କଟକରୋଡ,୧୬/୦୬: ଅସରାଏ ବର୍ଷା ରାଜଧାନୀର ଚିତ୍ରକୁ ବଦଳାଇ ଦେଉଛି । ବର୍ଷାର କିଛି ସମୟ ପରେ ଲୋକେ ଜଳବନ୍ଦୀ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଦୀର୍ଘବର୍ଷରୁ ସ୍ମାର୍ଟସିଟି ମାନ୍ୟତା ପାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସହରରେ ଏଭଳି ସମସ୍ୟା ଅନେକ ବର୍ଷରୁ ଲାଗିରହିଛି । କିନ୍ତୁ ସହରର ରାସ୍ତାଘାଟ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ୪ ପ୍ରମୁଖ ବିଭାଗ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି), ପୂର୍ତ୍ତ, ଜାତୀୟ ରାଜପଥ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏହାର ସ୍ଥାୟୀ ସମାଧାନ ବାଟ ପାଇ ପାରୁନାହାନ୍ତି । ଫଳରେ ଲଗାଣ ବର୍ଷା ଅଧିକାରୀଙ୍କ ପାରିବାପଣିଆକୁ ପ୍ରମାଣିତ କରୁଛି । ରାସ୍ତାରେ ଡ୍ରେନ ପାଣି ଓ ବର୍ଷାଜଳ ଏକାକାର ହେଉଛି । ଏହି କାରଣରୁ ଯାନବାହନ ଚଳାଚଳରେ ବ୍ୟାଘାତ ଦେଖାଦେଉଛି ଏବଂ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି ।
ଏଠାରେ ସୂଚିତ କରାଯାଇପାରେ କି ଜୁନ ପ୍ରଥମ ସପ୍ତାହରେ ହୋଇଥିବା ଲଗାଣ ବର୍ଷାରେ ବିଏମସି ୩୧ନଂ ୱାର୍ଡର ବମିଖାଲ ମୁଖ୍ୟ ରାସ୍ତା ଓ ୪୨ନଂ ୱାର୍ଡ ଅଧିନ ଲକ୍ଷ୍ମୀସାଗର ଛକର ଚିତ୍ର ବଦଳିଯାଇଥିଲା । ରାସ୍ତାରେ ପାଣି ଲହଡି ଭାଙ୍ଗିଥିଲା । ୨ଫୁଟ ଉଚ୍ଚରେ ପାଣି ଜମି ରହିଥିଲା । କିଛି ସ୍ଥାନରେ ଡ୍ରେନରୁ ଅଳିଆ ବାହାରି ରାସ୍ତାରେ ଭାସିଥିଲା । ବର୍ଷାପର ଜନିତ ସମସ୍ୟା ସଙ୍ଗୀନ ହୋଇଥିଲା ।
ସୂଚନା ଥାଉ କି, ୨୦୦୮ ମସିହାରୁ ଏଭଳି ସମସ୍ୟାକୁ ଲୋକେ ସାମ୍ନା କରୁଛନ୍ତି । ବର୍ଷା ୧ଘଣ୍ଟା ଦୁଇଘଣ୍ଟା ଲାଗିରହିଲେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି । ଲକ୍ଷ୍ମୀସାଗର ଟ୍ରାଫିକ ଛକର ବାମପାଶ୍ୱର୍ ଉବୁଟୁବୁ ହେଉଛି । ବମିଖାଲ ରାସ୍ତାର ଉଭୟ ପାଶ୍ୱର୍ ଘଣ୍ଟାଘଣ୍ଟା ଧରି ପାଣିରେ ବୁଡିରହୁଛି । ଫଳରେ ଏହାକୁ ନେଇ ଉଭୟ ଅଞ୍ଚଳ ରାସ୍ତାରେ ଲମ୍ବା ଟ୍ରାଫିକ ଜାମ୍ ସମସ୍ୟା ଉପୁଜୁଛି । କେତେକ ସ୍ଥାନରେ ଖୋଲା ଥିବା ନାଳରେ ପଡିଯିବା ଭୟରେ ଲୋକେ ସତର୍କତାର ସହ ଯାତାୟତ କରୁଛନ୍ତି । ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ବିଏମସି ବହୁ ଅର୍ଥ ବ୍ୟୟରେ ପଙ୍କୋଦ୍ଧାର କାମ ହାତକୁ ନେଉଛି । କିନ୍ତୁ ଠିକଣା ସମୟରେ ଲୋକେ ଜଳବନ୍ଦିରୁ ନିସ୍ତାର ପାଇ ପାରୁନାହାନ୍ତି। ତା’ ସହ ମୁଖ୍ୟ ରାସ୍ତା ଓ ଗଳିକନ୍ଦି ଡ୍ରେନ ଗୁଡିକ ସମ୍ପୂର୍ଣ୍ଣ ରୂପେ ସ୍ଥାୟୀ ଭାବେ ସ୍ଲାବ ପକାଇ ବନ୍ଦ କରି ଦିଆଯିବା ଫଳରେ ଏହା ନିୟମିତ ସଫେଇ ହୋଇପାରୁନି ।
ଫଳରେ ସେଥିମଧ୍ୟରେ ଅଳିଆ ଆବର୍ଜନା ଭର୍ତ୍ତି ହେବା ଯୋଗୁ ଜଳ ନିଷ୍କାସନ ସୂଚାରୁ ରୂପେ ହୋଇପାରୁନି । ଯାହାକି ଅନେକ ଅଂଚଳର ରାସ୍ତା ବୁଡିବା ଏକ ପ୍ରମୁଖ କାରଣ ବୋଲି ଅନେକ ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଲକ୍ଷ୍ମୀସାଗର ଓବମିଖାଲ ମୁଖ୍ୟ ରାସ୍ତା ପାଶ୍ୱର୍ ଆବଶ୍ୟକ ଅନୁଯାୟୀ ଓସାର ନ ଥିବା ମଧ୍ୟ ଜଳବନ୍ଦୀର ଅନ୍ୟ ଏକ କାରଣ ବୋଲି କୁହାଯାଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହିକି ରାଜଧାନୀର ଉପରୋକ୍ତ ୨ ଅଞ୍ଚଳ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଏବଂ ଜନଗହଳି ରାସ୍ତା ଭାବେ ପରିଗଣିତ । କିନ୍ତୁ ଗତ ୧୮ ବର୍ଷ ଧରି ବର୍ଷାରେ ଏହି ଦୁଇ ସ୍ଥାନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଥିବା ଜାଣି ମଧ୍ୟ ବିଏମସି କର୍ତ୍ତୃପକ୍ଷ କିମ୍ବା ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଏହି ରାସ୍ତାରେ ଜଳ ନିଷ୍କାସନ ସୁବନ୍ଦୋବସ୍ତ ବାଟ କିଭଳି ଫିଟାଇବା ଦିଗରେ ଅଦ୍ୟାବଧି ଆନ୍ତରିକତା ପ୍ରକାଶ ପ୍ରଦର୍ଶନ କରିନପାରିବା କରିବା ଘଟଣା ପ୍ରସଙ୍ଗକୁ ଜଟିଳ କରିଛି । ଏକ ପୁରାତନ ସମସ୍ୟା ସୁଧାରିବା ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।