ପୁରୀ,୧୬/୦୬: ରଥର କଳସ ତିଆରି ଆରମ୍ଭ ହୋଇଛି । ରଥ ଅଗ୍ରଭାଗର ମୁଖ୍ୟ ଅଂଶ ‘କଳସ’ । ଆଗେ କଳସର ପିଣ୍ଡି କାମ ସରିଲା । ଏବେ ପାଖୁଡ଼ା କାର୍ଯ୍ୟ ହେଲା । ପ୍ରତି କଳସରେ ୩୨ଟି ପାଖୁଡ଼ା ଲାଗୁଛି । ଏଥିସହ ଖଳାରେ ପୋଟଳ କାର୍ଯ୍ୟ ଜାରି ରହିଛି । ରବିବାର ବର୍ଷା ଯୋଗୁ ରଥ କାମ ବାଧାପ୍ରାପ୍ତ ହୋଇଛି । ବର୍ଷା ଲାଗି ରହିବାରେ ନିର୍ମାଣକାରୀ କଲବଲ ହୋଇଥିଲେ । ଅପରାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ମାଣସ୍ଥଳୀରେ ପହଞ୍ଚି ରଥ କାର୍ଯ୍ୟର ଅଗ୍ରଗତି ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ ।
ରବିବାର ରଥର ତିନି ପଟେ ତାଗ ବାଡ଼ିଆ ଶେଷ ହୋଇଥିବା କହିଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର । ନନ୍ଦିଘୋଷ ରଥ ନାହାକାରେ କଇଁଚି ଲାଗିଛି । ରଥଖଳାରେ ପାରାଭାଡ଼ି ତିଆରିଛନ୍ତି ବିଶ୍ୱକର୍ମା । ୬ ଓ ୭ନମ୍ବର ପୋଟଳ ମଝିରେ ପଟା ଲାଗି ‘ପାରାଭାଡ଼ି’ ତିଆରି ହୋଇଛି । ପୋଟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାରାଭାଡ଼ିରେ ଚିତ୍ରକରମାନେ ପାରା ଚିତ୍ର ଅଙ୍କନ କରିଥାନ୍ତି । ଶନିବାର ରଥରେ ବଡ଼ ପୋଟଳ ବସିଥିଲା । ୧୩ ପରସ୍ତ ପୋଟଳ ରଥରେ ଲାଗେ । ରଥରେ ପାରାଭାଡ଼ି ସ୍ଥାପନ ହୋଇ ବାକି ପରସ୍ତ ପୋଟଳ ଲାଗିଲେ ଖପୁରୀ ବସିବ ।
କଳସ କାମ ମୁଖ୍ୟତଃ ହାଲୁକା କାଠରେ ତିଆରି କରାଯାଏ । ରଥ କଳସ ନିର୍ମାଣର ସ୍ୱତନ୍ତ୍ରତା ରହିଛି । ଦୁଇ ଭାଗ ହୋଇ ତିଆରି ହୁଏ କଳସ । ନିମ୍ନ ତୁମ୍ୱରେ ୧୬ଟି ବିନ୍ଧ କରାଯାଏ । ସେଥିରେ ୧୬ଟି ପାଖୁଡ଼ା ବସିବ । ତା’ଉପରେ ଚକା ଲାଗି ପୁନର୍ବାର ଷୋହଳଟି ପାଖୁଡା ଲାଗିବ । ଏହା ଉପରେ ତୁମ୍ୱ ରହିବ । ସେଥିରେ ଲାଗିବ ତୁମ୍ୱ ଡାଙ୍ଗିଆ । ସୋମବାର କଳସରେ ଆଲୁମିନିୟମ୍ ଚାଦର ବୁଲିବ । ଏହାପରେ ଚିତ୍ରକର ସେବକ କଳସରେ ରଙ୍ଗ ସାରିବେ । କଳସ ରଥରେ ସ୍ଥାପନ ହେଲେ ଅଂଳାଶ୍ରୀ ଲାଗି ପିତ୍ତଳ କଳସ ଲାଗିବ । ରଥ କାର୍ଯ୍ୟରେ କରତି, ଭୋଇ ସେବକ, ରୂପକାର, ଚିତ୍ରକର, ଦରଜୀ ଓ ଓଝା ସେବକ ନିୟୋଜିତ ରହିଛନ୍ତି ।