ସଇଁତଳା, ୦୮/୦୭ : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ସଭାଗୃହ ଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ବିଡିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଉପଜିଲ୍ଲାପାଳ ରୋହନ ଖେତ୍ରି, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର , ଏସଡିପିଓ ଯଶୋବନ୍ତ ପଧାନ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ତହସିଲଦାର ଆଶିଷ ଏକ୍କା ଓ ବିଭିନ୍ନ ବିଭାର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଜନଶୁଣାଣୀ ଶିବିରରେ ୧୦୬ଟି ଅଭିଯୋଗର ଶୁଣାଣୀ ହୋଇଥିଲା। ଏହା ସହ ସଇଁତଳା ସାମ୍ବାଦିକ ସଂଘ ପକ୍ଷରୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବି କରାଯାଇଥିଲା।
ପ୍ରକାଶ ଥାଉକି, ଗତ ୩୦ ତାରିଖରେ ସମରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଔଷଧ ଫିଙ୍ଗା ହୋଇଥିଲା। ଏନେଇ ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଖବର ପାଇ ସାମ୍ବାଦିକମାନେ ଘଟଣାସ୍ଥଳକୁ ଯାଇଥିବା ବେଳେ ସିଏଚଓ ଗୁଣ୍ଡା ଲଗାଇ ପ୍ରମେୟ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିବାର ଏକ ସପ୍ତାହ ବିତି ଯାଇଥିଲେ ସୁଧା ଅଭିଯୁକ୍ତଙ୍କୁ ପୁଲିସ ଗିରଫ ନକରିବାରୁ ଜନଶୁଣାଣୀରେ ପ୍ରତିବାଦ କରି ହୋହଲ୍ଲା ହୋଇଥିଲା। ଔଷଧ ଫିଙ୍ଗା ଘଟଣାର ଦୋଷୀ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଅଭିଯୋଗ ହୋଇଥିଲା। ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ ସିଡିଏମଓଙ୍କୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ ରୋହନ କ୍ଷେତ୍ରୀ ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ପ୍ରକାଶ କରିଥିଲେ।
ସେହିପରି ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା ଫପସୀ ବନ୍ଧ ଠାରେ ଏକ କଲଭର୍ଟ ନିର୍ମାଣ ସହ ଗଣ୍ଡପତ୍ରାପାଲି ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସିଏଚଓ ପଦବୀ ନିଯୁକ୍ତି ପାଇଁ ଅଭିଯୋଗ କରିଥିଲେ। ସଇଁତଳା ସରପଞ୍ଚ ସୁବ୍ରତ ନାଗ ସଇଁତଳା ଏନଏଚ ୨୬ର ଗାର୍ଡୱାଲ୍ ପୁନଃ ଉଦ୍ଧାର ଅଭିଯୋଗ ଆଣିଥିବା ବେଳେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଆରଡି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ। ଅନ୍ୟପଟେ ଜିଲ୍ଲାପାଳ ଓ ଅରକ୍ଷୀ ଅଧିକ୍ଷକ ଜନଶୁଣାଣୀରେ ଅନୁପସ୍ଥିତ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା