ଆମେରିକାନ Philosopher Benjamin Fraklinuଙ୍କ ଭାଷାରେ ‘Eat to live, dont live to eat’ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ମଧ୍ୟ କହିଥିଲେ ‘Worthless people like only to eat and drink..’ ଉପରୋକ୍ତ ଦୁଇ ବିଶିଷ୍ଟ ଦାର୍ଶନିକଙ୍କ ଇଂରାଜୀର ପ୍ରବାଦ ବିଷୟବସ୍ତୁର ପ୍ରାସଙ୍ଗିକତାକୁ ଅବଗତ କରାଇଦିଏ । ଏଠାରେ ଆମକୁ ଦୁଇଟି ନୀତିନିୟମର ଉପଲବ୍ଧତା ପ୍ରାପ୍ତ ହେଉଛି । ଗୋଟିଏ ହେଉଛି "ବଞ୍ଚିବା ପାଇଁ ଖାଇବା' ଏବଂ ଅନ୍ୟଟି ହେଉଛି "ଖାଇବା ପାଇଁ ବଞ୍ଚିବା' । "ବଞ୍ଚିବା ପାଇଁ ଖାଇବା' ସକାରାତ୍ମକ ହେଲେ "ଖାଇବା ପାଇଁ ବଞ୍ଚିବା' ନକାରାତ୍ମକ ଚିନ୍ତାଧାରା ଅଟେ । ଗୋଟିଏପଟେ ଭୋଜନ, ଶୟନ ଓ ମୈଥୁନର ବଶବର୍ତ୍ତୀ ହେଲାବେଳେ ଅନ୍ୟଟି ଭଜନ, ଚିନ୍ତନ ଓ ପୂଜନର ପରାକାଷ୍ଠା ଅଟେ ।
ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ଖାଇବା ପାଇଁ ବଞ୍ଚିବାରେ ଥାଏ ଦୈହିକ ତୃପ୍ତି, ଭୌତିକ ଆନନ୍ଦ ଏବଂ ଶାରିରୀକ ସୁଖ । ମାତ୍ର ଅପରପକ୍ଷରେ ବଞ୍ଚିବା ପାଇଁ ଖାଇବାରେ ଥାଏ ଆତ୍ମଚିନ୍ତନ, ଆତ୍ମିକ ଶାନ୍ତି ଓ ମାନସିକ ମୁଗ୍ଧତା ଓ ସୁସ୍ଥତା । ଦୈହିକ ତୃପ୍ତି, ଭୌତିକ ଆନନ୍ଦ ଓ ଶାରୀରିକ ସୁଖ ଦେଇଥାଏ ଭୌତିକ ବଳ, ଯାହା ମାନସିକ ବିଚାରଶକ୍ତି ଓ ବିବେକର ପରିପ୍ରକାଶ ବଦଳରେ ଦେଖାଇଥାଏ, ଶାରୀରିକ ବଳ, କାର୍ଯ୍ୟକୁ ଅକାର୍ଯ୍ୟ କରିବାର ଜୋସ୍, ସତ୍ଚିନ୍ତା କରିବାର ବିଲୋପ, ଶାରୀରିକ ବଳ ପ୍ରଭାବରେ ହିଂସା, ଗଣ୍ଡଗୋଳ କରିବାର ପ୍ରୟାସ, କୌଣସି କାମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବା ଓ ନେବା, କ୍ରୋଧ ସମ୍ବରଣ ନକରିବାର ପ୍ରବୃତ୍ତି ଇତ୍ୟାଦି । ମାତ୍ର ବଞ୍ଚିବା ପାଇଁ ଖାଇବାର ପ୍ରତୀକ ଭଜନ, ଚିନ୍ତନ ଓ ପୂଜନ ବା ଜପନରେ ଥାଏ ସୁଚିନ୍ତା କରିବାର ପ୍ରୟାସ, ସକାରାତ୍ମକ କର୍ମରେ ନିଜକୁ ନିୟୋଜିତ କରିବା, ସତକର୍ମରେ ମନବଳାଇବା, କ୍ରୋଧ, ହିଂସା, ଦ୍ୱେଷ, ଅହଂକାର ଓ ପରଶ୍ରୀକାତରତାର ବିଲୋପ, ବିବେକର ସୁବିଚାର ଶକ୍ତି, ପରୋପକାରିତା ଓ ସହାନୁଭୂତିର ପ୍ରବୃତ୍ତି, ଭକ୍ତି ଓ ପ୍ରେମଭାବର ଉଦ୍ରେକ ଇତ୍ୟାଦି । ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ, ସନ୍ତୁଳିତ ଆହାର ଶରୀର ଓ ମନ ପାଇଁ ଉପାଦେୟ ଅଟେ । ଭିଟାମିନ୍ ଏବଂ ପୁଷ୍ଟିସାର, ସ୍ନେହସାର ଓ ଧାତବ ଦ୍ରବ୍ୟର ଏକ ବାଲାନ୍ସ ଡାଏଟ ସମସ୍ତେ ନେବା ଉଚିତ । ଫଳରେ ମଣିଷର ଶାରୀରିକ ଶକ୍ତି ଓ ମାନସିକ ଶକ୍ତି ସମନ୍ୱୟ ରକ୍ଷା ହୋଇଥାଏ । ଶାରୀରିକ ଶକ୍ତି କହିଲେ, ଭୌତିକ ବଳ, ରୋଗ ପ୍ରତିରୋଧକ ଶକ୍ତି, ସୁସ୍ଥ ହଜମ ପ୍ରକ୍ରିୟା ଓ ସୁସ୍ଥ ଅସ୍ଥିମଜ୍ଜାଗୁଡ଼ିକୁ ବୁଝାଏ । ମାନସିକ ଶକ୍ତି କହିଲେ କ୍ରୋଧ ନିୟନ୍ତ୍ରଣ, ମନର ପ୍ରଫୁଲ୍ଲତା, ସୁସ୍ଥ ମସ୍ତିଷ୍କ, ଚିନ୍ତା ଓ ଭୟଶୂନ୍ୟ ମନ ଇତ୍ୟାଦିକୁ ବୁଝାଏ ।
ଅବଶ୍ୟ ଏହା ଅସ୍ୱୀକାର କରିହେବନି ଯେ, କିଛି ଗରିବରୁ ଅତିଗରିବ ଲୋକଙ୍କ ପକ୍ଷରେ ଏ ପ୍ରକାର ସୁସ୍ଥ ଖାଇବାର ବୈଜ୍ଞାନିକ ଶୈଳୀ ସମ୍ଭବ ନୁହେଁ । ଆପାତତଃ, ଆମେମାନେ ଅଧିକାଂଶ ଲୋକ ଉକ୍ତ ପ୍ରକାର ଖାଦ୍ୟ ସନ୍ତୁଳନର ସୂତ୍ର ପ୍ରୟୋଗ କରିପାରିବା । ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜାଣିପାରିବା ଆମମାନଙ୍କ ଖାଦ୍ୟର ପ୍ରକାରଭେଦ ଦୁଇ ପ୍ରକାରର । ଗୋଟିଏ ସାତ୍ତ୍ୱିକ ଓ ଅନ୍ୟଟି ଆସୁରିକ । ସାତ୍ତ୍ୱିକ ଖାଦ୍ୟରେ ସାଧାରଣଃ ଫଳ, ପନିପରିବା, ଦୁଗ୍ଧ, ଛେନା ଓ ଦହି ଇତ୍ୟାଦି ଅନ୍ତର୍ଭୁକ୍ତ । ମାତ୍ର ଆସୁରିକ ଖାଦ୍ୟ ହେଲା ମାଛ, ମାଂସ, ଅଣ୍ଡା ଇତ୍ୟାଦି । ସାତ୍ତ୍ୱିକ ଖାଦ୍ୟ ଶରୀର ଓ ମନକୁ ଥଣ୍ଡା ରଖିବା ସଙ୍ଗେ ଦେହରେ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖିଥାଏ । ଫଳରେ ବ୍ୟକ୍ତିଟିର ପରମାତ୍ମା ତଥା ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ଆସିଥାଏ । କିଛି ଅଂଶରେ ସାତ୍ତ୍ୱିକ ମନୋବଳ କ୍ରୋଧ, ଲୋଭ, ମାୟା, ମୋହ ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ଅପରପକ୍ଷରେ ଆସୁରିକ ଖାଦ୍ୟଶୈଳୀରେ କ୍ରୋଧ, ଉତ୍ତେଜନା, ଯୌନଲିପ୍ସା ଇତ୍ୟାଦିର ପରିପ୍ରକାଶ ହେବାର ଲକ୍ଷ୍ୟ କରାଯାଇଛି । ଆସୁରିକ ଖାଦ୍ୟ ଅଭ୍ୟାସରେ ଥିବା ବ୍ୟକ୍ତିଟି ପରିମାର୍ଜିତ, ଧୀରସ୍ଥିର, ସହନଶୀଳ ଏବଂ ସୁବିଚାରର ବଶବର୍ତ୍ତୀ ହୋଇପାରେନା । ସାତ୍ତ୍ୱିକ ଖାଦ୍ୟ "ବଞ୍ଚିବା ପାଇଁ ଖାଇବାକୁ' ସୂଚାଇଲା ବେଳେ ଆସୁରିକ ଖାଦ୍ୟ ଖାଇବା ପାଇଁ ବଞ୍ଚିବା ଶୈଳୀର ବଶବର୍ତ୍ତୀ ଅଟେ ।
