ପରିଶେଷରେ, ଆମ ରାଜ୍ୟ ତଥା ରାଷ୍ଟ୍ରର ପରିବେଶ ସୂଚୀର ଶୀର୍ଷରେ ନିରନ୍ତର ପରିବେଶ ଅଭିଯାନକୁ ସ୍ଥାନିତ କରିବା ଅତୀବ ଅପରିହାର୍ଯ୍ୟ ବୋଧହୁଏ । ଏହା ଆମକୁ ଏକ ଆଦର୍ଶ ରାଜ୍ୟ ଓ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବ, ଯାହା ପରିବେଶ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟକ୍ରମ ସମ୍ପାଦନରେ ପ୍ରତିଫଳିତ ହେବ ।
ବିଶ୍ୱବାସୀ ସମ୍ପ୍ରତି ଏପରି ଯୁଗରେ ଜୀବନ ନିର୍ବାହ କରୁଛନ୍ତି ଯେତେବେଳେ କି ଚତୁର୍ଦ୍ଦିଗରେ ପରିବେଶ ଅବକ୍ଷୟର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହେଉଛି । ପ୍ରତିଟି ମାନବୀୟ କାର୍ଯ୍ୟକଳାପ ପରିବେଶର ଗୁଣାତ୍ମକ ମାନରେ ଅବନତି ସାଧିତ କରୁଥିବା ପ୍ରତୀୟମାନ ହେଉଛି । ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟୁନ୍ନତ ଜୀବନଶୈଳୀ, ଉପଭୋକ୍ତାବାଦର ପ୍ରସାରଣ ଏବଂ ସର୍ବୋପରି ପ୍ରକୃତି ଓ ପରିବେଶ ପ୍ରତି ସମ୍ବେଦନଶୀଳତାର ଅଭାବ ପରିସ୍ଥିତିକୁ ଅଧିକ ଗମ୍ଭୀର କରୁଛି । ପୃଥିବୀ ସାମ୍ପ୍ରତିକ ମୁହୂର୍ତ୍ତରେ ତ୍ରିଗୁଣ ପ୍ରମୁଖ ପରିବେଶୀୟ ଆହ୍ୱାନର ସମ୍ମୁଖୀନ ହେଉଛି, ଯାହା ହେଉଛି ବର୍ଦ୍ଧିତ ପରିବେଶ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ଉତ୍ପନ୍ନ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ପରିସଂସ୍ଥା ଓ ଜୈବବିବିଧତାର ଅବକ୍ଷୟ । ଏପରି ଦୃଶ୍ୟପଟ୍ଟରେ, ପରିବେଶ ସୁରକ୍ଷା ଅଭିଯାନ/ଆନ୍ଦୋଳନର ପ୍ରୟୋଜନୀୟତାକୁ ସମସ୍ତେ ହୃଦୟଙ୍ଗମ କରିବା ବାଞ୍ଛନୀୟ ।
ସାମାଜିକ ସଚେତନତାରେ ବୃଦ୍ଧି, ମାନବୀୟ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ ଏବଂ ସହନୀୟ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବା ନିମନ୍ତେ ସମ୍ପ୍ରଦାୟମାନଙ୍କୁ ସଂକଳ୍ପିତ କରିବା ପରି ପଦକ୍ଷେପଗୁଡ଼ିକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ପରିବେଶଜନିତ ସମସ୍ୟାଗୁଡ଼ିକର ଗମ୍ଭୀରତା ବିଷୟରେ ଜନସାଧାରଣଙ୍କୁ ସୂଚିତ କରିବା ଏବଂ ସଂରକ୍ଷଣ ପ୍ରକ୍ରିୟାରେ ସେମାନଙ୍କୁ ଜଡ଼ିତ କରିବା ନିମନ୍ତେ ଏକ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି । ଏକ ଦୀର୍ଘସ୍ଥାୟୀ, ସୁରକ୍ଷିତ ଭବିଷ୍ୟତର ସ୍ଥାପନକୁ ପ୍ରୋତ୍ସାହିତ କରିବାରେ ପରିବେଶ ଅଭିଯାନଗୁଡ଼ିକର ବହୁମୁଖୀ ଭୂମିକା ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଏକାନ୍ତ ଅପରିହାର୍ଯ୍ୟ ।
