ଏକ ନୂତନ ଭାରତ ସାକାର ରୂପ ନେଉଛି । ଏଠି ଜିଡିପି ନୁହେଁ, ବରଂ ସମ୍ମାନ ଓ ସୁଯୋଗ ପ୍ରଗତିର ମାପଦଣ୍ଡ ପାଲଟିଛି । କଡ଼ପାର ଜଣେ ଗୃହିଣୀ ଅନ୍ନମ ଲକ୍ଷ୍ମୀ ଭବାନୀ ମୁଦ୍ରା ଋଣ ନେଇ ଝୋଟବସ୍ତା ଉତ୍ପାଦନ ୟୁନିଟ୍ ଆରମ୍ଭ କରି ସଫଳ ହୋଇପାରିଛନ୍ତି । ହରିୟାଣାର ଜଗଦେବ ସିଂ ଏଆଇ ଆପ୍ ବ୍ୟବହାର କରି ନିଜ ଫସଲ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରୁଛନ୍ତି । ଆଉ, ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସଂଯୋଗ ପାଇ ମୀରା ମାଞ୍ଝୀଙ୍କ ଧୂଆଁମୁକ୍ତ ରୋଷେଇ ଘର ସ୍ୱପ୍ନ ସାକାର ହୋଇପାରିଛି । ସେ ଏବେ ତାଙ୍କ ପିଲାଙ୍କ ସହିତ ଭଲ ସମୟ ବିତାଉଛନ୍ତି । ସାରା ଭାରତର ଗାଁ, ସହର ଓ ନଗରଗୁଡ଼ିକରେ ଏସବୁ ଏବେ ଦୈନନ୍ଦିନ ବାସ୍ତବତା ପାଲଟିଛି । ଢାଞ୍ଚାଗତ ସଂସ୍କାର ଏବଂ ଅନ୍ତ୍ୟୋଦୟ ଭାବନା ନେଇ ଶେଷଧାଡ଼ିରେ ଛିଡ଼ା ହୋଇଥିବା ନାଗରିକଙ୍କ ସଶକ୍ତିକରଣରେ ବିଶ୍ୱାସ କରୁଥିବା ନେତୃତ୍ୱ କାରଣରୁ ଏଭଳି ପରିବର୍ତ୍ତନ ସମ୍ଭବ ହୋଇପାରିଛି ।
ଅନ୍ତ୍ୟୋଦୟର ସଫଳତା
ଅନ୍ତିମ ସୋପାନରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ କଲ୍ୟାଣ ଲାଗି ଅନ୍ତ୍ୟୋଦୟ ଭାବନା ଆରମ୍ଭରୁ ଆମପାଇଁ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହିଆସିଛି । ବିଗତ ୧୧ବର୍ଷ ମଧ୍ୟରେ ପ୍ରତ୍ୟେକ ନୀତି, ପ୍ରତ୍ୟେକଟି ନିବେଶ ଏବଂ ପ୍ରତିଟି ଅଭିନବ କାର୍ଯ୍ୟରେ ଏହି ସଂକଳ୍ପକୁ ସାକାର ରୂପ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏହି ସଂକଳ୍ପ ଚାରିଟି ସରଳ କିନ୍ତୁ ଶକ୍ତିଶାଳୀ ସ୍ତମ୍ଭ ଉପରେ ଆଧାରିତ । ଏହି ସ୍ତମ୍ଭଗୁଡ଼ିକ ହେଲାକୋଣଅନୁକୋଣକୁ ସଂଯୋଗ କରୁଥିବା ଭିତ୍ତିଭୂମି, ସମାବେଶୀ ବିକାଶ, ନିଯୁକ୍ତି ସୃଷ୍ଟିକାରୀ ଉତ୍ପାଦନ, ସଶକ୍ତ କରୁଥିବା ବ୍ୟବସ୍ଥାର ସରଳୀକରଣ ।
ପ୍ରଥମ ସ୍ତମ୍ଭ: ଭିତ୍ତିଭୂମିରେ ନିବେଶ
ଗତ ୧୧ବର୍ଷ ମଧ୍ୟରେ ପୁଞ୍ଜି ବ୍ୟୟ ଉଲ୍ଲେଖନୀୟ ଭାବେ ବୃଦ୍ଧିପାଇଛି ଯାହାକି ୨୦୨୫-୨୬ ଆର୍ଥିକ ବର୍ଷରେ ୧୧.୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସାର୍ବଜନୀନ ନିବେଶରେ ଏହି ବୃଦ୍ଧି ଭାରତର ଭୌତିକ, ଡିଜିଟାଲ ଏବଂ ସାମାଜିକ ଭିତ୍ତିଭୂମିରେ ସ୍ପଷ୍ଟରୂପେ ପ୍ରତିଫଳିତ ହୋଇଛି । ଗତ ୧୧ବର୍ଷ ମଧ୍ୟରେ ଭାରତରେ ଭୌତିକ ଭିତ୍ତିଭୂମି ଦ୍ରୁତଗତିରେ ବିକଶିତ ହୋଇଛି । ପାଖାପାଖି ୫୯ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି ଏବଂ ୩୭ହଜାର ୫୦୦ କିଲୋମିଟର ରେଳଟ୍ରାକ୍ ପ୍ରସ୍ତୁତ କରାଯାଇଛି । ନିକଟରେ ଲୋକାର୍ପିତ ହୋଇଥିବା ଚେନାବ ଏବଂ ଅଞ୍ଜି ସେତୁ ଆଧୁନିକ ଭାରତର ପ୍ରତୀକ । ଏହି ସେତୁଗୁଡ଼ିକ ଦେଇ କାଶ୍ମୀରରେ ବନ୍ଦେ ଭାରତ ଟ୍ରେନ୍ ପହଞ୍ଚିବା ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ସ୍ୱପ୍ନକୁ ସାକାର କରିଛି । ଆଖିରେ ଆନନ୍ଦର ଅଶ୍ରୁ ନେଇ ଜଣେ ଯାତ୍ରୀ କହିଛନ୍ତି- ଏଭଳି ଦିନ କେବେ ଆସିବ ବୋଲି ସେ କଳ୍ପନା ସୁଦ୍ଧା କରିପାରିନଥିଲେ । ଯୋଗାଯୋଗର ଏହି ଭାବନା ରେଳବାଇ ଠାରୁ ଊଦ୍ଧ୍ୱର୍କୁ ଯାଇ ଡିଜିଟାଲ ରାଜମାର୍ଗ ପର୍ଯ୍ୟନ୍ତ ପହଞ୍ଚିଛି । ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିଶ୍ୱସ୍ତରରେ ନୂତନ ମାପଦଣ୍ଡ ସୃଷ୍ଟି କରିଛି । ୟୁପିଆଇ, ଆଧାର ଏବଂ ଡିଜିଲକରର ବ୍ୟାପକତା ଏବଂ ସମାବେଶନ ଏବେ ବିଶ୍ୱସ୍ତରରେ ଅଧ୍ୟୟନର ବିଷୟବସ୍ତୁ ପାଲଟିଛି । ୧୪୧କୋଟିରୁ ଅଧିକ ଆଧାର ପଞ୍ଜିକରଣ ଏବଂ ପ୍ରତ୍ୟେକ ଦିନ ୬୦ କୋଟି ୟୁପିଆଇ କାରବାର ଏହାର ପ୍ରସାର ଏବଂ ଗ୍ରହଣୀୟତାକୁ ସୂଚାଉଛି । ଏହା ପଛରେ ଥିବା ବିଚାର ଅତି ସରଳ ଏବଂ ତାହା ହେଉଛି, ପ୍ରଯୁକ୍ତିବିଦ୍ୟାକୁ ସମସ୍ତଙ୍କ ପାଇଁ ସାର୍ବଜନୀନ କରିବା । ସମାନ ଦୃଷ୍ଟିକୋଣ ଇଣ୍ଡିଆଏଆଇ ମିଶନକୁ ଆଗେଇ ନେଉଛି । ଜିପିୟୁ ନାମରେ ପରିଚିତ ୩୪ହଜାରରୁ ଅଧିକ ହାଇସ୍ପିଡ୍ କମ୍ପ୍ୟୁଟର ଚିପ୍ସ ଏବେ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ତାହା ପୁଣି ବିଶ୍ୱସ୍ତରୀୟ ଦରର ମାତ୍ର ଏକତୃତୀୟାଂଶ ମୂଲ୍ୟରେ । ଏଆଇ ବିକାଶର ଅଂଶବିଶେଷ ଭାବେ ଏହି ଚିପ୍ଗୁଡ଼ିକର ଆବଶ୍ୟକତା ରହିଛି, ବିଶେଷକରି ଏଆଇ ମଡେଲର ତାଲିମ ପାଇଁ । ଏହାକୁ ଆହୁରି ଆଗକୁ ନେବାଲାଗି ଏଆଇକୋଷ ପ୍ଲାଟଫର୍ମ ଅଧ୍ୟୟନ ଓ ଉଦ୍ଭାବନ ପାଇଁ ୩୭୦ ଡାଟା ସେଟ୍ ଏବଂ ୨୦୦ ବ୍ୟବହାର ପାଇଁ ପ୍ରସ୍ତୁତ ଏଆଇ ମଡେଲ ଯୋଗାଇ ଦେଉଛି । ପ୍ରଯୁକ୍ତିଠାରୁ ଆରମ୍ଭକରି ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ସେବା କ୍ଷେତ୍ରରେ ସୁଲଭତା ପ୍ରତି ଧ୍ୟାନ ଦିଆଯାଉଛି । ୧୧ବର୍ଷ ମଧ୍ୟରେ, ମେଡିକାଲ କଲେଜ ୩୮୭ରୁ ୭୮୦ ଏବଂ ଏମ୍ସ ପ୍ରତିଷ୍ଠାନ ୭ରୁ ୨୩କୁ ବୃଦ୍ଧିପାଇଛି । ଏମବିବିଏସ ଏବଂ ପିଜି ସିଟ୍ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି । ଏହା ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁଲଭ କରିବା ଦିଗରେ ଏକ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଦ୍ୱିତୀୟ ସ୍ତମ୍ଭ: ସମାବେଶୀ ବିକାଶ
ଅପହଞ୍ଚ ଲୋକଙ୍କ ପାଖରେ ବିକାଶର ଲାଭ ପହଞ୍ଚାଇବା ଆମ ବିକାଶ ମଡେଲର ସବୁଠାରୁ ପ୍ରଭାବଶାଳୀ ପ୍ରମାଣ । ୫୩କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଏହି ସଂଖ୍ୟା ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ୪କୋଟି ଆବାସ ଏବଂ ୧୨କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ୧୦କୋଟିରୁ ଅଧିକ ଲୋକ ଏବେ ପାରମ୍ପରିକ ଜାଳେଣି ପରିବର୍ତ୍ତେ ସ୍ୱଚ୍ଛ ଏଲପିଜିରେ ରୋଷେଇ କରୁଛନ୍ତି । "ହର୍ ଘର୍ ଜଲ୍' ଅଧୀନରେ ୧୪କୋଟି ଘରକୁ ଟ୍ୟାପ୍ ପାଣି ସଂଯୋଗ ଯୋଗାଇ ଦିଆଯାଇଛି । ୩୫କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ଦିଆଯାଇଛି ଏବଂ ୧୧କୋଟିରୁ ଅଧିକ ଚାଷୀ ପିଏମ-କିଷାନ ଅଧୀନରେ ପ୍ରତ୍ୟକ୍ଷ ଆୟ ସହାୟତା ପାଇପାରୁଛନ୍ତି । ୧୦କୋଟିତମ ଉଜ୍ଜ୍ୱଳା