ମୁମ୍ୱାଇ,୨୬/୦୬:ନିକଟରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ଅଭିନେତା ବିଜୟ ବର୍ମା ତାଙ୍କ ପ୍ରେମ ସମ୍ପର୍କରୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ । ୨୦୨୨ରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବାର ଚର୍ଚ୍ଚା ଜୋର ଧରିଥିଲା। ଯାହା ତାଙ୍କ ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ଏନେଇ ଏପର୍ଯ୍ୟନ୍ତ ବ୍ରେକଅପ୍ ଖବର ଉପରେ ତମନ୍ନା ଏବଂ ବିଜୟ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ବିଜୟ ଆଉ ଜଣେ ଅଭିନେତ୍ରୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ବିଜୟ ଏବେ ଅଭିନେତ୍ରୀ ଫାତିମା ସନା ଶେଖ୍ଙ୍କୁ ଡେଟ୍ କରୁଛନ୍ତି। ମୁମ୍ବାଇର ଏକ କାଫେ ବାହାରେ ଦୁହିଁଙ୍କୁ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ପରସ୍ପରକୁ ଦେଖି ହସୁଥିବା ସହ ଆଲିଙ୍ଗନ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହେବା ପରେ ସେମାନେ ପ୍ରକୃତରେ ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ସେ ନେଇ ଲୋକେ ଚର୍ଚ୍ଚା ଆରମ୍ଭ କରିଦେଲେଣି । ଏପର୍ଯ୍ୟନ୍ତ ବିଜୟ କିମ୍ବା ଫାତିମା ସେମାନଙ୍କ ସମ୍ପର୍କ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ପ୍ରକାଶ ଥାଉକି,ବିଜୟ ବର୍ମା ପୂର୍ବରୁ ତମନ୍ନା ଭାଟିଆଙ୍କ ସହ ସମ୍ପର୍କରେ ଥିଲେ। ଦୁହେଁ ୨୦୨୩ ମସିହାରେ 'ଲଷ୍ଟ୍ ଷ୍ଟୋରିଜ୍' ଧାରାବାହିକରେ ଏକାଠି କାମ କରିଥିଲେ। କିଛି ମାସ ଧରି ପରସ୍ପରକୁ ଡେଟ୍ କରିବା ପରେ,ତମନ୍ନା ଭାଟିଆ ଦେଇଥିବା ଏକ ସାକ୍ଷାତକାରରେ ବିଜୟଙ୍କ ସହ ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ। ବିଜୟ ବର୍ମା ଏବଂ ଫାତିମା ସନା ଶେଖ ଆଗାମୀ ଫିଲ୍ମ 'ଗୁସ୍ତାଖ୍ ଇସ୍କ'ରେ ଏକାଠି କାମ କରୁଛନ୍ତି। ଏହି ଫିଲ୍ମଟି ବିଭୁ ପୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ ଏବଂ ସରିବ ହାସମୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।