ପରିବେଶ ଅଭିଯାନର ଏକ ପ୍ରମୁଖ ଦୃଷ୍ଟିକୋଣ ହେଉଛି ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପରିବେଶୀୟ ସମସ୍ୟା ବିଷୟରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା । ଆଜି ମଧ୍ୟ ଅନେକ ବ୍ୟକ୍ତି ପ୍ଲାଷ୍ଟିକ୍ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ କିମ୍ବା ଜଳବାୟୁ ପରିବର୍ତ୍ତନ ଉପରେ ଜୀବାଶ୍ମ ଇନ୍ଧନର ପ୍ରଭାବ ଭଳି ସମସ୍ୟାର ଗମ୍ଭୀରତା କିମ୍ବା ଉପସ୍ଥିତି ବିଷୟରେ ଅଜ୍ଞ ହୋଇଥାଇପାରନ୍ତି । ସମାଜର ବିଭିନ୍ନ ବର୍ଗଙ୍କ ନିକଟରେ ପହଞ୍ଚିବା ନିମନ୍ତେ ବିଭିନ୍ନ ଗଣମାଧ୍ୟମକୁ, ଯେପରିକି ସାମାଜିକ ଗଣମାଧ୍ୟମ, ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ), କର୍ମଶାଳା ଏବଂ ସାଧାରଣ ସଭାକୁ ପ୍ଲାଟଫର୍ମ ଭାବରେ ବ୍ୟବହାର କରି ଅଭିଯାନଗୁଡ଼ିକର ଉପଯୁକ୍ତ ସୂଚନା ପ୍ରସାରଣ ଦିଗରେ କାର୍ଯ୍ୟ ସାଧିତ ହୁଏ । ଜଟିଳ ବୈଜ୍ଞାନିକ ଧାରଣାଗୁଡ଼ିକୁ ବୁଝିବାଯୋଗ୍ୟ ଶବ୍ଦରେ ପରିବର୍ତ୍ତିତ କରି ଏହି ଅଭିଯାନ ବ୍ୟକ୍ତିବିଶେଷଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ କରେ, ଯାହା ସେମାନଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସକ୍ଷମ କରାଏ ।
ଜନସାଧାରଣଙ୍କ ମଧ୍ୟରେ ସଚେତନତାର ସୃଷ୍ଟି ହେଉଛି ପ୍ରଥମ ପଦକ୍ଷେପ³ କିନ୍ତୁ ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ସେମାନଙ୍କର ବାସ୍ତବ ଆଚରଣଗତ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପ୍ରେରଣା ପ୍ରଦାନ କରିବା । ଯେତେବେଳେ ଜଣେ ବ୍ୟକ୍ତି ତାଙ୍କଦ୍ୱାରା ସଂଘଟିତ କାର୍ଯ୍ୟର ପରିଣାମକୁ ଠିକ୍ରୂପେ ହୃଦୟଙ୍ଗମ କରନ୍ତି, ଯେପରିକି ମାତ୍ରାଧିକ ବର୍ଜ୍ୟବସ୍ତୁ ନିର୍ଗମନ, ଶକ୍ତିର ବ୍ୟବହାର କିମ୍ବା ଜଳର ଉପଯୋଗ କରିବା³ ସେ ତାଙ୍କର ତ୍ରୁଟିଯୁକ୍ତ ଆଚରଣରେ ପରିବର୍ତ୍ତନ ଆଣିବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ । ଅଭିଯାନଗୁଡ଼ିକ ସାମଗ୍ରୀର ପୁନଃଚକ୍ରଣ, ସାର୍ବଜନୀନ ପରିବହନ ବ୍ୟବସ୍ଥାର ବର୍ଦ୍ଧିତ ବ୍ୟବହାର, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ପଦାର୍ଥରେ ହ୍ରାସ ଏବଂ ଶକ୍ତି ସଂରକ୍ଷଣ ଭଳି ଅଭ୍ୟାସକୁ ବ୍ୟାପକ କରିବା ନିମନ୍ତେ ଉତ୍ସାହିତ କରେ । ଦୃଷ୍ଟାନ୍ତ ସ୍ୱରୂପ, ମାର୍ଚ୍ଚ ମାସର ଶେଷ ଶନିବାରରେ ପାଳିତ ‘ଆର୍ଥ ଆୱାର' ଭଳି ଅଭିଯାନ କୋଟି କୋଟି ଲୋକଙ୍କୁ ଗୋଟିଏ ଘଣ୍ଟା ନିମନ୍ତେ ଆଲୋକ ବନ୍ଦ କରିବାକୁ ସଫଳତାର ସହ ଉତ୍ସାହିତ କରିଛି, ଯାହା ଶକ୍ତିର ଅତ୍ୟଧିକ ବ୍ୟବହାର ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟିରେ ସହାୟକ ହେଉଛି । ଏପରି ସାମୂହିକ କାର୍ଯ୍ୟ ଏହି ଧାରଣାକୁ ସୁଦୃଢ଼ କରେ ଯେ, ବ୍ୟକ୍ତିଗତ ପସନ୍ଦଗୁଡ଼ିକରେ ସକାରାତ୍ମକ ପରିବର୍ତ୍ତନ ବ୍ୟାପକ ପରିବେଶୀୟ ଲକ୍ଷ୍ୟ ସାଧନରେ ପ୍ରମୁଖ ଅବଦାନ ରଖିପାରେ ।
ପରିବେଶ-ସମ୍ପର୍କିତ ଅଭିଯାନଗୁଡ଼ିକ ପ୍ରାୟତଃ ସାମୂହିକ ଦାୟିତ୍ୱବୋଧରେ ବୃଦ୍ଧି ଘଟାଇ ଗୋଷ୍ଠୀଗତ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଗୁରୁତ୍ୱାରୋପ କରନ୍ତି । ଏସବୁ ସ୍ଥାନୀୟ ସ୍ତରରେ ପଦକ୍ଷେପ ଗ୍ରହଣ କାର୍ଯ୍ୟରେ ବ୍ୟକ୍ତିବିଶେଷଙ୍କୁ ସମ୍ମିଳିତ ହେବାର ସୁଯୋଗ ସୃଷ୍ଟି କରନ୍ତି, ଯେପରିକି ବୃକ୍ଷରୋପଣ, ସଫେଇ ଅଭିଯାନ କିମ୍ବା ଗୋଷ୍ଠୀ ଉଦ୍ୟାନ ବା ପାର୍କ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରୟାସ କରିବା କାର୍ଯ୍ୟ । ଏପରି କାର୍ଯ୍ୟକଳାପ କେବଳ ସ୍ଥାନୀୟ ପରିବେଶକୁ ଉନ୍ନତ କରେନାହିଁ, ସାମ୍ପ୍ରଦାୟିକ ବନ୍ଧନକୁ ମଧ୍ୟ ସୁଦୃଢ଼ କରେ । ପରିବେଶ ଅଭିଯାନରେ ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କଲେ ଆଞ୍ଚଳିକ ଜ୍ଞାନ ଏବଂ ମୂଲ୍ୟବୋଧକୁ ବ୍ୟବହାର କରିବାର ସୁଯୋଗ ସୃଷ୍ଟିହୁଏ, ଯାହା ପଦକ୍ଷେପଗୁଡ଼ିକୁ ଅଧିକ ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ କରିଥାଏ । ଏକତ୍ର ଗୋଷ୍ଠୀଭିତ୍ତିରେ କାର୍ଯ୍ୟ ସମ୍ପାଦନ କଲେ ସ୍ଥାନୀୟ ପରିବେଶଗତ ସମସ୍ୟାଗୁଡ଼ିକ ସହିତ ଜଡ଼ିତ ରହିବାର ଭାବନା ଜାଗ୍ରତ ହୁଏ, ଯାହା ଅଭିଯାନର ପରବର୍ତ୍ତୀ ସମୟରେ ସମସ୍ୟା ସହିତ ନିରନ୍ତର ସମ୍ପର୍କ ସ୍ଥାପନକୁ ପ୍ରୋତ୍ସାହିତ କରେ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପରିବେଶୀୟ ଅଭିଯାନର ସାର୍ବଜନୀନ ନୀତିକୁ ପ୍ରଭାବିତ କରିବାର କ୍ଷମତା । ସଚେତନତା ବୃଦ୍ଧି ସହିତ ନୀତି ନିର୍ଦ୍ଧାରକମାନଙ୍କ ଉପରେ ପରିବେଶୀୟ ନିୟମ ପ୍ରଣୟନ ନିମନ୍ତେ ସାଧାରଣ ଜନତାଙ୍କ ଚାପ ମଧ୍ୟ ବୃଦ୍ଧିପାଏ । ସଂଖ୍ୟାଧିକ ଲୋକଙ୍କୁ ଏକତ୍ରିତ କରୁଥିବା ଅଭିଯାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନ ଆଣିବାରେ ମଧ୍ୟ ସକ୍ଷମ ହୁଅନ୍ତି । ଉଦାହରଣ ସ୍ୱରୂପ, ପ୍ରଦୂଷଣ ନିୟନ୍ତ୍ରଣ, ନବୀକରଣୀୟ ଶକ୍ତିର ବ୍ୟାପକ ବ୍ୟବହାର କିମ୍ବା ଜଳବାୟୁ ସୁରକ୍ଷା କାର୍ଯ୍ୟକୁ ସମର୍ଥନ କରୁଥିବା ଆନ୍ଦୋଳନଗୁଡ଼ିକ ସରକାରଙ୍କୁ ମହତ୍ୱାକାଂକ୍ଷୀ ସ୍ଥାୟୀତ୍ୱ ଲକ୍ଷ୍ୟ ହାସଲ କରିବାକୁ ଜାଗ୍ରତ କରାନ୍ତି । ତୃଣମୂଳ ସ୍ତରର ଆନ୍ଦୋଳନଗୁଡ଼ିକୁ ରାଜନୈତିକ ନୀତି ସହିତ ସଂଯୋଗ କରି ଏହି ଅଭିଯାନଗୁଡ଼ିକ ନିଶ୍ଚିତ କରନ୍ତି ଯେ ପରିବେଶଗତ ପ୍ରସଙ୍ଗଗୁଡ଼ିକୁ ବିଧାନସଭା ବା ସଂସଦୀୟ କାର୍ଯ୍ୟସୂଚୀରେ ପ୍ରାଥମିକତା ପ୍ରଦାନ କରାଯାଇଛି, ଯାହା ପ୍ରାକୃତିକ ସମ୍ପଦ ଏବଂ ପରିସଂସ୍ଥା ସବୁକୁ ଦୃଢ଼ଭାବରେ ସୁରକ୍ଷିତ ରଖିବ ।
ଏପରି ଅଭିଯାନ ସବୁ ନିରନ୍ତରତା ହାସଲ କ୍ଷେତ୍ରକୁ ଏକ ବ୍ୟାପକ ସାଂସ୍କୃତିକ ପରିବର୍ତ୍ତନର ଅବଦାନ ରଖନ୍ତି । ପରିବେଶ ସମସ୍ୟା ପ୍ରତି ସଚେତନତାର ବୃଦ୍ଧି ସହିତ ଏ ଦିଗରେ ସାମାଜିକ ମାନଦଣ୍ଡ ମଧ୍ୟ ବିକଶିତ ହୁଏ । କ୍ରମଶଃ ସମ୍ପ୍ରଦାୟ, କର୍ମକ୍ଷେତ୍ର ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ପରିବେଶଗତ ଚେତନାର ବିକାଶ ଏକ ସାଧାରଣ ଆବଶ୍ୟକତାରେ ପରିଣତ ହେବାରେ ଲାଗେ । ଏସବୁ ଆନ୍ଦୋଳନ ପରିବେଶଗତ ଦାୟିତ୍ୱକୁ ପ୍ରାଥମିକତା ଦେଉଥିବା ମୂଲ୍ୟବୋଧଗୁଡ଼ିକୁ ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ, ଯାହା ବ୍ୟକ୍ତିର ମନୋଭାବ ଏବଂ ଆଚରଣରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବାରେ ସହାୟକ ହୁଏ । ଉଦାହରଣ ସ୍ୱରୂପ, ସମ୍ପ୍ରତି ସହନୀୟ ଫ୍ୟାଶନକୁ ପ୍ରୋତ୍ସାହିତ କରୁଥିବା ଅଭିଯାନ ନୈତିକ ଉପଭୋକ୍ତାବାଦ ବିଷୟରେ ଆଲୋଚନାକୁ ଉତ୍ସାହିତ କରିଛି, ଯାହା ବ୍ୟକ୍ତି ଏବଂ ବ୍ୟବସାୟ ଉଭୟଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ଅଭ୍ୟାସ ଗ୍ରହଣ କରିବାକୁ ପ୍ରଭାବିତ କରୁଛି ।
