ଭୁବନେଶ୍ୱର,୧୬/୦୬: ଜୁନ୍ ୧୮ ନୁହେଁ ୨୦ରେ ଖୋଲିବ ସ୍କୁଲ। ୫୮ ଦିନ ପରେ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।
ଏପଟେ ଗଣଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ ପିଏମ୍ ପୋଷଣ ୟୁନିଟ୍ ପକ୍ଷରୁ ମଧ୍ୟାହ୍ନ ଭୋଜନ ବିତରଣରେ ୧୮ ତାରିଖରେ ସ୍କୁଲ ଖୋଲିବା ନେଇ ଉଲ୍ଲେଖ କରାଯାଇଥିବା । ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର ଅନୁଯାୟୀ ମେ ୬ରୁ ଜୁନ୍ ୧୯ ଯାଏ ଗ୍ରୀଷ୍ମ ଛୁଟି ପାଇଁ ସ୍କୁଲ ବନ୍ଦ ରହିବ ବୋଲି ଉଲ୍ଲେଖ କରାଯାଇଛି । ଏହି କ୍ୟାଲେଣ୍ଡରକୁ ପାଳନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦ୍ୱନ୍ଦ୍ୱ ଦୂର ହୋଇଛି । ଆସନ୍ତା ୨୦ ତାରିଖରେ ସମସ୍ତ ସ୍କୁଲ ଖୋଲାଯିବ।
ସୂଚନାଯୋଗ୍ୟ, ଘରୋଇ ସ୍କୁଲ ସବୁ ୧୮ ଓ ୧୯ ତାରିଖରେ ଖୋଲୁଛି । କେନ୍ଦ୍ରୀୟ ବିଦ୍ୟାଳୟ ୨୧ ତାରିଖରେ ଖୋଲିବ ।