ନୂଆଦିଲ୍ଲୀ: ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ। ଦେବାକୁ ପଡିବ ଅତିରିକ୍ତ ଦର। ରେଳ ମନ୍ତ୍ରଣାଳୟ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବଢାଇବା ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଯାତ୍ରୀବାହି ଟ୍ରେନର ମୌଳିକ ଭଡା ବୃଦ୍ଧି କରିଛି। ଏହି ସଂଶୋଧନ ଭାରତୀୟ ରେଳୱେ ସମ୍ମିଳନୀ ସଂଘ (IRCA) ଦ୍ୱାରା ଜାରି ନୂତନ ଯାତ୍ରୀ ଭଡା ସାରଣୀ ଅନୁସାରେ କରାଯାଇଛି ବୋଲି ସୂଚନା ମିଳିଛି।
ସବଅର୍ବାନ ଏକମୁଖୀ ଯାତ୍ରା ଓ ସିଜନ ଟିକେଟ (ସବଅର୍ବାନ ଓ ଅଣ-ସବଅର୍ବାନ) ଭଡାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି। ଏହା ବାଦେ ନିମ୍ନ ମତ୍ତେ ରେଳ ଭଡାରେ ବୃଦ୍ଧି ଘଟିଛି।
ସାଧାରଣ ନନ-ଏସି ଶ୍ରେଣୀ (ଅଣ-ସବଅର୍ବାନ) ପାଇଁ ଭଡା:
ଦ୍ୱିତୀୟ ଶ୍ରେଣୀ: ରେଳବାଇ ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ଅଧା ପଇସା(୫୦ ପଇସା)ର ବୃଦ୍ଧି କରିଛନ୍ତି। ତେବେ ସବୁଠୁ ଖୁସିର କଥା ହେଉଛି ୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ। ୫୦୧-୧୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୫ ଟଙ୍କା, ୧୫୦୧-୨୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୦ ଟଙ୍କା ଓ ୨୫୦୧-୩୦୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।
ସ୍ଲିପର ଶ୍ରେଣୀ: ସେହିପରି ସ୍ଲିପର ଶ୍ରେଣୀରେ ଯାତ୍ରା କରିବା ପାଇଁ ପ୍ରତି କିଲୋମିଟର ପିଛା ଅଧା ପଇସା ବୃଦ୍ଧି କରାଯାଇଛି।
ପ୍ରଥମ ଶ୍ରେଣୀ: ପ୍ରଥମ ଶ୍ରେଣୀରେ ଯାତ୍ରା କରିବା ପାଇଁ ମଧ୍ୟ ପ୍ରତି କିଲୋମିଟର ପିଛା ଅଧା ପଇସା ବୃଦ୍ଧି ଘୋଷଣା ହୋଇଛି।
ମେଲ/ଏକ୍ସପ୍ରେସ ଟ୍ରେନ ପାଇଁ:
ଭାରତରେ ଯାତାୟତ କରୁଥିବା ବିଭିନ୍ନ ମେଲ କିମ୍ୱା ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ, ସ୍ଲିପର ଶ୍ରେଣୀ ଓ ପ୍ରଥମ ଶ୍ରେଣୀ କୋଟ୍ ରେ ଯାତ୍ରା କରିବା ପାଇଁ ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିଭଳି ମେଲ/ଏକ୍ସପ୍ରେସରେ ଥିବା ଏସି ଚେୟାର କାର, ଏସି ୩-ଟାୟାର/୩-ଇକୋନୋମି, ଏସି ୨-ଟାୟାର, ଏସି ଫାର୍ଷ୍ଟ/ଏକ୍ସକ୍ୟୁଟିଭ କ୍ଲାସ/ଏକ୍ସକ୍ୟୁଟିଭ ଅନୁଭୂତି ଆଦି ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।
ଏହି ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମନା, ଗତିମାନ, ଅନ୍ତଃଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏସି ବିଷ୍ଟାଡୋମ, ଅନୁଭୂତି କୋଚ ଓ ଅଣ-ସବଅର୍ବାନ ସାଧାରଣ ସେବା ଆଦି ପ୍ରିମିୟର ଓ ବିଶେଷ ଟ୍ରେନ ପାଇଁ ମଧ୍ୟ ଲାଗୁ ହେବ।
ଭାରତୀୟ ରେଳବାଇ ପକ୍ଷରୁ ରିଜର୍ଭେସନ ଫି, ସୁପରଫାଷ୍ଟ ସରଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଜିଏସଟି ଓ ଭଡା ରିଫଣ୍ଡିଂ ନିୟମ ମଧ୍ୟ ପୂର୍ବବତ ଲାଗୁ ରହିବ।
ତେବେ ଘୋଷଣା ହୋଇଥିବା ଏହି ନୂତନ ଭଡା ଜୁଲାଇ ୧ ତାରିଖରୁ ବୁକ ହେଉଥିବା ଟିକେଟ ପାଇଁ ଲାଗୁ ହେବ। ଏହା ପୂର୍ବରୁ ବୁକ ହୋଇଥିବା ଟିକେଟ ପୂର୍ବ ଭଡାରେ ବୈଧ ରହିବ। PRS, UTS ଓ ମାନୁଆଲ ଟିକେଟିଂ ସିଷ୍ଟମକୁ ଅପଡେଟ କରାଯାଉଛି। ସମସ୍ତ ଜୋନାଲ ରେଳବାଇକୁ ନୂତନ ଭଡା କାର୍ଯ୍ୟକାରୀ କରିବା ଓ ଷ୍ଟେସନରେ ଲାଗିଥିବା ଭଡା ସାରଣୀ ତାଲିକାରେ ଅପଡେଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସଂଶୋଧନ ଯାତ୍ରୀ ସୁବିଧା ଓ ରେଳ ସେବାର ଆର୍ଥିକ ସ୍ଥିରତା ବଜାୟ ରଖିବା ଲକ୍ଷ୍ୟରେ କରାଯାଇଛି ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।