ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ହେଲେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚିପାରି ନାହିଁ। ଯଦିଓ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖିଛି, ତଥାପି ଏପର୍ଯ୍ୟନ୍ତ ଏହି ଆତଙ୍କବାଦୀଙ୍କୁ ନେଇ କୌଣସି ସୂଚନା ମିଳିନାହିଁ । ଏବେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ପକ୍ଷରୁ ଏହାକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି। ଶିବସେନା ଘୋଷଣା କରିଛି ଯେ, ଯିଏ ଏହି ଆତଙ୍କବାଦୀ ମାନଙ୍କୁ ଚିହ୍ନଟ କରିବ ତାଙ୍କୁ ଦଳ ପକ୍ଷରୁ ଅତିରିକ୍ତ ପୁରସ୍କାର ଦିଆଯିବ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଶିବସେନା ୧୦ ଲକ୍ଷ ଟଙ୍କାର ଅତିରିକ୍ତ ପୁରସ୍କାର ଘୋଷଣା କରିଛି। ଆପଣଙ୍କୁ କହିରଖୁଛୁ ଯେ ଜମ୍ମୁ-କାଶ୍ମୀର ପୋଲିସ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରିବା ପରେ ଏହି ଘୋଷଣା କରାଯାଇଛି । ତେବେ ଏମାନଙ୍କ ଉପରେ ପୂର୍ବରୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଅପରାଧୀ ମାନଙ୍କୁ ଶୀଘ୍ର ଧରିବାକୁ ଜମ୍ମୁ-କାଶ୍ମୀର ପୋଲିସର ପ୍ରୟାସକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଶିବସେନା ଏହି ଘୋଷଣା କରିଛି ।
ଶିବସେନା ମଧ୍ୟ ଏ ସମ୍ପର୍କରେ ଏକ ଚିଠି ଜାରି କରିଛି ଯେଉଁଥିରେ ଲେଖାଯାଇଛି, 'ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିବା ସୂଚନା ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ଚିଠିରେ ଆହୁରି ମଧ୍ୟ ଏକନାଥ ସିନ୍ଦେ କହିଛନ୍ତି,"ଆମେ ଆତଙ୍କବାଦ ଏବଂ ଏହାକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ ଭାବରେ ଅଛୁ। ଆମେ ନାଗରିକ ମାନଙ୍କୁ ଅନୁରୋଧ କରୁଛୁ ଯେ ଯଦି ସେମାନଙ୍କ ପାଖରେ ଏପରି କୌଣସି ସୂଚନା ଅଛି, ତାହାଲେ ସେମାନେ ଆଗକୁ ଆସନ୍ତୁ । ପୁରସ୍କାର ରାଶି ବୃଦ୍ଧି କରି, ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯାଉ ଏବଂ ପୀଡିତ ଏବଂ ସେମାନଙ୍କ ପରିବାର ନ୍ୟାୟ ପାଆନ୍ତୁ।"
ସୂଚନାଥାଉକି,ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ତଦନ୍ତ ଏବେ ବି ଜାରି ରହିଛି।