ଆମର ସ୍ୱଦେଶୀ ପ୍ଲାଟଫର୍ମ “ୟୁପିଆଇ’ ଆର୍ଥିକ ନେଣଦେଣ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି । ସାରା ଭାରତରେ ଏହା ମାଧ୍ୟମରେ କାରବାର ହେଉଛି । ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭକରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଅତି ସହଜରେ ବ୍ୟବହାର କରୁଛନ୍ତି ।
କିଛି ମାସ ପୂର୍ବରୁ ମୁଁ ଦିଲ୍ଲୀରେ ଜଣେ ବରିଷ୍ଠ ୟୁରୋପୀୟ ମନ୍ତ୍ରୀଙ୍କୁ ଭେଟିଥିଲି । ଭାରତର ଡିଜିଟାଲ ଅର୍ଥପଇଠ ବିପ୍ଳବକୁ ଦେଖି ସେ ଆଚମ୍ବିତ ହୋଇଥିଲେ । ସାରା ଭାରତରେ ଲୋକମାନେ ଯେପରି ଭାବେ ମୋବାଇଲ ଫୋନ୍ ବ୍ୟବହାର କରି ଅର୍ଥପଇଠ କରୁଛନ୍ତି ତାହା ତାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥିଲା । ଛୋଟ ଗାଁରୁ ବଡ଼ ସହର ପର୍ଯ୍ୟନ୍ତ, ଚା' ଦୋକାନୀଙ୍କଠାରୁ ଆରମ୍ଭକରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅତି ସହଜରେ ଡିଜିଟାଲ ଅର୍ଥପଇଠ କରୁଥିବା ସେ ଦେଖିଥିଲେ । କିନ୍ତୁ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥିଲା: ଏତେ ପରିମାଣର ଭାଷାଗତ ଏବଂ ଭୌଗୋଳିକ ବିବିଧତା ସତ୍ତେ୍ୱ ଭାରତ କିପରି ଭାବେ ଏତେ ବ୍ୟାପକ ସଫଳତା ହାସଲ କରିଛି? ମୁଁ ତାଙ୍କୁ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ଦେଖାଇଲି । ସେଥିରେ ୧୭ଟି ଭାଷାରେ "ପାଞ୍ଚଶତ ଟଙ୍କା' ଲେଖା ହୋଇଥିଲା । ଏହା ସାଧାରଣ ହେଲେ ମଧ୍ୟ ଭାରତର ବିବିଧତାର ଏକ ବଳିଷ୍ଠ ନିଦର୍ଶନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଏହି ବିବିଧତାକୁ ପ୍ରଯୁକ୍ତି ମାଧ୍ୟମରେ ଯୋଡ଼ାଯାଇ ପାରିଛି ଏବଂ ଏହା ଆମର ସବୁଠୁ ବଡ଼ ସାମର୍ଥ୍ୟ ପାଲଟିଛି । ଏହି ସମାବେଶୀ ଭାବନା ପ୍ରଯୁକ୍ତିବିଦ୍ୟା ପ୍ରତି ଆମର ଆଭିମୁଖ୍ୟକୁ ପରିଭାଷିତ କରୁଛି । ଏହା ଆମ ପ୍ରଧାନମନ୍ତ୍ରୀଙ୍କର ମୂଳ ଦର୍ଶନକୁ ପ୍ରତିଫଳିତ କରୁଛି । ଏହି ଦର୍ଶନ ହେଉଛି ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତାକୁ ସାର୍ବଜନୀନ କରିବା ଏବଂ ସମସ୍ତଙ୍କୁ ଏହାର ଲାଭ ପ୍ରଦାନ କରିବା । ଦୋକାନରେ ଥିବା ସ୍ପିକରରେ ଅର୍ଥପଇଠ ହୋଇଛି ବୋଲି ବାର୍ତ୍ତା ଆସିବାଠାରୁ ଆରମ୍ଭକରି ଏସ୍ଏମ୍ଏସ୍ ମାଧ୍ୟମରେ ନିଶ୍ଚିତକରଣ ହେବା ପର୍ଯ୍ୟନ୍ତ, ଏହି ବ୍ୟବସ୍ଥାକୁ ବାଧାମୁକ୍ତ ଏବଂ ସରଳ କରାଯାଇଛି । ଅନୁରୂପ ସମାବେଶୀ ଭାବନା ନେଇ ଭୀମ୍ ୨୦ଟି ଭାଷା ଏବଂ ଉମଙ୍ଗ ୧୩ଟି ଭାଷାରେ କାର୍ଯ୍ୟ କରୁଛି । ଆମେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ଏହି ରୂପାନ୍ତରଣ ଏକ ଗୌରବମୟ ଉଦାହରଣ ପାଲଟିଛି । ଅନ୍ତିମ ସୋପାନରେ ଥିବା ଲୋକଙ୍କୁ ସମ୍ମାନ ଓ ସୁଯୋଗ ପ୍ରଦାନ କରିବା ପାଇଁ ଆମର ଅନ୍ତ୍ୟୋଦୟ ସ୍ୱପ୍ନ କ୍ରମାଗତ ଭାବେ ଆମକୁ ମାର୍ଗ ଦେଖାଇ ଚାଲିଛି ।
ଇଣ୍ଡିଆ ଷ୍ଟାକ୍
ଜନସଂଖ୍ୟାର ଆକାର ସହ ତୁଳନୀୟ ଏକ ବିଶାଳ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ପୂର୍ବେ ପରିକଳ୍ପନା କରିଥିଲେ । ଏହାର ଲାଭ କିଛି ହାତଗଣତି ଲୋକଙ୍କୁ ନୁହେଁ ବରଂ ସମସ୍ତଙ୍କୁ ଯୋଗାଇ ଦେବାର ବିଚାରକୁ ନେଇ ଏକ ଯାତ୍ରା ଆରମ୍ଭ ହୋଇଥିଲା । ଫଳରେ ଆଜି ଯାହାକୁ ସାରା ବିଶ୍ୱ ଇଣ୍ଡିଆ ଷ୍ଟାକ୍ ରୂପେ ସ୍ୱୀକାର କରିଛି, ତାହାକୁ ନିର୍ମାଣ କରିବା ସମ୍ଭବ ହୋଇଥିଲା । ଏହାର କେନ୍ଦ୍ରରେ ରହିଛି ବିଶ୍ୱର ସର୍ବବୃହତ ଡିଜିଟାଲ ପରିଚୟ ବ୍ୟବସ୍ଥା ଆଧାର । ଏହା ୧୪୦ କୋଟିରୁ ଅଧିକ ଲୋକଙ୍କୁ ଏକକ ଡିଜିଟାଲ ପରିଚୟ ପ୍ରଦାନ କରିଛି । ପ୍ରତ୍ୟେକ ଦିନ, ନଅ କୋଟିରୁ ଅଧିକ ଆଧାର ପ୍ରମାଣୀକରଣ କରାଯାଉଛି । ଆମର ସ୍ୱଦେଶୀ ପ୍ଲାଟଫର୍ମ "ୟୁପିଆଇ' ଆର୍ଥିକ ନେଣଦେଣ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି । ସାରା ଭାରତରେ ଏହା ମାଧ୍ୟମରେ କାରବାର ହେଉଛି । ରାସ୍ତାକଡ଼ ଉଠାଦୋକାନୀଙ୍କ ଠାରୁ ଆରମ୍ଭକରି ବଡ଼ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଅତି ସହଜରେ ବ୍ୟବହାର କରୁଛନ୍ତି । ଗୋଟିଏ ଦିନରେ ହାରାହାରି ୬୦ କୋଟିରୁ ଅଧିକ ୟୁପିଆଇ ନେଣଦେଣ ହେଉଛି । ଦୈନନ୍ଦିନ ଜୀବନରେ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା କିଭଳି