ଜଣେ ଥିଲେ ଦାର୍ଶନିକ, ନାମ ଫ୍ରାଞ୍ଚ କାଫ୍କା । କାମ୍ୟୁଙ୍କ ଭଳି କାଫ୍କା କେବଳ ଦାର୍ଶନିକ ଥିଲେ ତା' ନୁହେଁ । ସେମାନେ ସମକାଳୀନ ଦାର୍ଶନିକ ହୋଇଥିଲେ ସୁଦ୍ଧା କାଫ୍କା ଥିଲେ ଅଲଗା ବାଗର । ତାଙ୍କର ସବୁ କଥା ମନେ ରହିପାରେନି, ସେଥିପାଇଁ କାଫ୍କାଙ୍କୁ କିଛି ଲୋକ ନିଜ ଢଙ୍ଗରେ ଚିତ୍ରଣ କରିଥିବାର ଦେଖାଯାଏ । ଏମିତିରେ ଅଧିକାଂଶ ଦର୍ଶନଶାସ୍ତ୍ରୀଙ୍କର ଖିଆଲାମି ଥାଏ । କାଫ୍କା ଏମିତି ଜଣେ ଭିନ୍ନ ବ୍ୟକ୍ତି, ଯିଏ ନିଜ ତତ୍ତ୍ୱ ନେଇ କେବେ ସଚେତନ ନଥିଲେ । ଏପରିକି ତାଙ୍କ ରଚିତ ଦଲିଲ-ଦସ୍ତାବିଜର ସୁଦ୍ଧା କିଛି ଦେଖାରଖା କରିନଥାନ୍ତି । ସେଥିପାଇଁ ଅନ୍ୟମାନଙ୍କ ଭଳି ତାଙ୍କୁ ଖିଆଲି ମଣିଷରେ ଗଣିଥାନ୍ତି ସମସ୍ତେ । ଏତେ ବଡ଼ ଦର୍ଶନଶାସ୍ତ୍ରୀ ସତ, ନ୍ୟୁଟନ ଓ ଆର୍କିମେଡିସଙ୍କ ଭଳି ଆଚରଣ ସେମାନଙ୍କୁ ବିଶ୍ୱବିଖ୍ୟାତ କରିସାରିଛି । ଭୁଲାପଣ କାଳେ "ଭଲ ପଣ' ବୋଲି ତଦ୍ବିଦମାନେ ମତ ରଖନ୍ତି।
ଜଣେ ମହୀୟସୀ ମହିଳା ଥିଲେ । ସେ ଆଧ୍ୟାତ୍ମିକତାରେ ବିଶ୍ୱାସୀ । ଏକସମୟରେ ସେ କହିଥିଲେ, ଖବରକାଗଜ କେହି ପଢ଼ିବା ଦରକାର ନାହିଁ । ବହୁ ଭାବିଚିନ୍ତି କହିଛନ୍ତି ସେ । ତାଙ୍କ ବିଚାରରେ ସବୁ ଗଡ଼ବଡ଼ର ଅସଲ କାରଣ ଖବରକାଗଜ । ଖାଲି ଖବରକାଗଜ ନୁହେଁ, ଟେଲିଭିଜନ ଠାରୁ ଆରମ୍ଭ କରି ଯେତେ ସଂଯନ୍ତ୍ର ରହିଛି, ସବୁଥିରେ ଲାଖି ରହିଛି ଭେଲପଣ । ହଁ, ଏକଥା ସତ ଯେ, ସମୟର ବିବର୍ତ୍ତନ ମାନବ ସଭ୍ୟତାକୁ ଆଧୁନିକତାର ଶୀର୍ଷକୁ ଛୁଆଁଇ ସାରିଛି । ତାହା କେହି ଅସ୍ୱୀକାର କରିପାରିବେ ନାହିଁ । ମାତ୍ର ସବୁ ଭଲ ପଛରେ ନିହାତି ପକ୍ଷେ ଭେଲ ଲୁଚି ରହିଛି । ମାନବ ସଭ୍ୟତାର ବିସ୍ଫୋରଣର ପରିଣତି ସମସ୍ତେ ଅଙ୍ଗେ ନିଭାଉଛନ୍ତି । ଯେଉଁ ଯେଉଁ କ୍ଷେତ୍ରରେ ପ୍ରଚଣ୍ଡ ଯୁଦ୍ଧ ଚାଲିଛି, ତାହାର ଅବସାନ କାହାରି ହାତରେ ନାହିଁ । ତାହା ରୁଷ-ୟୁକ୍ରେନ ହେଉ କି ଇସ୍ରାଏଲ-ଇରାନ ହେଉ, ସବୁଠି ସଂଘର୍ଷ ଓ ସଂଘାତ । ହୋଇସାରିଛି ଅସୁମାରୀ କ୍ଷତି, କେତେ ହେବାକୁ ଅଛି, ତାହା କାହାକୁ ଜଣା! ଜନସଂଖ୍ୟା ବିସ୍ଫୋରଣରେ ସମସ୍ତେ ଅସ୍ତବ୍ୟସ୍ତ । ବିଶ୍ୱ ସମୁଦାୟ କ'ଣ ପାଇଁ ମୂକ ଦର୍ଶକ ସାଜିଛନ୍ତି ତାହାର କିଛି ଉତ୍ତର ନାହିଁ । ପ୍ରଚଣ୍ଡ ସ୍ଥିତିର କିଛି ଉପଚାର କି ପ୍ରତିକାର ନାହିଁ।
ବ୍ରହ୍ମାଣ୍ଡ ଧ୍ୱଂସ କରିବାକୁ ମହାଶକ୍ତିମାନେ ନିଜ ନିଜ ପତିଆରା ବଢ଼ାଇବାରେ ବ୍ୟସ୍ତ ଥିବାରୁ ସଭ୍ୟତାର ସ୍ଥିତି ଭୟାନକ ମୁହୂର୍ତ୍ତରେ । ସତେ ଯେପରି ସୂତାଖିଅରେ ସମସ୍ତେ ଝୁଲୁଛନ୍ତି । କେତେବେଳେ କ'ଣ ଘଟିବ, ତାହା କାହାରି ଇୟତାରେ ନାହିଁ । ପ୍ରଗତିକୁ ଏମିତିରେ ଆମେ ବିକାଶର ମାପକାଠି ଭାବେ ସିନା ଧରିନେଇଛୁ, ତାହା ସମସ୍ତଙ୍କ ପାଇଁ ଘାତକ ଓ ବେଳେବେଳେ ଆତ୍ମଘାତକ ହୋଇଯାଉଛି । କ୍ଷିପ୍ରତା ସଭ୍ୟତାର ପରିପୂରକ କେବେ ନଥିଲା । ତାର ନଗଦ ପରିଣତି ଅହମ୍ମଦାବାଦରେ ସମସ୍ତେ ଦେଖିଲେ । ଅଢ଼େଇ ଶହରୁ ଅଧିକଙ୍କୁ ମାତ୍ର କେଇ ସେକେଣ୍ଡ ଅଙ୍ଗାର କରିଦେଲା । ଏହା ସାବ୍ୟସ୍ତ କରିଦେଲା, ମଣିଷ କେତେ ଅସହାୟ । ଧନ, ସମ୍ପତ୍ତି ମଧ୍ୟ କେତେ ତୁଚ୍ଛ । ହିସାବ କହୁଛି: ଭରତର ସଡ଼କ ସବୁଠାରୁ ଅସୁରକ୍ଷିତ । ପ୍ରତିବର୍ଷ ଅସୁରକ୍ଷିତ ସଡ଼କ ନିରାପତ୍ତାର ଶିକାର ହେଉଛନ୍ତି ୧୭୨,୦୦୦ ଭାରତୀୟ । ଏହାର ଅର୍ଥ ହେଉଛି, ପ୍ରତିଦିନ ତିନି ଜଣଙ୍କର ମୃତ୍ୟୁ ଘଟୁଛି।
ବିଶ୍ୱସ୍ତରରେ ଟ୍ରାଫିକ ଦୁର୍ଘଟଣା ବାର୍ଷିକ ବୃଦ୍ଧିପାଇବାରେ ଲାଗିଛି । ବାର୍ଷିକ ପାଖାପାଖି ୧.୧୯ ନିୟୁତ ପ୍ରାଣ ହରାଇଥାନ୍ତା । ବେସାମରିକ ବିମାନ ଦୁର୍ଘଟଣା ନେଇ ହିସାବ କହୁଛି କି, ୧୯୪୫ ଠାରୁ ୨୦୨୨ ଯାଏଁ ୧୫୮,୯୭୮ ଜଣଙ୍କର ୨୮,୪୪୨ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାରଣ ଯାହା ହେଉନା କାହିଁକି, ସଡ଼କ ଦୁର୍ଘଟଣା ଓ ଆକାଶ ମାର୍ଗ ଦୁର୍ଘଟଣା ମାତ୍ରା ଓ ପରିମାଣ ହ୍ରାସ ସକାଶେ ଉଦ୍ୟମ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଯେତେ ଓ ଯେଉଁଠି ଭୟାବହ ଦୁର୍ଘଟଣା ହେଉଛି, ତାହାର ପ୍ରଧାନ କାରଣ ଭିତରେ ପ୍ରଦୂଷଣ ଓ ବିସ୍ଫୋରଣ ପ୍ରମୁଖ । ବେଲଗାମ ଜନସଂଖ୍ୟା ବୃଦ୍ଧି କଲବଲ କରିସାରିଲାଣି । ତେଣୁ ବିଶେଷଜ୍ଞମାନେ ପ୍ରକୃତିର ସୁରକ୍ଷା ସହିତ ଉଚ୍ଚ ଭାଷାରେ ପ୍ରଚଣ୍ଡ ଧ୍ୱନି ନକରିବା ସକାଶେ ପରାମର୍ଶ ଦେଇଛନ୍ତି । ରାଗ ରୁଷା ଫଳରେ ଆମ ବାୟୁମଣ୍ଡଳରେ ବିକ୍ଷିପ୍ତ ତଥା ବିଷାକ୍ତ ତରଙ୍ଗ ସୃଷ୍ଟି ହେଉଛି । ଅନୁଚ୍ଚ ସ୍ୱର ପ୍ରୟୋଗ ଏବଂ ଯଥାସମ୍ଭବ ନିରବତା ରକ୍ଷା ଦିଗରେ ପ୍ରୟାସ ଆମ ମାନବ ସଭ୍ୟତାକୁ ସୁରକ୍ଷିତ ରଖିବା ଦିଗରେ ମୁଖ୍ୟ କବଚ ହୋଇପାରିବ । ସୁତରାଂ, କମ୍ କହିବା ଏବଂ ଅଧିକ ଧୈର୍ଯ୍ୟ ସହିତ ଶୁଣିବା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ଅନ୍ୟଥା, ସାଂଘାତିକ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ!