ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ତୁର୍କୀ ପାକିସ୍ତାନକୁ ସମର୍ଥନ କରି ଭାରତୀୟଙ୍କ ଆକ୍ରୋଶର ସାମ୍ନା କରୁଛି । ଭାରତରେ ବୟକଟ୍ ତୁର୍କୀ ଅଭିଯନ ଜୋରସୋରରେ ଜାରି ରହିଛି । ଏହାରି ଭିତରେ ତୁର୍କୀ କିନ୍ତୁ ନିଜର ମୁହଁ ଫୁଟାଣି ଛାଡ଼ୁନାହିଁ । ଭାରତକୁ ପୁଣି ଥରେ ଛିଗୁଲାଇବାକୁ ଚେଷ୍ଟା କରିଛନ୍ତି ତୁର୍କୀର ରାଷ୍ଟ୍ରପତି ତାଇପ ଏର୍ଦୋଗାନ । ତୁର୍କୀ ପୁଣି ଥରେ ପାକିସ୍ତାନକୁ ନିଜର ସମର୍ଥନ ଘୋଷଣା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମେସେଜ୍ର ଉତ୍ତର ଦେଇ ଏର୍ଦୋଗାନ କହିଛନ୍ତି, ‘ଭବିଷ୍ୟତରେ କୌଣସି ଭଲ ମନ୍ଦ ହେଲେ ଆମେ ପୂର୍ବପରି ଆପଣଙ୍କ ସହିତ ଛିଡା ହେବୁ।’
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଚରମ ସୀମାରେ ପହଞ୍ଚିବା ପରେ ତୁର୍କୀ, ପାକିସ୍ତାନକୁ ଡ୍ରୋନ୍ ଓ ଅପରେଟରମାନଙ୍କୁ ମଧ୍ୟ ପଠାଇଥିଲା। ତୁର୍କୀର ଏହି ଡ୍ରୋନ୍ ବ୍ୟବହାର କରି ପାକିସ୍ତାନ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବାକୁ ଟାର୍ଗଟେ୍ କରିଥିଲା। ରିପୋର୍ଟ ଅନୁସାରେ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀର ବାଇରାକ୍ଟର ଟିବି୨ ଏବଂ ୟିହା ଡ୍ରୋନ୍ ବ୍ୟବହାର କରିଥିଲା। ତେବେ ଭାରତର ଆକ୍ରମଣରେ ଦୁଇ ତୁର୍କୀ ଅପରେଟର୍ଙ୍କ ବି ମୃତ୍ୟୁ ହୋଇଥିଲା । ଏହାପରେ ଭାରତରେ ବୟକଟ ତୁର୍କୀ ହ୍ୟାସ୍ ଟ୍ୟାଗ୍ ଟ୍ରେଣ୍ଡ କରୁଛି ।
୨୦୨୩ର ଶକ୍ତିଶାଳୀ ଭୂମିକମ୍ପ ପରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ତୁର୍କୀକୁ ସହଯୋଗରେ ହାତ ବଢ଼ାଇଥିଲା। ସେହି ଦେଶ କିଭଳି ଭାରତ ସହିତ ବେଇମାନୀ କରିପାରିଲା ବୋଲି ଭାରତୀୟଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି । ତୁର୍କୀକୁ ପର୍ଯ୍ୟଟକ ବୁକିଂ ବାତିଲ ୨୫୦% ବୃଦ୍ଧି ପାଇଛି। କୌଣସି ଡିଲ୍ରୁ ଆଙ୍କାରାକୁ ଦୂରେଇ ରଖିବାକୁ ଭାରତୀୟ କର୍ପୋରେଟଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ଭାରତର ଜେଏନ୍ୟୁ, ଜାମିଆ ଓ କାନପୁର ୟୁନିଭର୍ସିଟି ତୁର୍କୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ଥଗିତ କରିଛନ୍ତି। ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକମାନେ ମଧ୍ୟ ଚଳଚ୍ଚିତ୍ର ଶୁଟିଂ ପାଇଁ ତୁର୍କୀକୁ ବର୍ଜନ ଘୋଷଣା କରିଛନ୍ତି ।
ଏର୍ଦୋଗାନଙ୍କ ଉପରେ ଭାରତୀୟଙ୍କ ଅସନ୍ତୋଷର କୌଣସି ପ୍ରଭାବ ପଡ଼ୁ ନାହିଁ। ସେ ପୁଣିଥରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଘୋଷଣା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମେସେଜ୍ର ଉତ୍ତର ଦେଇ ଏର୍ଦୋଗାନ କହିଛନ୍ତି, ‘ତୁର୍କୀ-ପାକିସ୍ତାନ ଭାଇଚାରା, ଯାହା ବିଶ୍ୱର ବହୁତ କମ୍ ଦେଶଙ୍କ ଠାରେ ଦେଖିବାକୁ ମିଳେ, ତାହା ପ୍ରକୃତ ବନ୍ଧୁତାର ସର୍ବୋତ୍ତମ ଉଦାହରଣ ମଧ୍ୟରୁ ଗୋଟିଏ । ତୁର୍କୀ, ପାକିସ୍ତାନର ଶାନ୍ତି, ଏବଂ ସ୍ଥିରତାକୁ ବହୁତ ଗୁରୁତ୍ୱ ଦେଉଛୁ।’ ଏର୍ଦୋଗାନ ଭାରତ କିମ୍ବା ସାମ୍ପ୍ରତିକ ବିବାଦର ନାଁ ନ ନେଇ, ସେ ପାକିସ୍ତାନର "ବିଚକ୍ଷଣ ନୀତି" ଏବଂ ସମାଧାନକୁ ପ୍ରଶଂସା କରିଛନ୍ତି ।
ଏର୍ଦୋଗାନ ଲେଖିଛନ୍ତି, ‘ବିବାଦ ସମାଧାନରେ ଆଲୋଚନା ଏବଂ ସମାଧାନକୁ ପ୍ରାଥମିକତା ଦେଉଥିବା ପାକିସ୍ତାନୀ ରାଷ୍ଟ୍ରର ବିଜ୍ଞ, ଧୈର୍ଯ୍ୟଶୀଳ ନୀତିକୁ ଆମେ ବହୁତ ପ୍ରଶଂସା କରୁଛୁ।’ ଏହା ସହ ପାକିସ୍ତାନ ଓ ତୁର୍କୀର ବନ୍ଧୁତ୍ୱ ଦୀର୍ଘସ୍ଥାୟୀ ହେଉ ବୋଲି ଲେଖିଛନ୍ତି ଏର୍ଦୋଗାନ । ପ୍ରକୃତରେ ଭାରତ-ପାକିସ୍ତାନ ଉତ୍ତେଜନା ସ୍ଥିତିରେ ତୁର୍କୀ ପାକିସ୍ତାନକୁ ଦେଇଥିବା ଦୃଢ଼ ସମର୍ଥକୁ ପ୍ରଶଂସା କରି ପାକ୍ ପ୍ରଧାନମନ୍ତ୍ରୀ ସୋସିଆଲ୍ ମଡିଆରେ ଏକ ପୋଷ୍ଟ କରିଥିଲେ। ଏହାର ଉତ୍ତରରେ ତୁର୍କୀ ପୁଣି ଥରେ ପାକିସ୍ତାନ ପ୍ରତି ନିଜର ସମର୍ଥନ ଦୋହରାଇଛି ।