ଗଭୀର ପରିବର୍ତ୍ତନ ଆଣିଛି ତାହା ଏଥିରୁ ପ୍ରମାଣିତ ହୋଇଥାଏ । ଡିଜିଲକର ପ୍ରଶାସନ ଓ ନାଗରିକ ସେବା ପ୍ରଦାନକୁ ଅଧିକ ସରଳ କରିଛି । ଡ୍ରାଇଭିଂ ଲାଇସେନ୍ସ ହେଉ କିମ୍ବା ଶିକ୍ଷାଗତ ପ୍ରମାଣପତ୍ର, କିମ୍ବା ଅନ୍ୟାନ୍ୟ ଜରୁରି ରେକର୍ଡ- କୋଟି କୋଟି ଲୋକ ଏସବୁକୁ ସୁରକ୍ଷିତ ଓ ସୁବିଧାଜନକ ଭାବେ ରଖିପାରୁଛନ୍ତି । ମୋବାଇଲ ଫୋନ୍ର ବ୍ୟାପକ ବ୍ୟବହାର ବିନା ଏସବୁ କିଛି ସମ୍ଭବ ହୋଇପାରିନଥାନ୍ତା । ବର୍ତ୍ତମାନ ଭାରତର ୯୦% ଲୋକ ମୋବାଇଲ ଉପକରଣ ବ୍ୟବହାର କରୁଛନ୍ତି । ଏହା ଲୋକମାନଙ୍କ ହାତରେ ସିଧାସଳଖ ପ୍ରଯୁକ୍ତିର ଶକ୍ତି ପ୍ରଦାନ କରିଛି । ଇଣ୍ଡିଆ ଷ୍ଟାକ୍ ମଧ୍ୟ ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ଉଭା ହୋଇଛି । ଜି-ଟ୍ୱେଣ୍ଟି ବୈଠକରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ଏଜେଣ୍ଡାକୁ ଆଗକୁ ବଢ଼ାଇଥିଲା ଏବଂ ଏକ ଗ୍ଲୋବାଲ ଡିପିଆଇ ରିପୋଜିଟୋରୀ ପାଇଁ ପ୍ରସ୍ତାବ ଦେଇଥିଲା । ବର୍ତ୍ତମାନ ସୁଦ୍ଧା ୭ଟି ଦେଶରେ ୟୁପିଆଇ କାରବାର ହେଉଛି, ଆହୁରି ଅନେକ ଦେଶ ଏହାକୁ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।
ସମାବେଶୀ ବିକାଶ
୫୫ କୋଟିରୁ ଊଦ୍ଧ୍ୱର୍ ଜନ-ଧନ ଆକାଉଣ୍ଟ ଖୋଲାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୪୪ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି । ୧୦କୋଟିରୁ ଅଧିକ ଏଲପିଜି ସଂଯୋଗ ଦିଆଯାଇଛି ଏବଂ ସ୍ୱାସ୍ଥ୍ୟସେବା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରୁଛି । ଡିଜିଟାଲ ଇଣ୍ଡିଆର ଜନ-ଧନ-ଆଧାର-ମୋବାଇଲ (ଜାମ୍) ତ୍ରୟ ଜରିଆରେ ଏସବୁ ସମ୍ଭବ ହୋଇପାରିଛି । ଆଜି ବାରଣାସୀ ଅଟୋଚାଳକ ହୁଅନ୍ତୁ କିମ୍ବା ମୁମ୍ବାଇର ହକର୍, ସମସ୍ତେ ଡିଜିଟାଲ ପେମେଣ୍ଟ ପାଇପାରୁଛନ୍ତି । କଲ୍ୟାଣମୂଳକ ଯୋଜନାରେ ବାଟମାରଣା ବନ୍ଦ ହୋଇଛି । ପ୍ରଶାସନ ଅଧିକ ପାରଦର୍ଶୀ ହୋଇଛି । ସଠିକ୍ ସମୟରେ ଲୋକଙ୍କ କାମ ହୋଇଯାଉଛି ।
ପ୍ରଶାସନରେ ମାନବିକତାର ସ୍ପର୍ଶ
