ହୋଇପାରେ। କୁହାଯାଉଛି ଯେ ଲରେନ୍ସ ବିଷ୍ନୋଇ ଗୋଲ୍ଡି ବ୍ରାର ଏବଂ ସଚିନ ଗୋଦାରା ଦ୍ବାରା ତାର ଭାଇ ଅନମୋଲର ମାମଲାକୁ ସମ୍ଭାଳିବାର ଶୈଳୀରେ ଅସନ୍ତୋଷ ଥିଲା। ତେଣୁ ଉଭୟ ଏବେ ଅଲଗା ହୋଇଯାଇଛନ୍ତି। ଗୋଲ୍ଡି ବ୍ରାର ବର୍ତ୍ତମାନ ଆଜରବାଇଜାନର ରୋହିତ ଗୋଦାରା ସହିତ କାମ କରୁଥିବା ବେଳେ ଏପଟେ ଲରେନ୍ସ ବିଷ୍ନୋଇ ଏବେ କାନାଡାର ନୋନି ରାଣା ସହିତ ହାତ ମିଳାଇଛି।
ସୂତ୍ର ଅନୁସାରେ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସୂଚନା ମିଳିଥିଲା ଯେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଅନମୋଲକୁ ଆବଶ୍ୟକୀୟ ଜାମିନ ବଣ୍ଡ ଭରିବାରେ ସାହାଯ୍ୟ କରିନଥିଲେ। ରିପୋର୍ଟ ଅନୁସାରେ, ଅନମୋଲକୁ ପରେ ମୁକ୍ତ କରାଯାଇଥିଲା, କିନ୍ତୁ ତାର ଗୋଡ଼ରେ ଏକ ଟ୍ରାକର ଲଗାଯାଇଥିଲା। ନଭେମ୍ବର ୨୦୨୪ରେ, ୨୫ ବର୍ଷୀୟ ଅନମୋଲକୁ ନକଲି ଯାତ୍ରା ଡକ୍ୟୁମେଣ୍ଟ ବ୍ୟବହାର କରିବା ଅଭିଯୋଗରେ ଆମେରିକାର ଇମିଗ୍ରେସନ ଅଧିକାରୀମାନେ ଅଟକ ରଖିଥିଲେ। ୨୦୨୨ ମେ ମାସରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ସହିତ ମଧ୍ୟ ତାର ନାଁ ସାମିଲ ଥିଲା। ଏହା ବ୍ୟତୀତ, ତାକୁ ଗତ ବର୍ଷ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଉଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୂତ୍ରଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ପଞ୍ଜାବ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀର ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସହିତ ଏହି ବିଷୟରେ ଆଲୋଚନା କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ହରିୟାଣାର ଯମୁନାନଗରର ଗ୍ୟାଙ୍ଗଷ୍ଟର କାଲା ରାଣା (ବୀରେନ୍ଦ୍ର ପ୍ରତାପ)ର ସାନ ଭାଇ ନୋନି ରାଣା (ସୂର୍ଯ୍ୟ ପ୍ରତାପ) ଆମେରିକାରୁ ଅପରାଧର ସିଣ୍ଡିକେଟ ଚଳାଉଛି। ସେ ଲରେନ୍ସ ବିଷ୍ନୋଇ ପକ୍ଷରୁ ଫୋନ୍ କରେ ଏବଂ ଟଙ୍କା ସଂଗ୍ରହ କରେ।
ବ୍ରାର ଏବଂ ଗୋଦାରା ବିଷୟରେ ଉଲ୍ଲେଖ କରି ରିପୋର୍ଟରେ କୁହାଯାଇଛି ଯେ, ଗତ ମାସରେ ସେମାନେ କାନାଡାର ମିସିସାଗାରେ ଏକ ଟ୍ରକିଂ ସୁରକ୍ଷା ଏବଂ ବୀମା ପରାମର୍ଶଦାତା ଚଳାଉଥିବା ବ୍ୟବସାୟୀ ହରଜିତ ସିଂହଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ, ସେ ଲରେନ୍ସ ଏବଂ ଅନ୍ୟ ଗ୍ୟାଙ୍ଗ ସଦସ୍ୟଙ୍କ ନାଁ ଉଲ୍ଲେଖ କରିନଥିଲେ, କିନ୍ତୁ ପୂର୍ବରୁ ସେମାନେ ସାଧାରଣତଃ ଏପରି ପୋଷ୍ଟ କରନ୍ତି। ଲରେନ୍ସ ବର୍ତ୍ତମାନ ଗୁଜରାଟର ସାବରମତୀ ଜେଲରେ ବନ୍ଦୀ ଅଛି ଏବଂ ଗୋଦାରା ଆମେରିକାରୁ ଅପାରାଧିକ ନେଟଓ୍ବର୍କ କରୁଛି।
ରିପୋର୍ଟ ଅନୁଯାୟୀ, ଅପରାଧର ପ୍ରାରମ୍ଭିକ ଦିନରେ, ଲରେନ୍ସ ବିଷ୍ନୋଇ, ଗୋଲ୍ଡି ବ୍ରାର, କାଲା ରାଣା ଏବଂ ଅନ୍ୟ କେତେ ଜଣଙ୍କ ସହିତ ଏକ ଦଳ ଗଠନ କରିଥିଲା। ବିଷ୍ନୋଇ ପରେ ୟୁପିର ଧନଞ୍ଜୟ ସିଂହ, ପଞ୍ଜାବର ଜଗ୍ଗୁ ଭଗବାନପୁରିଆ, ହରିୟାଣାର କାଲା ଜଠେରୀ, ରାଜସ୍ଥାନର ରୋହିତ ଗୋଦାରା, ଦିଲ୍ଲୀର ରୋହିତ ମୋଇ ଓ ହାସିମ ବାବାର ଗ୍ୟାଙ୍ଗଷ୍ଟରମାନଙ୍କ ସହିତ ଏକ ମେଣ୍ଟ ଗଠନ କରି ଏକ 'ବ୍ୟବସାୟିକ ମଡେଲ' ଗଠନ କରିଥିଲା।