ପାଟନା: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ଏବଂ ବିଚକ୍ଷଣ ରାଜନୀତି ସମୀକ୍ଷକ ପ୍ରଶାନ୍ତ କିଶୋର ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ଗୟା ଆୟୋଜିତ ଏକ ରାଲିରେ ପ୍ରଶାନ୍ତ କିଶୋର ବିହାରର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୨୦୨୫ରୁ ୬୦ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ପେନସନ ଦିଆଯିବ । ଏହା ବ୍ୟତୀତ ୧୫ ବର୍ଷରୁ କମ୍ ବୟସର ପିଲାମାନେ ମଧ୍ୟ ଘରୋଇ ସ୍କୁଲରେ ମାଗଣା ଶିକ୍ଷା ପାଇବେ ।
ପ୍ରଶାନ୍ତ କିଶୋର ସୋମବାର ବିହାରର ଗୟାରେ ଏକ ରାଲିକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏପରି ସ୍ଥିତିରେ, ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ବିହାରରେ ଜୋରଦାର ପ୍ରଚାର କରୁଛି । ଜୁନ୍ ୨୫ରେ ନିର୍ବାଚନ କମିଶନ ଆଗାମୀ ନିର୍ବାଚନ ପାଇଁ ଜନ ସୁରାଜ ପାର୍ଟିକୁ 'ସ୍କୁଲ ବ୍ୟାଗ୍' ଚିହ୍ନ ଆବଣ୍ଟନ କରିଥିଲେ । ଜନ ସୁରାଜ ଦଳର ସମସ୍ତ ୨୪୩ ପ୍ରାର୍ଥୀ ଏହି ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢ଼ିବେ । ପ୍ରଶାନ୍ତ କିଶୋର ଲାଗାତାର ନିର୍ବାଚନ ସଭାରେ ଅଂଶଗ୍ରହଣ କରୁଛନ୍ତି। ସେ ବିହାରର ଗାଁ ଗସ୍ତ କରି ଲୋକଙ୍କୁ ଭେଟି ସ୍ଥାନୀୟ ସମସ୍ୟା ବିଷୟରେ ଜାଣୁଛନ୍ତି ।
ବିହାରରେ ଗତ ବିଧାନସଭା ନିର୍ବାଚନରେ, ମହାମେଣ୍ଟର ସବୁଠାରୁ ବଡ଼ ଦଳ RJD ୧୪୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୭୫ଟି ଆସନରେ ବିଜୟୀ ହୋଇଥିଲା । ବିହାରରେ ୨୪୩ଟି ବିଧାନସଭା ଆସନ ଅଛି । କଂଗ୍ରେସ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ମାତ୍ର ୧୯ଟି ଆସନ ପାଇଥିଲା। ଅନ୍ୟ ମେଣ୍ଟ ସହଯୋଗୀ ସିପିଆଇ (ଏମ୍ଏଲ୍) ଲିବରେସନ ୧୨ଟି ଆସନରେ ବିଜୟୀ ହୋଇଥିଲା । ସେପଟେ ଭାରତୀୟ ଜନତା ପାର୍ଟି ୭୪ଟି ଆସନ ଜିତିବାରେ ସଫଳ ହୋଇଥିଲା । ଜେଡିୟୁ ୪୩ଟି ଆସନରେ ବିଜୟୀ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଅଛି ।