ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସଞ୍ଜୟ ଭଣ୍ଡାରୀ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପୁଣି ଥରେ ସମନ କରିଛି। ମାମଲାରେ ପଚରାଉଚରା ପାଇଁ ଇଡି ଆସନ୍ତାକାଲି (ମଙ୍ଗଳବାର) ରବର୍ଟ ଭଦ୍ରାଙ୍କୁ ସମନ ପଠାଇଛି। ଗତ ମଙ୍ଗଳବାର ମଧ୍ୟ ରବର୍ଟ ଭଦ୍ରାଙ୍କୁ ଇଡି ସମନ ପଠାଇଥିଲା । କିନ୍ତୁ ସେ ଇଡି କାର୍ଯ୍ୟାଳକୁ ଆସିନଥିଲେ। ଏହି କାରଣରୁ, ଏବେ ଇଡି ପୁଣି ଥରେ ତାଙ୍କୁ ସମନ ପଠାଇଛି ଏବଂ ଜୁନ୍ ୧୭ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।
ଏହି ମାମଲା ସଞ୍ଜୟ ଭଣ୍ଡାରୀ ମାମଲା ସହିତ ଜଡିତ । ସଞ୍ଜୟ ଭଣ୍ଡାରୀ ଜଣେ ଅସ୍ତ୍ରଶସ୍ତ୍ର ପରାମର୍ଶଦାତା ଏବଂ ବ୍ରିଟେନରେ ରହୁଛନ୍ତି। ସଞ୍ଜୟ ଭଣ୍ଡାରୀ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରିବ। ଏହି ମାମଲାର ତଦନ୍ତ ପିଏମଏଲଏ ଅଧୀନରେ କରାଯାଉଛି। ପୂର୍ବରୁ ଭଦ୍ରାଙ୍କୁ ଜୁନ୍ ୧୦ ତାରିଖରେ ପଚରାଉଚରା ପାଇଁ ସମନ ପଠାଇଥିଲା ।
ଜୁନ୍ ୯ରେ ଭଦ୍ରା କହିଥିଲେ ଯେ, ତାଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ରହିଛି ଏବଂ ପ୍ରୋଟୋକଲ୍ ଅନୁସାରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ପ୍ରକୃତରେ, ଇଡି ଅଭିଯୋଗ କରିଛି ଯେ, ‘ସଞ୍ଜୟ ଭଣ୍ଡାରୀ ୨୦୦୯ ମସିହାରେ ଲଣ୍ଡନର ୧୨, ବ୍ରାୟନଷ୍ଟନ ସ୍କୋୟାରରେ ଏକ ଘର କିଣିଥିଲେ। ଏହି ଘରର ନବୀକରଣ ରବର୍ଟ ଭଦ୍ରାଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିଲା ଏବଂ ସେ ନିଜେ ଏଥିପାଇଁ ପାଣ୍ଠି ଯୋଗାଇଥିଲେ।’ ରବର୍ଟ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଲଣ୍ଡନରେ ତାଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ସମ୍ପତ୍ତି ଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେ ଏହି ଅଭିଯୋଗଗୁଡ଼ିକୁ 'ରାଜନୈତିକ ଷଡ଼ଯନ୍ତ୍ର' ବୋଲି କହିଛନ୍ତି।