ନୂଆଦିଲ୍ଲୀ,୦୮/୦୭: ଜଳୁଛି କେନିଆ । ଜୋର ଧରିଛି ସରକାରୀ ବିରୋଧୀ ହିଂସା । ଦିନକୁ ଦିନ ତୀବ୍ର ହେଉଛି ଆନ୍ଦୋଳନ । କେନିଆରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତ ହୋଇଛନ୍ତି । ବହୁ ସଂଖ୍ୟକ ଯାନବାହାନ ଓ ଘର ପୋଡ଼ି ନଷ୍ଟ ହୋଇଛି । ଧନଜୀବନ ନଷ୍ଟ ହୋଇଛି । ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ଅଶାନ୍ତିକୁ ନିୟନ୍ତ୍ରଣ କରିବାକୁ ନୈରୋବୀରେ ଲକ୍ଡାଉନ୍ ଘୋଷଣା ହୋଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର କେନିଆ ରାଜଧାନୀ ନୈରୋବୀ ସହରରେ ଅନେକ ସ୍ଥାନରେ ଉଗ୍ର ରୂପ ନେବାରେ ଲାଗିଛି ବିରୋଧ ପ୍ରଦର୍ଶନ । ଆନ୍ଦୋଳନକାରୀମାନେ ଟାୟାର ଜାଳିବା ସହ ପଥରମାଡ଼ କରିଛନ୍ତି । ସ୍ଥିତି ନୟନ୍ତ୍ରଣ ପାଇଁ ପୁଲିସ ନୈରୋବୀର ଅଧିକାଂଶ ରାସ୍ତା ବନ୍ଦ କରିଛି । ବ୍ୟାରିକେଟ୍ ଲଗାଇଛି । ରାଜଧାନୀ ଯାଉଥିବା ସବୁ ମୁଖ୍ୟ ରାସ୍ତା ବନ୍ଦ ରହିଛି । ବିକ୍ଷୋକ୍ଷକାରୀଙ୍କ ଉପରେ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ପୁଲିସ । ଏହାକୁ ନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅଶାନ୍ତ ସ୍ଥିତିକୁ ନେଇ ସାଧାରଣ ଜନତା ଭୟଭୀତ ହୋଇଛନ୍ତି ।
ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଉଗ୍ର ହେଲା ଆନ୍ଦୋଳନ- ଗତ ମାସରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ କ୍ରୋଧ ଦେଖିବାକୁ ମିଳିଥିଲା। ଜୁନ୍ ୧୭ ତାରିଖରେ ଜଣେ ବ୍ଲଗରଙ୍କ ହାଜତରେ ମୃତ୍ୟୁ ପରେ ସାରା ଦେଶରେ ପ୍ରତିବାଦ ହୋଇଥିଲା । ଜୁନ୍ ୨୫ ତାରିଖରେ ପ୍ରତିବାଦରେ ଅତି କମ୍ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୪୦୦ରୁ ଅଧିକ ଆହତ ହୋଇଥିଲେ । ସରକାର ଲୋକଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଆନ୍ଦୋଳନକାରୀ ।
କାହିଁକି ରାସ୍ତାକୁ ଓହ୍ଲାଇଲେ ଲୋକ ? ୭ ଜୁଲାଇରେ କେନିଆରେ 'ସବା-ସବା' ଦିବସ ପାଳନ କରାଯାଏ। ୩୫ ବର୍ଷ ପୂର୍ବେ ଏହି ଦିନରେ, ବହୁଦଳୀୟ ଲୋକତନ୍ତ୍ର ଦାବି କରି ଦେଶରେ ଏକ ବଡ଼ ଆନ୍ଦୋଳନ ହୋଇଥିଲା । ଏବେ ସେହି ଦିନ, ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଥିଲେ। ଏଥର ସେମାନଙ୍କର କ୍ରୋଧ ଦୁର୍ନୀତି ଏବଂ ଦରଦାମ ଉପରେ ରହିଛି । ଲୋକମାନେ ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ଇସ୍ତଫା ଦାବି କରୁଛନ୍ତି ।