ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ପବିତ୍ର ବୁଡ଼ ପକାଇଥିବା ବେଳେ ୧୩ ଆଖଡ଼ାର ସାଧୁସନ୍ଥମାନେ ବୁଡ଼ ପକାଇବା ସହିତ ସେମାନଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା । ଏମାନଙ୍କର କାର୍ଯ୍ୟକଳାପ, ଧର୍ମ, ପ୍ରାର୍ଥନାର ଅଦ୍ଭୁତ ଶକ୍ତି ଆମକୁ ବିମୋହିତ କରିଦେଲା । ଏହି ଆଖଡ଼ାରେ ୧୩ତମ ଆଖଡ଼ା ହେଉଛି କିନ୍ନର ଆଖଡ଼ା । କେତେକ ଆଖଡ଼ାର ଘୋର ବିରୋଧ ସତ୍ତ୍ଵେ ପ୍ରଥମ ଆଖଡ଼ା ଓ ଅନ୍ୟ କେତେକ ଆଖଡ଼ାରୁ ସାଧୁସନ୍ଥଙ୍କ ସମର୍ଥନରେ ଏହା ସ୍ୱୀକୃତି ପାଇଛି । ଏହି କିନ୍ନର ଆଖଡ଼ାର ମୁଖ୍ୟ ଭାବେ ମମତା କୁଲକର୍ଣ୍ଣୀ ରହିଥିବାବେଳେ ଦୂରଦର୍ଶନରେ ଓଡ଼ିଶାର ଜଣେ ସମାଜ ସେବିକା କିନ୍ନର ମୀରା ପରିଡ଼ାଙ୍କୁ ଦେଖିବାକୁ ମିଳିଥିଲା । ଏମାନେ ବର୍ଷ ବର୍ଷ ଧରି ସମାଜରେ ଅଲୋଡ଼ା ଥିଲେ ମଧ୍ୟ ଓଡ଼ିଶା ପରି ୯ଟି ରାଜ୍ୟରେ ଏମାନଙ୍କ ପାଇଁ ଚାକିରିଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସ୍ୱାଧୀନତା ମିଳିଛି । ଏମାନେ ଆଶୀର୍ବାଦ କଲେ ପୁଣ୍ୟଫଳ ମିଳେ ବୋଲି ଧର୍ମୀୟ ବିଶ୍ୱାସ ଥିଲେ ମଧ୍ୟ ଏବେ ବି ସମାଜ ଏମାନଙ୍କ ପ୍ରତି ବୀତସ୍ପୃହ । ଆମ ରାଜ୍ୟ ଏମାନଙ୍କ ବଞ୍ଚିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ଯୁଗ ଯୁଗରୁ କିନ୍ନର ରହିଆସିଛନ୍ତି । ଅବନ୍ତୀ ରାଜକୁମାରୀ ଅମ୍ବାଙ୍କୁ ହସ୍ତୀନାର ରାଜକୁମାର ଭୀଷ୍ମ ଅପହରଣ କରି ଆଣିବାରୁ ତାଙ୍କୁ ଭଲପାଉଥିବା ରାଜକୁମାର ବିବାହ କରିବାକୁ ମନା କରିବାରୁ ଅମ୍ବା ଭୀଷ୍ମଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଭୀଷ୍ମ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ସେ କୌଣସି ଉପାୟ ନପାଇ ପର୍ଶୁରାମଙ୍କ ଶରଣ ପଶିଥିଲେ । ଭୀଷ୍ମ ପର୍ଶୁରାମଙ୍କ ଶିଷ୍ୟ ଥିଲେ ସୁଦ୍ଧା ଅମ୍ବା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଭୀଷ୍ମଙ୍କ ସହ ଯୁଦ୍ଧ କରିଥିଲେ । ଦୁହେଁ ମହାବୀର, କେହି କାହାକୁ ପରାଜିତ କରିପାରିଲେନି । ପର୍ଶୁରାମ ଅନୁଭବ କଲେ ଏହି ଯୁଦ୍ଧ ବଢ଼ିଚାଲିଲେ ବିଶ୍ୱ ଧ୍ୱଂସ ହୋଇଯିବ । ତେଣୁ ସେ ଯୁଦ୍ଧ ବନ୍ଦ କରି ଚାଲିଗଲେ । ଅମ୍ବା ଦେଖିଲେ ଏ ଜନ୍ମରେ ମୁଁ ପ୍ରତିଶୋଧ ନେଇପାରିବିନି । ସେ ଅନଳରେ ଦେହତ୍ୟାଗ କଲେ । ଦ୍ରୁପଦ ରାଜାଙ୍କର ଏକ ପୁତ୍ର ରୂପରେ ଜନ୍ମ ନେଇ ଶିଖଣ୍ଡି ନାମରେ ରହିଲେ । ସମୟ କ୍ରମେ ସେ କିନ୍ନର ହୋଇଗଲେ । ଭୀଷ୍ମଙ୍କ ରଥ ଆଗରେ ଶିଖଣ୍ଡି ତା'ର ରଥ ଛିଡ଼ା କରିଦେବାରୁ ସେ ଯୁଦ୍ଧରୁ ବିରତି ନେଲେ । ସେତେବେଳେ ନାରୀ ମୁକୁଳା କେଶ, କିନ୍ନର, ଭୟରେ ରଣକ୍ଷେତ୍ର ଛାଡ଼ିଥିବା ଶତ୍ରୁକୁ ବଧ କରିବା ଅନ୍ୟାୟ । ଭୀଷ୍ମ ଧନୁତୀର ପରିତ୍ୟାଗ କରିବାରୁ ବୀର ଅର୍ଜୁନ ତାଙ୍କୁ ଶରଶଯ୍ୟାରେ ଶୋଇ ଦେଇଥିଲେ ।
ସେମିତି ପାଣ୍ଡବମାନଙ୍କ ଅଜ୍ଞାତବାସରେ ଅଭିଶାପ ପାଇଥିବା ଅର୍ଜୁନ, ବିରାଟ ରାଜାଙ୍କ ପାଖରେ କିନ୍ନର ବୃହନ୍ନଳା ନାମରେ ତାଙ୍କ କନ୍ୟା ଉତ୍ତରାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ମା' ଗର୍ଭରେ ଭ୍ରୂଣ ସଂଚାରବେଳେ ମା' କୌଣସି ଜଟିଳ ରୋଗରେ ପଡ଼ିବା । ଉପଯୁକ୍ତ ଭିଟାମିନଯୁକ୍ତ ଖାଦ୍ୟ ଖାଇବାକୁ ନପାଇବା, ଡାକ୍ତରୀ ଚିକିତ୍ସା କରାଇ ନପାରିବା କାରଣରୁ ଶିଶୁଟି କିନ୍ନର ରୂପରେ ଜନ୍ମ ନେଇଥାଏ । ପ୍ରାୟ ତିନିବର୍ଷ ବେଳକୁ ତାର ଲକ୍ଷଣ ପ୍ରକାଶ ପାଇଥାଏ । ଏମାନଙ୍କ ଛାତି ଚଉଡ଼ା ଓ ଏମାନେ ଶକ୍ତିଶାଳୀ । ଏମାନେ ସାଧାରଣ ମଣିଷଙ୍କ ଠାରୁ ଅଧିକ ଦିନ ବଞ୍ଚିଥାନ୍ତି । ଏମାନଙ୍କ ଶୈଶବ ଓ କୈଶୋର ଖୁବ୍ ଦୁଃଖପୂର୍ଣ୍ଣ । ମାନସିକ ବିକୃତ ଶିଶୁ ଯେପରି ପରିବାର ଓ ବାପା, ମାଙ୍କ ଉପରେ ବୋଝ ହୋଇଯାନ୍ତି³ ସେପରି ଏମାନେ ପରିବାର ଉପରେ ବୋଝ ହୋଇଯାନ୍ତି ସାମାଜିକ କୁସଂସ୍କାର ଭୟରେ । ସବୁ କ୍ଷେତ୍ରରେ ପାରଙ୍ଗମ ଥାଇ ମଧ୍ୟ ପରିବାରରୁ ପ୍ରଥମେ ଏମାନଙ୍କୁ ଅଣଦେଖା କରାଯାଏ । ଦୁଃଖ ଯନ୍ତ୍ରଣା ଦିଆଯାଏ ।
ସେହିପରି ବିଦ୍ୟାଳୟରେ ପାଠ ପଢ଼ୁଥିବାବେଳେ ସାଙ୍ଗସାଥୀ, ଶିକ୍ଷକଙ୍କ ଠାରୁ ମାଡ଼, ଗାଳି ଓ ଟାହିଟାପରା ଶୁଣିଥାନ୍ତି । ତା’ ଚାରିପଟର ମଣିଷମାନେ ତାଚ୍ଛଲ୍ୟରେ ପୋତି ପକାନ୍ତି । ଘରେ, ବାହାରେ ଏମାନେ ଲାଞ୍ଛିତ ହୋଇ ଶେଷରେ ଘର ଛାଡ଼ି କିନ୍ନର ମେଳରେ ଜୀବନ କାଟନ୍ତି । ଯେଉଁମାନେ ପାଠପଢ଼ି ଚାକିରି କରନ୍ତି ସେମାନେ ତାଙ୍କର ସହକର୍ମୀଙ୍କ ଠାରୁ ବିଭିନ୍ନ ପରିହାସର ଶିକାର ହୁଅନ୍ତି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଏମାନଙ୍କ ସଂଖ୍ୟା ୫୦୦୦ରୁ ଊଦ୍ଧ୍ୱର୍ ଥିବାବେଳେ, ଅଦ୍ୟାବଧି ଏହି ସଂଖ୍ୟା ୨୦,୦୦୦ ଟପିଯିବାର ଜଣାଯାଏ । ବିଶ୍ୱରେ କେତେକ କିନ୍ନର ସେମାନଙ୍କ କର୍ମ କୁଶଳତା ପାଇଁ ଉଚ୍ଚ ପଦପଦବିରେ ଅବସ୍ଥାପିତ ହେବା, ପ୍ରଶଂସିତ ତଥା ସମ୍ମାନିତ ହୋଇ ଇତିହାସରେ ନାଁ ଯୋଡ଼ିଛନ୍ତି । ଆମ ଦେଶ ଭାରତରେ ଏମାନେ ମଧ୍ୟ ନିଜକୁ ସୁଦୃଢ଼ କରି ସମ୍ମାନ, ପଦବି ସାଉଣ୍ଟିଛନ୍ତି । ‘ପୃଥକାୟାଶିନି’ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପୁଲିସ୍ ଅଫିସର । ସବୁ ପ୍ରତିବନ୍ଧକକୁ ଟପିଯାଇ ତାମିଲନାଡ଼ୁର ପୃଥିକା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି । ସବ୍ଇନିସ୍ପେକ୍ଟର ପଦ ପାଇଁ ଶାରୀରିକ ପରୀକ୍ଷାରେ ୧ ନମ୍ବର ପାଇଁ ଫେଲ୍ ହୋଇଥିଲେ । ପୁନଃ ମୂଲ୍ୟାୟନ ପାଇଁ ଦାବିକରି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଲକ୍ଷ୍ୟ ହାସଲ କଲେ । ସତ୍ୟାଶ୍ରୀ ଶର୍ମିଳା ହେଉଛନ୍ତି ଭାରତର ପ୍ରଥମ ସମଲିଙ୍ଗୀ ଓକିଲ । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସେ ଲଢ଼େଇ ଜାରି ରଖିଛନ୍ତି ଅଧିକାର ଫେରିପାଇବା ପାଇଁ । ତାମିଲନାଡ଼ୁରେ ଜନ୍ମ ନେଇଥିବା ସତ୍ୟାଶ୍ରୀ ଅନେକ ଥର ଜେଣ୍ଡର ପାଇଁ ନିର୍ଯାତନାର ଶିକାରକୁ ଖାତିର ନକରି କୁହନ୍ତି "ଦୃଢ଼ ମନୋବଳ ନେଇ ଆଜି ମୁଁ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଜୋୟିତା ମଣ୍ଡଳ ହେଉଛନ୍ତି ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଜଜ୍ । ୨୦୧୭ରେ ଜୋୟିତା ୨୯ବର୍ଷ ବୟସରେ ଉତ୍ତର- ପଶ୍ଚିମବଙ୍ଗ ଲୋକଅଦାଲତରେ ପ୍ରଥମ ଟ୍ରାନ୍ସ ଜେଣ୍ଡର ଜଜ୍ ଭାବେ ନିଯୁକ୍ତ ।
ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଭାରତର ପ୍ରଥମ କିନ୍ନର ଓ.ଏଫ୍,ଏସ୍. ଅଫିସର ଭାବେ ଅବସ୍ଥାପିତ । ଓଡ଼ିଶାର କନ୍ଧମାଳ ଜିଲ୍ଲାର ଏକ ଛୋଟିଆ ଗାଁରେ ବଡ଼ ହୋଇଥିବା ଐଶ୍ୱର୍ଯ୍ୟା ଲିଙ୍ଗଗତ ପରିଚୟ ଯୋଗୁଁ ପାଶବିକ ଭେଦଭାବର ଶିକାର ହୋଇଥିଲେ । କିନ୍ତୁ ଜନସାଧାରଣଙ୍କ ସେବାପାଇଁ ତାଙ୍କ ଅଧ୍ୟବସାୟ ଓ ଆବେଗ ସବୁବେଳେ ତାଙ୍କ ଆଗକୁ ବଢ଼ି ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥିଲା । ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଶିକ୍ଷାପ୍ରତି ତାଙ୍କର ସମର୍ପଣ ଭାବନା ପ୍ରାଶାସନିକ ସେବାରେ ସଫଳତାର ମୂଳକୁ ଆପଣାଇ ଥିଲା । ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ସେ ଏଥିରେ ସଫଳ ହୋଇଛନ୍ତି । ତାଙ୍କ କାର୍ଯ୍ୟ ଶକ୍ତିଶାଳୀ ବାର୍ତ୍ତା ଦେବାସହ ବିଭିନ୍ନ ପ୍ରତିବନ୍ଧକକୁ ଭାଙ୍ଗି ନିଜ ସ୍ୱପ୍ନକୁ ସାକାର କରିବା ଖୁବ୍ ପ୍ରେରଣାଦାୟୀ । ମୀରା ପରିଡ଼ା ବର୍ତ୍ତମାନ କିସ୍ରେ କାର୍ଯ୍ୟରତ । ମାନବୀ ବନ୍ଦୋପାଧ୍ୟାୟ ବଙ୍ଗଳା ସାହିତ୍ୟରେ ଜଣେ ଅଧ୍ୟାପିକା । କୃଷ୍ଣନଗର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ହାସଲ କରି ଯୌନ ସମାନତାର ମାର୍ଗ ପ୍ରଶସ୍ତ କରିଥିଲେ । ସେ ଭେଦଭାବ ଓ ଲିଙ୍ଗଗତ ସମସ୍ୟା ବିରୋଧରେ ସଂଘର୍ଷ ଜାରି ରଖିଥିଲେ । ‘ମାନବିକ ଅଧିକାର' ସଂଗ୍ରାମର ଏକ ଅଂଶ ହୋଇଥିବାବେଳେ ସେ ‘ଓଛୋହିନ ଓଣ୍ଟୋରିନ୍ ପ୍ରୋସି ଟୋରର୍ତିକା’ ନାମକ ବଙ୍ଗଳା ଉପନ୍ୟାସର ଲେଖିକା, ଯାହା ଜାତୀୟସ୍ତରରେ ସର୍ବାଧିକ ବିକ୍ରି ହେଉଥିବା ଉପନ୍ୟାସରେ ପରିଗଣିତ ହୋଇଥିଲା ।