ଭୁବନେଶ୍ଵର, ୦୮/୦୭ : ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ। ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର। ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୁଆଇ ଦେବାନି । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ। ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଗଲା । ସବୁ ଗାଁକୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା ବୋଲି କହିଛନ୍ତି ମନମୋହନ ।
ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିବା ମନମୋହନ ତାଙ୍କର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଏ ଦାୟିତ୍ଵ ମନମୋହନ ସାମଲଙ୍କର ନୁହେଁ, ଏହା ସବୁ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ। ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ। କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଞ୍ଚି ପାରିନଥାନ୍ତା। ପୂର୍ବରୁ ବିଜେପିକୁ ଗୋଟିଏ ଦଳ ନା ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା। ନିଶ ଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା। ଏବେ ସମୟ ବଦଳିଛି। ଯେଉଁମାନେ ଆମ ବିରୋଧରେ କହିଛନ୍ତି, ସେମାନେ କ୍ଷମତା ଛାଡ଼ି ବର୍ଷେ ରହିପାରୁ ନାହାଁନ୍ତି।
ବିଜେପି ନୂଆ ସଭାପତି କହିଛନ୍ତି, ୨୦୩୬ରେ ସମୃଦ୍ଧ ଓଡ଼ିଶା ହେବ। ୨୦୪୭ରେ ବିକଶିତ ଭାରତ ହେବ। ଓଡ଼ିଶାର ସବୁଠୁ ଅଧିକ ଅବଦାନ ରହିବ। ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲା ଏବେ କରୁଛି। ବିଜେପି ସରକାର ହେବା ଯୋଗୁଁ ଧାନ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା, ୭୮ ହଜାର କିମି ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି। ସରକାର ଆସିବା ପରେ ଦାୟିତ୍ଵ ବଢିଛି। ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ଵ ବଢିଛି। ସ୍ବାଧୀନତାର ୭୮ ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି। ସବୁ ସମାଧାନ କରିବାକୁ ହେବ। ଲୋକଙ୍କ ପାଇଁ କାମ କରିବା । ବିଜେପି ସରକାର ୨୦୩୬ ମସିହା ଦେଖିବ, ୨୦୪୭ ମସିହା ବି ଦେଖିବ। ଲମ୍ବା ଇନିଙ୍ଗସ୍ ଖେଳିବ ବିଜେପି ସରକାର । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ନାହିଁ। ସମସ୍ତେ ମିଳିମିଶି ଏକ ହୋଇ କାମ କରିବା। ଅସମ୍ଭବ ବୋଲି କିଛି ଡିକ୍ସିନାରିରେ ନାହିଁ । ପରିଶ୍ରମ କଲେ ସବୁ ସମ୍ଭବ।