ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଓଡ଼ିଆ ସିନେମା ଖୋଜୁଛି କ୍ରାଉଡ୍‌ ପୁଲର୍‌ ଷ୍ଟାର୍‌

Published By : Rasmita Pradhan | June 11, 2025 11:35 AM

ଭୁବନେଶ୍ଵର, ୧୦/୬ (ମନୋରଞ୍ଜନ ମହାନ୍ତି) : ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ହଲ୍‌, ଟିଭି ଏବଂ ଓଟିଟିକୁ ମିଶାଇ ୩୦ଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଲାଣି । ୨୦ଟି ହଲ୍‌ରେ, ବାକି ୧୦ଟି ଟିଭି ଓ ଓଟିଟିରେ ମୁକ୍ତିଲାଭ କରିଛି । କିନ୍ତୁ ଗୋଟିଏ ବି ନାଁକୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ହେବା କାନରେ ପଡ଼ିନି । ହୁଏତ କୋଉ ସିନେମା ୫ ସପ୍ତାହରୁ ୫୦ ଦିନ କିମ୍ବା ତା’ଠୁ ଅଧିକ ଚାଲିଥାଇପାରେ ଏବଂ ପ୍ରଯୋଜକଙ୍କ ହିସାବରେ ଭଲ ବେପାର ମଧ୍ୟ କରିଥାଇପାରେ । ଯଦି ହୋଇଥାଏ, ତେବେ କାଁ ଭାଁ । ସିନେମା ମାଧ୍ୟମରେ ଦର୍ଶକଙ୍କୁ ଟାଣି ରଖିଲା ପରି କଳା ଅଛି, ହେଲେ କଳାକାରଟିଏ ଖୋଜା ପଡ଼ିଛି । ଇଣ୍ଡଷ୍ଟ୍ରିରୁ ଜଣକ ପରେ ଜଣେ ମୁରବି ଚାଲିଗଲା ପରେ ଏ ଅଭାବ ମେଣ୍ଟୁନି । ଯେଉଁଥିପାଇଁ ଆଜି ୯୦ ବର୍ଷରେ କ୍ରାଉଡ୍‌ ପୁଲର୍‌ ଷ୍ଟାର୍‌ଟିଏ ଖୋଜୁଛି ଓଡ଼ିଆ ସିନେମା ।  

ପ୍ରଯୋଜକ, ନିର୍ଦ୍ଦେଶକ ତଥା ଗୀତିକାର ସ୍ଥିତ ପଟ୍ଟନାୟକଙ୍କ କହିବା କଥା, ଅତି କମ୍‌ରେ ୩୦ରୁ ୩୫ ଲକ୍ଷ ଖର୍ଚ୍ଚ କଲେ ଗୋଟିଏ ସିନେମା ହେବ । ବାକି ତା’ର ପ୍ରଚାର, ପ୍ରସାର ପାଇଁ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଦରକାର । ପ୍ରଯୋଜକ ଦେଖୁଛି ଯେତିକି ଖର୍ଚ୍ଚ ସେତିକି ମିଳିବ କି ନାହିଁ, ବାକି ଖର୍ଚ୍ଚ ଶୁଣିଲାବେଳକୁ ତା’ର ଭରସା କି ସାହସ ପାଉନି । ଏମିତିରେ ଓଡ଼ିଆ ସିନେମାକୁ ଦର୍ଶକ ମୁହଁ ମୋଡ଼ି ସାରିଛନ୍ତି । ବଡ଼ କଥା ହେଲା, ଫିଲ୍ମ ରିଲିଜ୍‌ର ପ୍ରଥମ ୩ ଦିନ ଲୋକଙ୍କୁ ହଲ୍‌କୁ ଟାଣିଲା ପରି ଓଡ଼ିଆ ସିନେଶିଳ୍ପରେ କ୍ରାଉଡ୍‌ ପୁଲର୍‌ ଷ୍ଟାର୍‌ ନାହାନ୍ତି । ଭିଡ଼ ଭିତରେ କେବଳ ଦିଶୁଛନ୍ତି ଅନୁଭବ ମହାନ୍ତି ଓ ବାବୁସାନ୍‌ ମହାନ୍ତି । ବାକି ଯେଉଁମାନେ ରହିଲେ, ସେମାନେ ଧାରାବାହିକତା ବଜାୟ ରଖିନାହାନ୍ତି । ଅନୁଭବ ଏବଂ ବାବୁସାନ୍‌ଙ୍କ ପରେ କିଏ? ବର୍ତ୍ତମାନ ଏହା ସବୁଠୁ ବଡ଼ ପ୍ରଶ୍ନ । ଏହାର ସମାଧାନ ଲାଗି ନିୟମିତ ନୂଆ ପିଲାଙ୍କୁ ସୁଯୋଗ ଦେବାକୁ ପଡ଼ିବ । ତା’ହେଲେ ଯାଇ ଓଡ଼ିଆ ସିନେମାର ଆଗାମୀ ଦଶନ୍ଧି ବିଷୟରେ ଚିନ୍ତା କରି ହେବ ।  

ଶ୍ରୀ ପଟ୍ଟନାୟକ ଏକଥା ମଧ୍ୟ କହିଛନ୍ତି, ‘ଦମନ’ ପୂର୍ବରୁ କରୋନା ଥିଲା । ଭଲ ସିନେମା ନପାଇ ଦର୍ଶକ ଭୋକିଲା ଥିଲେ । ଯାହାର ଫଳ ‘ଦମନ’ ପାଇଲା । ସେହି ସମୟରେ ଟ୍ରେଣ୍ଡ୍‌ରେ ‘ପ୍ରତୀକ୍ଷା’ ବି ଚାଲିଲା । କିନ୍ତୁ ତା’ ପାଇଁ କିଛି କମ୍‌ ପ୍ରତୀକ୍ଷା କରିନାହାନ୍ତି ଅନୁପମ । ବିଧିବଦ୍ଧ ଯୋଜନା ସହ ସପ୍ତାହେ ଧରି ହଲ୍‌ରେ ରହିବା ପରେ ସିନେମା ଲୋକଙ୍କୁ ଧରିଲା । କାହାଣୀ ବି ଭଲ ଥିଲା । ପରେ ଦର୍ଶକଙ୍କ ଆଶା ବଢ଼ିଲା, ଯାହାକୁ ପୂରଣ ସହ ‘ପାବାର୍‌’ ଓ ‘କର୍ମ’ ବି ଚାଲିଲେ ଏବଂ କମର୍ସିଆଲି ହିଟ୍‌ ହେଲେ । କିନ୍ତୁ କିଛି କମର୍ସିଆଲି ହିଟ୍‌ ନହେଲେ ବି ଭଲ କଲେ । ଯେଉଁଥିପାଇଁ ସେମାନେ ନଜର ଆଢ଼ୁଆଳରେ ରହିଗଲେ । ହଁ, ଏହା ସତ ଆଜି ଓଡ଼ିଆ ସିନେମା ୪ରୁ ୬ କୋଟି କମେଇଲାଣି । ୬୦ ଲକ୍ଷରେ ସିନେମା କରି ୨.୫ କୋଟିର ବେପାର ବି କଲାଣି । ଏମିତି ବି ହୋଇଛି କି ଭଲ ଷ୍ଟାର୍‌ ସହ ସବୁ ଥାଇ ୧.୫ କୋଟିର ବେପାର କରି ସିନେମା ଫ୍ଲପ୍‌ ମଧ୍ୟ ହୋଇଛି । ମାତ୍ର ଏସବୁର ସଫଳତା ପାଇଁ ନ ହେଲେ ବି ବକ୍ସ ଅଫିସ୍‌କୁ ଚଳଚଞ୍ଚଳ କରିବାରେ ‘ଏଡିୟୁ ଗୋଦାର’ର ଭୂମିକାକୁ ଆଦୌ ଭୁଲି ହେବନି । କିନ୍ତୁ ଏସବୁ ପାଇଁ କେବଳ ଭଲ କାହାଣୀ କି କଳାକାର ନୁହନ୍ତି, ବରଂ ଭଲ ପ୍ୟାକେଜ୍‌ ସହ ଟିମ୍‌ ୱାର୍କ ମଧ୍ୟ ଜରୁରି । ସେଥିପାଇଁ ସବ୍ୟସାଚୀଙ୍କ ‘ପୁଷ୍କରା’ ଆଉ କିଛି ସିନେମା ବି ସଫଳତା ପାଇଲେ । ୫ ଆଙ୍ଗୁଠି ଜୋର୍‌ ହେଲେ ମୁଠା ହେବ, ନହେଲେ ନାହିଁ । ଏହି ତତ୍ତ୍ୱକୁ ବୁଝିଲେ ଯାଇ ସିନେମା ହିଟ୍‌ ହେବ । ଏହାକୁ ଯେତେଦୂର ବୁଝିଯିବା, ଆମ ପାଇଁ ଅନ୍ତତଃ ପକ୍ଷେ ଓଡ଼ିଆ ସିନେମା ପାଇଁ ଭଲ ।  ଏସବୁ ଭିତରେ ବହୁତ ବଡ଼ ସମସ୍ୟା ସାମ୍ନାରେ । 

ଦୀର୍ଘ ୭ ମାସରୁ ଅଧିକ ସମୟ ହେଲା ଟିଭି ଚ୍ୟାନେଲ୍‌ ବା ସାଟେଲାଇଟ୍‌ ଓଡ଼ିଆ ସିନେମା କିଣୁ ନାହାନ୍ତି । ମ୍ୟୁଜିକ୍‌ ରାଇଟ୍‌ ବି ନେଉନାହାନ୍ତି । ସିନେମାରେ ୧୫ରୁ ୬୦ ଲକ୍ଷ ଏବଂ ମ୍ୟୁଜିକ୍‌ରେ ୨.୫ରୁ ୩ ଲକ୍ଷ ଟଙ୍କା ମିଳୁଥିଲା । ଏବେ ସେତକ ବନ୍ଦ । ପ୍ରଯୋଜକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତଥାପି ବକ୍ସ ଅଫିସ୍‌ରେ ହଲ୍‌ଚଲ୍‌ ସହ କିଛି ଉଦୀୟମାନ ନୂଆ ପିଢ଼ି ଆଗେଇ ଆସି ସକାରାତ୍ମକ ଢଙ୍ଗରେ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି । ଆଶା, ଭବିଷ୍ୟତ ଉଜ୍ଜ୍ୱଳ । କାରଣ ଆଜି ନହେଲେ ବି କାଲି ନିଶ୍ଚିତ ଭଲ ହେବ । ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଯେତିକି ହରେଇଛି, ସେତିକି ପାଇଲା ପର୍ଯ୍ୟନ୍ତ ଏମିତି ସଂଘର୍ଷ କରିବାକୁ ପଡ଼ିବ । ସେଥିପାଇଁ ସମୟ ଲାଗିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.