ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜୁଲାଇ ୧୮ରେ ମୁକ୍ତିଲାଭ କରିବ ‘ଇନ୍ଦ୍ରଧନୁ’

Published By : Rasmita Pradhan | June 25, 2025 2:49 PM

ଭୁବନେଶ୍ଵର : ମାନବ ଇତିହାସର ଦୀର୍ଘ ଯାତ୍ରାରେ ଇନ୍ଦ୍ରଧନୁର ସାତ ରଙ୍ଗକୁ ଦର୍ଶନ, କଳା, ପ୍ରକୃତି ଏବଂ ନାନାଦି ଭାବନାର ବ୍ୟାଖ୍ୟା କରିବା ପାଇଁ ଭିନ୍ନ ଭିନ୍ନ ଭାବରେ ଅଭିବ୍ୟକ୍ତ କରାଯାଇଛି । କେବେ ଏହି ରଙ୍ଗଗୁଡ଼ିକ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନର ପ୍ରତୀକ ଭାବେ ବ୍ୟବହୃତ ହୋଇଛନ୍ତି ତ କେବେ ଏ ରଙ୍ଗ ମାଧ୍ୟମରେ ଚିତ୍ରିତ ହୋଇଛି ବହୁ ପାର୍ଥିବ ଅବବୋଧ ଓ ଅନେକ ଅତିପାର୍ଥିବ ଅବଧାରଣା। ଏ ରଙ୍ଗ ସବୁର ବ୍ୟାଖ୍ୟାରେ ଲୁଚି ରହିଛି ପ୍ରେମ, ଆକାଂକ୍ଷା, ଆସ୍ଥା, ଆଶା, ଭୟ, ଅପେକ୍ଷା ଏବଂ ଶୂନ୍ୟତା ଭଳି ଅନେକ ଚେତନାର ଚିତ୍ର । ସେଇ ଚେତନାମାନଙ୍କ ମଧ୍ୟରୁ କିଛି ଚେତନାକୁ ସାତଟି ଛୋଟ ଛୋଟ କାହାଣୀ ଆକାରରେ ଏକାଠି ଗୁନ୍ଥି ଖୁବ୍‌ ଶୀଘ୍ର ବଡ଼ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଇନ୍ଦ୍ରଧନୁ’ । 

‘ଇନ୍ଦ୍ରଧନୁ’ ସାତଟି ଛୋଟ ଛୋଟ କାହାଣୀର ଏକ ସଂଗ୍ରହ, ଯହିଁରେ ସ୍ଥାନିତ ହେଇଥିବା କାହାଣୀ ସବୁ ଇନ୍ଦ୍ରଧନୁର ସାତଟି ରଙ୍ଗକୁ ପ୍ରତିନିଧିତ୍ୱ କରନ୍ତି । ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦୀ, ନାରଙ୍ଗୀ ଓ ଲାଲ - ‘ବାଘନିସହନାଲା’ର କ୍ରମରେ ଆକାଶରେ ସାତ ରଙ୍ଗର ଇନ୍ଦ୍ରଧନୁ ଦିଶିବା ପରି ପରଦାର ଏ ଇନ୍ଦ୍ରଧନୁରେ ବି ସମ-କ୍ରମିକତାରେ ରହିଛି ସାତଟି ରଙ୍ଗଭିତ୍ତିକ କାହାଣୀ । ଛୋଟ ପିଲାଟିଏର ସରଳ ବିଶ୍ୱାସରୁ ଆରମ୍ଭ ଏ ଇନ୍ଦ୍ରଧନୁ, ଯାହାର ଶେଷ ଦୁଇ ବୟସ୍କ ମଣିଷଙ୍କ ଅନାବିଳ ପ୍ରେମ ପାଖରେ । ମଝିରେ ଅଛି ଆଉ ପାଞ୍ଚଟି କାହାଣୀ, ଯେଉଁମାନେ ବାକି ରଙ୍ଗମାନଙ୍କ କଥା କହିବା ଆଳରେ କୁହନ୍ତି ପ୍ରେମ କଥା, ବିଶ୍ୱାସ କଥା, ସ୍ୱପ୍ନ କଥା, ଓ ସ୍ୱପ୍ନଭଙ୍ଗ କଥା! 

‘ଇନ୍ଦ୍ରଧନୁ’ର ନିର୍ଦ୍ଦେଶନା, ଚିତ୍ର ଉତ୍ତୋଳନ ଓ ସମ୍ପାଦନା କରିଛନ୍ତି ଅର୍ଜୁନ ସାମନ୍ତରାୟ । ପରିକଳ୍ପନା କରିଛନ୍ତି ସୂର୍ଯ୍ୟସ୍ନାତ ତ୍ରିପାଠୀ । ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ପ୍ରଯୋଜିତ ଏ ସିନେମାଟିରେ ସହ-ପ୍ରଯୋଜକ ଭୂମିକାରେ ଅଛନ୍ତି ସୂର୍ଯ୍ୟସ୍ନାତ ଓ ସୁରଭି ପଟ୍ଟନାୟକ । କାହାଣୀ ସବୁ ନିଖିଳେଶ ମିଶ୍ର, ସରୋଜ ବଳ, ବାଦଲ ମହାନ୍ତି ଓ ସୂର୍ଯ୍ୟସ୍ନାତଙ୍କ ଦ୍ୱାରା ଲିଖିତ ହେଇଥିବାବେଳେ ସିନେମାଟିକୁ ସଂଗୀତରେ ସଜେଇଛନ୍ତି ଅନୁରାଗ ପଟ୍ଟନାୟକ । ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଶୀର୍ଷକ ଗୀତକୁ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଓମ ପ୍ରକାଶ ମହାନ୍ତିଙ୍କ ସଂଗୀତରେ ସ୍ୱର ଦେଇଛନ୍ତି ସୁସ୍ମିତା ଦାସ ଓ ରତିକାନ୍ତ ଶତପଥୀ । ମୁଖ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶମହାପାତ୍ର, ସ୍ମିତା ମହାନ୍ତି, ରମାକାନ୍ତ ମିଶ୍ର, ଭାସ୍ୱତୀ ବସୁ, ଦେବଦତ୍ତ ପତି, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ସୁଧାଶ୍ରୀ ମଧୁସ୍ମିତା, ରିଙ୍କୁ ପଧାନ, ସୌମ୍ୟ ରଞ୍ଜନ, ସମର୍ପିତା, ଦିଶାନୀ ଦେବଞ୍ଜନା, ସାଗର ଷଡ଼ଙ୍ଗୀ, ଅମିଷା ମହାନ୍ତି, ରୂପଶ୍ରୀ ଓ ଅନ୍ୟମାନେ । ଜୁଲାଇ ୧୮ ତାରିଖରେ ଇନ୍ଦ୍ରଧନୁ ମୁକ୍ତିଲାଭ କରିବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.