ଭୁବନେଶ୍ୱର, ୧୫।୬: ଜାତୀୟ ଓଟିଟିରେ ସ୍ଥାନ ପାଇବା ପୂର୍ବରୁ ହିନ୍ଦୀ ଭର୍ସନରେ ଓଡ଼ିଆ ସିନେମା ‘ମାମା ଓ୍ବେଡ୍ସ ପାପା’ର ହେଲା ସ୍ୱତନ୍ତ୍ର ସ୍କ୍ରିନିଂ । ରବିବାବର ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱରସ୍ଥିତ ଆଇନକ୍ସ ଭବାନି ମଲ୍ ସ୍ଥିତ ପ୍ରେକ୍ଷାଳୟରେ ‘ମାମା ୱେଡ୍ସ ପାପା’ର ସ୍ୱତନ୍ତ୍ର ସ୍କ୍ରିନିଂ ପୂର୍ବରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବିମାନ ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଏହି ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା ।
କହିରଖୁ କି, ଓଡ଼ିଆ ଚଳଚ୍ଚିତ୍ର ‘ମାମା ୱେଡ୍ସ ପାପା’ ଜାତୀୟ ଓଟିଟିରେ ସ୍ଥାନ ପାଇବ । ପୂର୍ବରୁ ଏହି ସିନେମା ଓଡ଼ିଆ ଭାଷାରେ ରିଲିଜ୍ ହେବା ପରେ ବେଶ୍ ଲୋକପ୍ରିୟତା ସାଉଣ୍ଟିଥିଲା । ବର୍ତ୍ତମାନ ଏହା ଓଟିଟିରେ ରିଲିଜ୍ ହେବାକୁ ଯାଉଛି । ଯାହା ହିନ୍ଦୀ ଭର୍ସନରେ ଆସିବ । ଓଡ଼ିଆ ଫିଲ୍ମ ଜାତୀୟ ଓଟିଟିରେ ସ୍ଥାନ ପାଇବା ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ବୋଲି ସିନେପ୍ରେମୀ କହିଛନ୍ତି ।
ଗୋଟିଏ କୁନି ଝିଅ ତା’ର ପାପା ମାମାଙ୍କର କିଭଳି ବାହାଘର କରୁଛି ତାକୁ ନେଇ ଫିଲ୍ମର କାହାଣୀ ଆଧାରିତ । ପୂର୍ବରୁ ଏହାର ଦମଦାର୍ କାହାଣୀ ଏବଂ ସୁନ୍ଦର ଗୀତ ସିନେମାଟିକୁ ବେଶ୍ ଲୋକପ୍ରିୟ କରିବାରେ ସଫଳ ହୋଇଥିଲା । ୨ବର୍ଷ ତଳେ ଏହି ସିନେମା ଓଡ଼ିଆ ଭାଷାରେ ସିନେମା ହଲ୍ରେ ରିଲିଜ୍ ହୋଇଥିଲା । ଏହାର ଗୀତକୁ ଆଜି ବି ଦର୍ଶକମାନେ ଗୁଣୁ ଗୁଣାଇଥାନ୍ତି । ହଲ୍ରେ ରିଲିଜ୍ ହେବା ପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ହିନ୍ଦୀ ଭର୍ସନରେ ରିଲିଜ୍ କରିବାକୁ ଯୋଜନା ରଖାଯାଇଥିଲା ।
ଏହି ଚର୍ଚ୍ଚିତ ଚଳଚ୍ଚିତ୍ରଟି ଶ୍ରୀହାନ ସିନେକ୍ରିଏନ୍ସ ବ୍ୟାନରରେ ନିର୍ମିତ ହୋଇଛି । ପ୍ରଯୋଜନାରେ ଅଛନ୍ତି ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି । କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଆପ୍ପୁ କାନୁନଗୋ ରହିଛନ୍ତି । ସେହିପରି ସଙ୍ଗୀତରେ ଆସଦ ନିଗମ ଥିବାବେଳେ ଡିଓପିରେ ନିରଞ୍ଜନ ଦାଶ ଏବଂ ପ୍ରଚାର ପ୍ରସାର ଦାୟିତ୍ୱରେ ଗୁରୁପ୍ରଦ ନାଥ ରହିଛନ୍ତି । ପ୍ରଥମ ଥର ପାଇଁ ଏଥିରେ ବଲିଉଡ୍ ଅଭିନେତା କୃଷ୍ଣା ଅଭିଷେକ ସ୍କ୍ରିନ୍ ସେୟାର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରଥ, ଋତିଶା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ସ୍ୱତନ୍ତ୍ର ସ୍କ୍ରିନିଂରେ ଓଲିଉଡ୍ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି, ଅଭିନେତା, ଅଭିନେତ୍ରୀ ଏବଂ ସାମ୍ବାଦିକମାନେ ଯୋଗଦେଇ ଏହି ସିନେମାକୁ ବେଶ୍ ପ୍ରଶଂସା କରିଛନ୍ତି । ଅପରପକ୍ଷେ ଏହି ସିନେମାଟି ଓଡ଼ିଶା ଭଳି ଜାତୀୟ ସ୍ତରରେ ମଧ୍ୟ ଲୋକପ୍ରିୟତା ସାଉଣ୍ଟିବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି ।