ପ୍ରମୂଖ ଖବର
  • କନ୍ଧମାଳ : ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ବାପା
  • ||
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ମିଥ୍ୟା...

Published By : Prameya | May 19, 2025 2:55 PM

ମିଥ୍ୟା ହେବନାହିଁ, ଯଦିଓ ଏହା  ପ୍ରେମଭାବରେ ଅତିଶୟୋକ୍ତି । ପ୍ରେମରେ  ମଣିଷ ଜଳେ, ଡୁବେ, ମରି ମଧ୍ୟ ଯାଏ,  ଯାହା ସତ୍ୟ ମିଥ୍ୟା ଉପରେ ଅନ୍ୟ ଏକ ପରମାର୍ଥିକ ଅନୁଭବ । ଏହା ମଧ୍ୟ ଈଶ୍ୱର  ଅଛନ୍ତି ନାହାନ୍ତି ପରି ସତ ମିଛ ଊଦ୍ଧ୍ୱର୍ରେ । ତେବେ କାହାକୁ ଆମେ ମିଛୁଆ କହିବା?  ପ୍ରେମିକାକୁ ଯଦି କୁହାଯାଏ- ପ୍ରିୟା ଗୋ  ତୁମେ ହସିଦେଲେ ବିଜୁଳି ଖେଳିଯାଏ ।  ସେହି ପ୍ରିୟା କହିବ- ଯା ଯା ମିଛୁଆ । ଏଠି  ମିଛୁଆ ଶବ୍ଦ ମଧ୍ୟ ସତ୍ୟମିଥ୍ୟାର ଉପରେ ।

‘ସଂସାର ଅନିତ୍ୟ ଜୀବନ ମିଥ୍ୟା’ ଯଦି ଏ  ପୃଥିବୀରେ ଜୀବନ ସର୍ତ୍ତ ହୁଏ, ତେବେ  କାହିଁକି ଦୀର୍ଘ ସହସ୍ରାବ୍ଦୀମାନଙ୍କୁ ଧରି ମଣିଷ ବଞ୍ଚିବାର  ବିଚିତ୍ରାନୁଷ୍ଠାନ ଚଳାଇଛି? ଏବଂ କାହା ନିର୍ଦ୍ଦେଶରେ?  ସମେସ୍ତ କହନ୍ତି ଏ ବିଶ୍ୱମଞ୍ଚରେ ମଣିଷ ଅଭିନେତା ଭାବେ  ଆସେ ଏବଂ ନିଜ ଭୂମିକା ସାରି ଅପସରି ଯାଏ । କିନ୍ତୁ ମଞ୍ଚ  ଖାଲି ହୁଏନାହିଁ କି ଅଭିନୟ ସରେନାହିଁ ମଣିଷର । ତେବେ  ଏ ଅମର ନାଟକର ନିର୍ଦ୍ଦେଶକ କିଏ? ଏହି ମୌଳିକ  ପ୍ରଶ୍ନର ଉତ୍ତର ଖୋଜିବାବେଳେ ବୋଧହୁଏ ମିଥ୍ୟାର  ବିଭିନ୍ନ ରୂପ ଦେଖାଯାଏ । ତର୍କର ଅନେକ ଯୁକ୍ତିଯୁକ୍ତ  ମିଥ୍ୟା ମଣିଷ ପ୍ରକାଶ କରେ । ମଣିଷ ନିର୍ଦ୍ଦେଶକର ସନ୍ଧାନ  କରେ କାରଣ ଦୁଃଖ, ଯନ୍ତ୍ରଣା, ରୋଗ ଭୋକ ତାକୁ ସେହି  ନିର୍ଦ୍ଦେଶକ ବା ସ୍ରଷ୍ଟାକୁ ପଚାରିବାକୁ ଚାହେଁ କାହିଁକି? ଆମ  ଦୁଃଖର ବିଭିନ୍ନତା କ’ଣ ତୁମ ଆନନ୍ଦବିଚିତ୍ରା? କେହି  ଯେହେତୁ ଖୋଜିବାର ଶେଷବିନ୍ଦୁରେ ଉଭା ହୁଅନ୍ତି ନାହିଁ ।  ମଣିଷ ଶୂନ୍ୟ, ରୂପ, ନାମ କଳ୍ପନା କରି ଯୁକ୍ତି ବାଢ଼େ । ଏହି  ଯୁକ୍ତି ବିଭିନ୍ନତା ମଣିଷକୁ ବଞ୍ଚାଇ ରଖେ । କାରଣ ସତ୍ୟ  ପାଇଗଲେ ସବୁ ବନ୍ଦ ହେଇଯିବ । ସତ୍ୟ ଏକ, ବିପ୍ରାଃ  ବହୁଧା ବଦନ୍ତି । କଥା ତେଣୁ ବେଶ୍‌ ମନଛୁଆଁ  ହେଇଯାଏ । ସତ୍ୟ ଯଦି ଏକ, ପଣ୍ଡିତମାନେ  ଯେଉଁ ବିଶ୍ଳେଷଣ କରନ୍ତି ସେସବୁ ନିଶ୍ଚୟ  ମିଥ୍ୟା । 

ସେହି ଏକ ସତ୍ୟ ପଣ୍ଡିତ(ଓ ମୂର୍ଖ) ମାନଙ୍କ ପାଇଁ ଅଲଗା ଅଲଗା ରୂପ ନିଏ ।  ତେଣୁ ଏହି ରୂପଗୁଡ଼ିକ ସତ୍ୟର ମିଥ୍ୟା ରୂପ,  ଯେହେତୁ ସେହି ଏକ ସତ୍ୟ ଅନାବିଷ୍କୃତ । ଯଦି  ମଣିଷ କୌଣସି ପ୍ରଶ୍ନ ପଚାରନ୍ତା ନାହିଁ ଏବଂ  ନିଜକୁ ସେହି ଏକମାତ୍ର ସତ୍ୟ ମନେକରି ଦୁଃଖ-ଆନନ୍ଦର ଜୀବନ ବଞ୍ଚନ୍ତା ହୁଏତ ସତ୍ୟ-ମିଥ୍ୟା କିଛି ନଥାନ୍ତା । କିନ୍ତୁ  ଏପରି ବଞ୍ଚିବା ଲାଗି ମଣିଷ ବାକ୍‌ଶକ୍ତିବିହୀନ ହେବାକୁ  ପଡ଼ିବ । ଯଦି ଚିନ୍ତା, ଭାଷା, ବାକ୍‌ଶକ୍ତି ଅଛି ତେବେ ମୂକ  ହୋଇ ବଞ୍ଚିବା ଅସମ୍ଭବ । ଯେତେ ଭାଷା ସେତେ ସତ୍ୟ। ଯେତେ ଆସ୍ଥା ବିଶ୍ୱାସ ସେତେ ସ୍ରଷ୍ଟା-ନିର୍ଦ୍ଦେଶକ।  ସେତେ ଯୁକ୍ତି ଏବଂ ସେତେ ମିଥ୍ୟା । ଯେହେତୁ କୌଣସି  ସତ୍ୟ ଶେଷ-ଚିରନ୍ତନ-ଶାଶ୍ୱତ ନୁହେଁ, ଅନ୍ୟସବୁ ଭାବ,  ଚିନ୍ତା, କଳ୍ପନାର ସତ୍ୟ କେବଳ ମିଥ୍ୟା । ଦେବଦତ୍ତ  ପଟ୍ଟନାୟକ ତାଙ୍କର ଗୋଟିଏ ବହିର ଶୀର୍ଷକ ଦେଇଛନ୍ତି  ‘ମିଥ୍‌ ମିଥ୍ୟା’ । ସବୁ ମିଥ୍‌ ମିଥ୍ୟା । ତାଙ୍କର ବହିର  ଭିତରଟି ସେହିପରି ମିଥ୍ୟା । କାରଣ ବହିରେ କୌଣସି  ସତ୍ୟର ପ୍ରାମାଣିକତା ନାହିଁ । 