ଆଗକାଳରେ ଋଷି, ମହର୍ଷିମାନେ ଉପବାସରେ ରହି ଜଙ୍ଗଲର ଫଳ ଆହରଣ କରି ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବାର ବହୁ ଦୃଷ୍ଟାନ୍ତ ଆମମାନଙ୍କ ପାଖରେ ଅଛି । ସାତ୍ତ୍ୱିକ ମନବଳରେ ସେମାନେ ଶରୀର ଉତ୍ତେଜନା, ଶକ୍ତି ଅପଚୟ ଏବଂ ଈଶ୍ୱରଙ୍କ ପ୍ରତି ଏକାଗ୍ରତାଗୁଡ଼ିକୁ ନିୟନ୍ତ୍ରଣ କରି ରଖିପାରିଥାନ୍ତି । ମହାପୁରୁଷ ଗୌତମ ବୁଦ୍ଧ ସାତ୍ତ୍ୱିକ ଓ ଭଗବଦ୍ ବିଚାରର ଏକ ବଳିଷ୍ଠ ଉଦାହରଣ । ଯେ କି ସଂସାର ତ୍ୟାଗକରି କାମନା ଓ ବାସନାର ବିନାଶକୁ ଆଲିଙ୍ଗନ କରି ଶେଷରେ ଈଶ୍ୱରଙ୍କ ଦିବ୍ୟାଲୋକ ପ୍ରାପ୍ତ ହୋଇଥିଲେ । ଏଠାରେ ଦୁଇଟି ଉପାଦାନ ରହିଛି । ଗୋଟିଏ ହେଉଛି କାମନା, ଯାହା ହେଲା ସାଂସାରିକ ଓ ପାର୍ଥିବ ବସ୍ତୁ ବା କର୍ମ ପ୍ରତି ଆକର୍ଷଣ । ଦ୍ୱିତୀୟଟି ହେଲା ବାସନା, ଯାହା ସୁସ୍ୱାଦୁ ଖାଦ୍ୟର ଲାଳସା, ପିନ୍ଧିବାର ଜିଜ୍ଞାସା, ସୁସ୍ୱାଦ ସୌଖୀନର ବଶବର୍ତ୍ତୀ ହେବାକୁ ବୁଝାଏ । ଏଗୁଡ଼ିକ ଆଉ କିଛି ନୁହେଁ, ମଣିଷର ବଞ୍ଚିବା ପାଇଁ ଖାଇବାର ଭାବାର୍ଥରେ ଆଧାରିତ ।
ଆଉ ଦୁଇଗୋଟି ଉପାଦାନର ଉଦାହରଣ ନେବା- ପାର୍ଥବ ବନ୍ଧନ ଓ ଶାଶ୍ୱତ ବନ୍ଧନ । ସାଧାରଣତଃ ପାର୍ଥିବ ବନ୍ଧନ ଉଭୟ ଭଲ ଓ ଖରାପ ଆଡ଼କୁ ଗତି କରିଥାଏ । ଏହାକୁ ନେଇ ଏକ ଛୋଟ ଉଦାହରଣ । ପରିବାରରେ ସମସ୍ତେ- ଭାଇ, ଭଉଣୀ, ବାପା, ମାଆ, ସାତ୍ତ୍ୱିକ ଆହାରକୁ ପରସ୍ପର ଭିତରେ ବାଣ୍ଟି ଖାଇବା ଏକ ଭଲ ପାର୍ôଥବ ବନ୍ଧନର ଅଂଶବିଶେଷ ଏବଂ ଅନ୍ୟପକ୍ଷରେ ବନ୍ଧନର ପତିବ୍ରତାକୁ ଆହ୍ୱାନ କରେ । ଅନ୍ୟଟି ହେଲା ଶାଶ୍ୱତ ବନ୍ଧନ, ଅର୍ଥାତ୍ ମଣିଷର ସୁସ୍ଥ ମନକୁ ଭଗବାନ ବା ପରମେଶ୍ୱରଙ୍କ ଭାବନା ସଙ୍ଗେ ଯୋଡ଼ିବାକୁ ବୁଝାଏ । ଉପରୋକ୍ତ ଆଲୋଚନାରୁ ଏହା ଧରି ନିଆଯାଇପାରେ ଯେ, ପାର୍ଥିବ ବନ୍ଧନର ପବିତ୍ରତା ଏବଂ ଶାଶ୍ୱତ ବନ୍ଧନର ଅଲୌକିକତାର ସମନ୍ୱୟ ପରୋକ୍ଷରେ ଶରୀରର ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣ କରିଥାଏ । ଯଥା- ଅଳ୍ପ ପୁଷ୍ଟିକର ଖାଦ୍ୟ ଖାଇବା, ସାତ୍ତ୍ୱିକ ଖାଦ୍ୟ ପସନ୍ଦ କରିବା, ଖାଦ୍ୟଦ୍ରବ୍ୟକୁ ନଷ୍ଟ ନକରି ଅନ୍ୟ ପେଟକୁ ଦାନା ଯୋଗାଇବା ଇତ୍ୟାଦି । ଉପରୋକ୍ତ ଅନୁଶୀଳନ ଭିତ୍ତିରେ "ବଞ୍ଚିବା ପାଇଁ ଖାଇବାର' ଭାବାର୍ଥକୁ ଗ୍ରହଣ କରିବା ସଙ୍ଗେ ଏକ ସୁସ୍ଥ ଜୀବନ ଗଠନରେ ବ୍ରତୀ ହେବା ।