ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଦେଶଦ୍ରୋହୀ...

Published By : Prameya | May 25, 2025 1:37 PM

ଆମ ଭିତରେ ରହି ଆମକୁ ପଛରୁ ଛୁରି ମାରିଛନ୍ତି ।  ଭଗତ ସିଂ ଦେଶ ପାଇଁ ଫାଶୀରେ ଚଢ଼ିଥିଲେ ।  ତାଙ୍କ ବୟସର କିଛି ଭାରତୀୟ ଯୁବକ ପାକିସ୍ତାନର  ଗୁପ୍ତଚର ସାଜି ଧରା ପଡ଼ିଛନ୍ତି । ସାରା ଭାରତ ଏ  ଦେଶଦ୍ରୋହୀଙ୍କୁ ନିନ୍ଦା କରୁଛି । ଏ ମୀର୍‌ଜାଫର ଓ  ଜୟଚନ୍ଦ୍ରମାନଙ୍କୁ କି ଦଣ୍ଡ ମିଳିବ?

ଅର୍ଥ ଲୋଭ ଯେଉଁଠି, ଅନର୍ଥ ସେଇଠି । ଜନ୍ମ ଭାରତରେ ।  ମନ ପାକିସ୍ତାନରେ । ଭାରତର ୟୁଟ୍ୟୁବର, ପାକିସ୍ତାନର  ଗୁପ୍ତଚର । ଦେଶରେ ରହି ଦେଶ ସହ ବେଇମାନି । ଭାରତ  ମାଟିରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି । ଅପରେସନ ସିନ୍ଦୂର  ପରେ ଏମିତି କିଛି ଦେଶଦ୍ରୋହୀଙ୍କ ଚେହେରା ପଦାକୁ ଆସିଛି ।  ପାକିସ୍ତାନକୁ ଭାରତ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା  ଦେଉଥିବା ୧୧ ଜଣ ୟୁଟ୍ୟୁବର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍‌  ଗିରଫ ହୋଇଛନ୍ତି । ଏ ସୁପାରୀ ୟୁଟ୍ୟୁବର୍‌ମାନେ ଟଙ୍କା ଲୋଭରେ  ଦେଶ ସହ ବିଶ୍ୱାସଘାତକତା କରିଛନ୍ତି । ନିଜ ଜନ୍ମମାଟି ସହ  କରିଛନ୍ତି ବେଇମାନୀ । ଯେଉଁ ବୟସରେ ଭଗତ ସିଂ ଦେଶ ପାଇଁ  ଫାଶୀରେ ଚଢ଼ିଥିଲେ, ସେ ବୟସରେ କିଛି ଭାରତୀୟ ଯୁବକ  ପାକିସ୍ତାନର ଗୁପ୍ତଚର ସାଜିଛନ୍ତି । ଦେଶ ପାଇଁ ବଡ଼ ବିପଦ ଛିଡ଼ା  କରାଇଥିବା ଏ ଚରିତ୍ରମାନେ ଏବେ ପାଲଟିଛନ୍ତି ବଡ଼ ଖବର । ସାରା ଦେଶ ଏ ଦେଶଦ୍ରୋହୀଙ୍କୁ ନିନ୍ଦା କରୁଛି । 

ଅପରେସନ ସିନ୍ଦୂରର ସଫଳତା ପରେ ସାରା ଭାରତ ପରାକ୍ରମ  ଉତ୍ସବ ପାଳନ କରୁଥିଲା ବେଳେ ଛଦ୍ମବେଶୀ ଚେହେରା ଧରା  ପଡ଼ିଲେ । ଭାରତ-ପାକିସ୍ତାନ ମୁକାବିଲା ସମୟରେ ଭାରତର  ଭିନ୍ନତାରେ ଏକତାକୁ ସାରା ବିଶ୍ୱ ଭୁରି ଭୁରି ପ୍ରଶଂସା କଲା ।  ଗୋଟିଏ ଦେଶରେ ଭିନ୍ନ ଭିନ୍ନ ସଂପ୍ରଦାୟ ବାସ କରୁଥିଲେ ମଧ୍ୟ  ଦେଶବାସୀ ଏକଜୁଟ୍‌ ହୋଇ କିଭଳି ସରକାରଙ୍କ ପଛରେ କାନ୍ଥ  ଭଳି ଛିଡ଼ା ହୁଏ ତା’ର ଉଦାହରଣ ସାଜିଲା ଭାରତ । ହେଲେ  ଏ ଖୁସି, ଆନନ୍ଦ, ଉତ୍ସବ ପାଳନ ବେଳେ ପାକିସ୍ତାନର ଏଜେଣ୍ଟ  ଏ ସୁପାରି ୟୁଟ୍ୟୁବର, ସୁରକ୍ଷା କର୍ମଚାରୀଙ୍କ ବେଇମାନୀ  ଦେଶବାସୀଙ୍କୁ କରିଛି ସ୍ତବ୍ଧ । ମା’ ମାଟି ପାଇଁ ଆମ ବୀର ଯବାନ  ହସି ହସି ପ୍ରାଣ ହାରୁଛନ୍ତି । ତାଙ୍କର ଅମର ବଳିଦାନକୁ ଦେଶ ସାଲ୍ୟୁଟ କରୁଛି । ଆମ ବୀର ସହିଦଙ୍କ ପାଇଁ ଲୁହ ଗଡ଼ାଉଛି  କାଶ୍ମୀରରୁ କନ୍ୟାକୁମାରୀ । ହେଲେ ଟଙ୍କା ଲୋଭରେ ଆମ  ଯୁବପିଢ଼ି ପାକିସ୍ତାନର ଗୁପ୍ତଚର ସାଜିବା ମୁଣ୍ଡ ନୁଆଁଇ ଦେଉଛି ।  ଦେଶ ଭିତରେ ଥିବା ଏ ମୀର୍‌ଜାଫର ଓ ଜୟଚନ୍ଦ୍ରମାନଙ୍କୁ ଆମେ  କ’ଣ କହିବା? 

ଭାରତର ଆତ୍ମାକୁ ଆଘାତ 

ମନେ ପଡ଼ୁଛି ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ  କଥା । ଭାରତ ଆଗକୁ ଅଢ଼େଇ ମୋର୍ଚ୍ଚା ସହ ଲଢ଼ିବ । ପ୍ରଥମ  ମୋର୍ଚ୍ଚା ପାକିସ୍ତାନ, ଦ୍ୱିତୀୟ ଚୀନ୍‌ । ଅନ୍ୟଟି ହେଲା ସବୁଠୁ  ଭୟଙ୍କର । ଦେଶ ଭିତରେ ରହି ଦେଶ ସହ ବେଇମାନୀ ଓ  ବିଶ୍ୱାସଘାତକତା କରୁଥିବା କିଛି ବ୍ୟକ୍ତି । ସ୍ୱର୍ଗତ ରାୱତଙ୍କ ଏ  ଭବିଷ୍ୟବାଣୀ ଆଜି ୫ ବର୍ଷ ପରେ ସତ ହୋଇଛି । ପାକିସ୍ତାନୀ  ଆଇଏସ୍‌ଆଇର ଗୁପ୍ତଚର ସାଜିଥିବା ସିଣ୍ଡିକେଟ୍‌ ଧରା ପଡ଼ିଛନ୍ତି ।  ବିଳାସମୟ ଜୀବନ ପାଇଁ ଦେଶ ସହ ବେଇମାନୀ । ଟଙ୍କା  ଲୋଭରେ ନିଜ ମାଆ, ମାଟି ଏବଂ ଦେଶକୁ ଶତ୍ରୁ ହାତରେ ଏମାନେ  ଟେକିଛନ୍ତି । ଆମ ସେନା ଓ ଦେଶର ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ତଥ୍ୟ ଶତ୍ରୁ  ଦେଶକୁ ଦେଇଛନ୍ତି । ଆମ ଭିତରେ ରହି ଏମାନେ ଆମକୁ ପଛରୁ  ଛୁରି ମାରିଛନ୍ତି । ହରିଆନା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କଠାରୁ  ଆରମ୍ଭ କରି ୧୧ ଗୁପ୍ତଚର ବନ୍ଧା ହୋଇଛନ୍ତି । ଏମାନେ ଭାରତ  ମାଆର ଆତ୍ମା ସହ ଖେଳିଛନ୍ତି । ଦେଶପ୍ରେମୀ କୋଟି କୋଟି  ଭାରତୀୟଙ୍କୁ ଏହା କମ୍‌ ଦୁଃଖ ଦେଇନି । 