ଏବେ ଦେଖାଯାଉ କେତୋଟି ଆବିଷ୍କୃତ ସତ୍ୟ:  ଅମୃତସ୍ୟ ପୁତ୍ରାଃ³ ‘Quintessence of dust.’  ଧୂଳିର ମୂଳବାଦ (ସେକ୍ସପିୟର) । ସେଇ  ମଣିଷଟା କେମିତି ମଣିଷକୁ ଅମରବିଳାସୀ । ସବୁ ପୂର୍ଣ୍ଣ,  ସବୁ ଶୂନ୍ୟ ଏବଂ ଶୂନ୍ୟ ହିଁ ପୂର୍ଣ୍ଣ, ପୂର୍ଣ୍ଣ ହିଁ ଶୂନ୍ୟ ମଧ୍ୟ  ସତ୍ୟର ପରିଭାଷା ଭାବେ ବ୍ୟବହୃତ ହୋଇଛି । ଏଗୁଡ଼ିକ  ତେବେ କ’ଣ? ସତ୍ୟ ବା ମିଥ୍ୟା? ଗୋଟିଏପଟେ  ପ୍ରକୃତିର ମାଟିପାଣିଆ କାମ, ଗଛ ମାଛର ବର୍ଣ୍ଣାଳୀ, ଅନ୍ୟ  ଦିଗରେ ମଣିଷ ହାତଗଢ଼ା ସପ୍ତାଶ୍ଚର୍ଯ୍ୟ, ଆଇଫିଲ ଟାୱାର,  ତାଜମହଲ ଇତ୍ୟାଦି । ବକିଂହାମ ପାଲେସ, ଲାଲକିଲ୍ଲା,  ଏକତାର ମୂର୍ତ୍ତି (ସର୍ଦ୍ଦାର ପଟେଲ) ଓ କୋଣାର୍କ ଶିଳାର  ସୂଚୀକର୍ମ, କେଉଁଟା ସତ? ମଣିଷ ଯାହା ଦେଖେ,  ଅନୁଭବ କରେ ଓ କଳ୍ପନା କରେ ନା ଯାହା କେବଳ  ଅନୁମାନ କରେ, ଅଦୃଶ୍ୟ, ଅସ୍ପୃଶ୍ୟ ଭାବେ ଯୁକ୍ତିସିଦ୍ଧ-  କେଉଁଟା ସତ ବା ମିଛ? ମଧ୍ୟ ଶୀତର ବର୍ଷା ସତ ବା  ଜଳଦହୀନ ନିଦାଘ ଆକାଶ, କେଉଁଟା ସତ? ଖଦ୍ୟୋତର  ତାରା ଝଲମଲ ସତ ନା ଲିଚୁ ଆଲୁଅର ଚିକିମିକି ସତ୍ୟ?  ହୁଏତ ସବୁ ସତ ଓ ସବୁ ମିଥ୍ୟା ମଧ୍ୟ । 

ମଣିଷର ବିଚରଣ ଇଲାକାରେ ଉଭୟ ସତ୍ୟ  ଓ ମିଥ୍ୟା ଆବିଷ୍କୃତ । ମଣିଷର ବାସ୍ତବ ହିଁ ସତ୍ୟ  ଯେହେତୁ ତାହା ତଥ୍ୟ ଉପରେ ପ୍ରତିଷ୍ଠିତ । ଉଦାହରଣ  ସ୍ୱରୂପ, ଏ ଡାଳରେ ୧୧ଟି ପତ୍ର ଅଛି ବା ଗଙ୍ଗାତୀରରେ  ବସୁମତୀପୁର ଗାଁ ଅଛି ପ୍ରମାଣ କରାଯାଇପାରେ । ଏହି  ସତ୍ୟ ତଥ୍ୟଭିତ୍ତିକ । କିନ୍ତୁ ଏଇ ଗୋଲାପ ‘ଆଃ କି  ସୁନ୍ଦର’ ସତ ହେଲେ ମଧ୍ୟ ଏହା ପ୍ରମାଣ କରିହେବନାହିଁ,  କାରଣ ସୁନ୍ଦର ତଥ୍ୟଭିତ୍ତିକ ନୁହେଁ । କିନ୍ତୁ ଯଦି କିଏ କହେ  ଗୋଲାପ ଅସୁନ୍ଦର, ତାକୁ କେହି ଗ୍ରହଣ କରିବେନାହିଁ,  କାରଣ ପ୍ରତ୍ୟେକ ବ୍ୟକ୍ତି ଭାବ ଓ ଚିନ୍ତାସ୍ତରରେ ଗୋଲାପକୁ ସୁନ୍ଦର ଭାବେ, ଯେହେତୁ ଗୋଲାପ ଦେଖିଲେ ମନରେ  ଏକ ରଙ୍ଗ, ସୌଷ୍ଠବ ଓ ସୁଗନ୍ଧର ମିଶ୍ରରାଗ ସୃଷ୍ଟିହୁଏ  ଯାହା ଅନୁଭବ କରିହୁଏ । ପ୍ରମାଣ ମଧ୍ୟ କରିହେବ  ବିଭିନ୍ନ ତତ୍ତ୍ୱାନୁଶୀଳନ କରି । କିନ୍ତୁ ଅସୁନ୍ଦର ମିଥ୍ୟା ଭାବେ  ଗ୍ରହଣୀୟ ହେବ । ତେଣୁ ମିଥ୍ୟା କହିଲେ ଆମେ ବୁଝୁ ଯାହାର ଅସ୍ତିତ୍ୱ ନାହିଁ, ଯାହା ତଥ୍ୟଭିତ୍ତିକ ନୁହେଁ ଏବଂ  ଯାହା ଅବାସ୍ତବ । ଯଥା- ଓଡ଼ିଶା ବୋଲି କୌଣସି ରାଜ୍ୟ  ନାହିଁ । କିନ୍ତୁ ଈଶ୍ୱର ଅଛନ୍ତି ଏବଂ ନାହାନ୍ତି ଉଭୟ ସତ୍ୟ ଓ  ମିଥ୍ୟା ହେଇପାରେ । 

ମଣିଷର ଆସ୍ଥା ବିଶ୍ୱାସ ସତ୍ୟମିଥ୍ୟା  ନିରପେକ୍ଷ, ତେଣୁ ତଥ୍ୟ ପ୍ରମାଣ ଅନାବଶ୍ୟକ । ଆଉ  ଗୋଟିଏ ବାକ୍ୟ ନିଆଯାଉ- ଭୟ ଆଉ ପାପ ନେଇ ଏ  ସମୟ ଅନ୍ତଃସତ୍ତ୍ୱା । ଏହା ଏକ କାବ୍ୟିକ ସତ୍ୟ, କିନ୍ତୁ  ଅବାସ୍ତବ ଓ ମିଥ୍ୟା, ଯେହେତୁ ଏହା ତଥ୍ୟଭିତ୍ତିକ ନୁହେଁ ।  ସେହିପରି ସେକ୍ସପିୟରଙ୍କ ‘ଜୀବନ କେବଳ ଏକ ଚଳନ୍ତା  ଛାଇ’ ବା ‘ଜୀବନ ବୋକା ମୁହଁର କାହାଣୀ ପରି ଯାହା  ତାତ୍ପର୍ଯ୍ୟହୀନ ଯଦିଓ ତୁମ୍ବିତୋଫାନମୟ’ ଏହା ମଧ୍ୟ  କାବ୍ୟିକ ସତ୍ୟ, କିନ୍ତୁ ପରୀକ୍ଷିତ ନୁହେଁ । କିନ୍ତୁ ଏହାକୁ  ମିଥ୍ୟା କୁହାଯାଇପାରିବ ନାହିଁ ।

ସେହିପରି ‘ତୁ କ’ଣ  କହିଲୁ କେଜାଣି, ମୁଁ କଣ ବୁଝିଲି କେଜାଣି, କାହାଣୀ କିନ୍ତୁ  ଗଢ଼ି ଉଠିଲା’ ମଧ୍ୟ ଏକ ସାହିତ୍ୟିକ ସତ୍ୟ ଭାବେ ଗ୍ରହଣ କରାଯାଇପାରେ । ଏଠି ଅବୁଝା ଶବ୍ଦରେ ଜୀବନକାହାଣୀ  ସୃଷ୍ଟିହୁଏ । ଓଡ଼ିଆ ଲୋକକଥାରେ ଅଛି- ସଖୀ ଲୋ  କାଲି ମୋ କାନ୍ତ ଫୁଲହାରଟିଏ ବେକରେ ଏମିତି ପକାଇ  ଦେଲେ ଯେ, ଫୋଟକା ହେଇଗଲା । ମିଥ୍ୟା ହେବନାହିଁ,  ଯଦିଓ ଏହା ପ୍ରେମଭାବରେ ଅତିଶୟୋକ୍ତି। ପ୍ରେମରେ  ମଣିଷ ଜଳେ, ଡୁବେ, ମରି ମଧ୍ୟ ଯାଏ, ଯାହା ସତ୍ୟ  ମିଥ୍ୟା ଉପରେ ଅନ୍ୟ ଏକ ପରମାର୍ଥିକ ଅନୁଭବ । ଏହା ମଧ୍ୟ ଈଶ୍ୱର ଅଛନ୍ତି ନାହାନ୍ତି ପରି ସତ ମିଛ ଊଦ୍ଧ୍ୱର୍ରେ ।  