ବାଲିକୁଦା, ୧୬/୬ : ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ରାହାଣରେ ବାଲିକୁଦା ପୁଲିସ ଆକ୍ରମଣର ଶିକାର ହୋଇଛି। ଆକ୍ରମଣରେ ଜଣେ ଏସଆଇ, ଦୁଇ ଜଣ ଏ ଏସ ଆଇ ଓ ତିନିଜଣ କନଷ୍ଟେବଳ ଆହତ ହୋଇଛନ୍ତି। ଏହି ଆକ୍ରମଣରୁ ଖୋଦ ଥାନାଧିକାରୀ ସୁଶାନ୍ତ ସାହୁ ମଧ୍ୟ ବାଦ୍ ପଡି ନାହାନ୍ତି। ତେବେ ଏକ ଚୋରି ସିମେଣ୍ଟ ବାଲି ଗୋଳା ମିକ୍ସର ମେସିନ ଜବତ କରିବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହୋଇଛି। ଉକ୍ତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଥାନାକୁ ଆଣିଛି ।
ରାହାଣ ଅଞ୍ଚଳରୁ ଉକ୍ତ ମିକ୍ସର ମେସିନ ଚୋରି ହୋଇଥିବା ନେଇ ବାଲିକୁଦା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ସାଧା ପୋଷାକରେ ଏନେଇ ତଦନ୍ତରେ ଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ। ତାକୁ କାବୁ କରି ନେବା ସମୟରେ ଅଭିଯୁକ୍ତ ଜଣକ ତାର ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲା। ଏହା ପରେ ପରିବାର ଲୋକଙ୍କ ସମେତ ୧୦/୧୫ ଜଣ ସଙ୍ଗଠିତ ହୋଇ ରାହାଣ ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ପୁଲିସ ସହ ଯୁକ୍ତିତର୍କ କରିବା ସହିତ ଠେଲାପେଲା କରି ଥିଲେ। ପରେ ପୁଲିସକୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଥାନାଧିକାରୀ ଶ୍ରୀ ସାହୁଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି।