ନୂଆଦିଲ୍ଲୀ, ୧୪/୦୫: ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଛନ୍ତି ସତ, କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଉଭୟଙ୍କ କୂଟନୈତିକ ସମ୍ପର୍କରେ ଚିନ୍ତାର ମାହୋଲ ସ୍ପଷ୍ଟ ଦେଖିବାକୁ ମିଳୁଛି । ଅପରେସନ୍ ସିନ୍ଦୂର ମିଶନରେ ଯେଉଁ ଗୋଟିଏ ବିଷୟ ଉପରେ ଲଗାତାର ଚର୍ଚ୍ଚା ହେଲା, ତାହା ହେଉଛି ଡ୍ରୋନ୍ ଆଟାକ୍ । ଅର୍ଥାତ୍ ବାୟୁମାର୍ଗରେ ମାନବ ରହିତ ଆକ୍ରମଣ । ଦକ୍ଷିଣ ଏସିଆରେ ପ୍ରଥମ ଥର ଦୁଇ ପରମାଣୁ ଶକ୍ତିସମ୍ପନ୍ନ ପଡ଼ୋଶୀ ଦେଶ ପରସ୍ପର ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଦେଖିବାକୁ ମିଳିଲା ।
ଗତ ୮ ତାରିଖ ସକାଳେ ଭାରତ ପାକିସ୍ତାନର ଲାହୋରରେ ଏୟାୟର ଡିଫେନ୍ସ ସିଷ୍ଟମ୍କୁ ଡ୍ରୋନ୍ରେ ନଷ୍ଟ କରିଦେଲା । ଏହାର ଜବାବରେ ପାକିସ୍ତାନ ଭାରତର ଅନେକ ସ୍ଥାନ ଉପରେ ଡ୍ରୋନ୍ ଆକ୍ରମଣ କଲା । କିନ୍ତୁ ଭାରତର ମଜଭୁତ ପ୍ରତିରକ୍ଷା ପ୍ରଣାଳୀ ଏହି ଆକ୍ରମଣକୁ ବିଫଳ କରିଦେଲା । ତେବେ ବର୍ତ୍ତମାନ ସ୍ଥିିତିରେ ପ୍ରଥମ ଥର ଡ୍ରୋନ୍ ଆକ୍ରମଣ ବିଷୟରେ ଆଲୋଚନା ହେଉନାହିଁ । ରୁଷ୍-ୟୁକ୍ରେନ ଯୁଦ୍ଧଠୁ ଇସ୍ରାଏଲ-ଗାଜା ସଂଘର୍ଷ ପର୍ଯ୍ୟନ୍ତ, ଡ୍ରୋନ୍ ଏବେ ଆଧୁନିକ ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହୋଇଛି । ଦକ୍ଷଣ ଏସିଆରେ ପ୍ରଥମ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ସ୍ତରର ଡ୍ରୋନ୍ ଯୁଦ୍ଧ ଦେଖିବାକୁ ମିଳିଛି । ଡ୍ରୋନ୍ ଯୁଦ୍ଧର ମୂଳ ବର୍ତ୍ତମାନର କୌଶଳରେ ନୁହେଁ, ବରଂ ଇତିହାସ ପୃଷ୍ଠାରେ ଲୁଚିରହିଛି । ୧୮୪୯ ମସିହାରେ ଅଷ୍ଟ୍ରିଆ ଭେନିସ୍ ଉପରେ ବେଲୁନ୍ ବୋମା ପକାଇଥିଲା । ଏହାକୁ ମାନବ-ରହିତ ବାୟୁ ଆକ୍ରମଣର ପ୍ରଥମ ଉଦାହରଣ କୁହାଯାଏ । ତା’ପରେ ବିଂଶ ଶତାବ୍ଦୀରେ ଏହି କୌଶଳ ଆହୁରି ବିକଶିତ ହେଲା ।
ପ୍ରଥମ ଓ ୨ୟ ବିଶ୍ୱଯୁଦ୍ଧରେ ପାଇଲଟ୍-ରହିତ ବିମାନର ପରୀକ୍ଷଣ ହୋଇଥିଲା । ୧୯୩୫ରେ ବ୍ରିଟେନ ରେଡିଓ କଣ୍ଟ୍ରୋଲରେ ପରିଚାଳିତ ‘କ୍ୱିନ୍ ବି’ ଡ୍ରୋନ୍ ନିର୍ମାଣ କଲା । ଶୀତଳ ଯୁଦ୍ଧ ସମୟରେ ଗୁଇନ୍ଦାଗିରି ପାଇଁ ପ୍ରଥମ ଥର ଡ୍ରୋନ୍ ବ୍ୟବହାର କରାଯାଇଥିଲା । ଆମେରିକା ଛୋଟ ରିମୋଟ୍ କଣ୍ଟ୍ରୋଲ ଡ୍ରୋନ୍ ଜରିଆରେ ଶତ୍ରୁ ଉପରେ ନଜର ରଖିଲା । ଭିଏତନାମ ଯୁଦ୍ଧରେ ମଧ୍ୟ ଏହି ଡ୍ରୋନ୍ ମୁତୟନ ହୋଇଥିଲା । ୨୦୦୦ ମସିହାରେ ଆମେରିକା ହେଲଫାୟାର ମିସାଇଲଯୁକ୍ତ ପ୍ରିଡେଟର ଡ୍ରୋନ୍କୁ ଯୁଦ୍ଧରେ ଉତାରିଲା । ଏହା ଶତ୍ରୁ କ୍ଷେତ୍ରରେ ସଠିକ୍ ଆକ୍ରମଣ କରିବାରେ ସକ୍ଷମ । ଏହା ପରେ ଆମେରିକାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ବ୍ୟାପକ ସ୍ତରରେ ଡ୍ରୋନ୍ ବ୍ୟବହୃତ ହେଲା ।
ଡ୍ରୋନ୍ ଯୁଦ୍ଧର ପରିଭାଷା ବଦଳାଇ ଦେଇଛି । ଏବେ ସୈନିକଙ୍କ ଜୀବନକୁ ବିପଦରେ ନ ପକାଇ ଶତ୍ରୁର ଠିକଣା ଉପରେ ଆକ୍ରମଣ ସମ୍ଭବ । ଏହା ଶସ୍ତା, ସଠିକ୍ ଓ ବିନାଶକାରୀ । ଭାରତ-ପାକ୍ ସଂଘର୍ଷରେ ପୁଣି ଥରେ ପ୍ରମାଣିତ ହୋଇଛି ଯେ ଭବିଷ୍ୟତର ଯୁଦ୍ଧ ଭୂପୃଷ୍ଠରେ ନୁହେଁ, ଆକାଶରେ ଡ୍ରୋନ୍ ଲଢ଼ିବେ ।