ନୂଆପଡ଼ା, ୮।୭ : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଏହି ମାଓ କ୍ୟାମ୍ପରୁ ଗୋଟିଏ ଟିଫିନ ବୋମା, ୨୦ଟି ଜିଲୋଟିନ ସମେତ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏନେଇ ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଜିଆର ରାଘବେନ୍ଦ୍ର ଆହୁତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗତ ଜୁଲାଇ ୫ ତାରିଖରେ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା । ନୂଆପଡ଼ା ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ଡିଭିଏଫ୍ ବାହିନୀ ନାରାୟଣ ଡୁଙ୍ଗୁରୀ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା । ସୋମବାର ସକାଳେ ଡିଭିଏଫ ଟିମ୍ର ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । ସେଥିରୁ ଏକ ଟିଫିନ ବୋମା, ୨୦ଟି ଜିଲୋଟିନ, ଗୋଟିଏ ଇଲେକ୍ଟ୍ରି ଡିଟୋନେଟର ଭଳି ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିଲେ ।
ମାଓବାଦୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ଲୋକଙ୍କୁ ଆକ୍ରମଣ କରି କୌଣସି ଏକ ବଡ଼ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ । ସୁରକ୍ଷା ବାହିନୀ ସଠିକ୍ ସମୟରେ ଅପରେସନ କରି ମାଓ କ୍ୟାମ୍ପକୁ ଠାବ କରି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛି। ଏବେ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜଙ୍ଗଲରେ ଯବାନଙ୍କ କମ୍ବିଂ ଅପରେସନ ଜାରି ରହିଥିବା ଏସପି କହିଛନ୍ତି।