ଥୁଆମୂଳ ରାମପୁର, ୮/୭ : ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହେଲେ ଗର୍ଭବତୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାର୍ଷିକୋଣା ଗାଁରୁ ଆସିଛି ଏଭଳି ଚିତ୍ର।
ସୂଚନାନୁଯାୟୀ, ସିନ୍ଧିପଦର ପଞ୍ଚାୟତକେ ଥିହା ବାର୍ଷିକୋଣା ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା(୨୨ ବର୍ଷ) ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। ଖବର ପାଇବା ପରେ ଆମ୍ବୁଲାନ୍ସ ଆସି ଅଧାବାଟରେ ବା ଇନ୍ଦ୍ରାବତୀ କେନାଲ ରାସ୍ତାରେ ଅଟକି ଅପେକ୍ଷା କରିଥିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢି ପାରିନଥିଲା। ଫଳରେ ଗ୍ରାମବାସୀମାନେ କିଛି ଉପାୟ ନପାଇ ରଞ୍ଜିତାଙ୍କୁ ପ୍ରାୟ ୨ କି.ମି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ପରେ ଗର୍ଭବତୀଙ୍କୁ କଲମପୁର ଡାକ୍ତରଖାନାକୁ ନିଆଯାଇଥିଲା ।
ସୂଚନାଯୋଗ୍ୟ, ବାର୍ଷିକୋଣା ଗାଁ ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଯାଉଛି । ମାତ୍ର ଜରୁରୀକାଳୀନ ସେବା ପାଇଁ କଲମପୁର ଏବଂ ଜୁନାଗଡ ବ୍ଲକ୍ ଉପରେ ନିର୍ଭରଶୀଳ। ଅତୀତରେ ଅନେକ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ବାର୍ଷିକୋଣାବାସୀ। ପ୍ରାୟ ୫୦ କିଲୋମିଟର ଦୂର ନିଜ ପଞ୍ଚାୟତକୁ ଯିବାକୁ ହେଲେ ଜୁନାଗଡ ଅଞ୍ଚଳ ସୀମାଠୁ ବାହାରି କଲମପୁର ବ୍ଲକ୍ ଅତିକ୍ରମ କରି ବିପଦ ସଙ୍କୁଳ ସିଙ୍ଗାରୀ ଘାଟି ରାସ୍ତାରେ ଯିବାକୁ ପଡିଥାଏ। ଏମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅତୀତରେ ଭୋଟ୍ ବର୍ଜନ ଭଳି ପନ୍ଥା ଅବଲମ୍ବନ କରିଥିଲେ ବି ଫଳ ଶୂନ।