ପୁରୀ,୧୬/୦୬: ଅପବିତ୍ର ହେଉଛି ମହାପ୍ରଭୁଙ୍କ ବଡ଼ଦାଣ୍ଡ । ଠାକୁରଙ୍କ ବିଜେ ଦାଣ୍ଡରେ ଗଡ଼ୁଛନ୍ତି ମାଳ ମାଳ ମଦୁଆ । ପଡ଼ୁଛି ଖାଲି ମଦବୋତଲ ଓ ଉଡ଼ୁଛି ପ୍ଲାଷ୍ଟିକ୍ ଗ୍ଲାସ । ରାତି ହେଲେ ଠେଲା ଗାଡ଼ିରେ ଖୋଲୁଛି ଠିପି । ତିନି ଚାରି ଜଣ ଏକାଠି ହୋଇ ବେଧଡ଼କ ଚାଲୁଛି ମଦ ପିଆ । ଅଭଦ୍ର ଭାଷାରେ ପରସ୍ପରକୁ ଗାଳିମନ୍ଦ କରୁଛନ୍ତି । ଯାତ୍ରୀଙ୍କ ଚଳପ୍ରଚଳ କି ପୁଲିସ ବାବୁଙ୍କ ଉପସ୍ଥିତିକୁ ବେଖାତିର । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଆଉ ମାତ୍ର ୧୩ ଦିନ ଥିବା ସ୍ଥଳେ ବଡ଼ଦାଣ୍ଡର ଏଭଳି ବିକଳ ଚିତ୍ର ବ୍ୟଥିତ କରୁଛି ।
ଗୁରୁବାର ରାତି ପ୍ରାୟ ୧୨ଟା ହେବ । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂର ମରିଚିକୋଟ ଛକରେ ଜଣେ ମଦ୍ୟପ ଉତ୍ପାତ କରୁଥାଏ । ବଡ଼ଦାଣ୍ଡରେ ବସି ଭୋଜନ ସାଙ୍ଗକୁ ଶୂନ୍ୟକୁ ଗାଳିଗୁଲଜ ଚାଲିଥାଏ । କିଛି ଦୂରରେ ଅଟକିଥାଏ ଠେଲା ଗାଡ଼ି । ନିକଟରେ ଚାଉମିନ୍ ସାଙ୍ଗକୁ ଏକାଧିକ ଗ୍ଲାସ ସଜଡ଼ା ହୋଇଥାଏ । ସେହି ଠେଲାରେ ଖୁଲମ୍ଖୁଲା ବୋତଲର ଠିପି ଖୋଲି ମଦ ଢ଼ାଳି ଟେକୁଥାନ୍ତି ଏକାଧିକ ଯୁବକ । ନିଜ ଭିତରେ ଆଲୋଚନା ବେଳେ ଅଭଦ୍ର ଭାଷାର ପ୍ରୟୋଗରେ ଲଗାମ୍ ନଥାଏ । ବଡ଼ଦାଣ୍ଡ ବୋଲି କାହାରି ହିତାହିତ ଜ୍ଞାନ ରହୁ ନଥାଏ । ଏହା ପୂର୍ବରୁ ମାର୍କେଟ ଛକରେ ଓ ଟାଉନ୍ ଥାନା ନିକଟରେ ଦୁଇ ଜଣ ମଦୁଆ ବଡ଼ଦାଣ୍ଡରେ ଲୋଟୁଥିବା ଦେଖିବାକୁ ମିଳିଥିଲା ।
ସ୍ଥାନୀୟ ଲୋକେ କୁହନ୍ତି ଏଭଳି ଦୃଶ୍ୟ କିଛି ନୂଆ ନୁହେଁ । ବଡ଼ଦାଣ୍ଡ ପାଶ୍ୱର୍ ନରେନ୍ଦ୍ର କୋଣରେ ମିଳୁଛି ଦେଶୀ ମଦ । ଦିନରେ ଯାହା କିଛି ରୋଜଗାର କରି ସନ୍ଧ୍ୟାରେ ସେଠାରେ ପହଞ୍ଚୁଛନ୍ତି । ପେଟେ ମଦ ପିଇ ବଡ଼ଦାଣ୍ଡକୁ ଫେରି ଉତ୍ପାତ କରୁଛନ୍ତି । ବଡ଼ଦାଣ୍ଡକୁ ଆଶ୍ରା କରି ବ୍ୟବସାୟ କରୁଥିବା କିଛି ବେପାରୀ ମଧ୍ୟ ରାତି ହେଲେ ଠୋଲାରେ ମଦ ପିଇ ରାସ୍ତାରେ ବୋତଲ ଗଡ଼ାଇ ଦେଉଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଦୁଇ ଦୁଇଟା ପୁଲିସ ଥାନା । ଅହରହ ବାସିନ୍ଦାଙ୍କ ଉପସ୍ଥିତି । ପୁଣି ଯାତ୍ରୀଙ୍କ ଭିଡ଼ । ବଡ଼ବଡ଼ିଆ ଅଧିକାରୀ ଓ ନେତାଙ୍କ ଚଳପ୍ରଚଳ । ତଥାପି ବଡ଼ଦାଣ୍ଡରୁ ମଦ କିମ୍ବା ମଦୁଆଙ୍କୁ ହଟାଯାଇ ପାରୁନି । ଏଭଳି ସ୍ଥିତିରେ ଶ୍ରୀକ୍ଷେତ୍ରକୁ ମଦ ମୁକ୍ତ କରିବା ଘୋଷଣା ମୁଖିଆଙ୍କ କେବଳ ବାହାସ୍ଫୋଟ ବୋଲି ସମାଲୋଚନା କରାଯାଉଛି ।
ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ମଦୁଆଙ୍କୁ ତାଗିଦ୍ କଲେ କଥା ଶୁଣିବେ ନାହିଁ । ଥାନାକୁ ନେବା କଷ୍ଟକର ବ୍ୟାପାର । ଥାନାକୁ ନେଲେ ବଡ଼ବାବୁ ପାଟି କରିବେ । ମଦୁଆଙ୍କୁ ଭୟଭିତ କରିବା ଲାଗି ସର୍ବସାଧାରଣ ସ୍ଥାନରେ ମାଡ଼ ମାରିବା ଆହୁରି ଚିନ୍ତାଜନକ । କିଛି ହେଲେ ଆମେ ଅଡୁଆରେ ପଡ଼ିବୁ ।