ମୁମ୍ବାଇ ୨୮/୦୬: ରଶ୍ମିକା ମନ୍ଦାନାଙ୍କ ଅପ୍କମିଙ୍ଗ୍ ଫିଲ୍ମର ଘୋଷଣା ହୋଇଛି । ଶୁକ୍ରବାର ଫିଲ୍ମ ‘ମାଇସା’ର ପୋଷ୍ଟର୍ ରିଲିଜ୍ ହୋଇଛି । ‘ପୁଷ୍ପା-୨’ ପରେ ଏହା ରଶ୍ମିକାଙ୍କର ଅନ୍ୟତମ ପାନ୍ ଇଣ୍ଡିଆ ଫିଲ୍ମ। ଅନ୍ଫର୍ମୁଲା ଫିଲ୍ମସ ବ୍ୟାନର୍ ଅଧୀନରେ ନିର୍ମିତ ‘ମାଇସା’ର କାହାଣୀ ଜଣେ ମହିଳା ଯୋଦ୍ଧାଙ୍କ ସାହସ ଓ ନିର୍ଭୀକତାକୁ ପରଦାକୁ ଆଣିବ । ଫିଲ୍ମର ପୋଷ୍ଟର୍ରେ ରଶ୍ମିକାଙ୍କ ଭୟଙ୍କର ଲୁକ୍ ଦେଖିବାକୁ ମିଳିଛି । ତାଙ୍କର ଏଭଳି ରୂପ ପୂର୍ବରୁ କେବେ ଦେଖିନଥିଲେ ଦର୍ଶକ । ତାଙ୍କ ଚେହେରାରେ ଜୋଶ୍ ସ୍ପଷ୍ଟ ଦେଖିବାକୁ ମିଳୁଛି । ରଶ୍ମିକା ଏହି ପ୍ରୋଜେକ୍ଟକୁ ନେଇ ଖୁବ୍ ଉତ୍ସାହିତ ।
ଫିଲ୍ମର ଟାଇଟଲ ନିଜ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଶେୟାର କରି ସେ କ୍ୟାପ୍ସନ ଲେଖିଛନ୍ତି ‘ମୁଁ ସର୍ବଦା ଆପଣଙ୍କୁ କିଛି ନୂଆ... କିଛି ଭିନ୍ନ... କିଛି ରୋମାଞ୍ଚକ ଦେବାକୁ ଚେଷ୍ଟା କରେ । ଏହା ସେହିଭଳି ଏକ ପ୍ରୋଜେକ୍ଟ । ଏଭଳି ଏକ ଚରିତ୍ର, ଯାହା ମୁଁ ପୂର୍ବରୁ କେବେ ନିର୍ବାହ କରିନାହିଁ । ଏଭଳି ଏକ ଦୁନିଆ ଯେଉଁଠିକୁ ମୁଁ ପୂର୍ବରୁ କେବେ ଯାଇନାହିଁ । ମୋର ଏଭଳି ରୂପକୁ ମୁଁ ନିଜେ ବି ଏପର୍ଯ୍ୟନ୍ତ ଦେଖିନଥିଲି । ଏହା କ୍ରୋଧପୂର୍ଣ୍ଣ । ଖୁବ୍ ଦମ୍ଦାର ଏବଂ ପୂରା ଅସଲି । ମୁଁ ଟିକିଏ ନର୍ଭସ୍ ଅଛି, କିନ୍ତୁ ବହୁତ ଖୁସି । ଆପଣଙ୍କୁ ଫିଲ୍ମ ଭେଟି ଦେବାକୁ ମୁଁ ଆଉ ଅପେକ୍ଷା କରିପାରୁନି ।’ ‘ମାଇସା’ ଏକ ଇମୋସନାଲ ଆକ୍ସନ୍ ଫିଲ୍ମ, ଯାହା ଗୋଣ୍ଡ ଜନଜାତିର ମନଛୁଆଁ ଓ ଅଦେଖା ଦୁନିଆକୁ ନେଇଯିବ।