ହିତାଧିକାରୀ ମୀରା ମାଞ୍ଝୀଙ୍କ ଭଳି ନାଗରିକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନରୁ ଏସବୁ ସଂଖ୍ୟାର ପ୍ରଭାବ ପ୍ରମାଣିତ ହେଉଛି । ଦଲାଲଙ୍କ ହସ୍ତକ୍ଷେପ ବିନା ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ୨.୫ଲକ୍ଷ ଟଙ୍କା ସିଧାସଳଖ ଜମା ହୋଇଛି । ଏବେ ତାଙ୍କ ଘରକୁ ହର୍ ଘର୍ ଜଲ୍ ଅଧୀନରେ ଟ୍ୟାପ୍ ପାଣି ସଂଯୋଗ ମିଳିଛି, ସବୁ ମାସରେ ସେ ମାଗଣା ରାସନ ପାଉଛନ୍ତି ଏବଂ ଉଜ୍ଜ୍ୱଳା ଯୋଜନା ତାଙ୍କ ରୋଷେଇ ଘରକୁ ଧୂଆଁମୁକ୍ତ କରିଛି । ଏଭଳି ବ୍ୟାପକ ସମାବେଶୀ ବିକାଶ ଆମର ସଦ୍ୟତମ ଇତିହାସରେ କେବେ ଦେଖିବାକୁ ମିଳିନାହିଁ ।
ତୃତୀୟ ସ୍ତମ୍ଭ: ଉତ୍ପାଦନ ଏବଂ ଉଦ୍ଭାବନ
ଯୁକ୍ତି ସୃଷ୍ଟିକରିବା ଏବଂ ଶିଳ୍ପ ବିକାଶକୁ ପୁନରୁଦ୍ଧାର କରିବା ଲାଗି ଆମେ ୨୦୧୫ରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଥିଲୁ । ଆଜି ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ୬ଗୁଣ ବୃଦ୍ଧିପାଇ ୧୨ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଇଲେକଟ୍ରୋନିକ୍ସ ରପ୍ତାନି ୮ଗୁଣ ବୃଦ୍ଧିପାଇ ୩ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ସର୍ବାଧିକ ରପ୍ତାନି ହେଉଥିବା ସାମଗ୍ରୀ ମଧ୍ୟରେ ସ୍ଥାନ ପାଇଛି । ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ୍ ଉତ୍ପାଦନକାରୀ । ଆମେ ବର୍ତ୍ତମାନ ନୂତନ ଇଲେକଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନା ଅଧୀନରେ ଇଲେକଟ୍ରୋନିକ୍ସ ଉପକରଣ ଉତ୍ପାଦନ କରି ଉତ୍ପାଦନ ମୂଲ୍ୟ ଶୃଙ୍ଖଳାକୁ ଆହୁରି ଗଭୀର କରୁଛୁ । ଅନୁରୂପ ଭାବେ, ଭାରତର ସେମିକଣ୍ଡକ୍ଟର ମିଶନ ମଧ୍ୟ ପରିକଳ୍ପନାରୁ କାର୍ଯ୍ୟକାରିତା ଦିଗରେ ଅଗ୍ରସର ହୋଇପାରିଛି । ଭାରତର ପ୍ରଥମ ବାଣିଜ୍ୟିକ ଫ୍ୟାବ୍ ନିର୍ମାଣାଧୀନ ରହିଛି । ପାଞ୍ଚଟି ଓଏସ୍ଏଟି ୟୁନିଟ୍ ନିର୍ମାଣ ଜାରି ରହିଛି । ଆହୁରି ଭାରତର ଛାତ୍ରଛାତ୍ରୀ ଏବଂ ଇଞ୍ଜିନିୟରଙ୍କ ଦ୍ୱାରା ସ୍ୱଦେଶୀ ଆଇପି ସହିତ ୨୦ଟି ଚିପ୍ସେଟ୍ ଡିଜାଇନ୍ କରାଯାଇଛି । ଆମେ ୨୭୦ଟି ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ ଇଡିଏ ଉପକରଣ ବ୍ୟବସ୍ଥା କରିଛୁ । ଏହା ଏକ ସେମିକଣ୍ଡକ୍ଟର ପ୍ରତିଭା ପାଇପଲାଇନ ପାଇଁ ମୂଳଦୁଆ ପ୍ରତିଷ୍ଠା କରିଛି, ଯାହା ଉପରେ ବିଶ୍ୱ ଭରସା କରିପାରିବ ।
ଚତୁର୍ଥ ସ୍ତମ୍ଭ: ଆଇନର ସରଳୀକରଣ
ପ୍ରାଶାସନିକ କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ଏକ ନିରବ ବିପ୍ଳବ ଆସିଛି । ୧୫ଶହରୁ ଅଧିକ ପୁରୁଣା ଆଇନ ରଦ୍ଦ କରାଯିବା ସହିତ ୪୦ହଜାର ଅନୁପାଳନକୁ ଉଚ୍ଛେଦ କରାଯାଇଛି । ଦୂରସଞ୍ଚାର ଆଇନ ଏବଂ ଡିପିଡିପି ଆଇନ ଭଳି ନୂଆ ଆଇନଗୁଡ଼ିକ ବିଶ୍ୱାସ ଓ ସରଳତାକୁ ସୁଦୃଢ଼ କରିଛି । ଏଗୁଡ଼ିକ ନାଗରିକଙ୍କ ସମ୍ମାନ ବୃଦ୍ଧି କରୁଛି । ଏହା ନିବେଶ, ନୂତନ ଉଦ୍ଭାବନ ଏବଂ ଔପଚାରିକରଣକୁ ପ୍ରୋତ୍ସାହନ ଦେଉଛି ତଥା ବିକାଶର ଏକ ସର୍ବୋତ୍ତମ ଚକ୍ର ସୃଷ୍ଟି କରୁଛି ।
ମୋଦି ସିଦ୍ଧାନ୍ତ
ଏହି ୧୧ବର୍ଷ ମଧ୍ୟରେ ଆତଙ୍କବାଦ ପ୍ରତି ଭାରତର ଆଭିମୁଖ୍ୟ ବଦଳିଛି । ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ବର୍ତ୍ତମାନ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ସ୍ପଷ୍ଟତା ଏବଂ ସାହସ ଦେଖାଇଛି । ପ୍ରତ୍ୟେକ ପ୍ରତିକ୍ରିୟା ଆମ ନିଜସ୍ୱ ସର୍ତ୍ତରେ ଏକ ଦ୍ରୁତ, ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନକୁ ପ୍ରତିଫଳିତ କରିଛି । ଆତଙ୍କବାଦୀ ଆକ୍ରମଣର ଜବାବ ଦେବାର ଏହି ନୂତନ ଉପାୟ ହେଉଛି ମୋଦି ସିଦ୍ଧାନ୍ତର ଏକ ଅଂଶବିଶେଷ । ଏହା ତିନିଟି ସ୍ତମ୍ଭ ଉପରେ ଆଧାରିତ । ସେଗୁଡ଼ିକ ହେଲା– ଭାରତର ସର୍ତ୍ତରେ ନିର୍ଣ୍ଣାୟକ ଜବାବ, ପରମାଣୁ ଅସ୍ତ୍ର ଧମକ ପାଇଁ ଶୂନ୍ୟ ସହନଶୀଳତା ଏବଂ ଆତଙ୍କବାଦୀ ଓ ସେମାନଙ୍କର ପ୍ରାୟୋଜକଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନକରିବା । ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତାର ବ୍ୟବହାର ଏଥର ଆମର ପ୍ରତିକ୍ରିୟାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି । ବିକଶିତ ହେବାକୁ ଆକାଂକ୍ଷୀ ଏକ ରାଷ୍ଟ୍ର କେବଳ ନିଜ ଲୋକଙ୍କୁ ସୁରକ୍ଷା ଦେବା ଯଥେଷ୍ଟ ନୁହେଁ, ବରଂ ଆତ୍ମନିର୍ଭରତାର ସହିତ ଏହା କରିବା ମଧ୍ୟ ଆବଶ୍ୟକ । ଭାରତ ଠିକ୍ ସେମିତି କରିଛି ।
ବିଶ୍ୱାସ
ପୂର୍ବରୁ ବିକାଶକୁ କେବଳ ସଂଖ୍ୟା ଆଧାରରେ ମପାଯାଉଥିଲା । ଆଜି ଏହାକୁ ଲୋକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଆଧାରରେ ମପାଯାଉଛି । ଦେଶର ଗୃହିଣୀ ଏବେ ନିଯୁକ୍ତିଦାତା ପାଲଟିଛନ୍ତି । ଚାଷୀ କୃଷିକାର୍ଯ୍ୟରେ ଏଆଇ ଆପ୍ ବ୍ୟବହାର କରୁଛନ୍ତି । ଦେଶର ମା'ଙ୍କ ରୋଷେଇ ଘରେ ଆଉ ଧୂଆଁ ନାହିଁ । ସାରାଦେଶରେ ଏଭଳି ନିରବ ବିପ୍ଳବ ସଂଘଟିତ ହୋଇଚାଲିଛି । ୨୦୦୪ରେ ଅଟଳଜୀଙ୍କ କାର୍ଯ୍ୟକାଳ ଶେଷ ହେବାବେଳକୁ ଭାରତ ବିଶ୍ୱର ଏକାଦଶ ସର୍ବବୃହତ ଅର୍ଥବ୍ୟବସ୍ଥା ପାଲଟିଥିଲା । ୨୦୦୪ରୁ ୨୦୧୪ ମଧ୍ୟରେ ଭାରତ ସେହି ଏକାଦଶ ସ୍ଥାନ ହିଁ ବଜାୟ ରଖିପାରିଥିଲା । ସମ୍ପୂର୍ଣ୍ଣ ଗୋଟିଏ ଦଶନ୍ଧି ପର୍ଯ୍ୟନ୍ତ ଦେଶର ଆର୍ଥିକ ପ୍ରଗତି ସମ୍ପୂର୍ଣ୍ଣ ରୂପେ ସ୍ଥାଣୁ ପାଲଟି ଯାଇଥିଲା । ଗତ ଏକଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାରମୂଳକ ନୀତି କାରଣରୁ ଭାରତ ପୁନର୍ବାର ପ୍ରଗତିଧାରାକୁ ଫେରିଛି । ଆଜି ଏହା ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଦୃଢ଼ତାର ସହିତ ଅଗ୍ରଗତି କରିଚାଲିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ୧୧ବର୍ଷର ସମାବେଶୀ ବିକାଶ ଦେଶବାସୀଙ୍କୁ ସବ୍ସିଡି କିମ୍ବା ସେବାଠାରୁ ଅଧିକ ମୂଲ୍ୟବାନ କିଛି ଦେଇଛି । ସରକାର ନାଗରିକମାନଙ୍କୁ ଏକ ବିଶ୍ୱାସ ଦେଇଛନ୍ତି । ଆଉ ଏକ ଉନ୍ନତ ଭବିଷ୍ୟତ ପ୍ରତି ଦୃଢ଼ ବିଶ୍ୱାସ ହିଁ ଦେଶକୁ ଆଗକୁ ବଢ଼ାଉଛି ।