ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏନସିପି ଏବଂ ଏନସିପି-ଏସପିର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଏନସିପି ଅଧ୍ୟକ୍ଷ ଅଜିତ ପାୱାର ଏବଂ ଏନସିପି-ଏସପି ମୁଖ୍ୟ ଶରଦ ପାୱାରଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ଏନସିପି-ଏସପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ବୁଧବାର (୧୪ ମଇ) ଦିନ ଦଳର ରାଜ୍ୟ କାର୍ଯ୍ୟକାରିଣୀର ଏକ ବୈଠକ ଡାକିଛନ୍ତି।
ସୂତ୍ର ଅନୁଯାୟୀ, କିଛି ଦଳୀୟ ନେତା ଏବଂ ସାଂସଦ ଚାହୁଁଛନ୍ତି ଯେ, ଅଜିତ ପାୱାରଙ୍କୁ ସାଙ୍ଗରେ ନିଆଯିବା ଉଚିତ, କାରଣ ସେ ପୂର୍ବରୁ ସରକାରରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ଏନସିପି-ଏସପି ନେତା ମାନଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି, ଯାହାକି ସକାରାତ୍ମକ ଭାବରେ। ତେବେ ଆଜିର ଏହି ବୈଠକ ମିଶ୍ରଣ କଳ୍ପନାଜଳ୍ପନାକୁ ଆହୁରି ଦୃଢ଼ କରିଛି। ଆଜିର ବୈଠକରେ ଜୟନ୍ତ ପାଟିଲ କି ଭୂମିକା ଗ୍ରହଣ କରୁଛନ୍ତି ଏବଂ ସେ କି ମାର୍ଗଦର୍ଶନ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି…
କିଛି ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ଅନେକ ଥର ମଞ୍ଚ ଉପରେ ଏକାଠି ଦେଖିବାକୁ ମିଳିଛି । ଏହା ପରେ, ଶରଦ ପାୱାର ଏନସିପିର ଉଭୟ ଗୋଷ୍ଠୀର ପୁନର୍ମିଳନକୁ ନେଇ ଏକ ବିବୃତ୍ତି ଦେବା ପରେ ରାଜନୈତିକ ଆଲୋଚନା ଏକ ନୂତନ ଦିଗ ନେଇଥିଲା। ଶରଦ ପାୱାର ସ୍ପଷ୍ଟ କରିଦେଇଛନ୍ତି ଯେ 'ଯଦି ଉଭୟ ଏନସିପି ଦଳ ଏକାଠି ହୁଅନ୍ତି, ତେବେ କୌଣସି ଆଶ୍ଚର୍ଯ୍ୟ ହେବା ଆବଶ୍ୟକ ନାହିଁ।' କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିୟା ସୁଲେ ନେବେ।"
ତେବେ ରାଜନୈତିକ ବିଶ୍ଳେଷକ ମାନେ ବିଶ୍ୱାସ କରନ୍ତି ଯେ, ଯଦି ଏହି ମିଶ୍ରଣ ହୁଏ, ତେବେ ଏହା କେବଳ ଏନସିପି ପାଇଁ ନୁହେଁ ବରଂ ମହାରାଷ୍ଟ୍ରର ରାଜନୀତି ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହେବ। ଏହା ମହା ବିକାଶ ଅଗାଡି (MVA) ଏବଂ ବିଜେପିର ରଣନୀତିକୁ ମଧ୍ୟ ପ୍ରଭାବିତ କରିପାରେ।