ଆର୍ଥିକ ପରିବର୍ତ୍ତନକୁ ପ୍ରୋତ୍ସାହନ ପ୍ରଦାନ ମଧ୍ୟ ପରିବେଶଗତ ଅଭିଯାନ ଦ୍ୱାରା ସୃଷ୍ଟ ସଚେତନତାର ଏକ ଅବଦାନ । ଦୀର୍ଘସ୍ଥାୟୀ ଉତ୍ପାଦ ଏବଂ ସେବା ପ୍ରଦାନ ପ୍ରତି ସାଧାରଣରେ ଚାହିଦା ବୃଦ୍ଧି ପାଉଥିବାରୁ ବ୍ୟବସାୟଗୁଡ଼ିକ ଏପରି ଆବଶ୍ୟକତାର ଗୁରୁତ୍ୱକୁ କ୍ରମଶଃ ସ୍ୱୀକାର କରୁଛନ୍ତି । ଏସବୁ ପ୍ରକ୍ରିୟା ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ସହନୀୟ ଅଭ୍ୟାସରେ ନବସୃଜନର ଉପଯୋଗକୁ ପ୍ରେରଣା ଦିଏ, ଯାହାର ପରିଣାମରେ ନୂତନ ବଜାର ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ନବୀକରଣୀୟ ଶକ୍ତି, ନିରନ୍ତର କୃଷି ଏବଂ ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକୁ ଅନ୍ତର୍ଭୁକ୍ତ କରୁଥିବା ସବୁଜ ଅର୍ଥନୀତି ଗ୍ରାହକମାନଙ୍କର ସଚେତନତା ଏବଂ ସମ୍ପୃକ୍ତି ଉପରେ ନିର୍ଭର କରି ବୃଦ୍ଧିପାଏ । ଏହି କ୍ଷେତ୍ରଗୁଡ଼ିକ ପ୍ରତି ଆଗ୍ରହ ବୃଦ୍ଧି କରି ପରିବେଶ ଅଭିଯାନଗୁଡ଼ିକ ଏକ ଦୀର୍ଘସ୍ଥାୟୀ ଆର୍ଥିକ ଦୃଶ୍ୟପଟ୍ଟ ସୃଷ୍ଟି କ୍ଷେତ୍ରକୁ ଅବଦାନ ରଖନ୍ତି ।
ପରିବେଶଜନିତ ସମସ୍ୟାଗୁଡ଼ିକର ପ୍ରଭାବ ସ୍ୱାଭାବିକ ଭାବରେ ବିଶ୍ୱସ୍ତରୀୟ ହୋଇ ପ୍ରାୟତଃ ରାଷ୍ଟ୍ରୀୟ ସୀମା ଲଙ୍ଘନ କରିଥାଏ । ଜଳବାୟୁ ପରିବର୍ତ୍ତନ, ବିବିଧ ପ୍ରକାରର ପ୍ରଦୂଷଣ, ଓଜୋନ ସ୍ତରରେ ଅବକ୍ଷୟ ଏବଂ ବନ୍ୟପ୍ରାଣୀ ବିଲୁପ୍ତି ଭଳି ବୈଶ୍ୱିକ ପରିବେଶୀୟ ଆହ୍ୱାନଗୁଡ଼ିକୁ ଦୃଷ୍ଟିଗୋଚରକୁ ଆଣୁଥିବା ଅଭିଯାନମାନ ବ୍ୟକ୍ତିବିଶେଷଙ୍କୁ ଆମ ଗ୍ରହ ସହିତ ସେମାନଙ୍କର ଆନ୍ତଃସଂଯୁକ୍ତିକରଣକୁ ବୁଝିବାରେ ସହାୟକ ହୁଏ। ଏପରି ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଏକତା ଏବଂ ସହଭାଗୀ ଦାୟିତ୍ୱର ଭାବନା ପ୍ରସାରଣକୁ ପ୍ରୋତ୍ସାହିତ କରେ । ସ୍ୱିଡେନର ଯୁବ ପରିବେଶକର୍ମୀ ଗ୍ରେଟା ଥନ୍ବର୍ଗଙ୍କ ନେତୃତ୍ୱାଧୀନ ବିଶ୍ୱ ଜଳବାୟୁ ଆନ୍ଦୋଳନ ‘ଭବିଷ୍ୟତ ପାଇଁ ଶୁକ୍ରବାର' ପରି ପଦକ୍ଷେପମାନ ଦୃଷ୍ଟାନ୍ତ ପ୍ରଦାନ କରେ ଯେ, ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକ ବିଶ୍ୱସ୍ତରରେ ପ୍ରତିଧ୍ୱନିତ ହୋଇପାରେ ଏବଂ ବିଶ୍ୱବ୍ୟାପୀ ଜନତାଙ୍କୁ ଏକ ଗମ୍ଭୀର ସମସ୍ୟାର ପୃଷ୍ଠଭୂମିରେ ଏକତ୍ରିତ କରିପାରେ ।