ତେବେ କାହାକୁ ଆମେ ମିଛୁଆ କହିବା? ପ୍ରେମିକାକୁ  ଯଦି କୁହାଯାଏ- ପ୍ରିୟା ଗୋ ତୁମେ ହସିଦେଲେ ବିଜୁଳି  ଖେଳିଯାଏ । ସେହି ପ୍ରିୟା କହିବ- ଯା ଯା ମିଛୁଆ ।  ଏଠି ମିଛୁଆ ଶବ୍ଦ ମଧ୍ୟ ସତ୍ୟମିଥ୍ୟାର ଉପରେ । ଛଳ,  ଅଭିମାନ, ସରାଗ ଭାବ ଅବାସ୍ତବ ଲାଗିପାରେ, କିନ୍ତୁ  ମିଥ୍ୟା କହିହେବ ନାହିଁ । ମୁଁ ତେଣୁ ସାହିତ୍ୟିକ ସତ୍ୟକୁ  ଏକ ସୁନ୍ଦୁରିଆ ମିଛ ବୋଲି କହିଛି ‘ମୋର ସାହିତ୍ୟିକ  ସତ୍ୟ’ ପ୍ରବନ୍ଧରେ (ନିଦାଘରେ କବି) । ତେବେ ଆମେ  କାହିଁକି ମିଥ୍ୟା ବୋଲି ଅଭିଯୋଗ କରୁ? 

ମଣିଷ ଯେହେତୁ ସମାଜ ଭିତରେ ଚଳେ । ଆତ୍ମରକ୍ଷା  ପାଇଁ ମିଥ୍ୟା ବ୍ୟବହାର କରେ କିମ୍ବା ଅନ୍ୟକୁ ରକ୍ଷା କରିବା  ଲାଗି ମିଥ୍ୟା କହେ। ଏହାର ଅନେକ ଉଦାହରଣ ଅଛି,  ଯାହା ସମସ୍ତେ ଜାଣନ୍ତି । ଘରୁ ଟଙ୍କା ଚୋରାଇ ମଦ  ପିଇଥିବା ପିଲା ମିଛ କହେ । ଅନ୍ୟତ୍ର ଠକିବା ପାଇଁ ମିଛ  କହେ । ଅନ୍ୟକୁ ବଦନାମ କରିବା ଲାଗି ମିଛ କହେ ।  ମହାଭାରତରେ କୃଷ୍ଣଙ୍କ ବାଧ୍ୟବାଧକତାରେ ସତ୍ୟନିଷ୍ଠ  ଯୁଧିଷ୍ଠିର ମିଛ କହିଥିଲେ। ଗୁରୁ ଦ୍ରୋଣଙ୍କୁ ପରାହତ  କରିବାରେ ଅସମର୍ଥ ପାଣ୍ଡବ ପକ୍ଷରୁ ଦ୍ରୋଣଙ୍କୁ ଅସ୍ତ୍ରତ୍ୟାଗ  କରାଇବା ଲାଗି ତାଙ୍କ ପୁତ୍ର ଅଶ୍ୱତ୍ଥାମା ମୃତ କୁହାଗଲା,  ଯଦିଓ ଅଶ୍ୱତ୍ଥାମା ହାତୀର ମୃତ୍ୟୁ ହୋଇଥିଲା । ସତ୍ୟାସତ୍ୟ  ଜାଣିବା ଲାଗି ଦ୍ରୋଣ ଯୁଧିଷ୍ଠିରଙ୍କୁ ପଚାରିଥିଲେ ଯେହେତୁ  ଦ୍ରୋଣ ଜାଣନ୍ତି ଯେ, ଯୁଧିଷ୍ଠିର ମିଛ କହନ୍ତି ନାହିଁ । ଯୁଧିଷ୍ଠିର  କହିଲେ- ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ । ଏତକ  କହିଥିବା ଯୋଗୁଁ ଯୁଧିଷ୍ଠିର ନର୍କ ଦର୍ଶନ କରିଥିଲେ । 

