ସକାଳୁ ସାହୁବାବୁ ଭିନ୍ନ ଚିନ୍ତାରେ ମଗ୍ନ । ପ୍ରତିଦିନ ଘରୁ ଅଫିସ୍ ଯିବା ପରେ ଯେଉଁ ମୁହୂର୍ତ୍ତଗୁଡ଼ିକ ସୁବର୍ଣ୍ଣ ମନେ ହେଉଥିଲା ତାହା ଏବେ କଷ୍ଟକର ହୋଇଗଲାଣି । ଏହା ନୁହେଁ ଯେ, ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିଛି, କେବଳ ଦିନଚର୍ଯ୍ୟା ବଦଳି ଯାଇଛି । ପିଲାମାନେ ନିଜ ପରିବାର ସହ ବ୍ୟସ୍ତ । ସ୍ତ୍ରୀଙ୍କ ମୃତ୍ୟୁ ତାଙ୍କୁ ଏକାକୀ କରିଦେଇଛି । ପତ୍ନୀଙ୍କ ଅଭାବ ତାଙ୍କୁ ପୁନଃବିବାହ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ବ୍ୟାଙ୍କରେ କାର୍ଯ୍ୟରତ ସମୟରେ ସେ ଏତେ ସମ୍ବେଦନଶୀଳ ନଥିଲେ । ଆଜିର ଦୁନିଆରେ ପୁନଃବିବାହ ନିଶ୍ଚିତ ଭାବରେ ବିକଳ୍ପ ହେବାକୁ ଯାଉଛି । ଚାରିପାଖରେ ନଜର ପକାଇଲେ ଅନେକ ଅଛନ୍ତି, ଯେଉଁମାନେ ପୁନଃବିବାହ କରି ଖୁସିରେ ଅଛନ୍ତି । ସମୟ ଥାଉ ଯଦି ଦ୍ୱିତୀୟ ବିବାହ କରିନେଇଥାନ୍ତେ..., ହେଲେ ବର୍ତ୍ତମାନ ବୟସ ୬୫ । ଆଉ ପରିବାରବର୍ଗଙ୍କ ପ୍ରତିକ୍ରିୟା ଚିନ୍ତା କରି ସାହୁବାବୁ ପଛଘୁଞ୍ଚା ଦେଉଛନ୍ତି । ଏହା ସତ ଯେ, ପରିବାରର ଅନ୍ୟ ସଦସ୍ୟମାନେ ନିଜ ନିଜ ଦୁନିଆରେ ବ୍ୟସ୍ତ ଏବଂ ସ୍ୱାଭାବିକ ଭାବେ ଆପଣ ସ୍ତ୍ରୀଙ୍କ ଅଭାବ ଅନୁଭବ କରୁଛନ୍ତି । କିନ୍ତୁ ପ୍ରକୃତରେ କ’ଣ ଆପଣ ନୂତନ ସମ୍ପର୍କ ପାଇଁ ପ୍ରସ୍ତୁତ? ଜୀବନରେ ସ୍ତ୍ରୀଙ୍କ ସ୍ଥାନ ଅନ୍ୟ ଜଣେ ମହିଳା ନେଇପାରିବେ?
ଏକ ନୂତନ ସମ୍ପର୍କ ମଧ୍ୟ ନିଜସ୍ୱ ଆଶା ନେଇ ଆସିବ । ଆପଣ ଯେଉଁ ମହିଳାଙ୍କୁ ବିବାହ କରିବେ ତାଙ୍କର ନିଜସ୍ୱ ପରିବାର, ନିଜସ୍ୱ ସମସ୍ୟା ରହିବ । ଆପଣଙ୍କୁ ସେଗୁଡ଼ିକୁ ସାଥିରେ ନେବାକୁ ପଡ଼ିବ । ପୁନଃବିବାହର ନିଷ୍ପତ୍ତି ବ୍ୟକ୍ତିଗତ । ଏହା ଜୀବନକୁ କିପରି ଉନ୍ନତ କରିବ ତାହା ଉପରେ ନିର୍ଭର କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ଖୁସିରେ କିପରି ରଖିବେ? ଏହା ଏପରି ସମୟ, ଯାହା ସକାଳ ସୂର୍ଯ୍ୟକିରଣ ପରି ଆସେ ଏବଂ ସନ୍ଧ୍ୟା ସୁଦ୍ଧା ଏକ ସୁବର୍ଣ୍ଣ ସୂର୍ଯ୍ୟାସ୍ତରେ ପରିଣତ ହୋଇଥାଏ । ସମୟଚକ୍ର ସହିତ ସୂର୍ଯ୍ୟାସ୍ତ ଆଡ଼କୁ ଗତି କରିବା ବାର୍ଦ୍ଧକ୍ୟର ପ୍ରତୀକ । ଯାହା ଶାନ୍ତି, ଆରାମ ଏବଂ ଅନନ୍ୟତାର ଅନୁଭବ ଦିଏ । ବୃଦ୍ଧାବସ୍ଥା ହେଉଛି ଆବେଗରୁ କରୁଣା ଆଡ଼କୁ ପଦକ୍ଷେପ । ଉଦାହରଣ ସ୍ୱରୂପ, ଏକ ହାଲୁକା ପବନ ଯାହା ଅନୁଭବ କରିବାକୁ ସୁଖଦ, ଗଛର ବୃଦ୍ଧି ଏବଂ ଫଳ ପାଚିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ଜୀବନ କଠିନ ଏବଂ ତିକ୍ତ ହୋଇପାରେ, କିନ୍ତୁ ବୃଦ୍ଧାବସ୍ଥାର ପ୍ରେମ ଏବଂ ବନ୍ଧୁତା ଏହାକୁ ହାଲୁକା କରିଥାଏ । ଅବସର ପରେ ନିଜକୁ କୌଣସି କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନାତିନାତୁଣୀଙ୍କ ସହିତ ମିଶିବାକୁ ଚେଷ୍ଟା କରିପାରିବେ । ସାମାଜିକ କାର୍ଯ୍ୟକ୍ରମର ଅଂଶ ହୁଅନ୍ତୁ । ସୃଜନମନସ୍କ ହେବାକୁ ଚେଷ୍ଟା କରନ୍ତୁ । ଯେକୌଣସି କଥାକୁ କେନ୍ଦ୍ର କରି ଚିନ୍ତା କଲେ ତାହା ଅଧିକ ଗଭୀର ହୋଇଯାଏ । ପ୍ରାରମ୍ଭିକ ଅବସ୍ଥାରେ ବାହାରି ଆସିବା ମାତ୍ରେ ଦ୍ୱନ୍ଦ୍ୱ ଦୂର ହୋଇଯାଏ । ବୃଦ୍ଧାବସ୍ଥା ହେଉଛି ଜୀବନର ସୁବର୍ଣ୍ଣ ପର୍ଯ୍ୟାୟ³ ଯେଉଁଠାରେ ଅଭିଜ୍ଞତା, ଜ୍ଞାନ ଏବଂ ଧୈର୍ଯ୍ୟ ମାଧ୍ୟମରେ ଏକ ନୂତନ ଦୃଷ୍ଟିକୋଣ ପ୍ରାପ୍ତ ହୁଏ । ଏହି ପର୍ଯ୍ୟାୟରେ ଅଭିଜ୍ଞତାରୁ ସଠିକ୍ ଶବ୍ଦଗୁଡ଼ିକୁ ଚିହ୍ନଟ କରି ଜୀବନର ସୌନ୍ଦର୍ଯ୍ୟକୁ ପ୍ରକାଶ କରିହୁଏ, ଯାହା ଯୌବନରେ ଲୁଚି ରହିଥାଏ ।
ଶୈଶବ ଏକ କବିତା ପରି, ଯାହାକୁ ବାରମ୍ବାର ପଢ଼ିବାକୁ ଇଚ୍ଛା ହୁଏ । ଯୌବନ ସୁଖଦ, କାରଣ ଏଥିରେ ସୌନ୍ଦର୍ଯ୍ୟ ଦେଖିବାର କ୍ଷମତା ଅଛି ଏବଂ ପ୍ରତ୍ୟେକ ବୟସରେ ସୌନ୍ଦର୍ଯ୍ୟ ଦେଖିବାର କ୍ଷମତା ଥିବା ବ୍ୟକ୍ତି କେବେ ବୃଦ୍ଧ ହୁଅନ୍ତିନାହିଁ । ଯେପର୍ଯ୍ୟନ୍ତ ନିଃଶ୍ୱାସ ଅଛି ସୌନ୍ଦର୍ଯ୍ୟ ଅଛି । ପ୍ରତ୍ୟେକ ମୁହୂର୍ତ୍ତରେ ଜୀବନକୁ ଉପଭୋଗ କରୁଥିବା ବ୍ୟକ୍ତି ଚିର ଯୁବକ । ବୃଦ୍ଧାବସ୍ଥାରେ ପ୍ରତ୍ୟେକ ହସ ଏବଂ ଲୁହରେ ସୌନ୍ଦର୍ଯ୍ୟ ଥାଏ । ବୃଦ୍ଧ ହେବା ଶେଷ ନୁହେଁ ବରଂ ଏକ ନୂତନ ସୂର୍ଯ୍ୟ, ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଏବଂ ମନୋରମ । ବୃଦ୍ଧାବସ୍ଥା ଜୀବନର ସ୍ୱାଭାବିକ ଅଂଶ, ପର୍ବତ ଚଢ଼ିବା ପରି । ଯେତେବେଳେ ଉପରକୁ ଚଢ଼ିବା ଆରମ୍ଭ କରନ୍ତି ଭୟ ଅନୁଭବ କରୁଛନ୍ତି (ପଡ଼ିଯିବାର ଭୟ) । କିନ୍ତୁ ଚଢ଼ିବା ସମୟରେ ଆମେ ଧୈର୍ଯ୍ୟ ବିକଶିତ କରୁ । ଉଚ୍ଚତାରେ ପହଞ୍ଚିବା ପରେ ସବୁ କିଛି ସୁନ୍ଦର ଦେଖାଯିବା ଆରମ୍ଭ କରେ । ଯୌବନରେ ଯାହା ଭଲପାଉ ତାହା ପାଇବା ପାଇଁ ବ୍ୟଗ୍ର ହୋଇପଡୁ । ସେହି ସମୟରେ ଧୈର୍ଯ୍ୟ ନଥାଏ । ଏହି କାରଣରୁ ଅନେକ କିଛି ହରାଇବସୁ ।
ଯୌବନରେ ପ୍ରାୟତଃ ଭୁଲିଯାଉ ଯେ, ଆମେ ନିଃସ୍ୱ । କିଛି ଜିନିଷ ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ ହିଁ ଉପଲବ୍ଧ ହୁଏ । ଯେଉଁମାନେ ଷାଠିଏ ବର୍ଷ ହେବା ମାତ୍ରେ ସାନ୍ତ୍ୱନା କିମ୍ବା କାହାର ସାହାରା ଖୋଜିବା ଆରମ୍ଭ କରନ୍ତି, ସେମାନେ ଚୀନର ଜେଜେମାଆ ଲି'ଙ୍କ ଠାରୁ ପ୍ରେରଣା ନେବା ଉଚିତ । ତାଙ୍କର ବୟସ ୯୨ । କିନ୍ତୁ ଆଜି ମଧ୍ୟ ସେ ଏକ ଯୋଗ ସ୍କୁଲର ଶିକ୍ଷକ । ପ୍ରତିଦିନ ୨୦୦ ଦଣ୍ଡ ବୈଠକ (ପୁସ୍-ଅପ୍) ଏବଂ ୧୦୦ ବସ୍- ଉଠ୍ କରି ବୟସ ସହିତ ଜଡ଼ିତ ଅନେକ ଢଗଢମାଳିକୁ ଭୁଲ୍ ପ୍ରମାଣିତ କରିଛନ୍ତି । କିଛି ଦିନ ପୂର୍ବରୁ ସେ ହୁନାନ୍ ପ୍ରଦେଶର ଜିଆଙ୍ଗୁଆ ଯାଓ ସ୍ୱୟଂଶାସିତ କାଉଣ୍ଟର ଏକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଲୋକଙ୍କୁ ଦୀର୍ଘାୟୁ ପାଇଁ ପରାମର୍ଶ ଦେବା ସମୟରେ ଭାଇରାଲ୍ ହୋଇଗଲେ । ଏବେ ସାରା ବିଶ୍ୱ ତାଙ୍କୁ ଜାଣେ । ଜେଜେମାଆ ଲି’ କୁହନ୍ତି, ଯେବେଠାରୁ ବ୍ୟାୟାମ କରିବା ଆରମ୍ଭ କରିଛନ୍ତି ରୋଗ ତାଙ୍କଠାରୁ ଦୂରେଇ ରହିଛି । ସେ କୁହନ୍ତି, ବ୍ୟାୟାମ ଯୋଗୁଁ ତାଙ୍କର ଧଳା କେଶ କଳା ହେବାକୁ ଲାଗିଛି । ସ୍ୱାସ୍ଥ୍ୟ ଏବଂ ଦୃଢ଼ ସଂକଳ୍ପକୁ ତାଙ୍କର ଆଦର୍ଶ ବୋଲି ମାନିଥାନ୍ତି । ଯେତେବେଳେ ଲୋକମାନେ ତାଙ୍କୁ ତାଙ୍କ ବୟସ ବିଷୟରେ ପଚାରନ୍ତି ସେ ହସି ହସି ଉତ୍ତର ରଖନ୍ତି- ବୟସ କେବଳ ଏକ ସଂଖ୍ୟା ।