ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ

Published By : Prameya | June 27, 2025 3:01 PM

ନିଜେ ମହାପ୍ରଭୁ ଜଗନ୍ନାଥ,  ବଡ଼ଠାକୁର ବଳଭଦ୍ର କଳା ଧଳା  ଘୋଡ଼ା ଚଢ଼ି କାଞ୍ଚି ବିଜୟରେ  ବାହାରିଥିଲେ । ମାଣିକ ଗଉଡୁଣୀର  ହାତପରଷା ଦହି ଓ ଅର୍ଥ ନଥିବା  ସ୍ଥିତିରେ ରତ୍ନମୁଦି ଦେଇଯିବା ଏହା  ଓଡ଼ିଆଙ୍କ ଅଖଣ୍ଡ ଲୋକବିଶ୍ୱାସ ।  ଓଡ଼ିଆଙ୍କ ବିଶ୍ୱାସର ଅଦ୍ୱିତୀୟ ଦିଅଁ  କଳାଠାକୁର ସାରା ଓଡ଼ିଶାବାସୀଙ୍କ  ସମେତ ସାରା ବିଶ୍ୱବାସୀଙ୍କ  ଉପରେ ଆଶୀର୍ବାଦ ବର୍ଷା କରନ୍ତୁ ।

ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁ ମେ ।


ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଅନନ୍ୟ ଆମର  ମହାପ୍ରଭୁ । ଅନନ୍ୟ ତାଙ୍କର ମାନବୀୟ ଲୀଳା ।  ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ ।  ରତ୍ନସିଂହାସନ ଛାଡ଼ି ଜନସମୁଦ୍ର ଭିତରକୁ ଆସିବେ  କାଳିଆ ସାଆନ୍ତ । ରତ୍ନବେଦିରୁ ଜନ୍ମବେଦି, ବାହୁଡ଼ା,  ସୁନାବେଶ, ଅଧରପଣା ଓ ତା’ପରେ ନିଳାଦ୍ରିବିଜେ ।  ବାଟରେ ମାଉସୀ ମା'ର ପୋଡ଼ପିଠା ଖାଇବେ ।  ନିଳାଦ୍ରିବିଜେ ପୂର୍ବରୁ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କର  ମାନଭଞ୍ଜନ କରିବେ । ରଥଯାତ୍ରା ଓଡ଼ିଆ ଜନଜୀବନର  ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଆ ସଭ୍ୟତା, ସଂସ୍କୃତି ଓ  ପରମ୍ପରାର ସବୁଠାରୁ ବଡ଼ ଘଟଣାକ୍ରମ । 

ଜଣେ ସାଧାରଣ ଓଡ଼ିଆ ଭକ୍ତଭାବରେ  ମହାପ୍ରଭୁଙ୍କର ଏହି ମହାନ ପରମ୍ପରାରେ ସାମିଲ  ହେବାର ଖୁସିରେ ମୁଁ ଆତ୍ମବିଭୋର । ପହଣ୍ଡିବିଜେରୁ  ରଥାରୂଢ଼ ହେବା ପର୍ଯ୍ୟନ୍ତ, ଗଜପତି ମହାରାଜଙ୍କ  ଛେରାପହଁରା ଠାରୁ ଚାରମାଳ ଖୋଲାହେବା ପର୍ଯ୍ୟନ୍ତ  ଖୁବ୍‌ ନିକଟରୁ ମହାପ୍ରଭୁଙ୍କର ମହାଲୀଳା ଦେଖିବା ସହ  ନିଜେ ରଥ ଟାଣିବାର ଖୁସି ମନରେ ଭକ୍ତି ଓ ସମର୍ପଣର  ଭାବନା ଜାଗ୍ରତ କରୁଛି । 

ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ ମଉଡ଼ମଣି,  ବିଶ୍ୱନିୟନ୍ତା । ଶବରରାଜା ବିଶ୍ୱାବସୁର ଭକ୍ତି ଓ  ନୈବେଦ୍ୟରେ ବନ୍ଧା ଥିଲେ, କିନ୍ତୁ ସାରା ଭକ୍ତଙ୍କୁ ଦର୍ଶନ  ଦେଇ ସାରା ବିଶ୍ୱକୁ ଉଦ୍ଧାରିବା ପାଇଁ ନୀଳକନ୍ଦରରେ  ବିଜେ କରିଛନ୍ତି । ମନମହନୀୟ ଚକାଆଖିରେ ଆଖି  ମିଳାଇ କୋଟି କୋଟି ଭକ୍ତଙ୍କ ଭଳି ମୋର ଭାବବିହ୍ୱଳ  ହେବାର ଅନେକ ଅନୁଭୂତି ଅଛି । 

ମୋ ଭଳି ଜଣେ ସାଧାରଣ ପରିବାରରୁ ଆସିଥିବା  ଓଡ଼ିଆକୁ ମହାପ୍ରଭୁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ସେବାରେ  ନିୟୋଜିତ କରିବାର ସୁଯୋଗ ଦେଇଛନ୍ତି । ଯୁଗେ ଯୁଗେ  ଓଡ଼ିଶାର ଗଜପତି ପରମ୍ପରାରେ ରାଜା ସବୁବେଳେ  ଝାଡୁଦାର ଓ ସେବକ ଭାବରେ ନିଜକୁ ପ୍ରସ୍ତୁତ କରି ସେଥିରୁ ଶାନ୍ତି ଓ ଆତ୍ମସନ୍ତୋଷ ପାଇଛନ୍ତି । ମହାପ୍ରଭୁଙ୍କର  ଭକ୍ତଭାବରେ ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ  ନିଜକୁ ରାଜ୍ୟବାସୀଙ୍କ ସେବକ ଭାବରେ ମହାପ୍ରଭୁଙ୍କୁ  ସାକ୍ଷୀରଖି ନିଜକୁ ଜନସେବାରେ ସମର୍ପି ଦେବାର ଶପଥ  ନେଉଛି । ମୁଁ ଜାଣିଛି ମହାପ୍ରଭୁ ଭକ୍ତର ଭଗବାନ । ଭକ୍ତର  ଏହି ମିନତି ନିଶ୍ଚିତ ରକ୍ଷା କରିବେ । 

ନିଜେ ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର  କଳାଧଳା ଘୋଡ଼ା ଚଢ଼ି କାଞ୍ଚି ବିଜୟରେ ବାହାରିଥିଲେ ।  ମାଣିକ ଗଉଡୁଣୀର ହାତପରଷା ଦହି ଓ ଅର୍ଥ ନଥିବା  ସ୍ଥିତିରେ ରତ୍ନମୁଦି ଦେଇଯିବା ଏହା ଓଡ଼ିଆଙ୍କ ଅଖଣ୍ଡ  ଲୋକ ବିଶ୍ୱାସ । ଓଡ଼ିଆଙ୍କ ବିଶ୍ୱାସର ଅଦ୍ୱିତୀୟ ଦିଅଁ  କଳାଠାକୁର ସାରା ଓଡ଼ିଶାବାସୀଙ୍କ  ସମେତ ସାରା ବିଶ୍ୱବାସୀଙ୍କ ଉପରେ  ଆଶୀର୍ବାଦ ବର୍ଷା କରନ୍ତୁ । ଆଜିର  ଏହି ଶୁଭ ଅବସରରେ ତାଙ୍କର  ଆଶିଷ ପ୍ରାର୍ଥନା କରୁଛି । ମହାପ୍ରଭୁଙ୍କ  ଭକ୍ତିର ଅର୍ଘ୍ୟ ଅର୍ପଣ କରୁ କରୁ ଆମ  ମାତୃଭୂମି ପବିତ୍ର ଭାରତବର୍ଷରେ  ଆମର ରାଜ୍ୟ ଓଡ଼ିଶାର ଉତ୍ପତ୍ତି  ଓ ଐତିହାସିକ ପୃଷ୍ଠଭୂମି ଠାରୁ  ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ,  ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ  ତଥା ସ୍ୱାଧୀନୋତ୍ତର ଭାରତରେ  ଓଡ଼ିଶାର ବିକାଶ ଯାତ୍ରାରୁ ଅନେକ  ପ୍ରେରଣାଦାୟୀ ପ୍ରସଙ୍ଗ ମନରେ ନାଚି  ଉଠୁଛି । ଇତିହାସରୁ ପ୍ରେରଣା ନେଇ ଓଡ଼ିଶାକୁ ପ୍ରଗତିର  ଶୀର୍ଷରେ ପହଞ୍ଚାଇବା ପାଇଁ ସାରା ଓଡ଼ିଶାକୁ ଏକ କରି  ଏବଂ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ମହାପ୍ରଭୁ ଓଡ଼ିଆ  ଜାତିର ସହାୟକ ହେବେ, ମୋର ମହାପ୍ରଭୁଙ୍କ ପାଖରେ  ଏତିକି ପ୍ରାର୍ଥନା ।  

