ପୁରୀ,୦୮/୦୭: ସ୍ନାନପୂର୍ଣ୍ଣମୀଠାରୁ ଶୂନ୍ୟ ପଡ଼ିଛି ରତ୍ନସିଂହାସନ । ଇତି ମଧ୍ୟରେ ଜନ୍ମବେଦି ଲୀଳା ମଧ୍ୟ ସରିଛି । ଏଣିକି ରତ୍ନବେଦିକୁ ଫେରିବାର କ୍ଷଣ । ମଙ୍ଗଳବାର ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ । ରତ୍ନମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବେ ଦାରୁବ୍ରହ୍ମ । ଏହା ପୂର୍ବରୁ ସୋମବାର ରଥାରୂଢ ଠାକୁରଙ୍କୁ ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ଅଧରପଣା ଅର୍ପଣ କରାଯାଇଥିଲା
ସୋମବାର ରାତି ୮ଟା ୩୫ ମିନିଟ୍ରୁ ୯ଟା ୧୦ ମଧ୍ୟରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଭୋଗ ଲାଗିଲା ପରେ ହାଣ୍ଡିଗୁଡିକ ରଥ ଉପରେ ଗଡ଼ାଇ ଭଙ୍ଗାଯାଇଥିଲା । ରଥର ପାର୍ଶ୍ବ ଦେବାଦେବୀ, ଅଶରୀର ତଥା ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧର ହାଣ୍ଡି ଗୁଡିକୁ ଭଙ୍ଗା ଯାଉଥିବା କୁହାଯାଏ । ଠାକୁରଙ୍କୁ ପୂଜା କରାଯାଇଥିବା ପଣା ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ରଥରୁ ଅଧର ପଣା ବୋହି ବଡ଼ଦାଣ୍ଡରେ ଭାସିଥିଲା । ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରୁ ଠାକୁରଙ୍କ ପଣା ସଂଗ୍ରହ କରିଥିଲେ ।
ସୋମବାର ତିନି ରଥରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲା ବେଳକୁ ଅପରାହ୍ନ ୩ଟା ୪୫ମିନିଟ୍ । ଏହାପରେ ଅଧର ପଣା ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ଼ଓଡିଆ ମଠ ତରଫରୁ ଯୋଗାଯାଇଥିବା ୯ଟି ମାଟି ହାଣ୍ଡିକୁ ରଥ ଉପରକୁ ଅଣାଯାଇଥିଲା। ଛାଚି, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡି ଏହି ପଣା ପ୍ରସ୍ତୁତ ହୋଇଥିଲା । ପାଣିଆ ଆପଟ ସେବକମାନେ ସିଂହଦ୍ୱାର ସମ୍ମୁଖସ୍ଥ କୂଅ ପାଣି ଆଣି ରଥ ଉପରକୁ ଯୋଗାଇଥିଲେ । ପରମ୍ପରା ମୁତାବକ ମାଟି ପାତ୍ର ଉପରେ ଧଳା କରିଆ ଗାମୁଛା ମାନ ରଖି ମହାସୁଆର ସେବକମାନେ ପଣା ପ୍ରସ୍ତୁତ କରିଥିଲେ । ଭିତରଛ, ତଳୁଛ ଓ ପୁଷ୍ପାଳକ ସେବକମାନେ ଠାକୁରଙ୍କ ଅଧର ଆଗରେ ନୂଆ ଗାମୁଛା ଟେରା (ଆଢୁଆଳ) କରିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା' କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ଠାକୁରମାନଙ୍କୁ ପୂଜା କରିଥିଲେ । ତିନି ରଥରେ ୩ଟି ଲେଖାଁଏ ହାଣ୍ଡିରେ ପଣା ଅର୍ପଣ ହୋଇଥିଲା ।ଏହାପରେ ଯଥାବିଧି ହାଣ୍ଡି ଗୁଡିକୁ ଭଙ୍ଗାଗଲା । ରଥ ସମ୍ମୁଖରେ ଦଣ୍ଡାୟମାନ ହଜାର ହଜାର ଭକ୍ତ ଏହି ଦେବନୀତି ଦେଖିବାର ସୌଭାଗ୍ୟ ଲଭିଥିଲେ ।
ଆଜି ଗୋଟି ପହଣ୍ଡିରେ ରଥାରୂଢ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ବଡ଼ଭାଇ, ଭଉଣୀଙ୍କ ସମେତ ସୁଦର୍ଶନଙ୍କ ପହଣ୍ଡି ସରିବ । ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ଲକ୍ଷ୍ମୀ ସାଆନ୍ତାଣୀ । ବିଜେ ପଥରେ ଲକ୍ଷ୍ମୀ-ନାରାୟଣ କଳି ନୀତି ହେବ । ପରେ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ ଶ୍ରୀଜଗନ୍ନାଥ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳା ଦେଖି ଧନ୍ୟ ହେବେ ଲକ୍ଷାଧିକ ଭକ୍ତ । ଅପରାହ୍ଣ ୪ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ ବୋଲି ସମୟ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ଏହାପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହେବେ । ଏହା ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ନୀଳାଦ୍ରି ବିଜେ ପାଇଁ ସ୍ଥିର ହୋଇଥିବା ସମୟକ୍ରମେ ପ୍ରାତଃ ୪ଟାରେ ତିନି ରଥରେ ମଙ୍ଗଳାଳତି ହେବ । ରଥରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟାଧୂପ ବଢିବ ଅପରାହ୍ନ ସାଢ଼େ ୧ଟାରେ । ଏହାପରେ ସାଢ଼େ ୩ଟା ସୁଦ୍ଧା ରଥରେ ଚାରମାଳ ବନ୍ଧା ହୋଇ ସିଂହାସନ ମାଜଣା ହେବ । ୩ଟା୫୦ମିନିଟ୍ରେ ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିଲେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ଉକ୍ତ ଦେବନୀତି ସ୍ୱଚକ୍ଷୁରେ ଦେଖିବାକୁ ବର୍ଷକେ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଏ ଭକ୍ତ । ଏହି ଅବସରରେ ଠାକୁରଙ୍କୁ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି । ତେବେ ନୀଳାଦ୍ରି ବିଜେ ଅବସରରେ ରଥ ନିକଟରେ କିମ୍ବା ଶ୍ରୀମନ୍ଦିର ଭିତରେ ରକେଟ କିମ୍ବା ଅନ୍ୟାନ୍ୟ ପ୍ରଦୂଷଣକାରୀ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ରହିଛି । ଅମାନିଆ ବ୍ୟକ୍ତିଙ୍କ ବାଣ ଜବତ କରାଯିବା ସହ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।