ମାଇଁ ଗଭ୍ ଏବଂ ଉମଙ୍ଗ ଭଳି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ନାଗରିକମାନେ ୨ହଜାରରୁ ଅଧିକ ସରକାରୀ ସେବା ପାଇପାରୁଛନ୍ତି । ଭାରତର ଜାତୀୟ ଟେଲି ମେଡିସିନ୍ ପ୍ଲାଟଫର୍ମ ଇ-ସଞ୍ଜୀବନୀ ଜରିଆରେ ୩୮କୋଟି ଡାକ୍ତରୀ ପରାମର୍ଶ ମିଳିପାରିଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ)ର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଏକକ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ କରିବା । ବର୍ତ୍ତମାନ ସୁଦ୍ଧା ୭୯କୋଟିରୁ ଅଧିକ ସ୍ୱାସ୍ଥ୍ୟ ଆଇଡି, ୬ଲକ୍ଷ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ୬୦କୋଟି ସ୍ୱାସ୍ଥ୍ୟ ରେକର୍ଡର ଏକୀକରଣ କରାଯାଇଛି । ବିହାରର ଏକ ଉପାନ୍ତ ଗାଁରେ ରହୁଥିବା ଶ୍ରୀମତୀ କାନ୍ତି ଦେବୀ ତାଙ୍କ ଘରୁ ଗୋଡ଼ ନକାଢ଼ି ଶହ ଶହ କିଲୋମିଟର ଦୂର ଲକ୍ଷନୌରେ ରହୁଥିବା ଜଣେ ବିଶେଷଜ୍ଞ ଡାକ୍ତରଙ୍କଠାରୁ ଚିକିତ୍ସା ପରାମର୍ଶ ପାଇପାରିଛନ୍ତି । ଡିଜିଟାଲ ଇଣ୍ଡିଆର ଏହି ମହାଶକ୍ତି ସାଧାରଣ ନାଗରିକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଭଳି ଜରୁରି ସେବାକୁ ପହଞ୍ଚାଇ ପାରିଛି ।
ଯୁବବର୍ଗ ଓ ଚାଷୀ
ଦୀକ୍ଷା, ସ୍ୱୟଂ ଏବଂ ପିଏମ୍ ଇ-ବିଦ୍ୟା ଭଳି ଡିଜିଟାଲ ଶିକ୍ଷା ପ୍ଲାଟଫର୍ମ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ସେମାନଙ୍କର ମାତୃଭାଷାରେ ପହଞ୍ଚି ପାରୁଛି । ସ୍କିଲ୍ ଇଣ୍ଡିଆ ଡିଜିଟାଲ ହବ୍ (ଏସଆଇଡିଏଚ) ଏବଂ ଫ୍ୟୁଚର୍ ସ୍କିଲ୍ସ ପ୍ରାଇମ୍ ଏବେ ଏଆଇ, ସାଇବର ସିକ୍ୟୁରିଟି ଏବଂ ବ୍ଲକ ଚେନ୍ରେ ଆମର ଯୁବବର୍ଗଙ୍କର ଦକ୍ଷତା ବିକାଶ କରୁଛି । ଚାଷୀମାନେ ଡିଜିଟାଲ ମାଧ୍ୟମରେ ପାଣିପାଗ ସମ୍ବନ୍ଧୀୟ ସୂଚନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ବଜାର ମୂଲ୍ୟ ପାଇପାରୁଛନ୍ତି । ବର୍ତ୍ତମାନ ୧୧କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ସିଧାସଳଖ ଆୟ ସହାୟତା ପାଉଛନ୍ତି, ଯାହା ବାଧାମୁକ୍ତ ଭାବରେ ଯୋଗାଇ ଦିଆଯାଉଛି । ଅନ୍ତର୍ଭୁକ୍ତୀକରଣକୁ ଅନ୍ତ୍ୟୋଦୟର ସ୍ୱପ୍ନକୁ ସାକାର କରିପାରୁଛି ତାହା ଏସବୁ ଉଦାହରଣରୁ ପ୍ରତୀୟମାନ ହୋଇଥାଏ ।
