ଭୁବନେଶ୍ବର, ୦୮/୦୬: ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ଦଳୀୟ ନିର୍ବାଚନରେ ଅନ୍ୟ କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ମହାପ୍ରଭୁ ଜଗନ୍ନାଥ ନୀଳାଦ୍ରି ବିଜେ କରିବେ । ଏଭଳି ପବିତ୍ର ଶୁଭ ଅବସରରେ ରାଜ୍ୟର ସଭାପତି ଭାବେ ମନମୋହନ ସାମଲ ଚତୁର୍ଥ ଥର ପାଇଁ ଦାୟିତ୍ଵ ନେଉଛନ୍ତି । ଯେତେବେଳେ ବିଜେପି ପାଇଁ ମନମୋହନ କାମ କରିଛନ୍ତି, ଦଳ ପାଇଁ ଶୁଭ ସଙ୍କେତ ଆସିଛି । ମେଣ୍ଟ ସରକାର ସମୟରେ ନେତୃତ୍ବ ନେଉଥିଲେ ମନମୋହନ ସାମଲ । ୨୦୨୪ରେ ମଧ୍ୟ ମନମୋହନ ସାମଲଙ୍କ ନେତୃତ୍ୱରେ ଓଡ଼ିଆ ଲୋକଙ୍କ ସମର୍ଥନ ହାସଲ କରି ରାଜ୍ୟରେ ସରକାରକୁ ଆସିଲା ବିଜେପି । ସମୟ ବଡ଼ ବଳବାନ । ଏଭଳି ଏକ ସମୟ ଆସିଲା, ବିଜେପିର ଡବଲ ଇଞ୍ଜିନ ସରକାର ଆସିଲା ।
ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ପ୍ରଶ୍ନ କରି କହିଛନ୍ତି, ସେମାନେ ଦେଖନ୍ତୁ ଆଜି ଡବଲ ଇଞ୍ଜିନ ସରକାର ଆସିଛି । ୨୦୦୦ ମସିହାରେ ବିଜେପି ସରକାରକୁ ଆସିଥିଲା । ସେହି ମନମୋହନ ସାମଲଙ୍କ ନେତୃତ୍ୱରେ ଲୋକସେବା ଭବନରେ ବିଜେପିର ଝଣ୍ଡା ଉଡ଼ିଲା । ୨୧ରୁ ୨୦ ସାଂସଦ ଜିତିଛନ୍ତି । ମନମୋହନ ସାମଲଙ୍କ ନେତୃତ୍ୱରେ ଅସମ୍ଭବ ବି ସମ୍ଭବ ହୋଇଛି । ମନମୋହନଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡ଼ିଶା ଗଠନ ହେବ । ଛାତ୍ର ରାଜନୀତିରୁ ପୋଷ୍ଟର ଲଗାଇବା ଠାରୁ ଆରମ୍ଭ କରି ମନ୍ତ୍ରୀ, ସଭାପତି, ସାଂସଦ ଭଳି ବିଭିନ୍ନ ପଦବୀରେ ରହିଛନ୍ତି । ବିଜେପିରେ ଚତୁର୍ଥ ଥର ପାଇଁ ସଭାପତି ହୋଇ ଇତିହାସ ରଚିଛନ୍ତି ମନମୋହନ । ୯୦ ଦଶକରେ ବିରୋଧୀ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ । ବିଜେପିକୁ ଅପମାନ କରାଯାଉଥିଲା । ସରକାରକୁ ଗୋଟେ ବର୍ଷ ପୂରଣ ହୋଇଛି । ସଂକଳ୍ପ ପତ୍ର ପ୍ରତିଶ୍ରୁତି ଅନୁସାରେ ଅନେକ କାମ କରିଛି ବିଜେପି ସରକାର । କେନ୍ଦୁଝର ଜିଲ୍ଲା ଆଦିବାସୀ ଗାଁ ରାଇକଳାରୁ ଆସିଥିବା ଆଦିବାସୀ ପୁଅକୁ ଆଜି ଏହି ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ବୋଲି ମୋହନ ମାଝୀ କହିଛନ୍ତି ।
ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ମନମୋହନ ସାମଲ ଚତୁର୍ଥ ଥର ସଭାପତି ହୋଇଥିବା ବେଳେ ମୁଁ ଚତୁର୍ଥ ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଛି । ସରକାର ଏବଂ ସଙ୍ଗଠନ ଯୋଡ଼ାକୁ ଘୋଡ଼ା ସରି ନୁହେଁ । ସଂଖ୍ୟା ଦିନେ ୧୧୧ ହେବ । ସଙ୍ଗଠନ ଓ ସରକାର ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ବ । ଏହି ଦୁଇ ପାର୍ଶ୍ଵ ଆଜି ଗୋଟିଏ ହୋଇ କାମ କରିବାର ସଂକଳ୍ପ ନେଇଛନ୍ତି ।