ବିଡ଼ମ୍ବନା, ପରିଚୟ ଭାରତୀୟ କିନ୍ତୁ ପାକିସ୍ତାନ ପାଇଁ କରୁଥିଲେ  ଗୁଇନ୍ଦାଗିରି । ମୋଟା ଅଙ୍କର ଅର୍ଥ ନେଇ ଦେଶଦ୍ରୋହ କାମ  କରୁଥିଲେ । ଉଚ୍ଚଶିକ୍ଷିତ, ଭଲ ପରିବାର, ସମାଜରେ ପ୍ରତିଷ୍ଠିତ  ପରିଚୟ ସହ ବଞ୍ଚୁଥିଲେ କିନ୍ତୁ ନିଜ ମାନବିକତାକୁ ମାରି ପାକିସ୍ତାନ  ପାଇଁ କାମ କରୁଥିଲେ। ଶତ୍ରୁ ଦେଶ ପାଇଁ ଗୁଇନ୍ଦାଗିରି କରୁଥିବା  ଗୁପ୍ତଚରଙ୍କ ତାଲିକା ବଢି଼ବାରେ ଲାଗିଛି । ଗୁପ୍ତଚରଙ୍କ ଚେର  କେଉଁଯାଏ ଲମ୍ବିଛି ତାହା ଜାଣିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା  ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି । 

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଏହି ବେଇମାନଙ୍କ ଭିତରେ  ଖାଲି ୟୁଟ୍ୟୁବର ନୁହଁନ୍ତି ଛାତ୍ର, ସିକ୍ୟୁରିଟି ଗାର୍ଡ, ଆପ୍‌ ଡେଭଲପର୍‌  ମଧ୍ୟ ଅଛନ୍ତି । ପାକିସ୍ତାନର ଭାରତ ବିରୋଧୀ ଅଭିଯାନରେ  ଏମାନେ ସାଜିଥିଲେ ବଡ଼ ଅସ୍ତ୍ର । ପଞ୍ଜାବ, ହରିଆନା, ଦିଲ୍ଲୀ  ଏବଂ ଉତ୍ତରପ୍ରଦେଶର ଏଯାଏଁ ୧୩ ଜଣ ଗିରଫ ହୋଇଛନ୍ତି ।  ଜ୍ୟୋତିଙ୍କ ସହ ସଂପର୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତି ମଧ୍ୟ  ସନ୍ଦେହର ସ୍କାନରରେ । ତାଙ୍କୁ ମଧ୍ୟ ମାରାଥନ ପଚରାଉଚରା  କରିଛି ପୁଲିସ୍‌ । 

ପାକିସ୍ତାନର ହାତବାରିସୀ

ନିଜ ମା’ ମାଟି ବିଶ୍ୱାସରେ ବିଷ ଦେଇଥିବା ଏ ମୀରଜାଫରମାନେ  ପାକିସ୍ତାନ ସହ କେମିତି ସଂପର୍କରେ ଥିଲେ? ଏମାନଙ୍କର କାମ  କ’ଣ ଥିଲା? ଜ୍ୟୋତିଙ୍କୁ ଜେରା ପରେ ଏନଆଇଏ ବହୁ ରହସ୍ୟ  ଜାଣିବାକୁ ପାଇଛି । ସାମାଜିକ ଗଣମାଧ୍ୟମ ଜରିଆରେ ଆମ  ଦେଶରେ ବିଶୃଙ୍ଖଳା ଓ ଅପପ୍ରଚାରର  ଧାରା ଚାଲୁ ରଖିବାକୁ ଯୋଜନା  କରିଥିଲା ପାକିସ୍ତାନ ଇଣ୍ଟେଲିଜେନସ୍‌  ଅପରେଟିଭ୍‌ (ପିଆଇଓ) । ଏଥିପାଇଁ  ଗୁପ୍ତଚର ନେଟୱର୍କ ବଢ଼ାଉଥିଲା ।  ଜ୍ୟୋତିଙ୍କ ଭଳି କିଛି ଯୁବକ ଯୁବତୀ  ବିଳାସମୟ ଜୀବନର ଲୋଭରେ ଏ ନେଟୱର୍କରେ ସାମିଲ  ହେଉଥିଲେ । ଆମ ସେନାର ଗତିବିଧି, ସାମରିକ ଘାଟି,  ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋଚିତ୍ର, ଭିଡିଓ ସହ ସୂଚନା  ମଧ୍ୟ ଦେଉଥିଲେ । ମାଧ୍ୟମ ଥିଲା ହ୍ୱାଟସଆପ୍‌, ସ୍ନାପଚାଟ  ଅବା ଟେଲିଗ୍ରାମ୍‌ । 

ଏପରିକି ପିଆଇଓ ଆମ ଦେଶର ଯୁପିଢ଼ିଙ୍କ  ସୋସିଆଲ ମିଡିଆ ପ୍ରୋଫାଇଲିଂ ମଧ୍ୟ କରୁଛି । କେଉଁ  ଭାରତୀୟ ୟୁଟ୍ୟୁବର, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍‌ଙ୍କ  ଆବଶ୍ୟକତା କ’ଣ ଏବଂ ତାଙ୍କୁ ଜାଲରେ ପକାଇ କିଭଳି ଭାରତରୁ  ଗୁପ୍ତ ତଥ୍ୟ ହାସଲ କରିହେବ ତା’ର ଯୋଜନା କରୁଥିଲା ।  ରାତାରାତି ସଫଳତାର ସିଡ଼ି ଚଢ଼ିବାକୁ ଉଦ୍‌ବିଗ୍ନ ଜ୍ୟୋତିଙ୍କ ଭଳି  ସ୍ୱପ୍ନାଭିଳାଷୀ ପାଲଟିଥିଲେ ପାକିସ୍ତାନର ହାତବାରିସୀ । ଗୁପ୍ତଚର  ନେଟ୍‌ୱର୍କ ବିଛାଇବାରେ ଏଜେଣ୍ଟ ସାଜି ଦେଶର ଗୁପ୍ତ ତଥ୍ୟ  ପାକିସ୍ତାନକୁ ଦେଉଥିଲେ । ଜାତୀୟ ସୁରକ୍ଷାକୁ ବଳି ପକାଉଥିଲେ ।  ଆଇଏସ୍‌ଆଇ ପାଇଁ ଏ ଗୁପ୍ତ ସୂଚନା ଥିଲା ଅମୂଲ ମୂଲ । ଜ୍ୟୋତିଙ୍କ  ଗିରଫଦାରିକୁ ପାକିସ୍ତାନ ୟୁଟ୍ୟୁବରମାନେ କରୁଛନ୍ତି ଜୋରଦାର  ବିରୋଧ । 

ଗିରଫ ହୋଇଥିବା ଦେଶଦ୍ରୋହୀଙ୍କ ପାଇଁ କ’ଣ ହେବ  ଦଣ୍ଡବିଧାନ? ଭାରତୀୟ ନ୍ୟାୟ ସଂହିତା ଧାରା ୧୫୨ ଅନୁଯାୟୀ  ଦେଶଦ୍ରୋହ ଓ ଦେଶ ବିରୋଧୀ କାର୍ଯ୍ୟ କିମ୍ବା ଭାରତର ଅଖଣ୍ଡତା  ଏବଂ ସୁରକ୍ଷାକୁ ବିପଦରେ ପକାଇ ଦୋଷୀ ସାବ୍ୟସ୍ତ ହେଲେ  ଆଜୀବନ କାରାବାସ କିମ୍ବା ମୃତ୍ୟୁଦଣ୍ଡ ମିଳିବ । ଗୁପ୍ତଚର ସାଜି  ଭାରତ ବିରୋଧରେ ଷଡ଼ଯନ୍ତ୍ର ଅପରାଧରେ ସମ୍ପୃକ୍ତ ଥିଲେ  ଆଜୀବନ କାରାଦଣ୍ଡ କିମ୍ବା ୭ ବର୍ଷ ଜେଲଦଣ୍ଡ ସହ ଜରିମାନା  ମଧ୍ୟ ଲାଗିପାରେ । ଅଫିସିଆଲ ସିକ୍ରେଟ୍‌ସ ଆକ୍ଟ କହୁଛି, ସୈନ୍ୟ  ସମ୍ପର୍କିତ ଗୁପ୍ତ ସୂଚନା ବିଦେଶୀ ଏଜେଣ୍ଟଙ୍କୁ ଦେଲେ ୧୪ ବର୍ଷ  ଜେଲଦଣ୍ଡ, ଗୋପନୀୟ ତଥ୍ୟ ଅନଧିକୃତ ଭାବେ ହାସଲ କରି  ଏହାର ଦୂରୁପଯୋଗ କରି ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଯାଏଁ  ଜେଲଦଣ୍ଡର ନିୟମ ରହିଛି । ଦେଶ ଭିତରୁ ଧରା ପଡ଼ିଥିବା ସୁପାରୀ  ଗୁପ୍ତଚରଙ୍କୁ କି ଦଣ୍ଡ ମିଳିବ ତାହାର ଉତ୍ତର ସମୟ ହିଁ ଦେବ । 

