ହରଭଙ୍ଗା୦୮/୦୭: ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବର୍ତମାନ ବନ୍ୟାଜଳ ପ୍ରବାହିତ ହେଉଅଛି। ବର୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବାରୁ ହରଭଙ୍ଗା ଅଞ୍ଚଳ ଦେଇ ଯାଇଥିବା ମହାନଦୀ ଫୁଲିବାରେ ଲାଗିଛି। ବନ୍ୟା ଯୋଗୁଁ ହରଭଙ୍ଗା ଅଞ୍ଚଳର ଚାଷଜମି ଜଳମଗ୍ନ ହେବା ସହ କୁସଙ୍ଗ ପଞ୍ଚାୟତର ମାରଡ଼ା ଗାଁଟି ବର୍ତମାନ ପାଣିଘେରରେ ଅଛି। ପୂର୍ତ୍ତବିଭାଗର ଫୁଲବାଣୀ-ଟିକରପଡ଼ା ରାସ୍ତା ଦେଇ ଯାଇଥିବା ଉଦଣ୍ଡି ନାଳରେ ବନ୍ୟାଜଳ ଯାଇ ୮ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଥିବାରୁ ମାରଡ଼ା ଗାଁକୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇ ପଡ଼ିଛି।ବର୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦିଆ ଯାଉଛି। ମାରଡ଼ା ଗାଁଟି ପ୍ରତ୍ୟେକ ବର୍ଷ ବନ୍ୟାଜଳରେ ପ୍ରଭାବିତ ହୋଇଥାଏ। ଉକ୍ତ ଗାଁକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ଗ୍ରାମବାସୀ ରାଜି ହେଉ ନଥିବା କଥା ଗ୍ରାମବାସୀ କହିଛନ୍ତି। ବନ୍ୟା ଅଞ୍ଚଳ ପ୍ରତି ତୀକ୍ଷ୍ଣଦୃଷ୍ଟି ଦେବା ପାଇଁ ବ୍ଲକର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଏହା ସହିତ ହରଭଙ୍ଗା ଦେଇ ଯାଇଥିବା ମହାନଦୀ କୁଳରେ ଅବସ୍ଥିତ ହରଭଙ୍ଗା, ଅତଲସରା, ମାରଡ଼ା, ଖଣ୍ଡିଧଳପୁର,କୁମାରୀ,ସଦଳଗଣ୍ଡା,ପାଣିଘରା ଆଦି ୩୧ ଗୋଟି ଗାଁ ବର୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ମହାନଦୀର ସାତକୋଶିଆ ଗଣ୍ଡଟି ଅଣଓସାରିଆ ହୋଇଥିବାରୁ ବନ୍ୟାଜଳ ଅତିକ୍ରମ କରିବାରେ ବିଳମ୍ବ ହେଉଅଛି । ଯାହାଦ୍ୱାରା ବନ୍ୟାଜଳ ପଛକୁ ଫେରି ନଦୀ କୂଳରେ ଥିବା ଚାଷଜମି ସବୁକୁ ପ୍ରଭାବିତ କରୁଛି । ମହାନଦୀ ଜଳସ୍ତର ବିପଦ ସଂକେତ ୮୭.୮୦ ମିଟର ଥିବା ବେଳେ ବର୍ତମାନ ତାହା ୮୫.୬୦ ମିଟର ଜଳ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇ ବିହିତ ପଦକ୍ଷେପ ନିଆଯିବା ସହିତ ବ୍ଲକର ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ନିର୍ଦ୍ଧେଶ ଦେଇଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ନଦୀ କୁଳିଆ ଅଞ୍ଚଳ ପାଇଁ ଡାକଵାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଇଛି ବୋଲି ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ ପ୍ରକାଶ କରିଛନ୍ତି ।

'ଲୋକେ ସୁଯୋଗ ଦେଇଛନ୍ତି, ହାତଛଡ଼ା କରିବା ନାହିଁ... ଲମ...