ଅନ୍ତର୍ନିହିତ ବିଶ୍ୱାସ
ଭାରତର ଡିଜିଟାଲକରଣ ବୃଦ୍ଧିପାଉଥିବା ବେଳେ ଏହାର ସାଇବର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରାଯାଇଛି । ସିଇଆରଟି-ଇନ୍ ଭଳି ପ୍ରତିଷ୍ଠାନ, ସାଇବର୍ ହେଲ୍ପଲାଇନ୍ ୧୯୩୦ ଏବଂ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ୨୦୨୩ ବ୍ୟବହାରକାରୀଙ୍କ ଗୋପନୀୟତା ଓ ତଥ୍ୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଅପରେସନ ସିନ୍ଦୂର ସମୟରେ ଏହାର ଏକ ଦୃଢ଼ ଉଦାହରଣ ଦେଖିବାକୁ ମିଳିଥିଲା । ଆମର ଭିତ୍ତିଭୂମି ଉପରେ ସୁନିୟୋଜିତ ସାଇବର ଆକ୍ରମଣକୁ ଆମର ଏଜେନ୍ସିଗୁଡ଼ିକ ସଫଳତାର ସହିତ ମୁକାବିଲା କରିପାରିଥିଲେ ।
ନବସୃଜନ ଏବଂ ଷ୍ଟାର୍ଟଅପ୍ସ
୧.୮ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ, ଭାରତରେ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରହିଛି । ଏହି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରୁ ଅନେକ ଡିଜିଟାଲ ଇଣ୍ଡିଆର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଦୁଆକୁ ଆଧାର କରି ବଢ଼ିଛନ୍ତି । ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ରଗୁଡ଼ିକ ଏବେ ଇଣ୍ଡିଆ ଷ୍ଟାକ୍ ମଡେଲକୁ ଗ୍ରହଣ କରୁଥିବାରୁ ଭାରତ ଦୁନିଆକୁ ଡିଜିଟାଲ ସାର୍ବଜନୀନ ସାମଗ୍ରୀ ରପ୍ତାନି କରୁଛି ।
ସେମିକଣ୍ଡକ୍ଟରଠାରୁ ଦୂରସଞ୍ଚାର ପର୍ଯ୍ୟନ୍ତ
ପ୍ରଧାନମନ୍ତ୍ରୀ ମୋଦି "ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲଡ’ (ଭାରତରେ ନିର୍ମାଣ, ଭାରତ ପାଇଁ ନିର୍ମାଣ ଏବଂ ବିଶ୍ୱ ପାଇଁ ନିର୍ମାଣ) ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଫଳରେ ଇଲେକଟ୍ରୋନିକ୍ସ ଏବଂ ମୋବାଇଲ ଉତ୍ପାଦନରେ ଅଧିକ ବୃଦ୍ଧି ହୋଇଛି । ଆମର ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ୧୨ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଆଜି, ଭାରତ ଏକ ଅଗ୍ରଣୀ ମୋବାଇଲ ଫୋନ୍ ରପ୍ତାନିକାରୀ ଦେଶରେ ପରିଣତ ହୋଇଛି । ଦୂରସଞ୍ଚାର ଭିତ୍ତିଭୂମିରେ ଦୃଢ଼ ସମ୍ପ୍ରସାରଣ ସହିତ ଏହି ବିକାଶକୁ ସମାନ୍ତରାଳ ଭାବେ ସମର୍ଥନ ଯୋଗାଇ ଦିଆଯାଉଛି । ଅନେକ ବର୍ଷ ପରେ ବିଏସ୍ଏନ୍ଏଲ୍ ପୁଣିଥରେ ଲାଭ ଉପାର୍ଜନ କରିପାରୁଛି । ଏହା ସରକାରୀ ଦୂରସଞ୍ଚାର କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଭାରତ ନିଜର ସ୍ୱଦେଶୀ ଦୂରସଞ୍ଚାର ଷ୍ଟାକ୍ ମଧ୍ୟ ବିକଶିତ କରିଛି । ଆଜି ପ୍ରାୟ ସାରାଦେଶରେ ୪ଜି ସେବା ପହଞ୍ଚିପାରିଛି ଏବଂ ଭାରତରେ ବିଶ୍ୱର ସବୁଠୁ ଦ୍ରୁତତମ ୫ଜି ସେବା କାର୍ଯ୍ୟକାରୀ ହୋଇଛି । ଏହି ଦୃଢ଼ ଡିଜିଟାଲ ଆଧାର ଡିଜିଟାଲ ଇଣ୍ଡିଆର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବାରେ ସହାୟକ ହେଉଛି । ଭାରତ ସେମିକଣ୍ଡକ୍ଟର ମିଶନ ଭାରତର ସ୍ୱଦେଶୀ ଚିପ୍ ନିର୍ମାଣର ସଂକଳ୍ପକୁ ବାସ୍ତବତାରେ ପରିଣତ କରୁଛି । ଛଅଟି ସେମିକଣ୍ଡକ୍ଟର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଯଥାଶୀଘ୍ର ପ୍ରଥମ ମେଡ୍-ଇନ୍ଇଣ୍ଡିଆ ଚିପ୍ ଉତ୍ପାଦନ ଲାଗି ଏବେ ସେମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଚାଲିଛି । ଭାରତରେ ମଧ୍ୟ ୧,୭୦୦ରୁ ଅଧିକ ବିଶ୍ୱ କ୍ଷମତା କେନ୍ଦ୍ର ରହିଛି ଏବଂ ପ୍ରାୟ ୨୦ଲକ୍ଷ ଲୋକ ନିୟୋଜିତ ରହିଛନ୍ତି । ଖର୍ଚ୍ଚ ସଞ୍ଚୟକାରୀ ବ୍ୟାକ୍ ଅଫିସ୍ ଭାବରେ ଆରମ୍ଭ ହୋଇଥିବା କାର୍ଯ୍ୟ ଏବେ ବିଶ୍ୱ ପାଇଁ ନବସୃଜନ, ଡିଜାଇନ୍ ଏବଂ ଉତ୍ପାଦ ବିକାଶକୁ ଆଗେଇ ନେଉଛି ।
ଭବିଷ୍ୟତ ରୂପରେଖ
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଏହାର ଦଶମ ବାର୍ଷିକୀ ପାଳନ କରୁଛି । ଏକ ଦୃଢ଼ ଡିଜିଟାଲ ମୂଳଦୁଆ ସ୍ଥାପିତ ହୋଇଛି, ଯାହାକୁ ଆଧାର କରି ବିକଶିତ ଭାରତର ଅଟ୍ଟ ାଳିକା ନିର୍ମାଣ କରାଯାଉଛି । ଆମର ଲକ୍ଷ୍ୟ ବେଶ୍ ସ୍ପଷ୍ଟ– ତୃଣମୂଳ ସ୍ତରରେ ଡିଜିଟାଲ ବିଭାଜନ ଦୂର କରିବା, ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଇଁ ସାଇବର ସୁରକ୍ଷା ସୁନିଶ୍ଚିତ କରିବା ।