ଭୁବନେଶ୍ୱର,୧୪/୦୬: ଭାଇ ତୁମେ ଆମକୁ ଛାଡ଼ି ଯାଅନା । ତୁମେ ଗଲେ ଆମେ ଯାତ୍ରା ଛାଡ଼ି ଦେବୁ । ଲୁହ ଆଉ କୋହରେ ବୁଡ଼ିଲା ଯାତ୍ରା ମଞ୍ଚ । ସରିଛି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଯାତ୍ରା ବର୍ଷ । ନିଷ୍ପତ୍ତି ମୁତାବକ ତାଙ୍କ ଯାତ୍ରା ଶେଷ ହେଲା କିନ୍ତୁ ବହୁ ସହ ଅଭିନେତା ତାଙ୍କୁ ଛାଡ଼ିବାକୁ ନାରାଜ । ସଭିଙ୍କ ଆଖିରେ ଧାର ଧାର ଲୁହ । ମୁହଁରେ ଗୋଟିଏ କଥା, ଭାଇ ତୁମେ ଆମକୁ ଛାଡ଼ି ଯାଅନି... । ଶେଷରେ ପରିଚାଳକ ବି ବାଟ ଓଗାଳିଲେ ଆଉ କହିଥିଲେ, ମୁଁ ଶୋଇପଡ଼ୁଛି, ତୁମେ ମୋ ଉପରେ ଚଢ଼ି ଚାଲିଯାଅ ପୀୟୂଷ । କିଛି କନିଷ୍ଠ ଓ ବରିଷ୍ଠ କଳାକାର ଯାତ୍ରା ଦଳ ପରିଚାଳକଙ୍କୁ ଅନୁରୋଧ କରିଥିଲେ, ପୀୟୂଷଙ୍କୁ ଯାତ୍ରାରେ ରଖି ଦିଅନ୍ତୁ । ସେ ସୁସ୍ଥ ହୋଇ ଗଲେଣି । ସମସ୍ତେ ତାଙ୍କୁ କୁଣ୍ଢେଇ ଧରି ଭୋ ଭୋ କାନ୍ଦିଥିଲେ । ତାଙ୍କ ଆଖିରେ ବି ଲୁହ ଜକେଇ ଆସିଥିଲା । କଥା ଦେଇଛନ୍ତି, ରଖିବାକୁ ହେବ । ତେଣୁ ସମସ୍ତଙ୍କୁ ସାନ୍ତ୍ୱନା ଦେଇ ଯାତ୍ରାରୁ ଶେଷରେ ବିଦାୟ ନେଇଥିଲେ ।
ଅଗ୍ରୀମ ଟଙ୍କା ନେଇ ଯାତ୍ରା ଦଳ ସହ ବିବାଦ ପରେ ସ୍ୱାସ୍ଥ୍ୟଗତ କାରଣରୁ ଚଳିତବର୍ଷ ଯାତ୍ରାଠୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ ପୀୟୂଷ। ଆଜିଠୁ ଯାତ୍ରା ଋତୁ ୨୦୨୪-୨୫ ଶେଷ ହୋଇଛି । ରଜ ପରେ ଆସନ୍ତା ୨୦ରୁ ବିଭିନ୍ନ ଯାତ୍ରା ଦଳର ଆଖଡ଼ାଶାଳା ପୂଜା ସହ ରିହର୍ସାଲ୍ ହେବ । ଶେଷ ଦିନରେ ମେଣ୍ଢାଶାଳ ଜାମୁଝରିଠାରେ ବିଦାୟୀ ଯାତ୍ରା ଋତୁର ଶେଷ ରାତ୍ରିରେ ସୂର୍ଯ୍ୟ ମନ୍ଦିର ନାଟକ ‘ତତେ ଲାଗିଯାଉ ମୋ ଆୟୁଷ’ ମଞ୍ଚସ୍ଥ କରିଥିଲା । ମଞ୍ଚ ତଳେ ପୀୟୂଷଙ୍କ ଦମ୍ଦାର ସଂଳାପ ଶୁଣିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । କାରଣ ଆଗକୁ ଯାତ୍ରାରେ ପୀୟୂଷଙ୍କ ଅଭିନୟ ଦେଖିବାକୁ ମିଳିବ କି ନାହିଁ କେହି ଜାଣିନାହାନ୍ତି । ବର୍ତ୍ତମାନ ସେ ମ୍ୟୁଜିକ୍ ଭିଡିଓ ଓ ଓଡ଼ିଆ ସିନେମା ଦୁନିଆରେ ବ୍ୟସ୍ତ । ରଥଯାତ୍ରାରେ ତାଙ୍କ ଅଭିନୀତ ଓଡ଼ିଆ ସିନେମା ‘ଶମ୍ଭୁ’ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଦଶହରାରେ ଅନୁଭବଙ୍କ ସହିତ ସିନେମା ଆସିବ ବୋଲି ଶୁଣିବାକୁ ମିଳୁଛି ।