ମହାପ୍ରଭୁ ସମନ୍ୱୟର ପ୍ରତୀକ । ସାରା ଦେଶ  ଯେତେବେଳେ ସ୍ୱାଧୀନତାର ଲଢ଼େଇ ଲଢୁଥିଲା ଠିକ୍‌  ସେତିକିବେଳେ ଆମ ରାଜ୍ୟ ଦୁଇଟି ଲଢ଼େଇକୁ ଏକା  ସାଙ୍ଗରେ ଓ ପରସ୍ପରର ସମନ୍ୱୟରେ ଲଢ଼ାଯାଇଥିଲା ।  ବ୍ରିଟିଶ ଶାସନ ସମୟରେ ଓଡ଼ିଶାକୁ ଭାଷା ଆଧାରିତ  ରାଜ୍ୟ ପାଇଁ ଆମର ନେତୃତ୍ୱ ସଂଘର୍ଷ କରୁଥିଲା ।  ଆଞ୍ଚଳିକବାଦର ଲଢ଼େଇ ଭାବରେ ପରିଚିତ ଭାଷା  ଆଧାରିତ ରାଜ୍ୟ ପାଇଁ ସଂଘର୍ଷ କେବେବି ଆମ ଦେଶର  ସ୍ୱାଧୀନତା ପାଇଁ ବ୍ରିଟିଶ ସାମ୍ରାଜ୍ୟ ସହ ଲଢ଼େଇର  ନେତୃତ୍ୱ ପରସ୍ପରର ବିରୋଧାତ୍ମକ ସ୍ଥିତିକୁ ଆସିବାର  କୌଣସି ଉଦାହରଣ ନାହିଁ। ପ୍ରଖର ଆଞ୍ଚଳିକତାବାଦ,  ନିଜ ଭାଷା ଓ ସ୍ଥାନୀୟ ସ୍ୱତନ୍ତ୍ର ପରିଚୟ ତଥା ଅସ୍ମିତାର  ଗୌରବ ସହ ମହାଭାରତୀୟ ଚିନ୍ତାଧାରାରେ ସମପରିମାଣରେ ଉଦ୍‌ବୁଦ୍ଧ ହୋଇ ସମାନ୍ତରାଳ ଭାବରେ  ଚାଲିବାର ଉଦାହରଣ ସାରା ଦେଶ ଆଗରେ ଆମ ରାଜ୍ୟ  ହିଁ ପ୍ରସ୍ତୁତ କରିଛି । 

ମହିଳା ସଶକ୍ତିକରଣ, ଜାତିବାଦରୁ ଊଦ୍ଧ୍ୱର୍ରୁ  ଉଠିବା ଏବଂ ସ୍ୱଚ୍ଛତାର କଥା  କାହିଁ କେଉଁ ୧୫ଶହ ଶତାଦ୍ଦୀରୁ  ଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱକୁ ବାର୍ତ୍ତା  ଦେଇଛି । କବି ବଳରାମ ଦାସଙ୍କ  ରଚିତ ଲକ୍ଷ୍ମୀପୁରାଣ ମା’ ଲକ୍ଷ୍ମୀଙ୍କ  ପାଖରେ ମହାପ୍ରଭୁ ଦୋଷ ସ୍ୱୀକାର  କରିବା ଏବଂ କ୍ଷମାପ୍ରାର୍ଥନା କରିବା  ପ୍ରସଙ୍ଗର ଅବତାରଣା କରାଯାଇଛି ।  ମହାଲକ୍ଷ୍ମୀ ନିଜ ଇଚ୍ଛାରେ ବୁଲିବା  ତଥା ତଥାକଥିତ ଜାତି ବିଭାଜନର  ସବା ତଳେ ଥିବା ଶ୍ରୀୟାଙ୍କ ଆତିଥ୍ୟ  ସ୍ୱୀକାର କରି ତାଙ୍କୁ ବରଦାନ ଦେବା  ସହିତ ସାମାଜିକ ବ୍ୟବସ୍ଥାରେ ଏହା  ଗ୍ରହଣୀୟ ହେବା ହେଉଛି ଜଗନ୍ନାଥ  ସଂସ୍କୃତିର ଅନନ୍ୟ ପରିଚାୟକ । 

ମହାପ୍ରଭୁଙ୍କ ମାନବ ସଭ୍ୟତାକୁ ମହାବାର୍ତ୍ତାର  ଆଲୋଚନା ସମୟରେ ଆଜିବି ମହାପ୍ରଭୁଙ୍କର  ମହାପ୍ରସାଦରେ ସମ୍ପୂର୍ଣ୍ଣ ସ୍ୱଦେଶୀ ପଦାର୍ଥର ବ୍ୟବହାର  ପରମ୍ପରା ରହିଛି । ଆଜି ବି ଆଳୁ, ଟମାଟୋ ବା  ବିଲାତିବାଇଗଣ ଆଦି ଶ୍ରୀମନ୍ଦିରରେ ବ୍ୟବହାର  ହୁଏନାହିଁ । ଏହା ମାଧ୍ୟମରେ ମହାପ୍ରଭୁ ସ୍ୱଦେଶୀ  ହେବାର ବାର୍ତ୍ତା ଆମମାନଙ୍କୁ ଦେଇଛନ୍ତି ବୋଲି କ’ଣ  କହି ହେବନାହିଁ? ଯଦି ଆମ ମହାପ୍ରଭୁଙ୍କ ସେବାରେ  କୌଣସି ବିଦେଶୀ ବସ୍ତୁ ଓ ସାମଗ୍ରୀ ଲାଗୁନାହିଁ ତେବେ  ଆମେ ଆମ ଅଞ୍ଚଳ, ରାଜ୍ୟ ଓ ଦେଶର ପ୍ରସ୍ତୁତ ସାମଗ୍ରୀ  ବ୍ୟବହାର କରି ଆମର ସ୍ଥାନୀୟ ଅର୍ଥନୀତିକୁ ମଜଭୁତ  କରିବାରେ କ’ଣ ସହାୟକ ହୋଇପାରିବା ନାହିଁ? 

ଏକାଦଶ-ଦ୍ୱାଦଶ ଶତାଦ୍ଦୀରେ ଉତ୍କଳୀୟ କଳା  ଭାସ୍କର୍ଯ୍ୟରେ ନିର୍ମିତ ଆଜିର ଆମର ଏହି ଶ୍ରୀମନ୍ଦିର  ଆଜିବି ଢାଞ୍ଚାଗତ ଦୃଷ୍ଟିରୁ ଦୃଢ଼ଭାବେ ସଗର୍ବେ ପ୍ରଭୁଙ୍କୁ  ନେଇ ଦଣ୍ଡାୟମାନ । ବିଶେଷଜ୍ଞମାନେ ଯେତେବେଳେ  ଶ୍ରୀମନ୍ଦିରର ସ୍ଥାୟିତ୍ୱ ଓ ସୁରକ୍ଷାକୁ ନେଇ ସ୍ଥିତିକୁ ଆକଳନ  କରୁଛନ୍ତି ୮୦୦-୯୦୦ ବର୍ଷର ପୁରୁଣା ଏହି ମନ୍ଦିରର  ସ୍ଥାପତ୍ୟରେ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । ହଜାର ବର୍ଷ  ପୂର୍ବେ ଏହି ଜାତିର ନିର୍ମାଣ କ୍ଷେତ୍ରରେ ଥିବା ବୈଜ୍ଞାନିକ  ଆଧାରର ଏହା ପ୍ରମାଣ ନୁହେଁ ତ ଆଉ କ’ଣ? 

ଏହି ଜାତିର ଯୁବପିଢ଼ି ଦିନେ ସାଧବପୁଅ ନାଁରେ  ପୂରା ଦକ୍ଷିଣ-ପୂର୍ବ ଏସିଆ ଦେଶସମୂହରେ ବେପାର  ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ  କରିଥିଲା । ଏସବୁର ଐତିହାସିକ ପୃଷ୍ଠଭୁମି ଉପରେ  ଠିଆହୋଇ ଆମେ ଆତ୍ମବିଶ୍ୱାସର ସହ ପୁଣିଥରେ  ବିଶ୍ୱବିଜୟ ପାଇଁ ବାହାରିବାର ସମୟ ଆସିଛି । ଆମ  ଲକ୍ଷ୍ୟ ସାଧନ ପାଇଁ ଦୃଢ ସଂକଳ୍ପର ସହ ଆଗେଇ  ଚାଲିବାର ବେଳ ଆସିଛି ।  

କେତେଦିନ ଆମେ ଅନ୍ୟ ଉପରେ ଦୋଷ ଦେଇ  ଆମ ଦାୟିତ୍ୱରୁ ମୁହଁ ଲୁଚାଇବା । ଆମେ ପିଲାଦିନୁ  ଶୁଣିଆସୁଛୁ ଆମ ରାଜ୍ୟ ପ୍ରାଚୁର୍ଯ୍ୟରେ ଭରପୂର, ମାତ୍ର  ଆମ ରାଜ୍ୟର ଜନତା ଗରିବ । ରାଜ୍ୟ ଧନୀ, କିନ୍ତୁ  ଜନତା ଗରିବ । ଆମ ମହାପ୍ରଭୁ ଆମକୁ ଅମାପ ଖଣିଜ  ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ,  ଜଳସମ୍ପଦ, ପରିଶ୍ରମୀ ଏବଂ ବୁଦ୍ଧିମାନ ମାନବ ସମ୍ବଳ  ଦେଇଛନ୍ତି । ଆମର ଅମାପ ସମ୍ପଦ ଆମକୁ ଗରିବୀରୁ  ବାହାର କରି ଖାଲି ଭାରତରେ ନୁହେଁ ସମଗ୍ର ବିଶ୍ୱର  ଆର୍ଥିକ ଦୃଷ୍ଟିରୁ ଗୋଟିଏ ଆଗୁଆ ଭୂଖଣ୍ଡ ଭାବରେ  ଗଢ଼ିତୋଳିବାର ସମ୍ଭାବନା ଓ ସୁଯୋଗ ସୃଷ୍ଟି କରୁଛି । ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ ନୁହଁନ୍ତି ।  ତାଙ୍କର ପୂର୍ବୋଦୟର ପରିକଳ୍ପନାର ଓଡ଼ିଶା ହେଉଛି  କେନ୍ଦ୍ରବିନ୍ଦୁ । ବିକାଶର ଅନେକ ମାପଦଣ୍ଡରେ ଆମ  ରାଜ୍ୟ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ  ପଛରେ ଥାଇପାରେ । ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ  ରାଜ୍ୟରେ ଯେତିକି ସମ୍ଭାବନା ଓ ସୁଯୋଗ ଦେଇଛନ୍ତି  ତାହା ଆମ କାହା ପାଖରେ ନାହିଁ । 

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ମହିଳା,  କୃଷକ, ଯୁବକ ଓ ଗରିବଙ୍କ ଦ୍ରୁତ ବିକାଶ ପାଇଁ ସମୟବଦ୍ଧ  ଭାବରେ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଜୀବନ  ମାନରେ ତୁରନ୍ତ ପରିବର୍ତ୍ତନ ଆଣିବା ପାଇଁ ମୁଁ ମୋ  ସରକାରର ସଂକଳ୍ପ ଦୋହରାଉଛି । ଆଦିବାସୀ, ଦଳିତ,  ଅନ୍ୟାନ୍ୟ ପଛୁଆବର୍ଗ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର  ବାସିନ୍ଦା ଆମ ଶାସନ ବ୍ୟବସ୍ଥାରେ ବିକାଶର ପ୍ରଥମ  ହକ୍‌ଦାର । ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ  ଓ ସବ୍‌କା ପ୍ରୟାସ ଆମ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର । 

"ରଥେ ତୁ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନ ବିଦ୍ୟତେ' ।  ଆଜିର ରଥାରୂଢ଼ ମହାବାହୁଙ୍କୁ ଦର୍ଶନ କରି ସମସ୍ତେ  ପାପମୁକ୍ତ ହୋଇଯାଅନ୍ତୁ । ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ  ମହାପ୍ରଭୁଙ୍କଠାରେ ଏହି ପ୍ରାର୍ଥନା ଭିକ୍ଷା କରୁଛି । ଓଡ଼ିଆ  ଜାତିକୁ ପୁଣିଥରେ ତାର ହୃତ ଗୌରବ ଫେରାଇ  ଆଣିବା ପାଇଁ ନୂଆପିଢ଼ି ମନରେ ଉତ୍ସାହ, ସଂଘର୍ଷ ଓ  ସଫଳ ହେବାର ଜିଦ୍‌ ଭରିଦିଅନ୍ତୁ, ଆଜିର ଏ ପବିତ୍ର  ଦିନରେ ଏତିକି ପ୍ରାର୍ଥନା । ଜୟ ଶ୍ରୀଜଗନ୍ନାଥ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.