ଅତଏବ, ସଚେତନତା ସୃଷ୍ଟି ଏବଂ ସ୍ଥାୟିତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରିବେଶୀୟ ଅଭିଯାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଏହା ଜନସାଧାରଣଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରେ, ଆଚରଣଗତ ପରିବର୍ତ୍ତନକୁ ଉତ୍ସାହିତ କରେ, ସମ୍ପ୍ରଦାୟମାନଙ୍କୁ ନିୟାଜିତ କରେ, ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରେ ଏବଂ ଅର୍ଥନୈତିକ ପରିବର୍ତ୍ତନରେ ଅବଦାନ ରଖେ । ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସହିତ ସଂଯୋଗ କରି ଏହି ଅଭିଯାନଗୁଡ଼ିକ ବ୍ୟକ୍ତି ଏବଂ ସମ୍ପ୍ରଦାୟମାନଙ୍କୁ ଆମ ଗ୍ରହକୁ ସୁରକ୍ଷା ଦେବା ଦିଗରେ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନିମନ୍ତେ ସଶକ୍ତ କରେ । ବର୍ଦ୍ଧିତ ପରିବେଶୀୟ ସଙ୍କଟ ପରିପ୍ରେକ୍ଷୀରେ, ଏହି ଅଭିଯାନଗୁଡ଼ିକ ମାଧ୍ୟମରେ ପ୍ରଭାବଶାଳୀ ସଚେତନତା ସୃଷ୍ଟିର ଆବଶ୍ୟକତା ସମ୍ପ୍ରତି ଅଧିକ ଅନୁଭୂତ ହେଉଛି । ପୁନଶ୍ଚ, ଭବିଷ୍ୟତ ପିଢ଼ି ନିମନ୍ତେ ଆମ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ବ୍ୟବସ୍ଥାଗତ ପରିବର୍ତ୍ତନର ଅଗ୍ରଗତି ନିମନ୍ତେ ଏକ ସୁବିଜ୍ଞ ଏବଂ ନିୟୋଜିତ ଜନସମାଜର ସୃଷ୍ଟି ଏକାନ୍ତ ଜରୁରି, ଯାହା ସଭିଏଁ ଅନୁଭବ କରିବା ବାଞ୍ଛନୀୟ ।
ପରିଶେଷରେ, ଆମ ରାଜ୍ୟ ତଥା ରାଷ୍ଟ୍ରର ପରିବେଶ ସୂଚୀର ଶୀର୍ଷରେ ନିରନ୍ତର ପରିବେଶ ଅଭିଯାନକୁ ସ୍ଥାନିତ କରିବା ଅତୀବ ଅପରିହାର୍ଯ୍ୟ ବୋଧହୁଏ । ଏହା ଆମକୁ ଏକ ଆଦର୍ଶ ରାଜ୍ୟ ଓ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବ, ଯାହା ପରିବେଶ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟକ୍ରମ ସମ୍ପାଦନରେ ପ୍ରତିଫଳିତ ହେବ । ଭାରତରେ ବିଷ୍ଣୋଇ, ସାଇଲେଣ୍ଟ ଭ୍ୟାଲି, ଚିପ୍କୋ, ଆପିକୋ, ଜଙ୍ଗଲ ବଚାଓ, ନର୍ମଦା ବଚାଓ, ଚିଲିକା ବଞ୍ଚାଓ ଆଦି ଆନ୍ଦୋଳନ ପରି ଅତୀତର ସାମାଜିକ ଅଭିଯାନ ବିଭିନ୍ନ ବ୍ୟକ୍ତି, ଗୋଷ୍ଠୀ ଏବଂ ମେଣ୍ଟକୁ ସାମିଲ କରି ସଂଘଟିତ ହୋଇଥିଲା, ଯେଉଁମାନେ ପରିବେଶ ସୁରକ୍ଷାକୁ ଏକ ସାଧାରଣ ସ୍ୱାର୍ଥ ରୂପେ ବିବେଚନା କରି ପରିବେଶ ନୀତି ଓ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଏସବୁ ଦ୍ୱାରା ଅନୁପ୍ରାଣିତ ହୋଇ ଆଜିର ବର୍ଦ୍ଧିତ ପରିବେଶ ସମସ୍ୟା ସବୁର ସ୍ଥାୟୀ ସମାଧାନର ପନ୍ଥା ନିରୂପଣ କଲେ ଏକ ସୁସ୍ଥ, ଗୁଣାତ୍ମକ ମାନ ବହନକାରୀ ପରିବେଷ୍ଟନୀରେ ଜୀବନ ଯାପନ କରିବା ସମ୍ଭବପର ହେବ ।