ଜଳେଶ୍ଵର, ୦୮/୦୭ : ଅସୁରକ୍ଷିତ ଡଗରା ସମୁଦ୍ର ବେଳାଭୂମି। ବୁଲିବାକୁ ଆସିଥିବା ଦୁଇ ବଙ୍ଗୀୟ ଦମ୍ପତିଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ। ମାଡ଼ ମରିବା ସହ କଲେ ଦୁର୍ବ୍ୟବହାର। ଭାଇରାଲ୍ ଭିଡିଆରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଡଗରା ସମୁଦ୍ର ବେଳାଭୂମିକୁ ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗର ଦୁଇ ଦମ୍ପତି ବୁଲିବାକୁ ଆସିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ବେଳାଭୂମିରେ ବସି ମଦ୍ୟପାନ କରୁଥିଲେ। ବଙ୍ଗୀୟ ଦମ୍ପତିଙ୍କୁ ଖରାପ ଇଙ୍ଗିତ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ମାଡ଼ ମାରିବା ସହିତ ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହି ସମୟରେ ଅନ୍ୟ କିଛି ପର୍ଯ୍ୟଟକଙ୍କ ହସ୍ତକ୍ଷେପ କରିବାରୁ ବଙ୍ଗୀୟ ପର୍ଯ୍ୟଟକ ଅସାମାଜିକଙ୍କ କବଳରୁ ରକ୍ଷା ପାଇଥିଲେ। ଏନେଇ ବଙ୍ଗୀୟ ପର୍ଯ୍ୟଟକମାନେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏହି ଘଟଣା ବେଳର ଭିଡିଓ ଏବେ ଭାଇରାଲ୍ ହେଉଛି। ପୁଲିସ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତାହେଲେ ଅସାମାଜିକଙ୍କ ଦୌରାତ୍ମ୍ୟ ବଢିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାରୁ ତିକ୍ତ ଅନୁଭୂତି ନେଇ ଫେରିବେ ବୋଲି ମତ ପ୍ରକାଶ ପାଇଛି।