ଦେଶପ୍ରେମରେ ଦାୟ

ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଦେଖିଲା ଗୃହଯୁଦ୍ଧର  ନିଆଁ । ଭାରତ କିନ୍ତୁ ପୂରା ଏକଜୁଟ୍‌ ହୋଇ ସେନା ପଛରେ  କାନ୍ଥ ଭଳି ଛିଡ଼ା ହେଲା । ସାରା ବିଶ୍ୱ  ଦେଖିଲା ଭାରତୀୟ ଏକତାର ସ୍ପର୍ଦ୍ଧିତ  ଜୟଯାତ୍ରା । ଆମ ସେନାର ପରାକ୍ରମକୁ  ନେଇ ଆମେ ହେଲୁ ଗର୍ବିତ । ଦିନ  କେଇଟା ପରେ ଦେଶ ଭିତରର  ଏ ଶତ୍ରୁମାନଙ୍କ ବେଇମାନୀ ଧନ୍ଦା  ଦେଶବାସୀଙ୍କୁ ବିଚଳିତ କରିଛି । ଆପଣଙ୍କର ମନେଥିବ ମାଧୁରୀ  ଗୁପ୍ତାଙ୍କ ନାଁ । ଭାରତୀୟ ଦୂତାବାସରେ କାମ କରୁଥିବା ସମୟରେ  ଏ କୂଟନୀତିଜ୍ଞ ସାଜିଥିଲେ ଆଇଏସ୍‌ଆଇ ଏଜେଣ୍ଟ । କିଛି ବର୍ଷର  ବ୍ୟବଧାନ ପରେ ପୁଣି ଦେଶଦ୍ରୋହୀଙ୍କ କଳାଚିଠା ପଦାକୁ ଆସିଛି ।  ପହଲଗାମ ଆତଙ୍କବାଦୀ ନରସଂହାର ଓ ଅପରେସନ ସିନ୍ଦୂର  ଭଳି ଘଟଣା ସମୟରେ ଭାରତୀୟମାନେ ଦେଶପ୍ରେମର ଜୟଗୀତି  ଗାଇଲେ । ଏବେ କିଛି ଦେଶଦ୍ରୋହୀଙ୍କ ବିଶ୍ୱାସଘାତକତା ତ ନିଶ୍ଚୟ  ଆଘାତ ଦେଇଛି । ହେଲେ ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନ  ଭାରତରେ ସାଂପ୍ରଦାୟିକତା, ଦଙ୍ଗା, ବିଦ୍ୱେଷର ମଞ୍ଜି ବୁଣିବାକୁ  ଯେତେ ଉଦ୍ୟମ କଲେ ମଧ୍ୟ ଫଳ ହେବ ଶୂନ । ଭାରତୀୟଙ୍କ  ଦେଶପ୍ରେମ ଓ ବଳିଦାନ ଆଗରେ ସବୁ ଯୋଜନା ହାର୍‌ ମାନିବ ।  ସମୟ ଆସିଛି । ଆମକୁ ସତର୍କ ହେବାକୁ ପଡ଼ିବ । ଆମ ଭିତରେ  ଥିବା ଛଦ୍ମବେଶୀମାନଙ୍କୁ ଖୋଜି ବାହାର କରିବାକୁ ହେବ । ଦେଶର  ସୁରକ୍ଷା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂପର୍କରେ ଜାଣିଲେ ନିଶ୍ଚୟ ସୂଚନା  ଦେବା । ହଁ..ସୀମାନ୍ତରେ ଆମ ବୀର ସେନା ଦେଶକୁ ଜଗିଛି, ଆମେ  କିନ୍ତୁ ଆମ ଚାରିପାଖେ ଥିବା ଗୃହ ଶତ୍ରୁଙ୍କୁ ଜଗିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.