ମୁମ୍ବାଇ ୦୩/୦୭: ଆସନ୍ତା ଅଗଷ୍ଟରେ ଟିଭି ପରଦାକୁ ଫେରିବ ‘ବିଗ୍ ବସ୍-୧୯’ । ଦମ୍ଦାର ଲେଉଟାଣି ସହିତ ଏହା ଟେଲିଭିଜନ୍ ଜଗତରେ ଇତିହାସ ରଚିବ । ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଥମ କଥାବାର୍ତ୍ତା କରୁଥିବା ଏଆଇ ରୋବୋ କଣ୍ଢେଇ ‘ହାବୁବୁ’ ବିଗ୍ ବସ୍ ଘରେ ଏଣ୍ଟ୍ରି କରିବ । ଶୋ’ର ୧୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏହା ଅନ୍ୟତମ ହେବ । ଏହି ପ୍ରୟାସ ଜରିଆରେ କୌଣସି ଭାରତୀୟ ରିୟଲିଟି ଫ୍ରାଞ୍ଚାଇଜିରେ ପ୍ରଥମ ଥର ରୋବୋର ଏଣ୍ଟ୍ରି ହେବାକୁ ଯାଉଛି । ଏହି ଖବର ବିଗ୍ ବସ୍ପ୍ରେମୀଙ୍କ କୌତୁହଳ ବଢ଼ାଇଛି । ସଂଯୁକ୍ତ ଆରବ ଏମିରେଟ୍ସରେ ଏଆଇ କଣ୍ଢେଇ ହାବୁବୁ ପୂର୍ବରୁ ସେନ୍ସେସନ୍ ହୋଇଛି ।
ହାବୁବୁ ଏକ ସାଧାରଣ ରୋବୋ ନୁହେଁ, ବାର୍ତ୍ତାଳାପ କରୁଥିବା ଏକ ଏଆଇ କଣ୍ଢେଇ । ବାର୍ତ୍ତାଳାପ ବୁଦ୍ଧିମତା କଳା, ଭାବପ୍ରବଣତା ଓ ମୌଳିକ ଘରୋଇ କାର୍ଯ୍ୟକ୍ଷମତା ସହିତ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିଥିବା ଦୁବାଇ ସ୍ଥିତ କମ୍ପାନି ଆଇଏଫ୍ସିଏମ୍ ଅନୁସାରେ, ହାବୁବୁ ହିନ୍ଦୀ ସମେତ ୭ ଭାଷାରେ କଥା ହୋଇପାରେ । କଥାବାର୍ତ୍ତା ଓ ଡ୍ରାମା ଉପରେ ଫୋକସ୍ କରୁଥିବା ବିଗ୍ ବସ୍ ଭଳି ଶୋ’ପାଇଁ ଏହା ଉପଯୁକ୍ତ ହେବ । ଆକର୍ଷଣୀୟ ଗଠନ ହାବୁବୁକୁ ସ୍ୱତନ୍ତ୍ର କରିଛି । ବଡ଼ ବଡ଼ କଥାକୁହା ଆଖି, ଲୋକଙ୍କ ସହ ଯୋଡ଼ିହୋଇ ରହୁଥିବା ବ୍ୟକ୍ତିତ୍ୱ ଏବଂ ପାରମ୍ପରିକ ଆରବିକ୍ ପୋଷାକ ପାଇଁ ହାବୁବୁ ସୋସିଆଲ ମିଡିଆରେ ସବୁରି ଧ୍ୟାନ ଆକର୍ଷଣ କରିଛି । ଦୁବାଇରେ ଏହାର ଫ୍ୟାନ୍ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକେ ଏହାକୁ ଟେକ୍ନୋଲୋଜି କ୍ଷେତ୍ରରେ ନବସୃଜନଠୁ ଅଧିକ ଆରବ ଜଗତ ଓ ଦକ୍ଷିଣ ଏସୀୟ ମନୋରଞ୍ଜନ ଜଗତ ମଧ୍ୟରେ ସାଂସ୍କୃତିକ ବନ୍ଧନ ବୋଲି କହୁଛନ୍ତି ।