ମିଥ୍ୟାକୁ ଏକ ପାପ ଭାବେ ସମସ୍ତେ ଗ୍ରହଣ କରନ୍ତି,  ଯେହେତୁ ମିଥ୍ୟା ଅନ୍ୟର କ୍ଷତି ଘଟାଏ । କିନ୍ତୁ ମଣିଷ ମିଥ୍ୟା  କହିବାର ପାପ ପ୍ରାୟ ପ୍ରତିଦିନ କରେ । ପରିବାରରେ  ଅନେକ ମିଥ୍ୟା ଗ୍ରହଣୀୟ ହୋଇଯାଏ । ସାଇ ପଡ଼ିଶାରେ  ମିଛ ଗର୍ବର କଥା କୋଠରି ଭିତରେ ଆଲୋଚିତ ହୁଏ ।  ମିଥ୍ୟା କୁତ୍ସା ରଟନା ହୁଏ । କୋର୍ଟ କଚେରିରେ ମିଥ୍ୟା  ସାକ୍ଷୀ ହେବାପାଇଁ ଅନେକ ଲୋକ ବ୍ୟବସାୟ କରନ୍ତି  ମଧ୍ୟ । ମିଛୁଆ, ଗାଲୁଆ ଶବ୍ଦ ବେଳେବେଳେ ସ୍ନେହରେ  କୁହାଯାଏ । କିନ୍ତୁ ସାମାଜିକ ମିଥ୍ୟା ଯେତେବେଳେ ସୀମା  ଲଂଘନ କରେ ଏବଂ ଅନ୍ୟର ମୃତ୍ୟୁର କାରଣ ହୁଏ ତାହା  ଦଣ୍ଡିତ ହୁଏ । ଏହାର ମଧ୍ୟ ଅନେକ ପ୍ରମାଣ ରହିଛି ।  କିନ୍ତୁ ଏପରି ମଧ୍ୟ ଦେଖାଯାଏ ଯେ ମିଥ୍ୟା ଆଗରେ ସତ୍ୟ  ତିଷ୍ଠିପାରେ ନାହିଁ । ମିଥ୍ୟା ଅପବାଦରେ ସୀତା ବର୍ଜିତା  ହୁଅନ୍ତି । ଇଆଗୋ ମିଥ୍ୟା କହି ‘ଓଥେଲୋ’ର ଜୀବନ  ନଷ୍ଟ କରେ ଏବଂ ‘ଡେସଡିମେ।।ନା’ର ମୃତ୍ୟୁ ହୁଏ ।  ସାମାଜିକ ସ୍ତରରେ ଯେଉଁ ମିଥ୍ୟା କୁହାଯାଏ ତାହାହିଁ  ପାପ । ଭଣ୍ଡ ସନ୍ନ୍ୟାସୀ ମିଥ୍ୟାଚାରୀମାନେ ଈଶ୍ୱରଙ୍କ  ନାମରେ ମଧ୍ୟ ପାପ କରନ୍ତି । କେତେକ ମିଥ୍ୟାକୁ ସତ୍ୟ  ଭାବେ ଜୀବିତ ରଖିବା ଲାଗି ହତ୍ୟା ମଧ୍ୟ କରାଯାଏ ।  ସାକ୍ଷୀମାନଙ୍କୁ ତେଣୁ ହତ୍ୟା କରେ ହତ୍ୟାକାରୀ ।  ଏପରିସ୍ଥଳେ ବିଚାରପତିମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ  ସତ୍ୟ ଜାଣି ମଧ୍ୟ ମିଥ୍ୟାକୁ ପ୍ରଶ୍ରୟ ଦେବାକୁ ବାଧ୍ୟ ହୁଅନ୍ତି । 

