ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଜଗନ୍ନାଥ ଧାମ: କେଉଁଠି ଏବଂ କାହିଁକି?

Published By : Prameya | May 7, 2025 2:10 PM

ଶ୍ରୀଜଗନ୍ନାଥଙ୍କର ତତ୍ତ୍ୱ ଓ ତଥ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ଇତିମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ସହସ୍ରାଧିକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ତେବେ କୌଣସି ଗୋଟିଏ ବି ମନ୍ଦିରର କର୍ତ୍ତୃବୃନ୍ଦ ତାଙ୍କ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କହିନାହାଁନ୍ତି, ବା କହିବା ପାଇଁ ମଧ୍ୟ ଅପପ୍ରୟାସ କରିନାହାଁନ୍ତି ।

ଭାରତବର୍ଷର ଚାରି ଦିଗରେ ବିରାଜିତ ଚାରି ଧାମ ମଧ୍ୟରୁ ପୂର୍ବ ଦିଗରେ ବିଶ୍ୱପ୍ରସିଦ୍ଧ ପୁରୀ କ୍ଷେତ୍ରରେ ଅବସ୍ଥିତ "ଜଗନ୍ନାଥ ଧାମ' ଅନ୍ୟତମ । ଏହା ଏକ ପ୍ରାଚୀନ ପରମ୍ପରା, ଯାହା ଆବହମାନ କାଳରୁ ଚାଲିଆସୁଛି । ଏ ପ୍ରସଙ୍ଗରେ ମଧ୍ୟ ବିଭିନ୍ନ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି । କିନ୍ତୁ ଇତିମଧ୍ୟରେ ଓଡ଼ିଶାର ପଡ଼ୋଶୀ ରାଜ୍ୟର ସୀମାନ୍ତରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇ ତା'ର ଠିକଣା "ଜଗନ୍ନାଥ ଧାମ, ଦୀଘା' ରଖାଯାଇଥିବାରୁ କେବଳ ଓଡ଼ିଶାରେ ନୁହେଁ, ଅଳ୍ପ ବହୁତେ ସମଗ୍ର ଭାରତବର୍ଷରେ ଏହା ଏକ ବିତର୍କର ବିଷୟ ହୋଇଯାଇଛି । ବିଦ୍ୟାର ପ୍ରଚାର ପ୍ରସାର ପାଇଁ ଭାରତର ବା ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ବିଦ୍ୟାଳୟ ବା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ଆନନ୍ଦର କଥା । କିନ୍ତୁ ବହୁବର୍ଷ ଧରି ସଫଳତାର ସହିତ ବିଦ୍ୟାଦାନ କରୁଥିବା ଏକ ସୁପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର "ନାମକରଣକ'କୁ ଅବିକଳ ଭାବରେ ଅନୁକରଣ କରି ଅନ୍ୟ ରାଜ୍ୟରେ ସେହି ନାମରେ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ ଯଦି ପ୍ରତିଷ୍ଠା କରାଯାଏ ତାହା ଗ୍ରହଣୀୟ କି? ଯଥା- ଉତ୍ତରପ୍ରଦେଶର କାଶୀରେ ପ୍ରତିଷ୍ଠିତ ଅତ୍ୟନ୍ତ ପ୍ରାଚୀନ ବିଶ୍ୱବିଦ୍ୟାଳୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବି.ଏଚ୍‌.ୟୁ) ନାମରେ ଯଦି ହଠାତ୍‌ ଅନ୍ୟ ଏକ ରାଜ୍ୟ କିଛି ମନ୍ଦ ଭାବନା ରଖି ସେହି ନାମରେ ଓ ପ୍ରାୟ ସେହି ଠିକଣାରେ ଏକ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଏ, ତେବେ ଏହାର ପ୍ରତିକ୍ରିୟା କ'ଣ ହେବ? ଠିକ୍‌ ସେହିପରି ଦେବାଳୟ । 

କାଳ କାଳ ଧରି ଜଗନ୍ନାଥ ଧାମ ଓଡ଼ିଶାର ପୁରୀଠାରେ ଅବସ୍ଥିତ ବୋଲି ବିଶ୍ୱବିଦିତ । କିନ୍ତୁ ହଠାତ୍‌ ଦିନେ ଅନ୍ୟ ସ୍ଥାନରେ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ କରି ତାହାକୁ ଯଦି "ଜଗନ୍ନାଥ ଧାମ' ବୋଲି ଘୋଷଣା କରାଯାଏ ତାହା ଗ୍ରହଣୀୟ ହେବ କି? "ଧାମ' ଶବ୍ଦର ଅର୍ଥ ହେଉଛି "ଆଳୟ' ବା "ଗୃହ' । ଶାସ୍ତ୍ର ପ୍ରମାଣ ଅନୁସାରେ ଭଗବାନ ଯେଉଁଠାରେ ଆବିର୍ଭୂତ ହୋଇ ଅନନ୍ତ କାଳରୁ ନିବାସ କରୁଛନ୍ତି, ତାହାହିଁ ହେଉଛି ତାଙ୍କର ଧାମ । ଏହି ଦୃଷ୍ଟିରୁ ପୁରୀର ପୁରୁଷୋତ୍ତମ କ୍ଷେତ୍ର ହେଉଛି "ଜଗନ୍ନାଥ ଧାମ', କାରଣ ଅନେକ ଶାସ୍ତ୍ର ଓ ପ୍ରଚଳିତ ପରମ୍ପରା ଦୃଷ୍ଟିରୁ ମହାପ୍ରଭୁ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଉକ୍ତ କ୍ଷେତ୍ରରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଆବିର୍ଭୂତ ହୋଇ ଭକ୍ତମାନଙ୍କର ଆନନ୍ଦ ପାଇଁ ବହୁକାଳରୁ ଲୀଳା କରିଆସୁଥିବାରୁ ଏହି କ୍ଷେତ୍ରର ନାମ "ଜଗନ୍ନାଥ ଧାମ' ବା ଅତି ସରଳରେ କହିଲେ ଏହା ମହାପ୍ରଭୁଙ୍କର ଜନ୍ମସ୍ଥାନ ଏବଂ ଲୀଳାକ୍ଷେତ୍ର । ଦାର୍ଶନିକ ଦୃଷ୍ଟିରୁ ମହାପ୍ରଭୁ ସର୍ବତ୍ର ବିଦ୍ୟମାନ, କିନ୍ତୁ ସବୁଦୃଷ୍ଟିରୁ ତାଙ୍କର ଏକ ମୂଳ ପୀଠ ଥାଏ, ଯାହା