ପୁରୀ,୦୮/୦୭: ଅଧରପଣା ହାଣ୍ଡି ଭଙ୍ଗା ହେବା ପରେ କୌଣସି ବ୍ୟକ୍ତି ଅଧର ପଣା ସଂଗ୍ରହ କରିବେ ନାହିଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବ୍ୟବସ୍ଥାବଳିରେ ନିୟମ କରିଥିଲା । ତେବେ ରଥ ତଳେ ରହି ଅନେକ ସେବାୟତ ଏହି ପଣା ସଂଗ୍ରହ କରିଥିଲେ । ଅନ୍ୟପଟେ ମହାପ୍ରଭୁଙ୍କୁ ସମର୍ପଣ ପରେ ଅଧରପଣା ଭର୍ତ୍ତି ହାଣ୍ଡି ଭଙ୍ଗା ଯିବା ପରେ ଏହା ବଡ଼ଦାଣ୍ଡରେ ଝରଣା ଭଳି ଭ୍ରମ ସୃଷ୍ଟି କରିଥିଲା । ମହାପ୍ରଭୁଙ୍କ ଅଧରାମୃତ ପାଇ ରଥ ପାଶ୍ୱର୍ ଦେବତାଙ୍କ ସମେତ ସମସ୍ତ ଅଶରୀର ଓ ଧରଣୀ ରାଣୀ ତୃପ୍ତ ହୋଇଛନ୍ତି ।
ସୋମବାର ରାତି ୮ଟା ୩୫ ମିନିଟ୍ରୁ ୯ଟା ୧୦ ମଧ୍ୟରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଭୋଗ ଲାଗିଲା ପରେ ହାଣ୍ଡିଗୁଡିକ ରଥ ଉପରେ ଗଡ଼ାଇ ଭଙ୍ଗାଯାଇଥିଲା । ରଥର ପାର୍ଶ୍ବ ଦେବାଦେବୀ, ଅଶରୀର ତଥା ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧର ହାଣ୍ଡି ଗୁଡିକୁ ଭଙ୍ଗା ଯାଉଥିବା କୁହାଯାଏ । ଠାକୁରଙ୍କୁ ପୂଜା କରାଯାଇଥିବା ପଣା ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ରଥରୁ ଅଧର ପଣା ବୋହି ବଡ଼ଦାଣ୍ଡରେ ଭାସିଥିଲା । ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରୁ ଠାକୁରଙ୍କ ପଣା ସଂଗ୍ରହ କରିଥିଲେ । ଅନ୍ୟ ପଟେ ରଥ ତଳେ ରହି ସେବାୟତମାନେ ଅଧରପଣା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା