ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ପୁଣି ଥରେ ଆକ୍ତାମାକ୍ତା ବିଶ୍ବ । ସୋମବାର ଜାପାନ, ସାଉଥ କୋରିଆ ସମେତ ୧୪ ଦେଶ ଉପରେ ଫ୍ରେସ୍ ଟାରିଫ ଲଗାଇବାକୁ ଘୋଷଣା କରିଛି ଆମେରିକା। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ପ୍ରଥମ ଟାର୍ଗେଟରେ ରହିଛନ୍ତି 'ବ୍ରିକ୍ସ' ଦେଶ । ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଯେଇଁ ଦେଶ ୟୁଏସଏ ପଲିସି ବିରୋଧରେ ଯିବେ, ସେମାନଙ୍କ ଉପରେ ଅଧିକ ୧୦ ପ୍ରତିଶତ ଟାରିଫ୍ ଲାଗୁ ହେବ । ଟ୍ରମ୍ପଙ୍କ ଏହି ଚେତାବନୀ ପରେ 'ବ୍ରିକ୍ସ' ଦେଶମାନେ କଡ଼ା ଆଲୋଚନା କରିଛନ୍ତି । ଆସନ୍ତୁ ଜାଣିବା ଆମେରିକା ଟାର୍ଗେଟରେ କାହିଁକି 'ବ୍ରିକ୍ସ' ଦେଶ ରହିଛନ୍ତି । ଏହି ଅତିରିକ୍ତ ଶୁଳ୍କ 'ବ୍ରିକ୍ସ' ଦେଶ ଉପରେ କ’ଣ ପ୍ରଭାବ ପକାଇବ । କ’ଣ ଏଥିରେ ଭାରତ ମଧ୍ୟ ସାମିଲ୍ ରହିଛି ?
ବ୍ରିକ୍ସ କ’ଣ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ଟ୍ରା ଟାରିଫ୍ ବିଷୟରେ ବୁଝିବା ପୂର୍ବରୁ ପ୍ରଥମେ ଜାଣି ନେବା ‘ବ୍ରିକ୍ସ’ କ’ଣ ? ବ୍ରିକ୍ସ ହେଉଛି ବିଶ୍ବରେ ବିକାଶଶୀଳ ଦେଶମାନଙ୍କର ଏକ ସମୂହ । ଏହି ସଂଗଠନର ପ୍ରତିଷ୍ଠାତା ଦେଶ ହେଉଛନ୍ତି, ବ୍ରାଜିଲ୍, ଋଷ୍, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା । ‘ବ୍ରିକ୍ସ’ ନାମ ପ୍ରତିଷ୍ଠାତା ପାଞ୍ଚ ଦେଶ ପ୍ରଥମ ଅକ୍ଷରକୁ ନେଇ ହୋଇଛି ।
‘ବ୍ରିକ୍ସ’ ସ୍ଥାପନା ୨୦୦୯ ମସିହାରେ ହୋଇଥିଲା । ୧ ଜାନୁଆରୀ, ୨୦୨୪ରେ ଏଥିରେ ଇରାନ, ମିଶ୍ର, ଇଥୋପିୟା, ଇଣ୍ଡୋନେସିଆ ଏବଂ ସଂଯୁକ୍ତ ରାଷ୍ଟ୍ର ଆରବ ଅମିରାତ୍ ସାମିଲ ହୋଇଥିଲେ । ସାଉଦି ଆରବ ମଧ୍ୟ ଆମନ୍ତ୍ରଣ କରାଯାଉଥିବା ରାଷ୍ଟ୍ର ଭାବେ ବ୍ରିକ୍ସ ଗ୍ରୁପରେ ଭାଗ ନେଉଛି । ମାତ୍ର ସରକାରୀ ବର୍ତ୍ତମାନ ସାମିଲ୍ ହୋଇନାହିଁ । ବ୍ରିକ୍ସର ଉଦ୍ଦେଶ୍ୟ ହେଉଛି, ଦ୍ରୁତ ଅର୍ଥନୀତି ଦେଶମାନଙ୍କୁ ଆର୍ଥିକ ସହାୟତା, ବିକାଶ ଏବଂ ବୈଶ୍ବିକ ସନ୍ତୁଳନକୁ ବଢ଼ାଇବା ।
ଟ୍ରମ୍ପ ବ୍ରିକ୍ସ ଦେଶ କାହିଁକି ଚେତାବନୀ ଦେଲେ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ ଗତ ଏପ୍ରିଲ୍ ମାସରୁ ବିଶ୍ବର ଅଧିକାଂଶ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିଥିଲେ । ଏହା ଉପରେ ପୁଣି ୯୦ଦିନ ପାଇଁ ରୋକ୍ ଲଗାଇଥିଲେ । ତେବେ ଏହି ଡେଡଲାଇନ୍ ଜୁଲାଇ ୯ ତାରିଖ ଅର୍ଥାତ୍ ଆସନ୍ତାକାଲି ଶେଷ ହେବାର ଥିଲା । ମାତ୍ର ଟ୍ରମ୍ପଙ୍କ ପ୍ରଶାସନ ଏହାକୁ ଅଗଷ୍ଟ ପହିଲା ପାର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ହେଲେ ଏହାର ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ୍ ଜୁଲାଇ ୭ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବବାସୀଙ୍କ ଉପରେ ପୁଣି ଏକ ଟାରିଫ୍ ବୋମା ପକାଇଛନ୍ତି । ଜାପାନ, ସାଉଦ ଆରବ ସହିତ ମିଆଁମାର, ଲାଓସ୍, ଦକ୍ଷିଣ ଆଫ୍ରିକା, କାଜକିସ୍ତାନ, ମାଲେସିଆ, ଟ୍ୟୁନିସିୟା, ଇଣ୍ଡୋନେସିଆ, ବ୍ରୋର୍ଣ୍ଣିୟା, ବାଂଲାଦେଶ, ସର୍ବିୟା, କମ୍ବୋଡିଆ, ଏବଂ ଥାଇଲାଣ୍ଡ ଉପରେ ୨୫ ପ୍ରତିଶତରୁ ୪୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି । ଏହା ଭିତରେ ଆମେରିକା ରାଷ୍ଟ୍ରପତି ସୋସିଆଲ୍ ମିଡିଆ ମାଧ୍ୟମରେ 'ବ୍ରିକ୍ସ' ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ୟୁଏସଏ ପ୍ରେସିଡେଣ୍ଟ ଟ୍ରୁଥରେ ଲେଖିଛନ୍ତି, ଯେଉଁ ବ୍ରିକ୍ସ ଦେଶମାନେ ଆମେରିକା ବିରୋଧୀ ପଲିସିକୁ ସମର୍ଥନ କରିବେ, ସେମାନଙ୍କ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ୍ ଲାଗୁ ହେବ । ଆମେରିକା ଏହି ନୀତି କୌଣସି ପ୍ରକାର ରିହାତି ରହିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ ନିଜ ପୋଷ୍ଟରେ କହିଛନ୍ତି । ତେବେ ବ୍ରାଜିଲରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ରେସିପ୍ରୋକାଲ୍ ଟାରିଫକୁ ନେଇ ଆଲୋଚନା ହୋଇଥିଲା । ଏହାପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ପ୍ରତିକ୍ରିୟା ଆସିଛି ।
ଏଥିପାଇଁ ଟ୍ରମ୍ପଙ୍କ ଟାର୍ଗେଟରେ ‘ବ୍ରିକ୍ସ’!
ଏବେ ପ୍ରଶ୍ନ ଉଠୁଛି ବ୍ରିକ୍ସ ଦେଶ ଉପରେ ଅତିରିକ୍ତ ଟ୍ୟାକ୍ସ ଲାଗିବାର ଏକମାତ୍ର କାରଣ କ’ଣ ରେସିପ୍ରୋକାଲ୍ ଟାରିଫ୍ ଉପରେ ଆଲୋଚନା କରିବା । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସକୁ ଟାର୍ଗେଟ୍ କରିଛନ୍ତି । କେବଳ ଏତିକି ନୁହେଁ ଏହା ପଛରେ ଅନ୍ୟ କାରଣ ରହିଛି । ବ୍ରିକ୍ସର ଦୁଇ ପ୍ରତିଷ୍ଠାତା ଦେଶ ଚୀନ ଏବଂ ଋଷ୍ ନିଜର ମୁଦ୍ରାକୁ ମଜବୁତ କରିବାରେ ଲାଗିଛନ୍ତି ଏବଂ ଚୀନ ନିଜ ମୁଦ୍ରାରେ ଟ୍ରେଡ୍ କରବା ଆରମ୍ଭ କରିଛି । ସେପଟେ ୨୦୨୨ରେ ରୁଷିଆ ବ୍ରିକ୍ସ ଦେଶମାନଙ୍କୁ ଏକ ଆନ୍ତର୍ଜାତିକ ମୁଦ୍ରାରେ ବ୍ୟବସାୟ କରିବା ଲାଗି ପ୍ରସ୍ତାବ ଦେଇଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଆମେରିକା ପ୍ରଶାସନ । ଅନ୍ୟପଟେ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଚଳିତ ବର୍ଷ ଆମେରିକା ଡଲାରରେ ହଲଚଲ ଦେଖିବାକୁ ମିଳିଛି । ଦ୍ରୁତଗତିରେ ଡଲାର ହ୍ରାସ ପାଇବାରେ ଲାଗିଛି । ଏହା ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି । ତେଣୁ ବ୍ରିକ୍ସ ଦେଶ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।...