ଯେଉଁମାନେ ପରମାତ୍ମାଙ୍କର ଆୱାଜ ଶୁଣିଛନ୍ତି ସେମାନେ ସେହିସବୁ ମଣିଷ ଯେଉଁମାନେ ନିଜର ଆୱାଜ, ଶବ୍ଦ, ସ୍ୱରକୁ ହଜେଇ ଦେଇଛନ୍ତି। ଯେଉଁମାନେ ପରମାତ୍ମାଙ୍କର ଅସ୍ତିତ୍ୱକୁ ଅନୁଭବରେ ଆଣିଛନ୍ତି ସେମାନେ ସମସ୍ତେ ପୋଥି ପୁରାଣରୁ, ଶାସ୍ତ୍ର, ପୁସ୍ତକରୁ ଶିଖିଥିବା ଶବ୍ଦକୁ ଭୁଲିଯାଇ ମୌନ ହୋଇଯାଇଛନ୍ତି ।
ଯଦି ସତ୍ୟ ସହ ସମ୍ବନ୍ଧିତ ହେବାକୁ ଚାହଁ, ତେବେ ତୁମ ଭିତରେ ଥିବା ଭିଡ଼କୁ ବାହାର କରିଦେବା ଜରୁରି । ଭିତରେ ଶବ୍ଦମାନଙ୍କର ଯେଉଁ ଭିଡ଼ ଲାଗିରହିଛି, ମେଳଣ ବସିଛି, ସେଥିରୁ ମୁକ୍ତ ହେବା ଦରକାର । କିନ୍ତୁ ଆମେ ତ କହିଥାଉ ଶବ୍ଦ ହେଉଛି ଜ୍ଞାନ । ତାହେଲେ ସେଥିରୁ ମୁକ୍ତି ମିଳିବ କିପରି? ଯେତେଦିନ ଯାଏଁ ଆମେ ଶବ୍ଦକୁ ଜ୍ଞାନ ବୋଲି ବୁଝିନେଇଛୁ ସେତେଦିନ ଯାଏଁ ଆମେ ଶବ୍ଦ କବଳରୁ ମୁକ୍ତି ପାଇପାରିବା ନାହିଁ । ଯେଉଁଦିନ ଆମେ ଭାବିବା ଯେ, ଶବ୍ଦ ଆଦୌ ଜ୍ଞାନ ନୁହେଁ ବରଂ ଶବ୍ଦ କାରଣରୁ ଆମେ ଆମର ଅଜ୍ଞାନତାକୁ ଘୋଡ଼େଇ ଦେଇପାରିଛେ । ଶବ୍ଦ ହେଉଛି ମିଛ ଜ୍ଞାନ । ସୁଇଡୋ ନଲେଜ୍ । ଶବ୍ଦ ଆଦୌ ଜ୍ଞାନ ନୁହେଁ ବୋଲି ଯେଉଁଦିନ ଆମର ଚେତା ପଶିବ ସେହିଦିନ ଆମେ ଶବ୍ଦକୁ ଫୋପାଡ଼ି ଦେଇପାରିବା । ଆଉ ଯେଉଁଦିନ ଶବ୍ଦରୁ ମୁକ୍ତି ମିଳିଯିବ ସେହିଦିନ ଆମ ଭିତରେ ଏକ କ୍ରାନ୍ତି ଘଟିଯିବ। ଏକ ନୂଆ ଦୁନିଆ ଖୋଲିଯାଇ ପାରିବ । ଏକ ନୂଆ ଦ୍ୱାର ଖୋଲିଯିବ ଜୀବନରେ ।
ଗୋଟିଏ ପୁରୁଣା ସାମ୍ରାଜ୍ୟ ଥିଲା । ରାଜ୍ୟର ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥାଏ । ରାଜା ଖୁବ୍ ଚିନ୍ତିତ ଥାଆନ୍ତି । ସେ ରାଜ୍ୟର ଏକ ନିୟମ ଥିଲା ଯେ, ରାଜ୍ୟର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିକୁ ହିଁ ରାଜା ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥାଆନ୍ତି । ରାଜା ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ରାଜ୍ୟରୁ ତିନିଜଣ ବୁଦ୍ଧିମାନ ବ୍ୟକ୍ତିଙ୍କୁ ବାଛି ଥାଆନ୍ତି । ସେ ତିନିଜଣଙ୍କୁ ରାଜା ରାଜଧାନୀକୁ ଡକାଇ ପଠାଇଲେ ଅନ୍ତିମ ପରୀକ୍ଷା ପାଇଁ । ତିନିଜଣଙ୍କ ମଧ୍ୟରୁ ଜଣେ ବଛା ଯିବେ । ତିନିଜଣ ରାଜଧାନୀରେ ପହଞ୍ଚିଲେ । ପ୍ରତ୍ୟେକ ଘୋର ଚିନ୍ତିତ । ଜଣାନାହିଁ ପରୀକ୍ଷା କିପରି ହେବ? ଯେମିତି ସାଧାରଣତଃ ପରୀକ୍ଷାର୍ଥୀମାନେ ହୋଇଥାଆନ୍ତି । ତିନି ଯୁବକ ରାଇଜ ସାରା ବୁଲିବୁଲି ଲୋକମାନଙ୍କୁ ପଚାରିଲେ ପରୀକ୍ଷା କେମିତି ହେବ ବୋଲି ରାଜା ଠିକ୍ କରିଛନ୍ତି, ସେମାନେ ଜାଣିଛନ୍ତି କି?
ସମସ୍ତେ କହିଲେ- ପରୀକ୍ଷା କିପରି ହେବ ବହୁତ ଦିନ ଆଗରୁ ରାଜା ଠିକ୍ କରିସାରିଛନ୍ତି । ରାଜା ଗୋଟିଏ ନୂଆ ଘର ତିଆରି କରିଛନ୍ତି । ସେ ଘର ଭିତରେ ଗୋଟିଏ ସ୍ୱତନ୍ତ୍ର କକ୍ଷ ତିଆରି ହୋଇଛି । ସେ କକ୍ଷରେ ଗୋଟିଏ ତାଲା ଝୁଲିଛି । ତାଲା ହେଉଛି ଗଣିତର ଏକ ପ୍ରହେଳି । ସେହି ତାଲାର କୌଣସି ଚାବି ନାହିଁ । ତାଲା ଦେହରେ ଗଣିତର ଅଙ୍କ ଖୋଦେଇ ହୋଇଛି । ଆଉ ଯିଏ ସେହି ଗଣିତର ସମାଧାନ କରିଦେଇ ପାରିବ କେବଳ ସିଏ ସେହି ତାଲାକୁ ଖୋଲିଦେବାରେ ସଫଳ ହେବ । ଆଉ ଏହି ତିନି ଯୁବକଙ୍କୁ ସେହି କକ୍ଷରେ ବନ୍ଦ କରିଦେଇ ଦ୍ୱାରରେ ସେହି ତାଲା ପକାଇ ଦିଆଯିବ । ଯିଏ ପ୍ରଥମେ ସେହି ତାଲାକୁ ଖୋଲିଦେଇ ବାହାରକୁ ବାହାରିଯାଇ ପାରିବ ସେ ହିଁ ମନ୍ତ୍ରୀ ପଦରେ ଅଭିଷିକ୍ତ ହେବ । ଏ କଥା ଶୁଣି ତିନିହେଁ ଘବରେଇ ଗଲେ ।
ବାସ୍, ଏହାପରେ ଗୋଟିଏ ଯୁବକ ସିଧା ଯାଇ ନିଜ ଘରେ ଆରାମରେ ଶୋଇ ପଡ଼ିଲା । ଅନ୍ୟ ଦୁଇ ଯୁବକ ଭାବିଲେ ବୋଧହୁଏ ପ୍ରଥମ ଯୁବକ ଆଉ ପରୀକ୍ଷାରେ ଭାଗ ନେବନାହିଁ । ରାତି ପାହିଲେ ପରୀକ୍ଷା । ଆଖିକୁ ନିଦ ଆସୁଛି ବା କୁଆଡ଼ୁ? ଦୁଇ ଯୁବକ ଦୌଡ଼ିଲେ ବଜାରକୁ। ପରଦିନ ସକାଳୁ ପରୀକ୍ଷା । ଅଥଚ ତାଲା ସମ୍ବନ୍ଧରେ ଏମାନଙ୍କର ଆଦୌ କୌଣସି ଜ୍ଞାନ ନଥିଲା । ନା ଏମାନେ ଚୋର ଥିଲେ ନା ତାଲା କାରିଗର । ନା ଇଞ୍ଜିନିୟର ବା ନେତା ଯେଉଁମାନଙ୍କୁ ସଂସାରର ସବୁ ବିଷୟରେ ମାଲୁମ ଥାଏ ବୋଲି ସେମାନେ ଭାବି ଥାଆନ୍ତି । ବିଚରା ବଡ଼ ହଇରାଣରେ ପଡ଼ିଗଲେ । ଯାଇକରି ତାଲା ଦୋକାନୀକୁ ପଚାରିଲେ । ଗଣିତର ବିଦ୍ୱାନଙ୍କ ସହ ବିଚାର ବିମର୍ଶ କଲେ । ଗଣିତର ପ୍ରହେଳି ଉପରେ ଲିଖିତ ମୋଟା ମୋଟା ପୁସ୍ତକ ସଂଗ୍ରହ କଲେ । ରାତିସାରା ଅନିଦ୍ରା ରହି କଣ୍ଠସ୍ଥ କରିବାରେ ଲାଗିପଡ଼ିଲେ । ଜୀବନର ପ୍ରଶ୍ନ । ଗୋଟିଏ ରାତି ନଶୋଇଲେ କ୍ଷତି କଅଣ ହେବ? କିନ୍ତୁ ପ୍ରଥମ ଯୁବକ ଯିଏ ରାତିସାରା ଶୋଇଥିଲା ସକାଳ ହେବା ମାତ୍ରକେ ଉଠିପଡ଼ି ସ୍ନାନାଦି ସାରି ଅନ୍ୟ ଦୁଇ ବନ୍ଧୁଙ୍କ ସହ ରାଜମହଲ ଉଦ୍ଦେଶ୍ୟରେ ବାହାରି ପଡ଼ିଲା । ଯାହା ଏମାନେ ଆଗରୁ ଶୁଣିଥିଲେ ଅବିକଳ ସତ ଥିଲା । ରାଜା ଏ ତିନିହେଁଙ୍କୁ ଗୋଟିଏ କକ୍ଷ ଭିତରେ ବନ୍ଦ କରିଦେଇ କହିଲେ ଏ ତାଲାର କୌଣସି ଚାବି ନାହିଁ । ଇଏ ହେଲା ଗଣିତର ଏକ ଗୋଲକଧନ୍ଦା । ଅଙ୍କ ତାଲା ଉପରେ ଖୋଦେଇ ହୋଇଛି । ଏହାକୁ ସମାଧାନ କରିବାକୁ ଚେଷ୍ଟା କର । ଯିଏ ପ୍ରଥମେ ବାହାରକୁ ବାହାରି ଆସିବ ସେ ହିଁ ବୁଦ୍ଧିମାନ ଘୋଷିତ ହେବ ଏବଂ ମୋର ମନ୍ତ୍ରୀ ହେବ । ମୁଁ ତୁମମାନଙ୍କୁ ବାହାରେ ପ୍ରତୀକ୍ଷା କରିଛି ।
ତିନିହେଁ କୋଠରି ଭିତରକୁ ଗଲେ । ଯେଉଁ ଯୁବକ ରାତିସାରା ଶୋଇଥିଲା ସେ ସିଧା ଯାଇ କୋଠରିର ଗୋଟିଏ କୋଣରେ ଆଖିବୁଜି ଚୁପ୍ଚାପ ବସିପଡ଼ିଲା । ଅନ୍ୟ ଦୁଇ ବନ୍ଧୁ ତାକୁ କହିଲେ- ଆରେ ତୁ ପାଗଳ ହୋଇଗଲୁ ନା କଅଣ? ଆଖି ବନ୍ଦକରି ବସିଲେ ଦୁନିଆର ପ୍ରଶ୍ନସବୁର ସମାଧାନ ହୋଇଯିବ ନା କଅଣ? ପ୍ରଥମ ଯୁବକ ସେ ଆଡ଼କୁ କର୍ଣ୍ଣପାତ କଲାନାହିଁ । ଅନ୍ୟ ଦୁଇ ଯୁବକ ନିଜ ପେଟ ଭିତରେ ଲୁଚାଇ ନେଇଥିବା ପୁସ୍ତକ ଖୋଲି ଗଣିତର ସମାଧାନ କରିବାରେ ଲାଗି ପଡ଼ିଲେ । କିଛି ସମୟ ବିତିଗଲା । ପ୍ରଥମ ଯୁବକ ତା’ ଆଖି ଖୋଲିଲା । ଚୁପ୍ଚାପ୍ ଉଠିଲା । ଦୁଆର ମୁହଁ ପାଖକୁ ପାଦ ଚିପିଚିପି ଗଲା ଯେମିତି ଅନ୍ୟ ଦୁଇଜଣ ଆଦେ କିଛି ଶୁଣିପାରିବେ ନାହିଁ । କବାଟକୁ ଠେଲିଦେଲା । କବାଟ କେବଳ ଆଉଜା ହୋଇଥିଲା । ତାଲା ଲଗାଯାଇ ନଥିଲା । ସେ ବାହାରକୁ ବାହାରି ଆସିଲା । ସମ୍ରାଟ କୋଠରି ଭିତରକୁ ପ୍ରବେଶ କଲେ ଏବଂ କହିଲେ- ବନ୍ଦ କରିଦିଅ ତୁମ ଦୁହିଁଙ୍କର ପୁସ୍ତକ । ଯାହାର ବାହାରକୁ ଆସିବାର ଥିଲା ସେ ବାହାରି ସାରିଲାଣି । ଦୁଇ ଯୁବକ ଆଶ୍ଚର୍ଯ୍ୟ ହେଲେ ।
ପଚାରିଲେ- ସେ କିପରି ବାହାରିଗଲା? ସେ ତ ଆଦୌ କିଛି କରିନାହିଁ । ରାଜା କହିଲେ- କିଛି କରିବାର ଆବଶ୍ୟକତା ହିଁ ନଥିଲା । ଦୁଆର କେବଳ ଆଉଜା ହୋଇଥିଲା । ଆଉ ମୁଁ ଏହା ଜାଣିବାକୁ ଚାହୁଁଥିଲି ଯେ ତୁମ ତିନିଜଣଙ୍କ ଭିତରୁ ଯିଏ ସବୁଠାରୁ ଅଧିକ ବୁଦ୍ଧିମାନ ହୋଇଥିବ ସିଏ ପ୍ରଥମେ ଏହା ଦେଖିବ ଯେ, ବାସ୍ତବରେ ଦୁଆର ମୂଳରୁ ବନ୍ଦ ହୋଇଛି ନା ନାହିଁ । ସମସ୍ୟାର ସମାଧାନ ପୂର୍ବରୁ ପ୍ରଥମେ ଜାଣିନେବା ଜରୁରି ଯେ, ମୂଳରୁ ଆଦୌ କୌଣସି ସମସ୍ୟା ଅଛି ନା ନାହିଁ? ଯଦି ଅଛି ତେବେ ସମାଧାନ ଖୋଜିବା । ପ୍ରଥମ ଯୁବକ ବୁଦ୍ଧିମାନର କାର୍ଯ୍ୟ କଲା । ସେ ଦେଖିଲା ସମସ୍ୟା ଅଛି ନା ନାହିଁ? ଦୁଆର ବାସ୍ତବରେ ତାଲା ପଡ଼ିଛି କି ନାହିଁ? ଦୁଆର ଆଉଜା ହୋଇଥିଲା । ସେ ବାହାରକୁ ଚାଲି ଆସିଲା ।
ଦୁଇ ଯୁବକ ପ୍ରଥମ ଯୁବକକୁ ପ୍ରଶ୍ନ କଲେ- ତୁ ପ୍ରକୃତରେ କଲୁ କ'ଣ? ବୁଦ୍ଧିମାନ ଯୁବକ ଉତ୍ତର ଦେଲା- ମୁଁ ବାସ୍ତବିକ କିଛି ହିଁ କରିନାହିଁ । ମୁଁ ଭାବିଲି ମୁଁ ଆଜିଯାଏଁ ଯାହାବା ଜାଣିଛି ସେଥିରେ କିଛି ହୋଇପାରିବ ନାହିଁ । ପରୀକ୍ଷା ନୂଆ ରକମର ଥିଲା ଯାହା ସମ୍ବନ୍ଧରେ ମୁଁ କିଛି ହିଁ ଜାଣିନଥିଲି । ଯାହା ମୋର ପୁସ୍ତକଗତ ଜ୍ଞାନ ଥିଲା ସେଥିରେ ଏ ସମସ୍ୟାର କୌଣସି ସମ୍ବନ୍ଧ ନଥିଲା । ମୋର ତଥାକଥିତ ପୋଥିଗତ ଜ୍ଞାନ ଏ କ୍ଷେତ୍ରରେ ବେକାର ଥିଲା । ତେଣୁ ମୁଁ ଭାବିଲି ଉଚିତ୍ ହେବ ଆଜିଯାଏଁ ଶିଖିଥିବା ସମସ୍ତ ଜ୍ଞାନରୁ ନିଜକୁ ମୁକ୍ତ କରିଦେଇ ମୌନ ଏବଂ ଶାନ୍ତ ହୋଇ ବସିଯିବି । ଦେଖିବି ମୋ ମୌନତାରେ କୌଣସି ଉତ୍ତର ଆସୁଛି କି ନାହିଁ? ମୁଁ ମୋର ସମସ୍ତ ଜ୍ଞାନକୁ ଛାଡ଼ିଦେଲି । ଯେତେ ଯେତେ ଶବ୍ଦ ମୋ ଭିତରେ ପଡ଼ି ରହିଥିଲେ ସେମାନଙ୍କୁ ମୁଁ କହିଲି- କ୍ଷମା କର । ଏବେ ବିନା ଶବ୍ଦରେ ଚୁପ୍ଚାପ୍ ମୁଁ ମୌନରେ ବସିବାକୁ ଚାହେଁ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଯେବେ ମୁଁ ପୂରାପୂରି ନିଃଶବ୍ଦରେ ମୌନରେ ବସିପଡ଼ିଲି ଠିକ୍ ସେତିକିବେଳେ କେହି ଜଣେ ମୋ ଭିତରେ କହିଲା "ଯାଆ, ଦେଖ୍ । ଦୁଆର ଖୋଲା ଅଛି' । ବାସ୍, ମୁଁ ବାହାରି ଆସିଛି । ଏ ଉତ୍ତର ମୋର ନୁହେଁ । ବୋଧହୁଏ ଏହା ଥିଲା ପରମାତ୍ମାଙ୍କର ଉତ୍ତର । ତୁମେ ତୁମ ଉତ୍ତର ଖୋଜୁଥିଲ । ତେଣୁ ପରମାତ୍ମାଙ୍କର ଉତ୍ତର ମିଳିବାର ପ୍ରଶ୍ନ ଉଠୁନଥିଲା । ଯେତେବେଳ ଯାଏଁ ନିଜ ଭିତରେ ନିଜର କୋଳାହଳ ଲାଗିରହିଥିବ ସେଯାଏଁ କୌଣସି ଉତ୍ତର ମିଳିପାରିବ ନାହିଁ ।
ଯେଉଁମାନେ ପରମାତ୍ମାଙ୍କର ଆୱାଜ ଶୁଣିଛନ୍ତି ସେମାନେ ସେହିସବୁ ମଣିଷ ଯେଉଁମାନେ ନିଜର ଆୱାଜ, ଶବ୍ଦ, ସ୍ୱରକୁ ହଜେଇ ଦେଇଛନ୍ତି । ଯେଉଁମାନେ ପରମାତ୍ମାଙ୍କର ଅସ୍ତିତ୍ୱକୁ ଅନୁଭବରେ ଆଣିଛନ୍ତି ସେମାନେ ସମସ୍ତେ ପୋଥି ପୁରାଣରୁ, ଶାସ୍ତ୍ର, ପୁସ୍ତକରୁ ଶିଖିଥିବା ଶବ୍ଦକୁ ଭୁଲିଯାଇ ମୌନ ହୋଇଯାଇଛନ୍ତି । ଯେଉଁମାନେ ପରମାତ୍ମାଙ୍କର କରୁଣା ପାଇଛନ୍ତି ସେମାନେ ଏ ପାଗଳ ଭିଡ଼ ଭିତରୁ ବାହାରି ଯାଇଛନ୍ତି । ସମାଜର ଗୁଳାରେ ଚାଲୁଥିବା ମଣିଷଙ୍କ ପଛରେ ଚାଲିବା ବନ୍ଦ କରି ଦେଇଛନ୍ତି । ମୌନତାରେ, ଶୂନ୍ୟତାରେ ପରମାତ୍ମାଙ୍କ ଦ୍ୱାର। ସେ ଆମ ସଭିଙ୍କ ନିକଟରେ ଅତି ନିକଟରେ ଅଛନ୍ତି । ସେ ପ୍ରତି ମୁହୂର୍ତ୍ତରେ ଆମକୁ ଡାକୁଛନ୍ତି । ଆମ ଦୁଆରକୁ ଠକ୍ ଠକ୍ କରୁଛନ୍ତି । କିନ୍ତୁ ତାଙ୍କ ଡାକ ଶୁଣିବାକୁ ଆମକୁ ଫୁରୁସତ୍ କେତେବେଳେ ଅଛି? ଆମେ ଶବ୍ଦ ଭିତରେ ଏପରି ହଜିଯାଇଛୁ ଯେ ତାର ଶାନ୍ତ ଆୱାଜ ଆମକୁ ଶୁଣାଯାଉନାହିଁ। ଏଥିରେ ପରମାତ୍ମାଙ୍କର ଦୋଷ ରହିଲା କେଉଁଠି? ବନ୍ଧୁ, ମୁଁ ମୋ ନିଜ ଅଭିଜ୍ଞତାରୁ ହିଁ କହୁଛି- ଏଥରକ ନିଃଶବ୍ଦରେ ଯାତ୍ରା ଆରମ୍ଭ ହେଉ ଯାହାର ନାମ ଧ୍ୟାନ । ହଁ ଧ୍ୟାନ ।