ସତ୍ୟ-ମିଥ୍ୟା ଜାଣିବା ଲାଗି ପ୍ରାୟ ସବୁ ସଂସ୍କୃତିରେ  ଏକ ପରୀକ୍ଷା କରାଯାଏ ବିଚାରକ ବିଜ୍ଞ ରାଜା ଦ୍ୱାରା ।  ଏହାର ଏକ ଭବ୍ୟ ଦୃଷ୍ଟାନ୍ତ ଦେଇଛନ୍ତି ବରଟୋଲ୍‌ଟ  ବ୍ରେକ୍‌ଟ ତାଙ୍କର ନାଟକ ‘ଦି କକେସିଏନ୍‌ ଚକ୍‌  ସର୍କଲ୍‌’ରେ । ଗୋଟିଏ ସନ୍ତାନର ମାଆ ଭାବେ ଦୁଇଟି  ନାରୀ ଦାବି କରନ୍ତି । ରାଜାଙ୍କ ପାଖେ ନ୍ୟାୟ, ଅଧିକାର  ମାଗନ୍ତି । ବୁଦ୍ଧିଆ ରାଜା ଚକ୍‌ରେ ଗୋଟିଏ ବଡ଼ ବୃତ୍ତ ଆଙ୍କି  ସନ୍ତାନକୁ ମଝିରେ ରଖି ଦୁଇ ନାରୀଙ୍କୁ ଦୁଇପଟୁ ଛୁଆକୁ  ଟାଣିବାକୁ କହନ୍ତି । ଯେଉଁ ନାରୀ ଚକ୍‌ ଗୋଲେଇ ଛୁଆକୁ  ଟାଣି ପାରହେବ ସେ ହିଁ ତାର ମାଆ । କିନ୍ତୁ ଯେ ପ୍ରକୃତ  ମାଆ ସେ ଟାଣେନାହିଁ, କାରଣ ଛୁଆର ହାତ ହୁଏତ  ଭାଙ୍ଗିଯିବ । ଅନ୍ୟ ନାରୀଟି ଟାଣିନିଏ । ରାଜା ଜାଣନ୍ତି ପ୍ରକୃତ  ମାଆ କିଏ ଏବଂ ନ୍ୟାୟ ପ୍ରଦାନ କରନ୍ତି । 

ଆଜିର ସମାଜରେ ମିଥ୍ୟା ଜାଣିବା ଲାଗି ବୈଜ୍ଞାନିକ  ପରୀକ୍ଷା (ନାର୍କୋ ଟେଷ୍ଟ୍‌) ହୁଏ । ଟ୍ରୁଥ୍‌ ସେରମ୍‌ ଟେଷ୍ଟ ହୁଏ,  କିନ୍ତୁ ତାକୁ କୋର୍ଟରେ ପ୍ରମାଣ ଭାବେ ଗ୍ରହଣ କରାଯାଏ  ନାହିଁ । ଆମେ ଦେଖୁ ଅନେକ ମିଥ୍ୟାଚାରୀ ଆନନ୍ଦରେ  ଜୀବନ ଉପଭୋଗ କରନ୍ତି । ସତ୍ୟକାମ, ସତ୍ୟବାନ  ଦୁଃଖ ହିଁ ପାଏ । ସିନେମାରେ ଖଳନାୟକମାନେ ରାଜସୁଖ  ପାଆନ୍ତି । ଏହା ଆଉ ଏକ ବାସ୍ତବତା । ବାଡ଼ି ବାଇଗଣ ଏବଂ ପୋଥି ବାଇଗଣ ମଧ୍ୟରେ ଥିବା ପାର୍ଥକ୍ୟ । ତାହା  ମଣିଷକୁ ବେଳେବେଳେ ବିବ୍ରତ କରିପକାଏ । ସେ  କେଉଁଟି ଗ୍ରହଣୀୟ ଅବା କେଉଁଟି ଅଗ୍ରହଣୀୟ ତାହା  ସ୍ଥିର କରିବାକୁ ଦ୍ୱନ୍ଦ୍ୱରେ ପଡ଼େ । ଅବଶ୍ୟ ପରିଶେଷରେ  ସତ୍ୟର ଜୟ ହୁଏ । ମିଥ୍ୟା ପରାଜିତ ହୁଏ । କିନ୍ତୁ ହୁଏ କି? ତାହା ମଧ୍ୟ ଆଲୋଚନା ସାପେକ୍ଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.