ତାଙ୍କର ଜନ୍ମ ଓ ଲୀଳା ସ୍ଥଳ । ପୁରୀ କ୍ଷେତ୍ରରେ ସେ ଅନାଦି କାଳରୁ ଚତୁର୍ଦ୍ଧା ବିଗ୍ରହ ଭାବରେ ଏବଂ ତା’ ପୂର୍ବରୁ ମଧ୍ୟ ନୀଳମାଧବ ଭାବରେ ବାସ କରିଆସୁଥିବାରୁ ଜଗନ୍ନାଥଙ୍କର ଧାମ ବା ପବିତ୍ର ଆଳୟ କେବଳ ଓଡ଼ିଶାର ମହୋଦଧି ତଟବର୍ତ୍ତୀ ପୁରୀଠାରେ ହିଁ ଅବସ୍ଥିତ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ । ମହାପ୍ରଭୁଙ୍କର ଧାମ ହେଉଛି ତାଙ୍କର ନିତ୍ୟ ନିବାସସ୍ଥଳ । ତାହା ଏକ ଏବଂ ଅଦ୍ୱିତୀୟ । 

ପଦ୍ମପୁରାଣର ଷଷ୍ଠ ଅଧ୍ୟାୟର ବର୍ଣ୍ଣନା ଅନୁସାରେ ଭଗବାନଙ୍କ ଧାମ ହେଉଛି ଅମୃତ ବା ଚିରନ୍ତନ, ଶାଶ୍ୱତ, ନିତ୍ୟ, ବିଷ୍ଣୁଙ୍କର ପରମ ଆଶ୍ରୟ ସ୍ଥଳ, ମୁକ୍ତିଦାୟକ, ବ୍ରହ୍ମାନନ୍ଦ ସୁଖ ପ୍ରଦାୟକ, ଅକ୍ଷର ଏବଂ ସର୍ବୋତ୍କୃଷ୍ଟ । ଏହି ସମସ୍ତ ଲକ୍ଷଣ ପୁରୀ ଶ୍ରୀଜଗନ୍ନାଥ ଧାମ ପାଇଁ ପ୍ରଯୁଜ୍ୟ, ଏହା କହିବା ବାହୁଲ୍ୟ ମାତ୍ର । ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡର ୨୯ତମ ଅଧ୍ୟାୟ ୩୮ତମ ଶ୍ଳୋକ ଅନୁସାରେ, ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ଜନ୍ମସ୍ଥାନ । ତେଣୁ ଏହା ତାଙ୍କ ପାଇଁ ଏକ ଶାଶ୍ୱତପ୍ରୀତିପ୍ରଦ ସ୍ଥାନ । ସେହି ସ୍କନ୍ଦ ପୁରାଣର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ ଏବଂ ୫୫ ଅଧ୍ୟାୟର ୮ମ ଶ୍ଳୋକ ଅନୁସାରେ ଏ କ୍ଷେତ୍ରରେ ମହାପ୍ରଭୁଙ୍କର ଆବିର୍ଭାବ ଘଟିଥିବାରୁ ଏ ସମ୍ପୂର୍ଣ୍ଣ କ୍ଷେତ୍ର ବା ଧାମ ହେଉଛି ତାଙ୍କର ଶରୀର । (ବପୁର୍ଭୂତଂ ମହାତ୍ମନଃ) । ଏହା ଭକ୍ତମାନଙ୍କର ଏକ ମୋକ୍ଷ ବା ପରମଶାନ୍ତି ପ୍ରଦାୟକ ସ୍ଥାନ । ଏହି କ୍ଷେତ୍ରରେ ଅବସ୍ଥିତ ରୌହିଣ କୁଣ୍ଡର ଜଳ ସଂସ୍ପର୍ଶରେ ଆସି ଗୋଟିଏ ସାମାନ୍ୟ କାକ ପକ୍ଷୀର ମଧ୍ୟ ମୁକ୍ତି ହୋଇଥିବା ବିଷୟ ସ୍କନ୍ଦ ପୁରାଣ ସମେତ ଅନ୍ୟାନ୍ୟ ଶାସ୍ତ୍ରରେ ଲେଖାଯାଇଛି । ଏଠାରେ ମହାପ୍ରଭୁ ଜଗନ୍ନାଥ ଦାରୁବ୍ରହ୍ମ ଭାବରେ ଆବିର୍ଭୂତ ହୋଇଥିବାରୁ ଏହା ଏକ ନିତ୍ୟ ଆନନ୍ଦ ପ୍ରଦାୟକ କ୍ଷେତ୍ର, କାରଣ ଦାରୁ ଶବ୍ଦର ଅର୍ଥ ହେଉଛି "ସମସ୍ତ ଦୁଃଖ ଖଣ୍ଡୟିତା, ଅଖଣ୍ଡ ଆନନ୍ଦର ଦାତା' (ସ୍କନ୍ଦ) । "ଦା' ଶବ୍ଦର ଅର୍ଥ ଦ୍ୟତି ବା ଖଣ୍ଡୟତି, ଅର୍ଥାତ୍‌ ଯିଏ ପ୍ରାଣୀମାନଙ୍କର ସମସ୍ତ ଦୁଃଖର ଖଣ୍ଡନ କରିଥାନ୍ତି ଏବଂ "ରୁ' ଶବ୍ଦର ଅର୍ଥ "ରାତି' ବା "ଦଦାତି' ଅର୍ଥାତ୍‌ ଯିଏ ଅଖଣ୍ଡ ଆନନ୍ଦ ପ୍ରଦାନ କରିଥାନ୍ତି ସେ ହିଁ ଦାରୁ । 

ତେଣୁ ସ୍କନ୍ଦ ପୁରାଣ ୨୮ ଅଧ୍ୟାୟ ୪୦ ଶ୍ଳୋକରେ ଏ ବିଷୟ ସ୍ପଷ୍ଟଭାବରେ ଉଲ୍ଲେଖ କରିଛନ୍ତି ଭଗବାନ ବ୍ୟାସଦେବ । ବ୍ୟାସଦେବ ହେଉଛନ୍ତି ଅନ୍ୟତମ ପ୍ରାଚୀନ ମହାପୁରାଣ "ସ୍କନ୍ଦ ପୁରାଣ'ର ରଚୟିତା । ‘ଖଣ୍ଡନାତ୍‌ ସର୍ବଦୁଃଖାନାମ୍‌ ଅଖଣ୍ଡାନନ୍ଦଦାନତଃ/ ସ୍ୱଭାବାଦ୍ଦାରୁରୂପଞ୍ଚ ପରଂବ୍ରହ୍ମାଭିଧୀୟତେ । (୨୮/୪୦)  । ଏହି ପ୍ରସଙ୍ଗରେ ମଧ୍ୟ ବ୍ୟାସଦେବ ପୁନଶ୍ଚ କହିଛନ୍ତି ଯେ, ଏ ପରଂବ୍ରହ୍ମସ୍ୱରୂପ ଦାରୁମୟ ବିଗ୍ରହକୁ ସେହି ପରଂବ୍ରହ୍ମ ହିଁ ଏକ ବୃଦ୍ଧ ବଢ଼େଇ ଭାବରେ ଆବିର୍ଭୂତ ହୋଇ ନିର୍ମାଣ କରିଛନ୍ତି । ସେ ଯେଭଳି ସମସ୍ତ ଜଗତର ସ୍ରଷ୍ଟା, ସେହିଭଳି ମଧ୍ୟ ନିଜର ସ୍ରଷ୍ଟା । (ସ୍କନ୍ଦ-୨୮/୪୧) । ଏ ବିଷୟରେ ସ୍କନ୍ଦ ପୁରାଣର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେହୁଏ । ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନ ଏକଦା ତାଙ୍କ ପ୍ରାସାଦର କୁଳଦେବତା ଲକ୍ଷ୍ମୀପତିଙ୍କର ସନ୍ଧ୍ୟାକାଳୀନ ପୂଜାରେ ଯୋଗଦେବା ସମୟରେ ଉପସ୍ଥିତ ସମସ୍ତ ତୀର୍ଥଯାତ୍ରୀ ଏବଂ ବିଦ୍ୱାନମାନଙ୍କୁ ପଚାରିଥିଲେ ଯେ "ହେ ମୋ ଦେଶର ବିଦ୍ୱାନବୃନ୍ଦ ଓ ତୀର୍ଥଯାତ୍ରୀଗଣ! ଆପଣମାନଙ୍କର ସମ୍ପୂର୍ଣ୍ଣ ଜମ୍ବୁଦ୍ୱୀପରେ ଅବସ୍ଥିତ ତୀର୍ଥକ୍ଷେତ୍ରମାନଙ୍କ ବିଷୟରେ ଧାରଣା ରହିଛି । ମୋତେ ଦୟାକରି କୁହନ୍ତୁ ଯେ, ମୁଁ କେଉଁଠାରେ ମହାପ୍ରଭୁ ପରଂବ୍ରହ୍ମ ସ୍ୱରୂପ ଜଗନ୍ନାଥଙ୍କୁ ସାକ୍ଷାତ୍‌ ଦର୍ଶନ କରିପାରିବି’? ଯେତେବେଳେ ଏ ପ୍ରଶ୍ନର ଉତ୍ତର ଦେବା ସମୟରେ ସମସ୍ତ ବିଦ୍ୱାନ କିଛି କ୍ଷଣ ନିରବ ରହିଗଲେ, ସେତେବେଳେ ଜଣେ ବର୍ଷୀୟାନ୍‌ ବାଗ୍ମୀ ବୈଦିକ ବ୍ରାହ୍ମଣ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ଯେ "ହେ ରାଜନ୍‌! ଆପଣ ଯଦି ମହାପ୍ରଭୁଙ୍କୁ ସାକ୍ଷାତ୍‌ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଉଡ୍ର ଦେଶର ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥିତ ତାଙ୍କର ନିଜସ୍ୱ ଆଳୟ ବା ଧାମକୁ ଯାଆନ୍ତୁ । ସେଠାରେ ସେ ନିତ୍ୟ ବିରାଜମାନ, ଫଳରେ ତାଙ୍କ ସାନ୍ନିଧ୍ୟରେ ସେହି ସ୍ଥାନ ମଧ୍ୟ ଏକ ଶାଶ୍ୱତ ଓ ସନାତନ ପବିତ୍ର ସ୍ଥଳ ବା ଧାମ ଭାବରେ ବିଶ୍ୱବନ୍ଦିତ ହୋଇଛି' । 

ଏହା କହି ସେ ତତ୍‌କ୍ଷଣାତ୍‌ ଅନ୍ତର୍ହିତ ହୋଇଗଲେ । ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହା ଶୁଣି ନିଜର ସମସ୍ତ ଅନୁଯାୟୀବର୍ଗଙ୍କ ସହ ଉତ୍କଳର ଜଗନ୍ନାଥ ଧାମକୁ ଆସିଥିଲେ ଏବଂ ସହସ୍ର ଅଶ୍ୱମେଧ ଯଜ୍ଞାଦି କାର୍ଯ୍ୟ ସମ୍ପାଦନ କରି ନିଜେ ନିର୍ମାଣ କରିଥିବା ମନ୍ଦିରକୁ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରାଇବା ପରେ ମହାପ୍ରଭୁ ଜଗନ୍ନାଥ ସ୍ୱୟଂ ପ୍ରତିମା ଭାବରେ ଆବିର୍ଭୂତ ହୋଇ ରାଜାଙ୍କୁ ତିନିଗୋଟି ବର ପ୍ରଦାନ କରିଥିଲେ । ପ୍ରଥମ ବର- "ହେ ରାଜନ୍‌! ତୁମ୍ଭର ଆମ୍ଭଠାରେ ଏହିଭଳି ଅଚଳା ଭକ୍ତି ସର୍ବଦା ରହିଥାଉ' । ଦ୍ୱିତୀୟ ବର– "ଏହି କ୍ଷେତ୍ରକୁ ଆମ୍ଭେ କୌଣସି ପରିସ୍ଥିତିରେ ମଧ୍ୟ ଛାଡ଼ି ଯିବୁନାହିଁ ' । ତୃତୀୟ ବର– "ଆମ୍ଭର ସମସ୍ତ ଯାନିଯାତ୍ରା ଯଥାକାଳରେ ସଂପାଦନ କରିବ' । ଏହାର ଅଭିପ୍ରାୟ ହେଉଛି ଯେ, ପ୍ରାଣବନ୍ତ ମହାପ୍ରଭୁ ଜଗନ୍ନାଥ ଅନନ୍ତ କାଳ ପର୍ଯ୍ୟନ୍ତ ଏହିଠାରେ ବାସ କରୁଛନ୍ତି ଏବଂ କରିବେ ମଧ୍ୟ । ତେଣୁ ଏ କ୍ଷେତ୍ରଟି ହେଉଛି ତାଙ୍କର ଧାମ ବା ଆଳୟ ବା ଜଗନ୍ନାଥ ଧାମ । (ସ୍କନ୍ଦ ପୁରାଣ-୨୯/୧୨) । ଏହି ସ୍କନ୍ଦ ପୁରାଣ ଅନୁସାରେ, ଜଗନ୍ନାଥ ଧାମର ଅନ୍ୟ ଏକ ବୈଲକ୍ଷଣ ହେଉଛି ଯେ, ଏଠାରେ କଳ୍ପକଳ୍ପାନ୍ତସ୍ଥାୟୀ ଏକ ମହାନ୍‌ କଳ୍ପଦ୍ରୁମ ରହିଛି, ଯାହା ଆଜି ମଧ୍ୟ ମନ୍ଦିରର ଅଭ୍ୟନ୍ତରରେ ଥିବା ଅନେକ ଅନେକ ବର୍ଷର ଏକ ବଟବୃକ୍ଷର ସ୍ଥିତିରୁ ପ୍ରମାଣିତ ହୋଇଥାଏ । ଏ ବୃକ୍ଷ ଯେହେତୁ ଅମର, ଠିକ୍‌ ସେହିଭଳି ତାଙ୍କର ଧାମ ମଧ୍ୟ ଅମର । ଶାସ୍ତ୍ର ଅନୁସାରେ ବିଶ୍ୱର ଏକମାତ୍ର ସ୍ଥାନ ହେଉଛି ପୁରୀ ସ୍ଥିତ ଜଗନ୍ନାଥ ଧାମ, ଯାହା ପ୍ରଳୟ ଜଳରେ ନିମଗ୍ନ ହୁଏନାହିଁ । ତେଣୁ ଏ ଧାମର ଅମରତ୍ୱ ଏବଂ ସନାତନତ୍ତ୍ୱ ପ୍ରମାଣିତ । ଏହି ଜଗନ୍ନାଥ ଧାମରେ ସମସ୍ତ ଦେବତାଙ୍କର ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଗମନ ହୋଇଥାଏ । ମହାପ୍ରଭୁଙ୍କର ଅନ୍ତର୍ବେଦୀ ଏବଂ ଧାମକୁ ରକ୍ଷା କରିବା ପାଇଁ ମଙ୍ଗଳା, ବିମଳା, ସର୍ବମଙ୍ଗଳା, ଅର୍ଦ୍ଧାଶିନୀ, ଆଲମ୍ବା, କାଳରାତ୍ରି, ମରୀଚିକା ଏବଂ ଚଣ୍ଡିକା ନାମକ ଅଷ୍ଟଶକ୍ତି ତଥା ଦେବଦେବ ମହାଦେବ ଶିବ ମଧ୍ୟ କପାଳମୋଚନ, କ୍ଷେତ୍ରପାଳ, ଯମେଶ୍ୱର, ମାର୍କଣ୍ଡେଶ୍ୱର, ଈଶାନେଶ୍ୱର, ବିଶ୍ୱେଶ୍ୱର, ନୀଳକଣ୍ଠେଶ୍ୱର ଓ ବଟେଶ୍ୱର ରୂପରେ ଏହି ଧାମରେ ବିଭିନ୍ନ ସ୍ଥାନରେ ଜାଗ୍ରତ ରହି ବିରାଜମାନ କରୁଛନ୍ତି । ଏହି ପଞ୍ଚକ୍ରୋଶବ୍ୟାପୀ ପରିମିତ ସ୍ଥାନରେ ଯମଙ୍କର ମଧ୍ୟ କୌଣସି ଅଧିକାର ନାହିଁ । ଫଳରେ ଏଠାରେ ମୃତ୍ୟୁ ନଥାଏ । କିନ୍ତୁ ଥାଏ ମୁକ୍ତି । 

ଏହିସବୁ ଦୃଷ୍ଟିରୁ ଓଡ଼ିଶାର ପୁରୀଠାରେ ଅବସ୍ଥିତ ପୁରୁଷୋତ୍ତମ କ୍ଷେତ୍ର ଜଗନ୍ନାଥ ଧାମ ନାମରେ ବିଶ୍ୱବନ୍ଦିତ । ତେଣୁ ଏହି ନାମକରଣ (ଯାହା କେବଳ ପୁରୀ ପାଇଁ ପ୍ରଯୁଜ୍ୟ)କୁ ହଠାତ୍‌ ହାତେଇ ନେବାର ଅପପ୍ରୟାସ କାହିଁକି? ଶ୍ରୀଜଗନ୍ନାଥଙ୍କର ତତ୍ତ୍ୱ ଓ ତଥ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ଇତିମଧ୍ୟରେ ପୃଥିବୀର ବିଭିନ୍ନ ସ୍ଥାନରେ ସହସ୍ରାଧିକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ତେବେ କୌଣସି ଗୋଟିଏ ବି ମନ୍ଦିରର କର୍ତ୍ତୃବୃନ୍ଦ ତାଙ୍କ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କହିନାହାଁନ୍ତି, ବା କହିବା ପାଇଁ ମଧ୍ୟ ଅପପ୍ରୟାସ କରିନାହାଁନ୍ତି । କିନ୍ତୁ ଏକ ସ୍ୱତନ୍ତ୍ର ପରିଚୟ ସହିତ ସେହି ମନ୍ଦିରଗୁଡ଼ିକ ବିରାଜମାନ କରୁଛନ୍ତି । ସେଠାରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ନୀତିକାନ୍ତି ତଥା ଯାନିଯାତ୍ରା ଅନୁଷ୍ଠିତ ହେଉଛି । ଫଳରେ ବିଶ୍ୱରେ ଏକ ସଦ୍ଭାବନା ଓ ଆଧ୍ୟାତ୍ମିକ ପରିବେଶ ଦ୍ରୁତଭାବରେ ବଢ଼ିଚାଲିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଭକ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିଥିବା ସମୟରେ, ଦୀଘାଠାରେ ନବନିର୍ମିତ ଭବ୍ୟ ଜଗନ୍ନାଥ ମନ୍ଦିରର ପରିଚାଳନା କର୍ତ୍ତୃପକ୍ଷମାନେ ଜଗନ୍ନାଥ ଧାମର ଠିକଣା ନପାଇବା ଯେତିକି ବିସ୍ମୟକର, ସେତିକି ଦୁର୍ଭାଗ୍ୟଜନକ ମଧ୍ୟ । ଆଶା, ମହାପ୍ରଭୁଙ୍କ ନିଜସ୍ୱ ଆଳୟ ବା ଧାମର ସଠିକ୍‌ ଠିକଣାକୁ ଶାସ୍ତ୍ର ଓ ପରମ୍ପରା ଦୃଷ୍ଟିରୁ ହୃଦୟଙ୍ଗମ କରି ସେମାନେ ନିଜ ମନ୍ଦିର ପାଇଁ ଏକ ସ୍ୱେଚ୍ଛାପରିକଳ୍ପିତ ସମ୍ପୂର୍ଣ୍ଣ ଭୁଲ୍‌ ଠିକଣାଟିକୁ ଯଥାଶୀଘ୍ର ସଂଶାଧନ କରିନେବେ । ଯେଭଳି ବିଭିନ୍ନ ମଣିମାନେ ଗୋଟିଏ ସୂତ୍ରରେ ଗୁନ୍ଥିହୋଇ ସୂତ୍ରର ଶୋଭାବର୍ଦ୍ଧନ କରିଥାନ୍ତି, ଠିକ୍‌ ସେହିଭଳି ପୁରୀ ଜଗନ୍ନାଥ ଧାମରେ ବିରାଜମାନ ମହାପ୍ରଭୁଙ୍କର ମନ୍ଦିର ରୂପକ ସୂତ୍ରରେ ଦୀଘାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ସମେତ ପୃଥିବୀର ଅନ୍ୟାନ୍ୟ ସହସ୍ରାଧିକ ମନ୍ଦିର ସହ ଗ୍ରଥିତ ବା ସମ୍ପୃକ୍ତ ହୋଇ ବିଶ୍ୱରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛନ୍ତି- ଏହା କହିବା ନିଷ୍ପ୍ରୟୋଜନ । ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.